ପ୍ରବନ୍ଧ - ଗାନ୍ଧୀ ଓ ଭାରତ - ନାରାୟଣ ଚନ୍ଦ୍ର ସେନାପତି

ପ୍ରବନ୍ଧ - ଗାନ୍ଧୀ ଓ ଭାରତ - ନାରାୟଣ ଚନ୍ଦ୍ର ସେନାପତି

ଗାନ୍ଧୀ ଓ ଭାରତ
**************

   ପରାଧୀନ ଭାରତର ଭାଗ୍ୟ ଆକାଶରେ ଯେତେବେଳେ ଦୁଃଖର ଅମାନ୍ଧକାର ଘୋଟିଥିଲା ସେହି ସମୟରେ ଉଜ୍ଜ୍ୱଳ ଜ୍ୟୋତିଷ୍କ ପ୍ରାୟ ଆବିର୍ଭାବ ହୋଇଥିଲେ ମହାମାନବ ମହାତ୍ମାଗାନ୍ଧୀ।ଅନ୍ୟାୟ ଅତ୍ୟାଚାରରେ ପିଡୀତ ଭାରତୀୟ ଯେତେବେଳେ ଦେହ ମନର କ୍ଷତକୁ ଆଉଁସି ଆଉଁସି ବାହୁନି କାନ୍ଦୁଥିଲା ଠିକ୍ ସେତିକିବେଳେ ଭଗବାନଙ୍କ ଶ୍ରେଷ୍ଠ ସେବକ ଭାବେ ଆଖିର ଲୁହକୁ ପୋଛିବାକୁ ଓ କ୍ଷତରେ ପ୍ରେମର ମଲମ ଲଗାଇବାକୁ ଛୁଟିଆସିଥିଲେ ସେ।ସେଦିନ ଥିଲା ୧୮୬୯ ମସିହା ଅକ୍ଟୋବର ୨,ପୂତ ପବିତ୍ର ଗୁରୁରାଟର ପୋର ବନ୍ଦରରେ ଜନ୍ମ ନେଇଥିଲେ ସେ ମହାତ୍ମା।ପିତା କରମ ଚାନ୍ଦ ଗାନ୍ଧୀଙ୍କର ସେ ଥିଲେ ଭବିଷ୍ୟତ ଓ ମାତା ପୁତୁଳିବାଇଙ୍କର ନୟନପିତୁଳା।ମାଆଙ୍କର ଭଲପାଇବାର ଛୁଆଁରେ ପବିତ୍ର କାମ ତାଙ୍କୁ ଦେଇଥିଲା ଧର୍ମର ବାର୍ତ୍ତା ଆଉ ବାପାଙ୍କର ପ୍ରତିଟି ଅମୁଲ୍ୟ ବାଣୀ ତାଙ୍କୁ ଦେଇଥିଲା ନୀତି ଆଦର୍ଶର ଭାବୀ ସୂଚନା।ସଭିଙ୍କର ଥିଲେ ସେ ଶ୍ରଦ୍ଧେୟ ମୋହନ।ସରଳ ନିରୀହ ଓ ସୁଶୀଳ ଶାନ୍ତ ମୋହନ ବଂଶୀରେ ଜିତୁଥିଲେ ପ୍ରତିଟି ହୃଦୟ।ଲାଜକୁଳା ଥିଲେ ସିନା,ଭଦ୍ର ଶିଷ୍ଟାଚାରରେ ସେ ଥିଲେ ସବୁଠୁ ଧନୀ।ଗୁରୁ ତାଙ୍କ ପାଇଁ ସାକ୍ଷାତ ଭଗବାନ ଆଉ ଜ୍ୟେଷ୍ଠ ମାନେ ତାଙ୍କ ବିଚାରରେ ସବୁଠୁ ଶ୍ରେଷ୍ଠ।ଜନନୀ,ଜନ୍ମମାଟି ତାଙ୍କ ହୃଦୟର ସ୍ପନ୍ଦନ।ମିଥ୍ୟା ଥିଲା ତାଙ୍କର ଶତ୍ରୁ ଆଉ ସତ୍ୟର ସେ ଥିଲେ ପୂଜକ।ହିଂସାକୁ ସେ ଘୃଣା କରୁଥିଲେ ଆଉ ଅହିଂସାକୁ ସେ କରିଥିଲେ ଅର୍ଘ୍ୟର ଥାଳୀ।ଛୋଟ ବେଳୁ କପି କରିବା ଓ ଚୋରି କରିବାକୁ ସେ ନାପସନ୍ଦ କରୁଥିଲେ।ସର୍ବଦା କହୁଥିଲେ କହିବା ଆଗରୁ କରିବା।ମଦ,ମାଂସ,ବ୍ୟଭିଚାରର ସେ ଥିଲେ ଚିରଶତ୍ରୁ।ସେ କହୁଥିଲେ ପ୍ରେମଦ୍ୱାରା ଶତ୍ରୁ ବି ମିତ୍ର ହୋଇପାରେ।ସମୟ ହେଉଛି ଆମ ପରମ ଗୁରୁ।ତାକୁ ଅସମ୍ମାନ କଲେ ପରାଜୟ ସୁନିଶ୍ଚିତ।ବିଲାତ ଗଲେ- ଘୃଣିତ ହେଲେ, ଦକ୍ଷିଣ ଆଫ୍ରିକା ଗଲେ-ଅଣ୍ଡାମାଡ଼ ଖାଇଲେ,କଳା ଲୋକବୋଲି ଗୋରାମାନେ ଘୃଣା କଲେ ହେଲେ ସେ ତାଙ୍କର ଅନିଷ୍ଟ କରି ନ ଥିଲେ।
  ହେଲେ ଇଂରେଜ ମାନଙ୍କ ସରଳ ଭାରତୀୟଙ୍କ ଉପରେ ଅତ୍ୟାଚାର,ଶୋଷଣ ଦେଖି କାନ୍ଦି ପକାଇଥିଲେ।କରିଥିଲେ ଅହିଂସା,ଅସହଯୋଗ ଆନ୍ଦୋଳନ।ଅହିଂସାର ପରାକାଷ୍ଠା ଦେଖାଇ କହିଲେ, ତୁମ ଗୋଟିଏ ଗାଲକୁ ଯେ ଚାପୁଡ଼ା ମାରୁଛି,ଆର ଗାଲଟି ଦେଖେଇଦିଅ।ଶତ୍ରୁକୁ ପ୍ରେମ କର।ଦେଖିବ ସେ ଦିନେ ପରମ ମିତ୍ର ହୋଇଯିବ ଏଥିଲା ତାଙ୍କ ହୃଦୟର ଭାଷା।୧୯୧୯ ର ଜାଳିୱାନାୱାଲାବାଗ ହତ୍ୟାକାଣ୍ଡରେ ହୋଇଥିଲେ ମର୍ମାହତ।୧୯୨୧ ର ଅସହଯୋଗ ଆନ୍ଦୋଳନ,୧୯୩୦ର ଲବଣସତ୍ୟାଗ୍ରହ ରେ ସାବ୍ୟସ୍ତ କରିଥିଲେ ସ୍ବାଧୀନତା ଆମ ନିଜସ୍ୱ ଅଧିକାର।୧୯୪୨ର ଭାରତଛାଡ଼ ଆନ୍ଦୋଳନରେ ଇଂରେଜ ପାଇପାରିଥିଲା ପରାଜୟର ବାର୍ତ୍ତା।
  ନିଜ ଜୀବନକୁ ତିଳ ତିଳ ଦଗ୍ଧ କରି କେତେ ଲାଠିମାଡ଼,ଚାବୁକ ପ୍ରହାର,ଜେଲଦଣ୍ଡ ସବୁକୁ ସେ ହସି ହସି ପିଇ ଯାଇଥିଲେ ନୀଳକଣ୍ଠ ସାଜି।ସତ୍ ଚିନ୍ତା,ସତ୍ ସଙ୍ଗ,ସତ୍ କର୍ମ କରୁଥିବା ଏଇ ଛୋଟିଆ ଲୋକଟିକୁ ଇଂରେଜ ଭୟ କରୁଥିଲା ଆଉ ଅନ୍ତର ଭିତରେ ସମ୍ମାନ ଦେଉଥିଲା ମଧ୍ୟ।ଜାତି ଦେଶ ମାନବ ତାଙ୍କ ଆଦର୍ଶକୁ କଳି ନ ପାରି ଭାବୁଥିଲେ ମାନବ ରୂପୀ ଭଗବାନ, କହୁଥିଲେ ମହାମାନବ ମହାତ୍ମା।ଦେଶ ସ୍ଵାଧୀନ ହେଲା କିନ୍ତୁ କୌଣସି ପଦପଦବୀ ଗ୍ରହଣ କଲେନାହିଁ ସେ ନିଃସ୍ୱାର୍ଥପର ଓ ନିର୍ମଳ ହୃଦୟରେ।
  ହେଲେ ହିଂସୁକ,ଈର୍ଷାପରାୟଣ  ମଣିଷ ସହିପାରିଲାନି ସେ ଦିବ୍ୟ ପ୍ରତିଭାକୁ।ଶେଷରେ ସାନ୍ଧ୍ୟ ପ୍ରାର୍ଥନା ସାରି ଆସିଲା ବେଳେ ଆତତାୟୀ ନାଥୁରାମ ଗଡସେର ଗୁଳିରେ ଲିଭିଗଲା ତାଙ୍କ ଜୀବନ ଦୀପ।"ହେ ରାମ' କହି ତଳି ପଡିଲେ ୧୯୪୮ ଜାନୁୟାରୀ ତିରିଶରେ।ସରାଗରେ ଆମକୁ ଦେଇଗଲେ ଶହୀଦ ଦିଵସ।ସେହି ଅମର ଆତ୍ମା ଆଜିବି ଭାରତମାତାର ଲୁହ ଦେଖି କାନ୍ଦୁଛି।ଆଉ କହୁଛି ଭଲ ମଣିଷ ହୁଅ, ଭଲ କରି ଦେଶକୁ ଗଢ଼, ଆଉ ଆନନ୍ଦରେ କୁହ...ଭାରତ ମାତାକୀ ଜୟ।

       ଜୟ ହିନ୍ଦ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର

0 Comments