ପୁରାଣ କଥା - ଶ୍ରୀକୃଷ୍ଣଙ୍କ ଶେଷ ବଂଶୀ ସ୍ୱର - ନରେନ୍ଦ୍ର ପ୍ରସାଦ ବେହେରା

ପୁରାଣ କଥା - ଶ୍ରୀକୃଷ୍ଣଙ୍କ ଶେଷ ବଂଶୀ ସ୍ୱର - ନରେନ୍ଦ୍ର ପ୍ରସାଦ ବେହେରା

*ଆସ କିଛି ଜାଣିବା.......୧୫*

*ଶ୍ରୀ କୃଷ୍ଣଙ୍କ ଶେଷ  ବଂଶୀସ୍ବର*

      ରାଧା-କୃଷ୍ଣଙ୍କ ପ୍ରେମ କାହାଣୀକୁ ଆତ୍ମା ସହ ପରମାତ୍ମାଙ୍କ ମିଳନ ବୋଲି କୁହାଯାଏ । ଯେବେ ବି ପଵିତ୍ର ପ୍ରେମର ଉଦାହରଣ ଦିଆଯାଏ , ସେତେବେଳେ ପୁରାଣବର୍ଣ୍ଣିତ ଶ୍ରୀକୃଷ୍ଣ ଓ ରାଧାଙ୍କ ଅନାବିଳ ପ୍ରେମ କହାଣୀ ହିଁ କୁହାଯାଏ । ଗୋପପୁରରେ ରାଧା-କୃଷ୍ଣଙ୍କ ପ୍ରେମକୁ ନେଇ ଅନେକ ବର୍ଣ୍ଣନା ପୁରାଣରେ ରହିଛି । ସେହି ବର୍ଣ୍ଣନା ଅନୁସାରେ ରାଧା-କୃଷ୍ଣଙ୍କ ଏହି ମିଳନରେ ପ୍ରମୁଖ ଭୂମିକା ନେଇଥିଲା ବଂଶୀ । ତେଣୁ ଶ୍ରୀକୃଷ୍ଣଙ୍କ ଅତି ପ୍ରିୟ ଥିଲା ବଂଶୀ । ଗୋଟିଏ ମୁହୂର୍ତ୍ତ ବି ସେ  ବଂଶୀକୁ ନିଜ ପାଖରୁ ଅଲଗା କରୁ ନ ଥିଲେ । 
        କୁହାଯାଏ, ଶ୍ରୀରାଧାଙ୍କ ପରେ  ବଂଶୀ ହିଁ ଥିଲା ଶ୍ରୀକୃଷ୍ଣଙ୍କ ପ୍ରିୟତମ । ଏହି ବଂଶୀର ସ୍ବର ଶୁଣି ହିଁ ରାଧା ତାଙ୍କ ପାଖକୁ ପାଗଳ ପରି ଧାଇଁ ଆସୁଥିଲେ । ତେଣୁ ଶ୍ରୀକୃଷ୍ଣ ବଂଶୀକୁ କେବେ ବି ନିଜ ପାଖରୁ ଦୂରେଇ ରଖୁ ନ ଥିଲେ । କାହ୍ନାଙ୍କର ପ୍ରିୟ ଏହି ବଂଶୀକୁ ହିଁ ପ୍ରେମର ପ୍ରତୀକ ବୋଲି କୁହାଯାଏ । 
       ରାଧା-କୃଷ୍ଣଙ୍କ ପ୍ରେମରେ ବଂଶୀର ଭୂମିକାକୁ ନେଇ ଥିବା ଏକ ସୁନ୍ଦର କାହାଣୀ ବିଷୟରେ ଜାଣିବା । ପିଲାଦିନରୁ ହିଁ ଶ୍ରୀକୃଷ୍ଣ ରାଧାଙ୍କୁ ଖୁବ୍ ଭଲ ପାଉଥିଲେ । ରାଧା ମଧ୍ୟ ଅନ୍ଧୁଣୀ ପରି ଶ୍ରୀକୃଷ୍ଣଙ୍କୁ ନିଜର ମନ ପ୍ରାଣ ସମର୍ପି ଦେଇଥିଲେ । ବିଶ୍ଵାସ ରହିଛି, ଏହି ସମ୍ପର୍କର ଆରମ୍ଭରୁ ହିଁ ରାଧା କୁଆଡେ ଶ୍ରୀକୃଷ୍ଣଙ୍କ ଦୈବୀ ଶକ୍ତି ସହିତ ପରିଚିତ ଥିଲେ । କିନ୍ତୁ ଏକଥା ସେ ଆଜୀବନ ଗୋପନ ରଖିଥିଲେ । 
        ଭଗବାନ ଶ୍ରୀକୃଷ୍ଣ ରାଧାଙ୍କଠାରୁ ପ୍ରଥମ ଥର ପାଇଁ ଅଲଗା ହେଲେ , ଯେତେବେଳେ ମାମୁ କଂସ ରଙ୍ଗସଭାର ଆୟୋଜନ କରି କୃଷ୍ଣ ଓ ବଳରାମଙ୍କୁ ମଥୁରା ଆମନ୍ତ୍ରଣ କରିଥିଲେ । ଶ୍ରୀକୃଷ୍ଣଙ୍କ ମଥୁରା ଗମନ ଶୁଣିବା ପରେ ଗୋପପୁରରେ କାନ୍ଦ ବୋଵାଳି ପଡିଯାଇଥିଲା । ତେବେ ମାମୁ ଘରକୁ ଯିବା ପାଇଁ ବିଦାୟ ନେଲାବେଳେ ଶ୍ରୀକୃଷ୍ଣ ରାଧାଙ୍କୁ କଥା ଦେଇଯାଇଥିଲେ ଯେ ସେ ନିଶ୍ଚୟ ଫେରିବେ । 
       କିନ୍ତୁ ଦିନ ପରେ ଦିନ ବିତିଚାଲିଥିଲା । ଶ୍ରୀକୃଷ୍ଣ ଆଉ ରାଧାଙ୍କ ପାଖକୁ ଫେରିଲେ ନାହିଁ । ଶ୍ରୀକୃଷ୍ଣ ଗୋପପୁର ଛାଡିବା ପରେ ପୁରାଣରେ ଶ୍ରୀରାଧାଙ୍କ ସମ୍ପର୍କରେ ବର୍ଣ୍ଣନା ମଧ୍ୟ ଖୁବ୍ କମ୍ ରହିଛି । କୃଷ୍ଣ ମଥୁରାରେ ପହଞ୍ଚିବା ପରେ ମାମୁ କଂସକୁ ବଧ କରି ମଥୁରାବାସୀଙ୍କୁ ତା'ର ଅତ୍ଯାଚାରରୁ ମୁକ୍ତି ଦେଲେ । ମଥୁରା ଲୋକେ ଶ୍ରୀକୃଷ୍ଣଙ୍କୁ ତ୍ରାଣକର୍ତ୍ତା ଭାବି ତାଙ୍କ ପୂଜାର୍ଚ୍ଚାନା କଲେ । ଏମିତିରେ ସମୟ ଗଡି ଚାଲିଲା । ପରେ ଶ୍ରୀକୃଷ୍ଣ ପ୍ରଜାଙ୍କ ସୁରକ୍ଷା ପାଇଁ ବଦ୍ବରିକାରେ ଏକ ଭବ୍ଯ ମହଲ ଗଢାଇ ଦ୍ବାରିକାଧୀଶ ଭାବେ ପରିଚିତ ହେଲେ । 
      ଏହା ମଧ୍ୟରେ ଶ୍ରୀକୃଷ୍ଣଙ୍କ ବିବାହ ମଧ୍ୟ ଦେବୀ ରୁକ୍ମିଣୀଙ୍କ ସହ ହୋଇ ଯାଇଥିଲା । ରୁକ୍ମଣୀ ମଧ୍ୟ ଶ୍ରୀକୃଷ୍ଣଙ୍କୁ ପ୍ରାଣଠାରୁ ଅଧିକ ଭଲ ପାଉଥିଲେ । ନିଜ ଭାଇ ରୁକ୍ମୀଙ୍କୁ ବିରୋଧ କରି ଦେବୀ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ସହ ହାତ ଧରି ଦ୍ବାରିକା ଚାଲି ଆସିଥିଲେ । ଏହା ପରଠାରୁ ରାଧା-କୃଷ୍ଣଙ୍କ ସମ୍ପର୍କକୁ ନେଇ ବିଭିନ୍ନ ପୁରାଣରେ ବିଭିନ୍ନ କଥା ଉଲ୍ଲେଖ ରହିଛି । ଶ୍ରୀକୃଷ୍ଣ ଗୋପପୁର ଛାଡି ଆସିବା ପରେ ରାଧାଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା । ତାଙ୍କୁ ନାନା ଟାହିଟାପରା ଶୁଣିବାକୁ ପଡିଲା । ସେ ସବୁ ସତ୍ତ୍ୱେ ସାଧାରଣ ନାରୀଙ୍କ ପରି ରାଧା ବି ଶାଶୁ ଘରେ ପତ୍ନୀର ପ୍ରତିଟି କର୍ତ୍ତବ୍ୟ ପାଳନ କରି ଚାଲିଥିଲେ । ଆଉ ସେପଟେ ଶ୍ରୀକୃଷ୍ଣ ଦ୍ବାରିକାଧୀଶ ଭାବେ ନିଜ କର୍ତ୍ତବ୍ୟ କରି ଚାଲିଥିଲେ  । ତେଵେ ରାଧା ସିନା ପତ୍ନୀର କର୍ତ୍ତବ୍ୟ କରୁଥିଲେ, କିନ୍ତୁ ମନ ତାଙ୍କର ଶ୍ରୀକୃଷ୍ଣଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଥିଲା । ଏମିତି ଶ୍ରୀକୃଷ୍ଣଙ୍କ ବାଟ ଚାହିଁ ଚାହିଁ ରାଧା ବାର୍ଦ୍ଧକ୍ୟରେ ପହଞ୍ଚି ଯାଇଥିଲେ ।
       ଅନେକ ଦିନ ପରେ ସବୁ କର୍ତ୍ତବ୍ୟରୁ ମୁକ୍ତି ମିଳିବା ପରେ ରାଧା ତାଙ୍କ ପ୍ରିୟତମ ଶ୍ରୀକୃଷ୍ଣଙ୍କୁ ଭେଟିବା ପାଇଁ ଦ୍ବାରିକା ଗଲେ । ସେ ଦ୍ବାରିକାରେ ପହଞ୍ଚିବା ପରେ ଶ୍ରୀକୃଷ୍ଣଙ୍କ ବିବାହ ରୁକ୍ମିଣୀ ଓ ସତ୍ଯଭାମା ଆଦିଙ୍କ ସହିତ  ହୋଇଥିବା ଜାଣିବାକୁ ପାଇଥିଲେ ମଧ୍ୟ ଏନେଇ ତାଙ୍କ ମନରେ କୌଣସି ଦୁଃଖ ନଥିଲା । 
      କିନ୍ତୁ ଶ୍ରୀକୃଷ୍ଣ ଯେତେବେଳେ ରାଧାଙ୍କୁ ଦ୍ବାରିକାରେ ଦେଖିଲେ ତାଙ୍କ ଖୁସିର ସୀମା ରହି ନଥିଲା । ବର୍ଷ ବର୍ଷ ଧରି ତାଙ୍କ ଆଖି ଯେଉଁ ରାଧାଙ୍କୁ ଥରେ ଦେଖିବାକୁ ବ୍ଯାକୁଳ ଥିଲା ,ସେହି ରାଧାଙ୍କୁ ପାଖରେ ପାଇ ଶ୍ରୀକୃଷ୍ଣ ପୁଣିଥରେ ପିଲାଦିନର ପବିତ୍ର ପ୍ରେମରେ ହଜିଗଲେ । ଉଭୟେ ରାଧା-କୃଷ୍ଣ ନିଜ ମନର ଭାଷାରେ ଦୀର୍ଘ ସମୟ କଥା ହେଲେ । 
        ଏହା ପରେ ଶ୍ରୀକୃଷ୍ଣ ରାଧାଙ୍କୁ ଦ୍ବାରିକାରେ ଜଣେ ଦେବୀ ରୂପରେ ସମ୍ମାନ ଦେଲେ । ରାଧା ଦିନସାରା ଶ୍ରୀକୃଷ୍ଣଙ୍କ ମହଲରେ ରହୁଥିଲେ, ଆଉ ମହଲର ସବୁ କାମ ତଦାରଖ କରୁଥିଲେ । ଆଉ ସୁଯୋଗ ପାଇବା ମାତ୍ରେ ସେ କୃଷ୍ଣଙ୍କ ଦର୍ଶନ ବି କରୁଥିଲେ । କିନ୍ତୁ ଦ୍ବାରିକାଧୀଶଙ୍କର ସେହି ଭବ୍ଯ ମହଲରେ ବେଶି ସମୟ ବିତାଇ ପାରି ନଥିଲେ ଶ୍ରୀରାଧା । ଶ୍ରୀକୃଷ୍ଣଙ୍କ ଆଧ୍ଯତ୍ମିକ ସାନିଧ୍ଯ ପାଇପାରୁ ନଥିବାରୁ ତାଙ୍କୁ ପ୍ରାଣଶୂନ୍ଯ ପରି ମନେ ହେଉଥିଲା । ମହଲର ଚାରିକାନ୍ଥ ଭିତରେ ରାଧା ଅଣନିଃଶ୍ବାସୀ ହୋଇ ପଡୁଥିଲେ । 
       ଶେଷରେ ଦିନେ ରାଧା କୃଷ୍ଣଙ୍କ ସେହି ମହଲରୁ ପଳାଇ ଆସିଲେ , ଯେଉଁ ଆଡେ ତାଙ୍କ ପାଦ ବାଟ କଡେଇ ନେଲା । ଚାଲି ଚାଲି ଏକ ନିଘଞ୍ଚ ଜଙ୍ଗଲରେ ପହଞ୍ଚିଲେ । ସେଠାରେ ଏକ କୁଡିଆରେ ସେ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରୁଥିଲେ । ଏମିତି ଅନେକ ସମୟ ବିତିଗଲା ଆଉ ରାଧା ସମ୍ପୂର୍ଣ୍ଣ ଏକାକୀ ହୋଇଯାଇଥିଲେ । ଆଉ ବୟସାଧିକ୍ଯ କାରଣରୁ ଦୁର୍ବଳ ମଧ୍ୟ ହୋଇ ପଡିଥିଲେ । 
       ଶେଷ ସମୟ ଉପନୀତ ହେବା ଜାଣିପାରି ଶ୍ରୀରାଧା ଜୀବନ ଯିବା ପୂର୍ବରୁ ଥରୁଟିଏ ପ୍ରାଣପ୍ରିୟ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇବା ପାଇଁ ବ୍ଯାକୁଳ ଥିଲେ । ରାଧା ଖୋଜୁଥିବା ଜାଣି ପାରି ଭଗବାନ ଶ୍ରୀକୃଷ୍ଣ ମଧ୍ୟ ନିଜ ପ୍ରିୟତମାଙ୍କ ପାଖରେ ହାଜର ହୋଇ ଯାଇଥିଲେ । ଦର୍ଶନ ଦେବା ପରେ ଭଗବାନ ଶ୍ରୀକୃଷ୍ଣ ରାଧାଙ୍କୁ କିଛି ବର ମାଗିବା ପାଇଁ କହିଥିଲେ । 
       କିନ୍ତୁ ସାରାଜୀବନ ଶ୍ରୀକୃଷ୍ଣଙ୍କୁ ଅପେକ୍ଷା କରି ଅବଶ ହୋଇପଡିଥିବା ରାଧା କିଛି ବର ମାଗିନଥିଲେ । ତେବେ ଶ୍ରୀକୃଷ୍ଣ ଅନୁରୋଧ କରିବାରୁ ରାଧା ଶେଷଥର ପାଇଁ ପୁଣିଥରେ ସେହି  ବଂଶୀର ସ୍ବର ଶୁଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । ରାଧାଙ୍କ ଅନୁରୋଧକ୍ରମେ ଶ୍ରୀକୃଷ୍ଣ ତାଙ୍କ ବଂଶୀ ବି ବଜାଇଥିଲେ । ତେଵେ କୃଷ୍ଣ ବଂଶୀ ବଜାଇବାରେ ଏମିତି ହଜିଗଲେ ଯେ ଦିନଯାଇ ରାତି ହେବାରେ ଲାଗିଲା । ଏପଟେ ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ବଂଶୀର ସ୍ବର ଶୁଣୁ ଶୁଣୁ ଅନେକ ବେଳୁ ଦେହତ୍ଯାଗ କରି ସାରିଥିଲେ । 
      ରାଧାଙ୍କୁ ହରାଇ ସାରିଥିବା ଜାଣିବା ପରେ ଶ୍ରୀକୃଷ୍ଣ ଏମିତି ଭାଙ୍ଗିପଡିଥିଲେ ଯେ ଉଭୟଙ୍କ ମଧ୍ୟରେ ପ୍ରେମର ପ୍ରତୀକ କୁହାଯାଉଥିବା ନିଜର ପ୍ରିୟତମ ବଂଶୀକୁ ଭାଙ୍ଗି ଜଙ୍ଗଲ ଭିତରକୁ ଫିଙ୍ଗି ଦେଇଥିଲେ । ସେହିଦିନଠାରୁ ଶ୍ରୀକୃଷ୍ଣ ସାରାଜୀବନ ଆଉ  ବଂଶୀ ବଜାଇ ନାହାନ୍ତି । ରାଧାଙ୍କ ବିନା ପୁରାଣରେ ମଧ୍ୟ ଶ୍ରୀକୃଷ୍ଣ ବଂଶୀ ବଜାଇବାର ଦେଖାଯାଏ ନାହିଁ ।

*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, ମୋ--୯୮୫୩୧୪୨୫୧୦*

0 Comments