କ୍ଷୁଦ୍ରଗଳ୍ପ - ପ୍ରଶଂସା ପତ୍ର - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ପ୍ରଶଂସା ପତ୍ର - ନାରାୟଣ ଚନ୍ଦ୍ର ସେନାପତି

   ମଞ୍ଚଟା ସତେ ଯେମିତି ପୁରିଉଠୁଥିଲା ସେଦିନ।ରଙ୍ଗୀନ ସାଜସଜ୍ଜା ସାଙ୍ଗକୁ ଆଲୋକର ଖିଲି ଖିଲି ହସ ସତେ ଯେମିତି ଆନନ୍ଦରେ ଚିକ ମିକ ଲୁଚକାଳି ଖେଳୁଥିଲା।ଡ଼ାକବାଜି ଯନ୍ତ୍ରଟା ଆହ୍ୱାନ କରୁଥିଲା ମଧୁର ସ୍ୱରରେ ଆଗନ୍ତୁକଙ୍କୁ ସ୍ନେହର ଆର୍ଘ୍ୟଥାଳିରେ ବନ୍ଦାପନା କରିବାକୁ।କେତେକ ସାହିତ୍ୟ, ସଂସ୍କୃତି ପ୍ରେମୀ ଛୁଟି ଆସୁଥିଲେ ଅତିଥି ଭାବେ ହୃଦୟର ପୁଲକକୁ ଦୋହଲାଇ।

    ସମୟର ସଞ୍ଜସଳିତା ଜଳି ଜଳି ଆହ୍ୱାନ କଲା ଅତିଥିଙ୍କୁ ସେଇ ବିଶ୍ୱନିୟନ୍ତାଙ୍କ ପୂଜାର୍ଚ୍ଚନା କରିବାକୁ।ଶଙ୍ଖ,ଘଣ୍ଟ,ଘଣ୍ଟା ଧ୍ୱନିରେ କମ୍ପି ଉଠିଲା ସେ ପବିତ୍ର ସ୍ଥାନ।ପରେ ସଙ୍ଗୀତର ମୂର୍ଚ୍ଚନା ବିସରିତ ହେଲା ସଭିଙ୍କ ଆତ୍ମାରେ।ଆରମ୍ଭ ହେଲା ସମ୍ମିଳନୀ।ବାଗ୍ମୀଙ୍କ ବାଗ୍ମୀତାରେ ଶିହରି ଗଲା ସେ ବାୟୁମଣ୍ଡଳ।ପରେ ପରେ ସ୍ୱାଗତ ସମ୍ବର୍ଦ୍ଧନା।ସବୁଠୁ ଆକର୍ଷଣ ଥିଲା ମହେନ୍ଦ୍ର ବାବୁଙ୍କୁ ମିଳିଥିବା ସମ୍ବର୍ଦ୍ଧନା।ଉପସ୍ଥାପକଙ୍କର ସୁନ୍ଦର ସାବଲୀଳ ଘୋଷଣା ଥିଲା ସାହିତ୍ୟର ବିବିଧ ସଫଳତା,କୃତୀ ଓ କୃତିତ୍ୱ ପାଇଁ ମହେନ୍ଦ୍ର ସାମନ୍ତରାୟ ପାଉଛନ୍ତି ବ୍ୟାସ କବି ଫକୀରମୋହନ ସମ୍ମାନ।ବାୟୁମଣ୍ଡଳ ସ୍ତବ୍ଧ,ସମସ୍ତେ ଅବାକ୍ ହୋଇ ଚାହିଁଛନ୍ତି ମଞ୍ଚକୁ।କିଏ ସେ ମହେନ୍ଦ୍ର ବାବୁ?ସେ କିଭଳି ହୋଇଥିବେ?ସତରେ ତାଙ୍କ କୃତିତ୍ୱ କଣ ନ ହୋଇଥିବ?ଜଣେ ପ୍ରତିଭା ପରି ପ୍ରତିଭା ହୋଇଥିବେ ସେ।ସମ୍ମୁଖରେ ବସିଥିବା ସାହିତ୍ୟ ପ୍ରେମୀଙ୍କ ଭିତରୁ କେତେକଙ୍କର ଏ କୌତୁହଳ ଓ ଉତ୍ସୁକତା।ମଞ୍ଚରେ ପଦାର୍ପଣ ହେଲେ ମହେନ୍ଦ୍ର ବାବୁ।ଉପସ୍ଥିତ ଜନତାଙ୍କ କରତାଳିରେ ଫୁଟି ଉଠୁଥାଏ ମଞ୍ଚ।କି ପ୍ରଶଂସା! ଧନ୍ୟ ଧନ୍ୟ ତୁମେ ସ୍ରଷ୍ଟା!ଧନ୍ୟ ତୁମ ପିତା ମାତା ଶବ୍ଦ ପ୍ରତିଧ୍ବନିତ  କରୁଥିଲା ପ୍ରତ୍ୟେକଙ୍କ କର୍ଣ୍ଣ ଗହ୍ୱରକୁ।ତା ଭିତରେ ବି କିଛି ମୂର୍ଖ ପଣ୍ଡିତଙ୍କ ଉବାଚ ଥିଲା,ଓଃ ବଡ କବିଟା ଯେମିତି! ଲେଖିଜାଣିଥିବ କି ନାହିଁ,କାହାକୁ ଧରା ଧରି କରି କି ପଇସା ପତ୍ର ଦେଇ ଇଏ ଏ ପତ୍ର ପାଉଥିବ।

   ବାସ୍ତବରେ କଥାରେ ଅଛି ଚୋର ମନ ଚୋର ଗଣ୍ଠିଲିରେ।ଯିଏ ହିଂସୁକ,ନିନ୍ଦୁକ,ପରଶ୍ରୀକାତର ସିଏ ବା କାହାର ପ୍ରଶଂସା କାହିଁକି କରିବ।ପୁନଶ୍ଚ ଯାହାର ଦକ୍ଷତା କି ଯୋଗ୍ୟତା ନାହିଁ ସେ ଅନ୍ୟର ଦକ୍ଷତାକୁ କାହିଁକି ବା ଆକଳନ କରିପାରିବ?ପୁଣି କଥାରେ ଅଛି ବାଞ୍ଝ କି ଜାଣିବ ପ୍ରସବ ବେଦନା,ଶିଶୁ କି ଜାଣିବ ସାହିତ୍ୟ ରସ।ଯେଉଁ ଗୁଣୀ ଜନ ପ୍ରଶଂସା କରୁଥିଲେ,ତାଙ୍କ ପାଇଁ ପ୍ରଯୁଜ୍ୟ ଉକ୍ତିଟା ଥିଲା,ଗୁଣଗ୍ରାହୀ ସିନା ଗୁଣର ମହତ୍ତ୍ୱ ବୁଝେ।ଏସବୁକୁ ସୂକ୍ଷ୍ମ ଭାବେ ଅନୁଧ୍ୟାନ କରୁଥାଏ ମହେନ୍ଦ୍ର ବାବୁଙ୍କ ଝିଆରୀ ମିନି।ଭାବୁଥାଏ ବାସ୍ତବରେ କି ବିଚିତ୍ର କି ଅଦ୍ଭୁତ ଏ ସମାଜ।କେହି କାହାର ଶୀରୀ ବି ଦେଖି ସହିପାରନ୍ତିନି।କେମିତି ବା ସହିବେ,ଅନ୍ୟକୁ କଳିବା ପାଇଁ ଯୋଗ୍ୟତା ଥିବା ନିହାତି ଦରକାର ନା?
    ମଞ୍ଚର ଏ ଅଭ୍ୟର୍ଥନାରେ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ମହେନ୍ଦ୍ର ବାବୁ।ହୃତ୍ ପିଣ୍ଡଟା କମ୍ପି ଯାଉଥାଏ ତାଙ୍କର।ଆଖିରୁ ବିଗଳିତ ହେଉଥାଏ ଆନନ୍ଦର ଅଶ୍ରୁ ଦୁଇଧାର।ସଭିଙ୍କୁ ଅଭିନନ୍ଦନ ଦେଇ ଆରମ୍ଭ କରିଥିଲେ ତାଙ୍କର ସଂକ୍ଷିପ୍ତ ବକ୍ତବ୍ୟ।
"ଆଜି ମୁଁ ବହୁତ ଖୁସି।କାହିଁକି ନା ଏଇ ପ୍ରଶଂସା ଟିକିଏ ପାଇଁ ମୋତେ ଦୀର୍ଘ ୨୫ବର୍ଷ କଠୋର ସାଧନା ଓ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିଛି।ଚାରିଆଡ଼କୁ ଚାହିଁ କହିଲେ,ଏ ପ୍ରଶଂସା ପାଇ ଅବଶ୍ୟ ମୁଁ ଖୁସି ହେଲେ ଯଦି ମୋ ସହ ମୋ ମାଆ ଆଉ ମୋ ସାଥି ମହେଶ୍ବର ଥାନ୍ତେ ତେବେ ମୋତେ ଖୁବ୍ ଖୁସି ଲାଗିଥାନ୍ତା।ମାଆ ତ ଏ ଦୁନିଆଁରେ ନାହାଁନ୍ତି କିନ୍ତୁ ଅନୁରୋଧ ରଖୁଛି ମୋ ସାଙ୍ଗ ମହେଶ୍ୱରକୁ, ଯଦି ସାଙ୍ଗ କେଉଁଠି ଥାଅ ତେବେ ନିଶ୍ଚୟ ଆସିବ ଏ ମଞ୍ଚକୁ"।ଏସବୁ ଶୁଣି ମହେଶ୍ବର ସମ୍ଭାଳି ପାରିଲେ ନାହିଁ।କିଛି ବର୍ଷ ଭିତରେ ତା କୁତ୍ସିତ ପ୍ରକୃତି ଧୀରେ ଧୀରେ ଅପସରୀ ଯାଉଛି।ଆଉ ମନରେ ସେ ଈର୍ଷା,ହିଂସା ଓ ବଡ଼ ପଣିଆ ନାହିଁ।ମଞ୍ଚକୁ ଯାଇ ପହଁଚିଲେ।ମହେନ୍ଦ୍ର ବାବୁଙ୍କ ସହ ଆଲିଙ୍ଗନର ସୁଖଦ ମୁହୂର୍ତ୍ତ ସଭିଙ୍କୁ ଚକିତ କରିଥିଲା।ପରସ୍ପରର ଭାବ ବନ୍ଧନର ପ୍ରୀତି ମୁହୂର୍ତ୍ତର ଆବେଗମାନଙ୍କୁ ଚମକାଇ ଦେଉଥିଲା।ସଂଗେ ସଂଗେ ମହେଶ୍ବର କହୁଥାନ୍ତି ମୋତେ କ୍ଷମା କରିଦେବ ସାଙ୍ଗ,ମୁଁ ତୁମକୁ ବହୁତ କଷ୍ଟ ଦେଇଛି।ଏପଟେ ମହେନ୍ଦ୍ର କହୁଥାନ୍ତି ନାଁ ସାଙ୍ଗ ଆଜି ଯେଉଁ ସମ୍ମାନ ଟିକେ ମିଳିଛି ତାହା କେବଳ ତୁମ ପାଇଁ।ଏହି ପ୍ରେମ-ଭଲପାଇବାର ନିବିଡ଼ ମୁହୂର୍ତ୍ତ ସଭିଙ୍କ ମନରେ ଆଲୋଡ଼ନ ଆଣିଥିଲା।ଏ ସମସ୍ତ ଘଟଣାକୁ ଭଲ ଭାବରେ ଅନୁଧ୍ୟାନ କରୁଥିଲା ମିନି


 ସେଦିନ ସେଠାରେ ସବୁକିଛି ଉପଭୋଗ କରି ଫେରିଲା ସତ ହେଲେ କକା ଓ ତାଙ୍କ ସାଥୀଙ୍କର ଆଳାପ ଆଲୋଚନାର ସେ ମୁହୂର୍ତ୍ତର ଗୂଢ ରହସ୍ୟ ଆଖି ଆଗରେ ନାଚୁଥିଲା।

  ଘରେ ପହଞ୍ଚି ମହେନ୍ଦ୍ର ବାବୁ ଓ ମିନି ପରିବାରରେ ସଭିଙ୍କ ସହ ଖୁସି ବାଣ୍ଟିଲା ପରେ ରାତ୍ରିଭୋଜନ ବି ଶାନ୍ତିରେ ନେଲେ।ହେଲେ ମିନି ଛାଡ଼ୁଛି କେଉଁଠି? ମିନିର ଉତ୍ସୁକ ମନ କହିଉଠିଲା "କକା, ତୁମେ ଓ ତୁମ ସାଂଗର ମଞ୍ଚରେ ଏ ଘଟଣାର ଗୂଢ଼ ରହସ୍ୟ କହିବ କି?

  କକା ଭାବିଲେ ଝିଆରୀ ମିନି ଛୋଟିଆ ଜନ୍ତୁ ନୁହଁ,ସେ ବିଦ୍ୟାମନ୍ଦିରରେ ପଢ଼ୁଥିବା ଦଶମ ଶ୍ରେଣୀର ଏକ ମେଧାବୀ ଛାତ୍ରୀ।ତାକୁ ସେ କେମିତି ବା ଭୁଲାଇବ।ଆରମ୍ଭ କଲେ ମହେନ୍ଦ୍ର ବାବୁ ନିଜ ଶୈକ୍ଷିକ ଜୀବନର ଯନ୍ତ୍ରଣା ଭରା ଇତିହାସ।

  ସେ ଥିଲା ଜଣେ ସାଧାରଣ କୃଷକର ମାମୁଲି ପିଲା ଆଉ ମହେଶ୍ବର ଥିଲା ଜଣେ ଏ କ୍ଳାସ ଅଫିସରଙ୍କ ଆଭିଜାତ୍ୟ ସମ୍ପନ୍ନ ପିଲା।ଦୁହେଁ ପଢୁଥାନ୍ତି ଏକ ସାଙ୍ଗରେ।ତାର ପାଠ ହିଁ ଥିଲା ସର୍ବସ୍ୱ।ତା ସଙ୍ଗେ ସଙ୍ଗେ ସଂଗୀତ,ନୃତ୍ୟ, ବକ୍ତୃତା,ଅଭିନୟ ଏପରିକି କିଛି ବର୍ଣ୍ଣନା ଲେଖାଲେଖିରେ ଧୁରନ୍ଧର।ମାତ୍ର ମହେଶ୍ୱରର ସେମିତି କିଛି ଆଖିଦୃଶିଆ ଦକ୍ଷତା ନ ଥିଲା।ଯେକୌଣସି ପ୍ରତିଯୋଗିତାରେ ସେ(ମହେନ୍ଦ୍ର) ପୁରସ୍କାର ତାର ଥୁଆ।ସେସବୁ ଦେଖି ଈର୍ଷାରେ ଜଳି ଯାଉଥିଲା ମହେଶ୍ବର।ଏମିତିକି ବହୁତ ଉପାୟ ଚିନ୍ତା କରି ବିଫଳ ହେବାପରେ ବିଦ୍ୟାଳୟରୁ ଭଲ ଶିକ୍ଷକ ମାନଙ୍କୁ ରାଜନୈତିକ ଚାପ ପକାଇ ବଦଳି କଲା ତା ରାଜନୀତିଆ ବାପା।ବିଦ୍ୟାଳୟକୁ ଆସିଲେ ଚାଟୁକାର କେଇଜଣ ଶିକ୍ଷଜ ଯେଉଁମାନେ ମହେଶ୍ବର ବାପାଙ୍କ କଥାରେ କରୁଥିଲେ କଣ୍ଢେଇ ନାଚ।ସେଇଦିନଠାରୁ ବିଦ୍ୟାଳୟରୁ କୌଣସି ପ୍ରତିଯୋଗିତାରେ ସେ ପାଇନି ପ୍ରଶଂସା ପତ୍ର ଯେତେ ଭଲ କଲେ ବି। ମହେଶ୍ୱରର କିନ୍ତୁ ଟ୍ରଫି,ସାର୍ଟିଫିକେଟ, ପ୍ରଶଂସା ଓ ପ୍ରମାଣ ପତ୍ର ଥିଲା ଥୁଆ।ଆଉ ମହେଶ୍ବର ବି ତାକୁ(ମହେନ୍ଦ୍ରକୁ) ତାଛଲ୍ୟ,ତିରସ୍କାର କରିବାକୁ ପଛାଉ ନ ଥିଲା।ନୀଳକଣ୍ଠ ବିଷପାନ କଲାପରି ସେ ପିଉଥିଲା ଧୈର୍ଯ୍ୟ ଓ ସାନ୍ତ୍ୱନାର ବିଷ।ରାତିରେ ଏସବୁ ଅନୈତିକ ଘଟଣାକୁ ମନେ ପକାଇ ତାକୁ କିପରି ହତୋତ୍ସାହିତ କରାଯାଉଛି ଭାଳି ଭାଳି ଧକେଇ ହୋଇ କାନ୍ଦୁଥିଲା।ତା ମା ଜାହ୍ନବୀ ନିଜେ କାନ୍ଦି କାନ୍ଦି ତା ମୁଣ୍ଡ ପିଠି ଆଉଁସି ବୁଝେଇ ଦେବାକୁ ଯାଇ କହୁଥିଲେ, ଆରେ ବାପା ଧୈର୍ଯ୍ୟ ଧ,ଦିନ ଆସିବ ତୋ ପ୍ରତିଭା ନିଶ୍ଚୟ ସମ୍ମାନ ପାଇବ।ସବୁବେଳେ ଅନ୍ଧାର ରାତି ନ ଥାଏରେ ଧନ।ତୁ ନିଶ୍ଚୟ ନ୍ୟାୟ ପାଇବୁ।

ମୁଁ ଧକେଇ କାନ୍ଦି କହୁଥିଲି, ମା...ତୁ କହୁଥିଲୁ ପରା, ଭଗବାନ ଅନ୍ୟାୟ ସହନ୍ତି ନାହିଁ,ପ୍ରତ୍ୟେକଙ୍କୁ ଉଚିତ୍ ପ୍ରାପ୍ୟ ଦିଅନ୍ତି,ହେଲେ ମୋ ପ୍ରତି ଅନ୍ୟାୟ କାହିଁକି ମାଆ।ମୁଁ କାହିଁ ପ୍ରଶଂସା ପତ୍ର ପାଉନି।ମୋ ମାଆ ବୁଝାଉଥିଲା,ନିଜର ଦକ୍ଷତା ଥିଲେ ପ୍ରଶଂସା ପଛରେ ଗୋଡାଏ ରେ ଧନ, ଆଉ ପ୍ରଶଂସା ପଛରେ ଗୋଡାଉଥିବା ଲୋକ ଦକ୍ଷତା ନ ଥିଲେ ସାମୟିକ ସିନା ଆନନ୍ଦ ପାଆନ୍ତି କିନ୍ତୁ ନିଜ ଅଯୋଗ୍ୟ ପଣିଆ ପାଇଁ ପ୍ରତି ମୁହୂର୍ତ୍ତରେ ଭୟ କରି କରି ମରି ମରି ବଞ୍ଚନ୍ତି,ଭିତରେ କାନ୍ଦି କାନ୍ଦି ଉପରେ ହସିବାର ଅଭିନୟ କରନ୍ତି।

  ଖାଲି ସେତିକି ନୁହଁ ତୋରି ବୟସରୁ ଲେଖା ଲେଖି ଆରମ୍ଭ କଲି,ଗଳ୍ପ,କବିତା,ପ୍ରବନ୍ଧ,ନାଟକ...ଏଇମିତି କେତେ କଣ ? ହେଲେ ହିଂସୁକ,ଈର୍ଷାପରାୟଣ ଓ ଅହଙ୍କାରୀ ବ୍ୟକ୍ତିମାନଙ୍କର ଚକ୍ରାନ୍ତ ମୋ ଲେଖାକୁ ମର୍ଯ୍ୟାଦା ଦେଲାନାହିଁ।ପାଇଲା ମହେଶ୍ୱରର ଚୋରି,ସଂଗୃହିତ ଓ ହାଲୁକା ଲେଖା ସ୍ୱୀକୃତି।୨୦୧୪ମସିହା ଅଗଷ୍ଟ ୧୫ରେ ମୋ ଲେଖାପାଇଁ କବିବର ଉପାଧି ମିଳିବାକୁ ମୋତେ ସୂଚନା ମିଳିଲା।ବିଭିନ୍ନ ସମ୍ବାଦରେ,ଆମନ୍ତ୍ରଣ ପତ୍ରରେ ମଧ୍ୟ ମୋ ନାମ ସୂଚିତ ହେଲା ମାତ୍ର ସେହି ଦିନର କାର୍ଯ୍ୟକ୍ରମରେ ମୋ ନାମ  ନ ଥିଲା ଏମିତିକି ଶେଷ ପର୍ଯ୍ୟନ୍ତ ମୋର ଅପେକ୍ଷିତ ମନ ମୋର ନାମ କୁ ଶୁଣିବାକୁ ଚାହିଁ ଚାହିଁ ବିଫଳ ହେଲା।ସବୁଠୁ ଆଶ୍ଚର୍ଯ୍ୟ ମହେଶ୍ୱରର ନାମ ନ ଥାଇ ବି ସେ ପାଇଲା କବିବର ଉପାଧି।ସେଦିନ କିନ୍ତୁ ମୋ ମନକୁ ବୁଝାଇବା ବହୁତ କଷ୍ଟ ହେଲା।ଏଇ ବର୍ଷ ଦେଖିଲି ଏକ ବିଜ୍ଞାପନ ଯେଉଁ ବିଜ୍ଞାପନରେ ପ୍ରତ୍ୟେକ ସାହିତ୍ୟିକ ମାନେ ନିଜର ଭିନ୍ନ ଭିନ୍ନ ଦକ୍ଷତାରେ ନିଜର ପାଣ୍ଡିତ୍ୱ ଦେବାପାଇଁ ବାଧ୍ୟ କରାଗଲା,ଯାହା ଅନୁସାରେ ସିଦ୍ଧାନ୍ତ ନିଆଗଲା ଉପାଧି ଓ ସମ୍ମାନ।ମୋର ଆକଳନ କରାଗଲା କବିତା,ଗଳ୍ପ,ପ୍ରବନ୍ଧ,ନାଟକ,ସଂଗୀତ, ବକ୍ତୃତା,ଉପସ୍ଥାପନା ଓ ସଂଗୀତରେ।ଯାହେଉ ପିତା ମାତା,ଗୁରୁ,ଭଗବାନ ସମସ୍ତଙ୍କ ଆଶୀର୍ବାଦରୁ ମୁଁ ହେଲି ପ୍ରତି ବିଭାଗରେ ସର୍ବଶ୍ରେଷ୍ଠ।ମିଳିଲା ବ୍ୟାସ କବି ସମ୍ମାନ।ମୋ ମାଆର କଥା,ମୋ ଅଭୀପ୍ସାର ଫଳ ସତେଯେମିତି ମୋତେ ମିଳିଲା।ଏସବୁ ଆକଳନ ହେବାରୁ ମହେଶ୍ୱର ଆଦୌ କୌଣସି ଟିରେ ପାଶ ବି କରିପାରିଲା ନାହିଁ।ଚାଲିଲା ତା ପୂର୍ବ ପ୍ରଶଂସାକୁ ନେଇ ସନ୍ଦେହ,ଅବିଶ୍ୱାସ ଓ ଜାଲିଆତିର ବିଭୀଷିକା।ଲଜ୍ଜାରେ ମୁଣ୍ଡ ତଳଜୁ ହୋଇଗଲା ତାର।ପ୍ରମାଣିତ ହେଲା ପୂର୍ବ ପ୍ରଶଂସା ପତ୍ରରେ ତା ବାପାର ହାତ,ତା ଟଙ୍କାର ଛାପ ଓ ତା ଅନୀତିର ପଟ୍ଟଚିତ୍ର।ତଥାପି ମୋ ସଫଳତା ପାଇଁ ମୁଁ ମହେଶ୍ୱରକୁ ବି ଶ୍ରେୟ ଦେଲି କାରଣ ତାର ଏ ହିଂସା ନ ହୋଇଥିଲେ ହୁଏତ ମୋର ପ୍ରତିଜ୍ଞା,ଶପଥ,ସଂକଳ୍ପ କି ଜିଗୀଶା ମନୋଭାବ ଲୁଚି ଶୋଇଯାଇଥାନ୍ତା ସ୍ୱପ୍ନର ଅନ୍ଧକାର ଭିତରେ।ଆଜି ମହେଶ୍ବର ନିଜକୁ ଆକଳନ କରିପାରିଛି, ତାର ଭୁଲ ବୁଝିପାରିଛି ଆଉ ତାର ଔକାତ,ଦକ୍ଷତା ହୃଦୟଙ୍ଗମ କରିପାରିଛି। ସବୁ କିଛି ହେଲା ମିନି,ହେଲେ ମୋର ଏକମାତ୍ର ଅବଶୋଷ ରହିଗଲା,ଯେଉଁ ମାର ପ୍ରେରଣାରେ ଆଜି ଏ ସମ୍ମାନ ପାଇଲି କେବଳ ସେ ହିଁ ଯୋଗ୍ୟ ପାଇବାକୁ ଏ ପ୍ରଶଂସା ପତ୍ର।
   ମହେନ୍ଦ୍ର ବାବୁଙ୍କ ଆଖିରୁ ବୋହିପଡୁଥିବା ଅମାନିଆ ଲୁହକୁ ମିନି ତା ପୋଷାକରେ ପୋଛିଦେଲା ଓ ଲୁହ ଢଳ ଢଳ ଓ ଆଖି ଛଳ ଛଳ ଓଠ ଥର ଥର କରି କହିଲା,କକା..କିଏ କହିଲା କାକୀ ନାହାନ୍ତି,ସେ ପରା ତୁମ ପ୍ରଶଂସା ପତ୍ର ଭିତରେ ଲୁଚି ଲୁଚି ମୁରୁକି ହସା ମାରୁଛନ୍ତି।.....

*ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର*

0 Comments