ଅନ୍ଧାର ରାତିର ଆଖି - ଶିବ ଚରଣ ମହାପାତ୍ର

ଅନ୍ଧାର ରାତିର ଆଖି - ଶିବ ଚରଣ ମହାପାତ୍ର

ମୋ ନୀରବ ପ୍ରେମର ଗୁମାନ୍ ଇସ୍ତାହାର
ଡେଇଁଯିବକି
ତୁମ ସ୍ୱପ୍ନୀଳ ଆଖିର ମେଘନାଦ ପ୍ରାଚୀର.. 

ଅବା ମୋ ତପ୍ତ ଲୁହରେ
କଳ୍ପନା ବାଲିସ୍ତୁପ ଅଚିରେ ଧରାଶାୟୀ ହେବ
ଆଖି ଆଗରେ ପାଇ
ଉଜ୍ଜଳିତ ବିଶାଳ ଅମ୍ବର..??

ମୋ ହୃଦୟର ବ୍ୟାକୁଳ ଆର୍ତ୍ତନାଦ
ବନଭୁଇଁ ଆଲୋକିତ ଇଲାକାରେ ଉଭେଇ ଯିବ..
ଅବା ମୁଲାୟମ୍ ଆଙ୍ଗୁଠି ସ୍ପର୍ଶର ବୋଲମାନି
ଗୁଞ୍ଜରିତ ହୋଇ ଉଠିବ..!?

ସେ କଥା ସୁନେଲି ସୂର୍ଯ୍ୟସ୍ନାତ ଆଖି ଦୁଇଟି
ଭଲଭାବରେ ଜାଣେ
ହେଲେ ମୁଁ ଆଉ ମୋର ହୋଇ ନଥିବି
ଏକଥା ଲେଖାଥିଲା ମୋ ଶିରା ପ୍ରଶିରା ଧମନୀ ଭାଗ୍ୟର
କୋଣେ ଅନୁକୋଣେ..

ତୁମ ପାଇଁ ହୋଇପାରେ ମୁଁ ମଧ୍ୟାହ୍ନର ରଙ୍ଗହୀନ ଛାଇ
ହେଲେ ମୋ ଆଖିଭର୍ତ୍ତି ସ୍ୱପ୍ନ ଆଉ ଆଜ୍ଞାକ୍ଷା'ର ନୀଳ ନଈ..

ତୁମେ ଚାହିଁଲେ ତାକୁ ପରଖିପାର
ଓଠ ପାଖୁଡାରେ ଛୁଇଁ ଛୁଇଁ
ତୁମକୁ ସମୟ କି ମୁଁ
କେହି କେବେ ରୋକିବାର ନାହିଁ..

ତୁମେ କହିପାର
ଦି'ପାଦ ପୂର୍ଣ୍ଣତାରେ କି କେବେ ଆଖିଏ ତୃଷ୍ନା ମେଣ୍ଟି ପାରେ..!!
ଦଲକାଏ ଫଗୁଣରେ କି କେବେ
ଗୋଟାପଣେ ଏକଲାପଣ ହସିପାରେ..!!

କିନ୍ତୁ ଉତପ୍ତ ଦେହର କାମନା ଯେବେ ବାସ୍ତବତା ହୋଇ
ନିତିରାତିରେ ମୋତେ ଛୁଇଁଦେଇଯିବ
ମୋ ଆଖି ଦୁଇଟି
ତୁମ ଦେହ ନିଆଁ ପାଖରେ ଆପେ ଆପେ ସମର୍ପିତ ହେଇଯିବ..

ସେବେଳେ
ଅନ୍ଧାର ରାତିର ଆଖି ଭିତରେ ଦିକ୍ ଦିକ୍ ହେଇ ଜଳୁଥିବ
ଖଣ୍ଡେ ବିଶ୍ୱାସ ଆଉ ଦି ଆଞ୍ଜୁଳେ ଭରଷାରେ ଗଢିଉଠିଥିବା
ଆମ ସମ୍ପର୍କର ଆମାଜନ୍ ନଈ..

ସିକ୍ତ ସକାଳରେ ମଙ୍ଗଳ ଆରତୀ ଗାଇ ଗାଇ
ଆମେ ଚାଲୁଥିବା ନୂଆ ଏକ ମୋଡରେ
ନୂଆ ନୂଆ ଶବ୍ଦଭେଦରେ
ନୂଆ ଏକ ଅଲିଖିତ କାହାଣୀ ହୋଇ..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
Sent from my Samsung Galaxy smartphone.

0 Comments