ପ୍ରବନ୍ଧ - ପ୍ରକୃତି ସର୍ଜନଶୀଳତାର ମୂଳ ଉତ୍ସ - ଡକ୍ଟର ଲକ୍ଷ୍ମଣ ସାହୁ

ପ୍ରବନ୍ଧ - ପ୍ରକୃତି ସର୍ଜନଶୀଳତାର ମୂଳ ଉତ୍ସ - ଡକ୍ଟର ଲକ୍ଷ୍ମଣ ସାହୁ

କ୍ରିୟାଶୀଳତା ଓ ସର୍ଜନଶୀଳତା ପ୍ରକୃତିର ଧର୍ମ । ଦୃଶ୍ୟ ଅଦୃଶ୍ୟର ସକଳ ବସ୍ତୁ ପ୍ରକୃତି ମଧ୍ୟରୁ ଜାତ । ମନୁଷ୍ୟ ପ୍ରକୃତି ଜଗତର ଅଂଶବିଶେଷ । ଜୀବଜଗତ ଓ ବସ୍ତୁଜଗତ ପ୍ରକୃତି ଜଗତର ପ୍ରତିରୂପ ଓ ପରିପୂରକ । ପ୍ରକୃତି ବିଶ୍ୱ ସୃଷ୍ଟିର ଏକ ସାର୍ବିକ ରୂପ । ବହିର୍ବିଶ୍ୱ ଓ ଅନ୍ତର୍ବିଶ୍ୱ - ସକଳ ଜଗତର ପ୍ରକାଶ ଏଥିରେ ରୂପାୟନ ହୁଏ । ପାର୍ଥିବ ଅପାର୍ଥିବ , ବାସ୍ତବ ଅବାସ୍ତବ , ପ୍ରାକୃତ ଅପ୍ରାକୃତ, ସତ୍ୟ ଅସତ୍ୟ , କାଳ୍ପନୀୟ ଅକଳ୍ପନୀୟ ଆଦି ରୂପ ପରିଗ୍ରହ କରେ , ଚଳମାନ ଜଗତର ପ୍ରାଣଶକ୍ତି ସଂଚାରିତ ହୁଏ । ସଜୀବ ନିର୍ଜୀବ ଏକ ସୂତ୍ରରେ ଗ୍ରଥିତ ହୁଏ । ପ୍ରକୃତି କୋଳରେ ସକଳେ ସୁପ୍ତ ଓ ଜାଗ୍ରତ ଓ ପ୍ରକୃତି ଭିତରେ ସକଳେ ଲୀନ । ପ୍ରକୃତି ଶବ୍ଦ ବୈଦିକ ସାହିତ୍ୟରୁ ଆଧୁନିକ ସାହିତ୍ୟ ଭିତରେ ବିସ୍ତାରିତ । ବେଦରେ ଏହାର ସମାର୍ଥବୋଧକ ଶବ୍ଦ ' ଋତ ' । ତୈତ୍ତିରୀୟ ଉପନିଷଦ , ଆରଣ୍ୟକ ଓ ଗୋପଥ ବ୍ରାହ୍ମଣ ଆଦିରେ ଏହି ଶବ୍ଦର ପ୍ରଚଳନ ହୋଇଛି । ଇଂରାଜୀ ଭାଷାରେ ଏହାକୁ ' ନେଚର ' କୁହାଯାଏ ।

ସ୍ଥୂଳଭାବରେ ବିଚାର କଲେ ପ୍ରକୃତିର ଦୁଇଟି ରୂପ । ଗୋଟିଏ କ୍ଷଣସ୍ଥାୟୀ ଓ ଅନ୍ୟଟି ଶାଶ୍ୱତ । ସୂକ୍ଷ୍ମଦୃଷ୍ଟିରେ ପ୍ରତ୍ୟେକ ସୃଷ୍ଟି ବିଲୟର ଅଧୀନ । ତଥାପି ପୁଷ୍ପ ମଣ୍ତିତ ବୃକ୍ଷ ଲତା , ପଶୁ ପକ୍ଷୀ ଏସବୁ ପରିବର୍ତ୍ତନଶୀଳ ପ୍ରକୃତିର ରୂପ ହୋଇଥିବା ବେଳେ ସୂର୍ଯ୍ୟ , ଚନ୍ଦ୍ର , ତାରା , ଦିବାରାତ୍ର , ଆକାଶ , ବର୍ଷା ଏସବୁ ଅପରିବର୍ତ୍ତନୀୟ ପ୍ରକୃତର ବିଗ୍ରହ । ଋଗ୍ ବେଦରେ ପ୍ରକୃତିକୁ ସ୍ତୋତ୍ର ଦ୍ବାରା ବନ୍ଦନା କରାଯାଇଛି । ଯୁଗେ ଯୁଗେ କବିଗଣ ପ୍ରକୃତିର ଅପରୂପ ଶୋଭାରେ ମୁଗ୍ଧ ହୋଇଆସିଛନ୍ତି । ପ୍ରକୃତିର ଅଫୁରନ୍ତ ଶୋଭାରେ ତନ୍ମୟ ହୋଇ ମସୀରେ ସଚିତ୍ର ଓ ବିଚିତ୍ର ରୂପରେ ସଜ୍ଜିତ ହୋଇ ଆସିଛନ୍ତି । ପ୍ରକୃତିର ବୈଚିତ୍ର୍ୟରେ କାବ୍ୟପୁରୁଷ ପୁନଃପୁନଃ ବିସ୍ମିତ ହୁଏ । ସମୟର ପରିବର୍ତ୍ତନରେ ପ୍ରକୃତିର ସ୍ୱରୂପ ବଦଳି ବଦଳି ଯାଏ - " ସୁନ୍ଦର ତୃପ୍ତିର ଅବସାଦ ନାହିଁ , ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ". । ଏହା ପ୍ରକୃତିର ଆକର୍ଷଣ ଓ ଆଶ୍ଚର୍ଯ୍ୟ । ବିଶ୍ୱ ପ୍ରକୃତିର ଏଭଳି ବିପୁଳ ବିକାଶ ଓ ପ୍ରତୁଳ ଶକ୍ତିରେ କବି ପୁଲକିତ କେବଳ ନୁହେଁ ନିଜ ସତ୍ତା କଳନା କରି ଆତ୍ମହରା ହୋଇଉଠେ । ନିଖିଳ ବ୍ରହ୍ମାଣ୍ଡର ଗତି ବଡ ବିଚିତ୍ର । ଅଗଣିତ ଗ୍ରହ ନକ୍ଷତ୍ର ମହାକାଶରେ ନିରୁଦ୍ଦେଶ ଭାବେ ଘୂରିବୁଲୁଛନ୍ତି । ପ୍ରକୃତି କେବେ କେବେ ଶାନ୍ତ ପୁଣି କେବେ ଅଶାନ୍ତ । ଅସମୟରେ ଉଲ୍କା ଝଡ, ଧୂମକେତୁର ଦର୍ଶନ , ଭୂମିକମ୍ପ , ସାମୁଦ୍ରିକ ଝଡ , ଆଗ୍ନେୟଗିରିରେ ଲାଭା ଉଦ୍ଗିରଣ ଏସବୁ ପ୍ରକୃତିର ବିକ୍ଷୂବ୍ଧ ରୂପ । ପୁଣି କେବେ କେବେ ସାଗରରେ ତରଙ୍ଗ ଓ ବାୟୁରେ ହିଲ୍ଲୋଳ ଆସେ । କୁସୁମ ମହକ ଜୀବନକୁ ଆଲ୍ଲାଦିତ କରେ । ପୁଣି ପ୍ରକୃତି ତାର ବିସ୍ତୁତି ଓ ବିରାଟତ୍ୱ ପ୍ରକାଶ କରି ବିସ୍ମିତ କରେ । ସୁଉଚ୍ଚ ପର୍ବତମାଳା- ଶୃଙ୍ଗ ସବୁ ମେଘାବୃତ , କେବେ ବାରିଦ ଆଚ୍ଛାଦିତ । ଦିଗନ୍ତ ବିସ୍ତାରୀତ ସାଗର , ଅନନ୍ତ ମହାକାଶ , ପ୍ରତ୍ୟେକ ପ୍ରକୃତିର ବିସ୍ତୁତି ମଧ୍ୟରେ ନିୟାମକ । ତାର ବିସ୍ତାର ଯେଭଳି କେବେ କଳନା କରି ହୁଏନାହିଁ , କେବେ ପୁଣି ସେ ଅକଳନ ବୈଚିତ୍ର୍ୟ ମଧ୍ୟରେ ଫୁଟିଉଠେ ।

ପ୍ରକୃତି ପ୍ରତି ମଣିଷର ଆକର୍ଷଣ ଅନାହତ । ଯେତେବେଳେ ମନୁଷ୍ୟ ପ୍ରକୃତିକୁ ନେଇ କଳ୍ପନାରେ ବୁଡ ପକାଇଲା , ତା' ମନରାଇଜରେ ଆପଣା କଳ୍ପନାର ପୁଟ ଭଗବାନଙ୍କୁ ଆଙ୍କି ଦେଲା କବିତାର ଭାବ ନେଇ, ଶବ୍ଦରେ ଶବ୍ଦ ଦେଇ , ତାହା ହେଲା ଭଗବତାଶ୍ରୟୀ । ଫଳତଃ ପ୍ରକୃତି ସ୍ୱଂୟ ପାଲଟି ଗଲା କବିତାର ଉପଜୀବ୍ୟ । ସ୍ଥିତି ପାଇଁ ସଂଘର୍ଷ , ସଂଘର୍ଷରେ ମନୁଷ୍ୟର ଜୀବନ ଗଠିତ । ଜନ୍ମ - ମୃତ୍ୟୁର ପଦଧ୍ୱନି ଭିତରେ ଜୀବନର ଶ୍ୟାମ ସଂଗୀତ ସର୍ଜନା କରିବା , ପ୍ରକୃତିକୁ ଜୟ କରି ପ୍ରଭୁତ୍ୱ ଜାରି କରିବାର ଅଭିନଵ ପ୍ରୟାସ !! ହୁଏତ କୁହାଯାଇ ପାରିବ , ମଣିଷ ପ୍ରକୃତି ଠାରୁ ଦୂରେଇ ତା' ଉପରେ ପ୍ରଭୃତ୍ୱପଣ ପ୍ରଦର୍ଶନ କରିବା ଫଳରେ ଆଧୁନିକ ମାନବ ସମାଜ ପତନ୍ନୋମୁଖୀ ହେଉଛି । ଫରାସୀ ମନୀଷୀ ଜାଁ ଜେକ୍ ରୁସୋ ଏକଦା କହିଥିଲେ " ପ୍ରକୃତି ଉପରେ ଅତ୍ୟାଚାର ହିଁ ଆଧୁନିକ ସଭ୍ୟତାର ନାନା ଦ୍ୱନ୍ଦ୍ୱ ଓ ସମସ୍ୟାର କାରଣ ।" ସାରଲ୍ୟକୁ ବଳି ପକାଇ ମଣିଷ ଉଚ୍ଚ ଶିକ୍ଷିତ ହୋଇଛି , ଶିଳ୍ପ ସମ୍ଭୋଗ ଦ୍ଵାରା ସେ ବିଳାସୀ ପ୍ରବଣ ପାଲଟିଯାଇଛି । ଯାହା ସହଜରେ କୁହାଯାଇ ପାରେ ବିଜ୍ଞାନ ହିଁ ମଣିଷର ସହଜ ବିବେକ ବୋଧକୁ ଅତି ମାତ୍ରାରେ ଦୁର୍ବଳ କରିଦେଇଛି । ବିଜ୍ଞାନ ଦିନକୁ ଦିନ ଯେତେ ମାତ୍ରାରେ ଉନ୍ନତ ପଥରେ ଆଗେଇ ଚାଲିଛି , ଚନ୍ଦ୍ରପୃଷ୍ଠରେ ମାନବର ବସତି ସ୍ଥାପନ କରିବାରେ ସହାୟକ ହେଉଛି , କୋଡିଏ ହଜାର ହଜାର ମାଇଲ ସମୁଦ୍ର ଗର୍ଭରେ ପ୍ରବେଶ କରି ମୁକ୍ତା ଉତ୍ତୋଳନ କରିବାରେ ସହଯୋଗ କରୁଛି , ତା ସତ୍ତ୍ୱେ ମଣିଷର ଆଶା ଅତୃପ୍ତ ରହିଛୁ । ନୂତନ ସଂସ୍କୃତି ମଣିଷର ପ୍ରୟୋଜନ ବୈଚିତ୍ର୍ୟକୁ ବଢାଇ ଦେଉଛି । ମୁକ୍ତ ଆକାଶର ବିହଙ୍ଗ ସମ ଘୂରି ବୁଲି ଫଳ ସଂଗ୍ରହ କରି ପାହାଡ କୋରଡ ଆଶ୍ରୟ ନେଉଥିବା ଆଦି ମଣିଷ ଯେଉଁ ଦିନ ନୂତନ କରି ମଞ୍ଜି ପୋତି ଫଳ ଫଳାଇବାକୁ ଉଦ୍ୟମ ଆରମ୍ଭ କରିଥିଲା , ବୋଧହୁଏ ସେହି ଦିନ ଠାରୁ ତା'ର ଭାଗ୍ୟାଶରେ ଭାଗ୍ୟବିପର୍ଯ୍ୟୟ ଆରମ୍ଭ କଲା । ଧାତୁର ଆବିଷ୍କାର ଓ ପ୍ରୟୋଗ ଧୀରେ ଧୀରେ ଧ୍ବଂସ ଆଡ଼କୁ ଟାଣି ଆଣିଛି । ଗୋଷ୍ଠୀ ଜୀବନର ଐକ୍ୟ ଭୁଲି ବ୍ୟକ୍ତି ସ୍ୱାତନ୍ତ୍ର୍ୟତା ଆଡକୁ ଗତିକରିଛି । ତେଣୁ ଆସନ୍ନ ବିପଦ ଓ ପତନରୁ ରକ୍ଷା ପାଇବା ନିମନ୍ତେ ଆଧୁନିକ ସଭ୍ୟତାର ସମୂଳେ ଉଚ୍ଛେଦ କରି ପ୍ରକୃତି କୋଳକୁ ଫେରିଯିବା ପାଇଁ ରୁସୋଙ୍କ ମତ ଯଥାର୍ଥ ହୋଇପାରେ ।

ପ୍ରକୃତି ପ୍ରତି ମାନବର ଅନୁରାଗ , ତା ପ୍ରତି ତା'ମନରେ ଯେତିକି ଧାରଣା ଜନ୍ମି ଆସିଛି ସେତିକି ସେ ବିସ୍ମୟାଭିଭୂତ ହୋଇଥାଏ । କେତେବେଳେ ପ୍ରକୃତିର ପ୍ରଶାନ୍ତ ରୂପ ଭାବବିହୂଳ କରେତ , ପୁଣି କେବେ କେବେ ବଦାନ୍ୟ ହେବାର ପ୍ରେରଣା ଦିଏ , ପୁଣି କେବେ ସ୍ତବ୍ଧ କରେ । ପର୍ବତ ଶିଖରୁ ଝରିଆସୁଥିବା ସ୍ରୋତସ୍ୱୀନୀର ଅବିଶ୍ରାନ୍ତ କଳକଲ୍ଲୋଳ ପ୍ରବାହ ମାନବ ମନରେ ବଦାନ୍ୟ ହେବାର ପ୍ରେରଣା ଦିଏ , ଉଚ୍ଚ ପର୍ବତର ଗମ୍ଭୀର ରୂପ ମହାନ୍ ଓ ଏକାତ୍ମ ହେବାକୁ ଶିକ୍ଷା ଦିଏତ , ପବନର ହିଲ୍ଲୋଳରେ କମ୍ପିତ ଜଳରାଶି ମନୁଷ୍ୟ ମନର ଉଦ୍ବେଗ ଓ ଉଦ୍ବିଗ୍ନତାର ଭାବ ପ୍ରକ୍ରିୟା ସୃଷ୍ଟି କରେ । ଚପଳାର ଚଳଚଞ୍ଚଳ ଗତି ଓ ବିଭୀଷିକା ଭୟଭୀତ କରେ । ପର୍ବତ , ଆକାଶ , ନଦୀ , ଜଳରାଶି , ମେଘ - ଏସବୁ ମଣିଷ ମନରେ ଭାବଧାରା ସହ ସମତାଳରେ ଗତିମୁଖର । ପ୍ରକୃତି ବିନା ମଣିଷ ନିର୍ଜୀବ , ପ୍ରକୃତି ସହ ମାନବର ସମ୍ବନ୍ଧ ଅଲଂଘନୀୟ , ପ୍ରକୃତି କୋଳରେ ତାର ଜନ୍ହ ଓ ପାରିପାର୍ଶ୍ବିକ ପ୍ରକୃତି ଭିତରେ ତାର ଚଳପ୍ରଚଳ । ପ୍ରକୃତିକୁ ମୁହୂର୍ତ୍ତେ ବାଦ ଦେଲେ ଅଣନିଶ୍ୱାସ ହୋଇପଡିବ । ତେଣୁ ପ୍ରକୃତି ବିନା ସେ ନିର୍ଜୀବ , ଜଡ । କେବେ କେବେ ସାଂସାରିକ ମୋହରୁ ଦୂରେଇ ମୁକ୍ତି / ନିର୍ବାଣ ପ୍ରାପ୍ତି ପାଇଁ ମହାମହିମ ଜୈନ , ବୌଦ୍ଧ ସନ୍ୟାସଙ୍କ ଭଳି ବିଶ୍ୱ ପ୍ରକୃତି ସହିତ ଏକାତ୍ମ ହେବାକୁ ପଡିଥାଏ । ସେତେବେଳେ ପ୍ରକୃତି ଏକ ମହାନ ସତ୍ତାର ଭାବ ବହନ କରେ । ପ୍ରକୃତିର ମହାନତାର ମୂର୍ତ୍ତି ଓ ସୌନ୍ଦର୍ଯ୍ୟର ସ୍ଫୁତ୍ତି ମାନବକୁ ବିମୋହିତ କରେ , ହୃଦୟକୁ ସ୍ପର୍ଶ କରେ ଓ ଅନୁଭବକୁ ଅନୁରଞ୍ଜିତ କରେ ସେତେବେଳେ ମାନବ ନତମସ୍ତକ ହୋଇ ତାର ବନ୍ଦନା କରେ , ଭାବ ବିହ୍ଵଳ ହୋଇ ତାର ଜୟଗାନ କରେ । ପ୍ରକୃତି ହୋଇଯାଏ ମାନବର ସମ ଦୁଃଖୀ ସହଚର , ସୁଖ ଦୁଃଖ ଆଶା ନିରାଶାର ସଙ୍ଗୀ । ଫଳରେ ଆତ୍ମହରା ମଣିଷ ଭାବ ପ୍ରବଣର ବଶୀଭୂତ ହୋଇ ପ୍ରକୃତିର ରଂଗ ଓ ଧ୍ୱନି ନେଇ ଗଢେ ରୂପକଳ୍ପ ଓ ସଂଗୀତ । 

ପ୍ରକୃତି ଜଗତର ପ୍ରତିବିମ୍ବକୁ କବି ବର୍ଣ୍ଣାଢ୍ୟ ଢଙ୍ଗରେ ରୂପଦିଏ । ପ୍ରକୃତିର ପୂଜାରୀ ପାଲଟେ । କବିତା ଏକ କଳା । କଳାର ସୃଷ୍ଟି କଳାକାରର ସୌନ୍ଦର୍ଯ୍ୟାନୁଭୂତିରୁ ଘଟେ । ଅନୁକରଣ ଓ ସଂଯୋଜନାରୁ କବିତାର ଉତ୍ତରଣ । କବିତା ବହିଃପ୍ରକୃତିର ନିଚ୍ଛକ ଅନୁକରଣ ବୋଲି ପ୍ଳାଟୋଙ୍କ ମତ । ତାଙ୍କ ଦୃଷ୍ଟିରେ ସୌନ୍ଦର୍ଯ୍ୟ ସର୍ବଦା ସ୍ୱର୍ଗୀୟ । କବି ବା କଳାକାର ଯେତିକି ପରିଦୃଶ୍ୟମାନ ଜଗତକୁ ଦେଖେ , ଅନୁଭବକୁ ନିଏ, ଅନୁକରଣ କରେ ସେତିକି ଅଙ୍କନ କରେ । ପରିଦୃଶ୍ୟମାନ ପ୍ରକୃତିକୁ ସୂକ୍ଷ୍ମଦୃଷ୍ଟିରେ ଅବଲୋକନ କରି ଶବ୍ଦରେ ପ୍ରକାଶ କରେ । ପ୍ରତ୍ୟକ୍ଷ ଅନୁଭୂତିର ପ୍ରକୃତିକୁ ପୁନର୍ଜନ୍ମ ଦିଏ କବିତାରେ । ବହିର୍ଜଗତ ସହ ଅନ୍ତର୍ଜଗତର , ନିସର୍ଗ ପ୍ରକୃତି ସହ ନିଜସ୍ୱ ପ୍ରକୃତିର ମିଳନ ଘଟି ଭିନ୍ନ ଏକ ଜଗତର ଉନ୍ମେଷ ଘଟେ । ଡ୍ରାଇଡେନଙ୍କ ଦୃଷ୍ଟିରେ " କବିତା ହେଉଛି ପ୍ରକୃତିର ମୂର୍ତ୍ତିମୟୀ ରୂପ ' ।

କାବ୍ୟ କବିତା ହେଉଛି ପ୍ରକୃତିକୁ ପ୍ରକାଶ କରିବାର ଏକ ମାଧ୍ୟମ । ବ୍ରଡଲେଙ୍କ ମତାନୁସାରେ କବିତାରେ ସ୍ଥିର ଓ ଚଞ୍ଚଳ ପ୍ରକୃତିର ଉଭୟ ରୂପ ଚିତ୍ରିତ ହେଲେ ମଧ୍ୟ ସମୟର ତାଳରେ ବାସ୍ତବ ଜଗତର ଗତିଶୀଳ ପ୍ରକ୍ରିୟା କବିତାରେହିଁ ପ୍ରଳୄତରେ ପ୍ରାଣବନ୍ତ ପାଲଟେ । ବିଶେଷ କରି ସମୀପ ସୁଦୂର , ସ୍ଥିର , ଚଞ୍ଚଳ , ପ୍ରଶାନ୍ତ ଭୀମକାନ୍ତ ଓ ଶାନ୍ତ ଅନନ୍ତ- - ପ୍ରକୃତିର ସମସ୍ତ ବିଚିତ୍ର ବିକାଶକୁ କବିତା କେବଳ ରୂପ ଦିଏ । ଶ୍ରାବଣର ଅବିରତ ଅଶ୍ରୁ ଧାରାପାତ , ବତାସର ଦ୍ରୂତ ଗତି , ବିଦ୍ୟୁତର ଚମକ , ସୂର୍ଯ୍ୟଙ୍କ ପ୍ରଭା, ସଦ୍ୟ ପ୍ରଭାତର ମନୋଭରା ଆଭା ଏସବୁ କାବ୍ୟକୁ ସଞ୍ଜୀବିତ କରେ । ବଜ୍ରର ମନ୍ଦ୍ରଧ୍ୱନି , ମୃଦୁମନ୍ଦ ମଳୟର ସ୍ପର୍ଶ ମଧ୍ୟ କବିତାରେ ରୂପନିଏ । ବହିଃପ୍ରକୃତି ସହିତ ଅର୍ନ୍ତଃପ୍ରକୃତିର କାବ୍ୟ କବିତାରେ ପ୍ରକାଶପାଏ । ମଣିଷର ଅନୁଭବ ଓ ଉପଲବ୍ଧିହିଁ କାବ୍ୟ ଓ କବିତା । କୋମଳ ସ୍ନେହ , ସଦା ଅନୁଭବ , ମଧୁର ପ୍ରେମ ଅଥବା ବିଧୁର ବିରହ ପ୍ରକୃତି ସହିତ ସମଢଙ୍ଗରେ କବିତାରେ ନୂଆ ନୂଆ ରୂପରେ ପ୍ରକାଶ ହୁଏ । ବର୍ଣ୍ଣନାରେ ବସ୍ତୁକ ମୂର୍ତ୍ତିମନ୍ତ କରି ଗଢିତୋଳେ । କବିତାରେ ବ୍ୟଵହୃତ ହୁଏ ସଂଜୀବନୀ ଶବରାଶି । ସତ୍ୟ ଓ କଳ୍ପନା କିମ୍ବା ଭାବ ଓ ଅନୁଭବ ଭିତରେ ସୂକ୍ଷ୍ମଦୃଷ୍ଟି କାଵ୍ୟ କବିତାରେ ରୂପ ନିଏ । ପ୍ରକୃତିର ପୂର୍ଣ୍ଣ ଓ ପ୍ରାଣବନ୍ତ ପ୍ରକାଶ କେବଳ କବିତାରେ ସମ୍ଭବ ହୁଏ । ତେଣୁ କବିତା ନାନ୍ଦନିକ ଅନୁଭୂତିର ଏକ ସାର୍ଥକ ପନ୍ଥା । ବିଶ୍ୱ ସୃଷ୍ଟିର ଚଳମାନ ପ୍ରକୃତିରେ ଯେତିକି ସଙ୍ଗତି ଓ ସୁଷମା ସାଧାରଣ ଚକ୍ଷୁରେ ଧରାପଡେନି ସତ , କିନ୍ତୁ କବିର ସଂଧାନୀ ଦୃଷ୍ଟିରେ ସେହି ଅପାଶୋରା ରୂପ ସୌନ୍ଦର୍ଯ୍ୟ କେବଳ କବିତାରେ ରୂପ ନିଏ । ପ୍ରାକୃତିକ ଜଡ ଜଗତର ସକଳ ସୌନ୍ଦର୍ଯ୍ୟ କେବଳ ମନୁଷ୍ୟର ମନରେ ଯେଉଁ ଆନନ୍ଦାନୁଭୂତି ଭରି ଦିଏ ତାହାର କଳନା କରି ସମ୍ଭବ ନୁହେଁ ।

ଏସବୁ ଦୃଷ୍ଟିରୁ ପ୍ରକୃତି ମାନବ ଜୀବନ ଲୀଳାର ଏକ ଆଧାର । ପ୍ରକୃତି ଭିତରେ ମାନବ ଜୀବନର ବିକାଶ ଘଟେ । ଇନ୍ଦ୍ରଧନୁର ସପ୍ତରଙ୍ଗ ଶୋଭା ସୂର୍ଯ୍ୟ ରଶ୍ମି ବିନା ଯେଭଳି ଅକଳ୍ପନୀୟ, ଠିକ୍ ସେମିତି ପ୍ରକୃତି ବିନା ମାନବ ସ୍ଥିତି କଳନା କରି ହୁଏ ନାହିଁ । ପ୍ରକୃତିର ପାର୍ଶ୍ୱଭୂମି ଉପରେ ମାନବର ଜୀବନ ମନ୍ଦିର ଗଠିତ । ତେଣୁ କବିର ଆତ୍ମା ସେହି ଜାଗତିକ ପାରିପାର୍ଶ୍ବିକ ରୂପ ଚିତ୍ରକୁ ଚିତ୍ରଣ କରେ । ପ୍ରକୃତିର କୌଣସି ଦୃଶ୍ୟରେ ଆତ୍ମହରା କବିପ୍ରାଣ ବ୍ୟଞ୍ଜନା ମାଧ୍ୟମରେ ତାକୁ ରୂପ ଦିଏ କବିତାରେ । ବୈଚିତ୍ର୍ୟମୟ ଭାବରାଜିର ଛନ୍ଦୋବଦ୍ଧ ମଞ୍ଜୁଳ ପରିପ୍ରକାଶ ଘଟି କବିତା ହୁଏ କାଳଜୟୀ । ସୃଷ୍ଟିର ଆଦି କାଳରୁ ପ୍ରକୃତିର ଅପରୂପ ଶୋଭାରେ କବି ପ୍ରାଣ ଉଚ୍ଚାଟ ହୋଇ ଉଠିଛି । ରୂପପ୍ରାଣ କବି ପ୍ରକୃତିର ରମଣୀୟତାର ମୁଗ୍ଧ ହୋଇ ତାକୁ କବିତାରେ ଅଙ୍ଗିକାର କରିନେଇଛି । ତେଣୁ କୁହାଯାଇଛି -:
"ଅପାରେ କାବ୍ୟ ସଂସାରେ କବିରେବ ପ୍ରଜାତିଃ
ଯଥାସ୍ନେ ରୋଚତେ ବିଶ୍ୱଂ ତଥେଦଂ ପରଗବର୍ତ୍ତତେ"।


Writer's Details: ଡକ୍ଟର ଲକ୍ଷ୍ମଣ ସାହୁ
ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ-୪
ଦୂରଭାଷ : ୯୦୪୦ ୧୫୧୪ ୭୫
Email : laxmansahoo9040@gmail.com
Content Category:
Submission Date: Aug 22, 2019

0 Comments