ପାହାଡି କନିଆ ଆଉ ତା ପ୍ରେମ - ସିଦ୍ଧେଶ୍ଵର ତ୍ରିପାଠୀ

ପାହାଡି କନିଆ ଆଉ ତା ପ୍ରେମ - ସିଦ୍ଧେଶ୍ଵର ତ୍ରିପାଠୀ

ଚାରିଆଡେ ସବୁଜ ବନାନୀ
ଟିକିଏ ଦୂରରେ ସୁନ୍ଦର ପାହାଡ଼
ଆଉ ଝରଣା ଯୋଉଠି ଭୂମିକୁ ଛୁଇଁଛି
ସେଇଠି ସେ ଝିଅଟିର
ଛୋଟ ଏକ ଘର ।

କେଉଁ ଏକ ନିଆରା ବେଳାରେ
ତା ସାଥିରେ ହେଇଗଲା ଭେଟ
ମୁଁ ଥିଲି ତୃଷାର୍ତ୍ତ ପଥିକ
ସେ ଥିଲା ଅମୃତର ବାଟ ।

ହାତ ଠାରି ପାଖକୁ ସେ ଡାକି
ତା ମୁଣ୍ଡରୁ ମାଠିଆ କାଢ଼ିଲା
ଆଉତାର ହାତ ପରଶରେ
ପତର ଠୋଲାରେ ସରାଗରେ ହାଣ୍ଡିଆ ଢାଳିଲା ।

ମୁଁ ତ ଅବାକ ହୋଇଯାଇଥିଲି
ସେ କିନ୍ତୁ ମୋଠୁ ବେଶୀ
ଅନୁଭବ କରିପାରିଥିଲା
ମୋ ତୃଷାର୍ତ୍ତ ଯନ୍ତ୍ରଣା
ତା ହାତକୁ ମୋ ଓଠେ ଛୁଆଇଁ
ଭାତମିଶା ବାଖର ପାଣିକୁ
ସରାଗରେ ଦେଇଥିଲା ଢାଳି ।

ତା ପରେ ସମୟ ସାଥିରେ
ସେ ନିତି ହଜୁଥିଲା ଭିଜୁଥିଲା ମଜୁଥିଲା ସିଝୁଥିଲା
ମୋରି ଆଖିରେ ଓଠ ପରଶରେ
ପ୍ରେମ ଆଳାପରେ
ଆଉ ଅଜଣା ତାତିରେ ।

ମୁଁ ଥିଲି ଅଦିନିଆ ପକ୍ଷୀ
ସେ କିନ୍ତୁ ନେଉଥିଲା ଡାକି
ଅନ୍ଧାରିଆ କୁଡ଼ିଆ ଭିତରେ
କେତେକେତେ ଦରବ ସଜାଡି
ପହିଲି ପତର ପରେ
ବାଢିଥିଲା ଦୁଇହାତ ଟେକି ।

ମୋ ହାତରେ ତାହାତକୁ ଛନ୍ଦି
ବାହୁ ବନ୍ଧନରେ ତାର ବାନ୍ଧି
କହୁଥିଲା ବାର ବାର
ଦୁରେଇ ଦେବନି
ଆଲମ ରେଇ ନିନେଇ (ମୋତେ ଭୁଲିବନି କେବେ ମୋତେ ଭୁଲିବନି) ।

ତୁମେ ପରଦେଶୀ ବାବୁଯେବେ
ନିଜ ଦେଶ ଯିବ
ମୋ ପାଖକୁ ନିଶ୍ଚୟ ଫେରିବ
ନୂଆ ଗୋଟେ ପରିଚୟ ଦେବ
ଆଲେ ଉଥା ଉଦୁମ (ଆମ ଘରକୁ ଆସିବ ଆମ ଘରକୁ ଆସିବ) ।

ମାଘେ ପର୍ବ ଯମୁନା ପର୍ବରେ
ତୁମ କଥା ମନେତ ପଡିବ
ଲୁଣ ଲେତା ଭାତ ଓ କୁକୁଡ଼ା
ଅଣ୍ଡ ମିଶିଲା ଲେ ପେଲା
ଏ ଯାତ୍ରାରେ ତୁମ ସହ ନିଶ୍ଚେ
ଦେଖା ହେବ
ଏ ଯାତ୍ରାରେ ତୁମ ସହ
ନିଶ୍ଚେ ଦେଖା ହେବ ।

ଯଦି ଦେବତାର କରୁଣା ହୋଇବ
ଅଦିନରେ ବରଷା ଝରିବ
ତୁମ ହାତ ମୋ ହାତରେ
ନିଶ୍ଚେ ଛନ୍ଦି ହେବ
ତୁମର ଆମର ଆଆନ୍ଦି ହୋଇବ (ବାହାଘର ହେବ ନିଶ୍ଚେ ବାହାଘର ହେବ)
ବାହାଘର ହେବ ନିଶ୍ଚେ
ବାହାଘର ହେବ ।

ସେ ଦଲାବୁ (ବାହାଘର ଭୋଜି)
ଢୋଲ ତାଲେ ତାଲେ
ଜୁରେନ୍ (ଗୀତ କେତେ ଗାଇ ଗାଇ)
ମନ ଯିବ ହଜି
ଆଉକିଛି ଖୋଜିବିନି
ସବୁ ସୁଖ ପାଇଯିବି
ତୁମରସେ କାନ୍ଧକୁ ଆଉଜି
ତୁମର ସେ କାନ୍ଧକୁ ଆଉଜି ।

ମୁଁ ଥିଲି ପରଦେଶୀ ମେଘ
ଉଡ଼ିଗଲି ବହୁଦୂରେ
ଦଇବର ଦଲକାଏ ପବନ ପରଶେ
ଝରଝର ବରସିଲି ସତ
ନିରୁପାୟ ହୋଇ
ମୋର ଇଛା ବିରୁଦ୍ଧରେ
ଆଉ କାହା ହାତେ
ଆଉ କାହା ହାତେ ।

ପାହାଡ଼ କନିଆ ମୋତେ
କରିଦେବ କ୍ଷମା
ତୁମ ସାଥେ କେବେ
ଦେଖା ହେବ ନାହିଁ ଯମା

ମୋ ବାଟକୁ ଭୁଲିଯିବ ପ୍ରିୟେ
ଦୁନିଆରେ
ସବୁ ପ୍ରେମ
ସାର୍ଥକ କି ହୁଏ ।

Writer's Details: ସିଦ୍ଧେଶ୍ବର ତ୍ରିପାଠୀ
Content Category:
Submission Date: Aug 20, 2019

0 Comments