କ୍ଷୁଦ୍ରଗଳ୍ପ - ପୁଅ ଯୋଡ଼ିଦେଲା ବାପା ମାଆଙ୍କୁ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ପୁଅ ଯୋଡ଼ିଦେଲା ବାପା ମାଆଙ୍କୁ - ନାରାୟଣ ଚନ୍ଦ୍ର ସେନାପତି

ସେଦିନ ପାହାନ୍ତା ପ୍ରହରର ଦୁଃସ୍ବପ୍ନ ସ୍ୱପ୍ନରେ ଘାଇଲା ହୋଇଗଲେ ଲୁଲୁ ବାବୁ । ଦେହରୁ ବହି ଯାଉଥିବା ଘର୍ମ ବିନ୍ଦୁ ଗୁଡାକୁ ପୋଛୁ ପୋଛୁ ଅମାନିଆ ସ୍ପନ୍ଦନଗୁଡ଼ାକ କ୍ଷୀପ୍ର ଗତିରେ ଅମୁହାଁ ହୋଇ ଛୁଟୁଥାଏ।କିଂକର୍ତ୍ତବ୍ୟ ବିମୁଢ ହୋଇ ପାଖ ଫିଲଟରରୁ ଆଣି ଆଖିବୁଜା ପିଇଗଲେ ଗ୍ଲାସ ପରେ ଗ୍ଲାସ ପାଣି।ନଥ କରି ବେଡ଼ ଉପରେ ବସି ବ୍ୟସ୍ତ ବିବ୍ରତ ହୋଇ ହଜିଗଲେ ଚିନ୍ତା ଦୁନିଆଁରେ।ସ୍ବପ୍ନଟି ଥିଲା, ପୁଅ ପାକୁନ ବିପଦରେ ପଡି ବାପା ବାପା ମୋତେ ବଞ୍ଚାଅ ମୋତେ ବଞ୍ଚାଅ ବୋଲି ଚିତ୍କାର କରି ଡାକୁଛି।କ'ଣ କରିବ,ଏକ ମାତ୍ର ଗେହ୍ଲା ପୁଅ ପାକୁନ ତ ନାହିଁ ତା ପାଖରେ।ପୁଅ ନାହିଁ,ପତ୍ନୀ ନାହିଁ,ଆତ୍ମୀୟ ସ୍ୱଜନ କେହି ନାହାଁନ୍ତି ତା ପାଖରେ।ଜୀଇଁ ଜୀଇଁ ମୃତବତ୍ ମରୀଚିକାର ନୀଳ ଆକାଶକୁ ଚାହିଁ ବର୍ଷା ବିନ୍ଦୁ ଆଶାରେ ଖୋଜୁଥାନ୍ତି ଦୁଇଟୋପା ଭରସାର ଜଳ ସେ।ଦିନ ଥିଲା ସବୁ ଥିଲା,ଆଜି ଦିନ ଅଛି,ସମସ୍ତେ ନିଜ ନିଜ ଜାଗାରେ ଅଛନ୍ତି କିନ୍ତୁ ସେ ସମ୍ପର୍କ,ଆତ୍ମୀୟତା ଭଲପାଇବା ଆନ୍ତରିକତା ଗୁଡାକ କୁଆଡେ ଅନାଥ ହୋଇ ଚାଲିଗଲେ କେଜାଣି।ସେ ଆଜି ନୀରବତାରେ ଖୋଜୁଛନ୍ତି ସେସବୁକୁ ସ୍ମୃତିର ଫୁଲ ଚାଂଗୁଡା ପରସ୍ତ ପରସ୍ତ ଖୋଲି।


ସେପଟେ ପାକୁନଟା ଜ୍ବରରେ କମ୍ପି ଚିତ୍କାର କରୁଛି।ପାଟିରୁ ଖାଲି ଶୁଭୁଛି ବାପା ବାପା।ଏସବୁ ଶୁଣି ଓ ପାକୁନ୍ ର ଜ୍ଵରର କମ୍ପନ ଧ୍ଵନି ଶୁଣି ଆଖିରୁ ଧାର ଧାର ଲୁହ ବୋହିଯାଉଥାଏ ମାଆ ମିତାର।ପୁରାତନ ଦିନ ଗୁଡିକର ସ୍ମୃତିକୁ ସ୍ମରଣ କରି ଅନ୍ତରରେ କୋହର ଜୁଆରକୁ ସାମ୍ନା କରୁଥାଏ ସେ।ଆଜି ଯଦି ତା ବାପା ପାଖରେ ଥାନ୍ତେ ସେ କଣ ସକାଳକୁ ଅପେକ୍ଷା କରିଥାନ୍ତା?ବାସ୍ତବରେ ପାକୁନଟା ଥିଲା ତା ବାପା ମାନେ ଲୁଲୁ ବାବୁଙ୍କର ଜୀବନ।ପୁଅପାଇଁ ନିଆଁ କୁ ଡେଇଁବାକୁ ବି ସେ ପଛାଉ ନ ଥିଲେ।ପୁଅର ହିତ ପାଇଁ ନିଜର ସବୁକିଛିକୁ ଜଳାଞ୍ଜଳି ଦେବାକୁ ସେ ପଛାଉ ନ ଥିଲେ।ପୁଅ କେମିତି ଆଭିଜାତ୍ୟର ଉଦ୍ୟାନରେ ନାଚି ବୁଲୁ ସେଥିପାଇଁ ସରାଗରେ ଆଣିଥିଲେ କାର୍ ଟେ।ବଜାର,ଡାକ୍ତରଖାନା,ପାର୍କ,ହୋଟେଲ,ମାମୁଁଘର ଯେଉଠିକି ଯିବାପାଇଁ ହେଲେ ବାପ ପୁଅ ଦୁହେଁ ରାଜା ରାଜା ଛୁଆ ପରି ଯାଉଥିଲେ ସେହି ଚାରିଚକିଆ ସରାଗର ଯାନଟିରେ।ପଛ କଥାକୁ ମନେ ପକାଇ ଦୀର୍ଘଶ୍ଵାସଟାଏ ପକାଇଲେ ସେ।ଅନୁତପ୍ତର ସେ ମନଟାରେ ଅତୀତର ସେ ଜିଦ୍ ବି ନ ଥିଲା ଜଟିଳତା ବି ନ ଥିଲା।ପ୍ରଜ୍ଵଳିତ ଅଗ୍ନିରେ ପାଣି ପଡିଲା ପରି ସବୁ ରାଗ ଅଭିମାନ ଗୁଡାକ ଧୀରେ ଧୀରେ ମିଳେଇ ଯାଉଥାଏ।

କଥାରେ ଅଛି ଆତ୍ମା ପରା ଆତ୍ମାକୁ ଟାଣେ।ବାପ ପୁଅର ଏ ନିବିଡ଼ତାର ତରଙ୍ଗ ପରସ୍ପରକୁ ଆକର୍ଷିତ ନ କରି କରିଥାନ୍ତା ବା କିପରି ?ଲୁଲୁବାବୁଙ୍କର ନିଦ୍ରା ଉଭେଇଗଲା।ସେ ବିଛଣାରେ ବସି ଭାବନାର ମାପକ ଯନ୍ତ୍ରରେ ମାପି ତୁଳନା କରୁଥିଲେ ବିଗତ ଓ ଆଜିକା ଦିନକୁ।ତାଙ୍କ ସେଦିନର ସ୍ୱପ୍ନର ମହଲ ଆଉ ଆଜିର ପରିତ୍ୟକ୍ତ ରାଜବାଟୀ । କ୍ଷଣିକ କ୍ରୋଧ ଓ ଜିଦ୍ ପାଇଁ କେମିତି ଭାଙ୍ଗିଗଲା ତାଙ୍କ ହାତତିଆରି ଦେଉଳଟା।ଅତୀତର ଘଟଣା ସବୁକୁ ମନେ ପକାଇ କୋହକୁ ଚାପି ରଖିବାକୁ ପ୍ରୟାସ କରୁଥାନ୍ତି ସେ।ହଠାତ୍ ତାର୍ଜାରୁ ଖସିପିଡ଼ିଲା ତାଙ୍କ ବାହା ମୁକୁଟଟି।ତାକୁ ସଯତ୍ନେ ଉଠାଇ ପୋଛି ରଖୁ ରଖୁ ହଜିଗଲେ ସେ ଭାବନା ରାଇଜରେ।

ସେଦିନ ଥିଲା ତାଙ୍କ ଜୀବନର ଏକ ଶ୍ରେଷ୍ଠ ଦିନ।ଗ୍ରୀଷ୍ମ ଋତୁର ସନ୍ଧ୍ୟାରେ ସେ ଯାଇଥିଲେ ବର ସାଜି କେତେ ବାଣର ଜକମକ୍ ଆଲୁଅରେ ଓ ବାଜାର ତାଳେ ତାଳେ।ଲାଗୁଥିଲା ସେ ଯେମିତି ସମ୍ରାଟ।ବୈଦିକ ରୀତିର ସଜ ଛୁଆଁରେ ସରିଯାଇଥିଲା ଜୀବନର ଶ୍ରେଷ୍ଠ ବିଚାରବନ୍ତ ମୁହୂର୍ର୍ଟ।ଉତ୍ଫୁଲ୍ଲିତ ଭାବେ ଆସିଥିଲେ ସ୍ବଗୃହକୁ ସାଥିରେ ହାତ ଧରି ସହଧର୍ମିଣୀ ମିତାକୁ।ଖୁସି ବାସିରେ ଘର କମ୍ପୁଥିଲା ଆନନ୍ଦର କମ୍ପନରେ।ଦୁଃଖ ଯନ୍ତ୍ରଣା ଗୁଡିକ ସତେ ଯେମିତି ନିର୍ବାସନ ଦଣ୍ଡ ପାଇ ଅଜ୍ଞାତ ବାସରେ ବୁଲୁଥିଲେ।ଦୁହେଁ ଥିଲେ ଶିକ୍ଷା ବିଭାଗର କର୍ମଚାରୀ।ପରସ୍ପର ବୁଝାମଣାର ଶିକ୍ଷାର ସୌଧ ଗଢିବାକୁ ଦୁର୍ବାର ପ୍ରଚେଷ୍ଟା।ହେଲେ ସବୁ ଭଲକୁ କଣ ସମାଜ ସହିପାରେ?ଜଟିଳତାରେ ଭରପୁର ମାନବ କ'ଣ କାହାର ସରଲତାର ହସକୁ ସହ୍ୟ କରି ପାରେ? କେଉଁଠି ଥିଲେ କେଜାଣି ହିଂସୁକ ସ୍ୱଭାବର ବ୍ୟକ୍ତି ଏ ଶକ୍ତିଶାଳୀ ବନ୍ଧନରେ ବନ୍ଧା ହୃଦୟ ଦୁଇଟିର ସୁଖ ଶିରୀରେ ଫାଟ ସୃଷ୍ଟି କରିବାକୁ ଚାହିଁଲେ।ସେ ଥିଲେ ବଦ ରାଗୀ,କ୍ଷଣ କୋପୀ।ଟିକିଏ ଟିକିଏ କଥାରେ ଦୁର୍ବାଶା ପରି ଜଳି ଜଳି ନିଜକୁ ଜାଲିଦେଉଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ନିଜ କ୍ରୋଧ ପାଇଁ ସେ ଅନୁତାପ କରିବାକୁ ପଛାଉ ନ ଥିଲେ।ତାହା ହିଁ ପ୍ରକୃତ ସାଂସାରିକ ଜୀବନ ଯେଉଁଠି ରାଗ,ରୋଷ, ମାନ ଅଭିମାନ ଭରପୁର ହୋଇ ଥାଏ।ତିକ୍ତତା ନ ଥିଲେ ମାଧୁର୍ଯ୍ୟ ଆସିବ ବା କେଉଁଠୁ?ଟିକିଏ ଟିକିଏ କଥାରେ ମିତା ବି ଚିଡ ଛିଡା ହେଲା।ଯୁକ୍ତିତର୍କ ବି କରୁଥିଲା ଯାହାକି ତାର ମୌଳିକ ସ୍ଵଭାଵ ନ ଥିଲା।ବେଳେବେଳେ କୌଣସି ପ୍ରସଙ୍ଗ ଉପରେ ନମନୀୟ ନ ହୋଇ ଜଟିଳ ହୋଇ ଜିଦ୍ ଧରୁଥିଲା।ତୃତୀୟ ବ୍ୟକ୍ତିମାନଙ୍କର ଏଥିରେ ହସ୍ତକ୍ଷେପ ବୋଲି ସେ ବା ଜାଣିଥାନ୍ତା କିପରି?ବେଳେବେଳେ କଳିଗୋଳ ଏତେ ବଢିଗଲା ଯେ ସେ ବିବ୍ରତ ହୋଇ ମିତାକୁ ଅନିଚ୍ଛାକୃତ ମାନସିକ ଓ ଶାରୀରିଜ ଯନ୍ତ୍ରଣା ଦେବାକୁ ପଛାଇ ନ ଥିଲା।ମିତା ବି ଆଉ ଏସବୁ ସହ୍ୟ କଲା ନାହିଁ।ଚାଲିଲା ବଡ ବାଦ ବିବାଦ।ୟା ଭିତରେ ପାକୁନ ଜନ୍ମ ନେଇସାରିଥାଏ।ଦୁହେଁ ଛୁଆର ମୁହଁକୁ ଚାହିଁ ମନୋମାଳିନ୍ୟକୁ ବି ଭୁଲିଗଲେ।ଝରିଲା ସରଗ ସୁଷମା।ଅମୃତର ପ୍ରେମମୟ ଧାରାରେ ଦୌଡ଼ିଲା ଆନନ୍ଦର ତରଣୀ।ଏକ ମନ ଏକ ପ୍ରାଣ କରି ପ୍ରତିଜ୍ଞା ବଦ୍ଧ ହେଲେ ସେମାନେ ଗଢିବେ ପାକୁନକୁ ଅନନ୍ୟ ଓ ଅତୁଲ୍ୟ କରି।ହେଲେ ତାର ବିଭିନ୍ନ କାର୍ଯ୍ୟର ସମୃକ୍ତି ଓ ତଦନୁସାରେ ସାମାନ୍ୟ ବିଶୃଙ୍ଖଳା ରେ ମିତା ହେଉଥିଲା ମର୍ମାହତା।ମଣିଷ ଯେତେ ପଙ୍କିଳ ପୋଖରୀ ଭିତରକୁ ପଶିବ ଗୋଡ଼ରେ ସେତେ ନିଶ୍ଚୟ କାଦୁଅ ସ୍ପର୍ଶ କରିବ। ପୁନଶ୍ଚ ତାଙ୍କର କ୍ରୋଧ,ମିତାର ପ୍ରତିକ୍ରିୟା ଓ ବାହ୍ୟ କୁଟୀଳ ବ୍ୟକ୍ତିଙ୍କ କୁଟିଳତା ପୂର୍ଣ୍ଣ ଚକ୍ରାନ୍ତର ଶିକାରରେ ସ୍ୱର୍ଣ୍ଣ ସ୍ୱର୍ଗପୁରୀଟା ନଷ୍ଟ ।


Writer's Details: ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
Content Category:
Submission Date: Aug 03, 2019

0 Comments