ପ୍ରବନ୍ଧ - ନିବେଦନ ଏମିତି କେତେଦିନ - ସନ୍ତୋଷ କୁମାର ମହାନ୍ତି

ପ୍ରବନ୍ଧ - ନିବେଦନ ଏମିତି କେତେଦିନ - ସନ୍ତୋଷ କୁମାର ମହାନ୍ତି

ଆମେ ସମସ୍ତେ ଭାରି ଭାଗ୍ୟବାନ | କାରଣ ଆମେ ଭାରତ ମାଟିର ସନ୍ତାନ | ଏହି ଦେଶର ମାଟିକୁ ପବିତ୍ର ମାଟି ବୋଲି ଅଭିହିତ କରାଯାଇଛି | ଆଉ ସେହି ପବିତ୍ର ଭୂମିରେ ହସ,ଖୁସି,ଦୁଃଖ ଓ ଯନ୍ତ୍ରଣା ଭିତରେ ବଂଚିଥିବା ଆମେ ସବୁ ସାଧାରଣ ଜନତା | ଆମେ ବିଶ୍ୱକୁ ସଂଯମତା,ଅଳ୍ପରେ ସନ୍ତୁଷ୍ଟ ହେଇ ବଂଚିବା ଓ ଦୁଃଖ ଭିତରେ ହସି ଜୀବନ ଜୀଇଁବାର ଯୋଉ ଶିକ୍ଷା ଦେଉଛୁ ତାହା ଅନ୍ୟ କୋଉ ଦେଶରେ ଦେଖିବାକୁ ମିଳେନା | ଆମେ ଏଠି ଅନେକ କଷ୍ଟକୁ ରାଜାରାଜୁଡ଼ା ଓ ଇଂରେଜ ଶାସନରୁ ଦେହସୁହା କରିଛେ | ଆମ ପ୍ରତି ଏବେବି ହେଉଥିବା ଅନ୍ୟାୟ ଓ ପକ୍ଷପାତୀତାକୁ ମୁଣ୍ଡପାତି ସହିଛେ | ନାନା ଅବିଚାର ଓ ମଣିଷ ଭିତରେ ତିଆରି କରାଯାଉଥିବା ଭେଦଭାବର ପ୍ରାଚୀର ଭିତରେ ଆମେ ଦିନ କାଟୁଥିଲେ ମଧ୍ୟ ଏ ଦେଶର କୋଟି କୋଟି ଜନତା ଏବେବି ନିବେଦନ ଓ ଦୟାର ପାତ୍ର ହୋଇ ବଞ୍ଚୁଛି ଓ ବଂଚିବାକୁ ବାଧ୍ୟ ହେଉଛି | କାରଣ ଆମେ ଗୋଟେ ବୃହତ୍ତମ ଜନମଙ୍ଗଳ ରାଷ୍ଟ୍ରରେ ଜନ୍ମ ହେଇଛେ | ଜନ ମଙ୍ଗଳର ଅର୍ଥ ଓ ଏହି ମଙ୍ଗଳ ଭିତରେ ଥିବା ଅନେକ ଭିତିରି କଥା ଓ ବ୍ୟଥାକୁ ଆମେ କିଛି ମାତ୍ରାରେ ବୁଝି ପାରୁଛେ ଆଉ କିଛି ଆମ ପାଇଁ ଅବୁଝା ହେଇ ରହିଯାଇଛି |ଆମ ଦେଶରେ 'ନିବେଦନ' ଏକ ସାର୍ବଜନୀନ ଶବ୍ଦ | ଆମେ ବିଦ୍ୟାଳୟରେ ପଢିବା ଦିନ ଠାରୁ ଯୋଉ ଦରଖାସ୍ତ ଲେଖିବା ପାଇଁ ଶିକ୍ଷା ଦିଆ ଯାଇଛି ସେଥିରେ ନେତା,ମନ୍ତ୍ରୀ ଓ ସରକାରୀ ଅଧିକାରୀ ମାନଙ୍କୁ ଆମ ସମସ୍ୟା ବିଷୟରେ ଜଣାଇଲା ବେଳେ ଆମକୁ ନିବେଦନର ଅଭିପ୍ରାୟ ଏହି କି ଯେ....କହି ଦରଖାସ୍ତ ଲେଖିବା ପାଇଁ ଆମ ଗୁରୁ,ଗୁରୁମା ମାନେ ଶିକ୍ଷା ଦେଇଛନ୍ତି | ପୁଣି ଦରଖାସ୍ତ ଶେଷରେ ଆପଣ ଦୟା ପରବଶ ହୋଇ ଆମ ସମସ୍ୟା ପ୍ରତି ଦୃଷ୍ଟି ଦେବେ ବୋଲି ଆମେ ଅଭିହିତ କରୁ | ସ୍ୱାଧୀନତାର ୭୨ ବର୍ଷ ପରେ ବି ଏହି ନିବେଦନର ଭାଷା ବଦଳି ନାହିଁ | ପୁଣି ଦୟାରେ ନିଜର ଅଧିକାର ପାଇବାର ବିଧି ଓ ବ୍ୟବସ୍ଥାରେ ପରିବର୍ତ୍ତନ ଆସି ନାହିଁ | ଆମେ ସାଧାରଣ ଜନତା ଆମର ଦୁଃଖ ,ସାମୂହିକ ସମସ୍ୟା ଓ ମୌଳିକ ଅଧିକାରର କଥା ବୁଝିବା ପାଇଁ ୱାର୍ଡ ମେମ୍ବର ,ସରପଂଚ ,ସମିତି ସଭ୍ୟ,ଜ଼ିଲ୍ଲା ପରିଷଦ ସଦ୍ୟସ,କାଉନସିଲର ,ବିଧାୟକ ଓ ଲୋକସଭା ପ୍ରତିନିଧି ମାନଙ୍କୁ ଚୟନ କରୁଛେ | ପ୍ରତି ପାଞ୍ଚ ବର୍ଷରେ ପଂଚାୟତ ନିର୍ବାଚନ ଠାରୁ ସାଧାରଣ ନିର୍ବାଚନ ଯାଏଁ ଅନେକ ଅର୍ଥ,ଲୋକ ବଳ,ସମୟ ସାରି ଆମେ ଆମ ପ୍ରତିନିଧି ମାନଙ୍କୁ ଚୟନ କରୁଛେ | ଏପରିକି କିଛି ପ୍ରତିନିଧି ଗୋଟେ ନିର୍ବାଚନ ମଣ୍ଡଳୀରେ ଅନେକ ଥର ଜିତି ବିଧାନସଭା ଓ ଲୋକସଭାକୁ ଗଲେ ମଧ୍ୟ ସେହି ଅଂଚଳର ସାମୂହିକ ସମସ୍ୟା ଗୁଡିକ ଦୂର ହେଇପାରୁନି | ସେଥିପାଇଁ ଭୋଟର ମାନେ ନେତା ,ମନ୍ତ୍ରୀ ଓ ଅଧିକାରୀ ମାନଙ୍କୁ ନିବେଦନ ଓ ଗୁହାରି ହେବାକୁ ପଡୁଛି | 




ଆମ ଦେଶରେ ଅର୍ଦ୍ଧାଧିକ ଲୋକ ପ୍ରତିନିଧିଙ୍କ ନିଜ ନିର୍ବାଚନ ମଣ୍ଡଳୀର ଭୌଗଳିକ ସୀମା ଉପରେ ଜ୍ଞାନ ନାହିଁ | ଏପରିକି ସେମାନେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ଥିବା ଛୋଟ ,ବଡ ସମସ୍ୟା ବିଷୟରେ ଅବଗତ ନୁହନ୍ତି | କିଛି ଲୋକସଭା କ୍ଷେତ୍ରରେ ଜିତୁଥିବା ବିଧାୟକ ଓ ସାଂସଦ ବାହାର ଜ଼ିଲ୍ଲାର ହେବା ଫଳରେ ସେ ନିର୍ଵାଚନ ମଣ୍ଡଳୀର ସାମଗ୍ରିକ ବିକାଶ ସେମାନଙ୍କ ନଜର ଆଢୁଆଳରେ ରହିଯାଉଛି | ଆଉ ସେମାନଙ୍କ ପ୍ରତିନିଧି ଓ କୁଜି ନେତାମାନେ ନିଜ ଅଂଚଳର ଯୋଉ ସବୁ ସମସ୍ୟା କଥା ବଖାଣି କାମ ସବୁ କରୁଛନ୍ତି ସେଥିରେ ସାଧାରଣ ଜନତାର ସମସ୍ୟା ଗୁଡିକ ଦୂର ହେଇପାରୁନି | ଏବେବି ଅନେକ ଗାଁକୁ ଭଲ ରାସ୍ତା ନାହିଁ | ରୋଗୀକୁ ଖଟିଆରେ ବୁହା ହେଉଛି | ବିପଦ ସଂକୁଳ ଭାବରେ ଲୋକମାନେ ବାଉଁଶ ,କାଠ ପୋଲ ପାରି ହେଇ ଯାତାୟାତ କରୁଛନ୍ତି |ଏହି ଦେଶର ଅନେକ ଛୋଟ ,ବଡ ସମସ୍ୟାକୁ ଆମ ପ୍ରତିନିଧି ଓ ପ୍ରଶାସନ ଆଖି ବୁଜି ଦେଇଛି | 

ଏହି ଦେଶରେ ଲୋକଙ୍କ ସେବା ପାଇଁ ଅନେକ ଅଧିକାରୀ ନିୟୋଜିତ ଅଛନ୍ତି | ସାଧାରଣ ଜନତାର କର ଅର୍ଥରେ ସେମାନେ ଦରମା ନିଅନ୍ତି |ଅନେକ ସରକାରୀ ସୁଖ ସୁବିଧା ଉପଭୋଗ କରନ୍ତି | କିନ୍ତୁ ତା ପରେବି ଏହି ଦେଶର ଜନତା ସେମାନଙ୍କ ସେବା ଟିକକ ପାଇବା ପାଇଁ ଅଧିକାରୀ ମାନଙ୍କୁ ଦରଖାସ୍ତ ଲେଖି ନିବେଦନ କରେ | ନିଜ ହକ ପାଇବା ପାଇଁ ଗୁହାରି କରେ,ଧାରଣାରେ ବସେ ଓ ନହେଲେ ଆନ୍ଦୋଳନ କରେ | ସରକାରୀ ଅଧିକାରୀ ସିନା ଆମ ନିଜ ଅଂଚଳର ନୁହେ |କିନ୍ତୁ ଆମେ ନିର୍ବାଚିତ କରୁଥିବା ଲୋକ ପ୍ରତିନିଧି ମାନେ ତ ଆମ ଅଂଚଳର | ସେମାନେ ବି ଆମ ଅଂଚଳର ସମସ୍ୟା ପ୍ରତି ଆଖି ବୁଜି ଦିଅନ୍ତି | ଅନେକ ଯୋଜନା କାଗଜ କଲମରେ ରହିଯାଏ | କିଛି ଯୋଜନା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୁଏ | ଉଦଘାଟିତ ଫଳକ ଦେଖି ଆମେ କିଛି ଦିନ ଆମ ଦୁଃଖ ଭୁଲି ଯାଉ | ଆଉ ତା ପରେ ଅନେକ ଦିନ ବିତିଯାଏ | ଆମ ଅଂଚଳର ସବୁ ଗାଁକୁ ରାସ୍ତା ହେଇ ପାରେ ନାହିଁ | ପାନୀୟ ଜଳର ସମୟ ମେଣ୍ଟି ପାରେ ନାହିଁ |ଆମ ଗାଁ କେନାଲର କାମ ହୋଇପାରେ ନାହିଁ | ଆମର ଜଳସେଚନ ପାଇଁ କରାଯାଇଥିବା ବନ୍ଧର ଉପଯୁକ୍ତ କାମ ହେଇପାରେ ନାହିଁ | ତେଣୁ ୬୦ ଭାଗ ଚାଷୀ ଆମ ଅଂଚଳରେ ବନ୍ଧ ଥାଇ ମଧ୍ୟ ଚାଷ ପାଇଁ ପାଣି ପାଇଁ ପାରୁନା | ଆମ ଅଂଚଳକୁ ଯୋଡ଼ୁଥିବା ମୁଖ୍ୟ ପୋଲର କାମ ସରିବା ପାଇଁ ଅନେକ ଦିନ ବିତିଯାଏ |ଠିକାଦାର ବଦଳୁ ଥାଏ କିନ୍ତୁ ପୋଲ କାମ ସରେ ନାହିଁ | ଆମ ଗାଁ ସ୍କୁଲକୁ ଶିକ୍ଷକମାନେ ଠିକରେ ଆସନ୍ତି ନାହିଁ | ଯଦି ଆସନ୍ତି ପାଳି କରି ଆସନ୍ତି | ଆମ ପିଲାଙ୍କ ପାଠ ପଢା ଚୁଳିକି ଯାଏ | ସେ ବିଷୟରେ କାହାକୁ ଜଣାଇଲା ପରେବି କିଛି ସୁଫଳ ମିଳେ ନାହିଁ | କାରଣ ଏ ଦେଶର ୭୫ ଭାଗ ସାଧାରଣ ଜନତା ଆମ ଶାସନର ଅନେକ ଗହିରିଆ କଥାକୁ ବୁଝି ପାରୁନେ | ଆମେ ଏବେ ଜାଣିଲୁନି ଆମକୁ ଠିକରେ ସେବା ଦେଉନଥିବା ସରକାରୀ ଅଧିକାରୀଙ୍କ ନାମରେ ଅଭିଯୋଗ କଲେବି କିଛି ଫଳ ମିଳିବ ନାହିଁ |କାରଣ ଆମେ ଗୁହାରି କରୁଛୁ ଯାହାକୁ ସେମାନେ ତାହାଙ୍କୁ ଅତି ନିଜର କରିଛନ୍ତି | ଆଉ ଆମେ ଯାହାକୁ ଅଭିଯୋଗର ପତ୍ର ନେଇ ଦେଉଛୁ ତାହା ଦ୍ୱାରା ସମ୍ପୃତ୍କ ଲୋକପ୍ରତିନିଧି ଓ ଊଂଚ ଅଧିକାରୀ ମାନଙ୍କ ଫାଇଦା ହେଉଛି ବୋଲି ଆମେ ପରେ ଖବର ପାଉଛୁ | ତେଣୁ ଏ ଦେଶର ଆମେ ଭୋଗୁଥିବା ଅସୁବିଧା ଓ ଆମ ସେବା ପାଇଁ ଦେଶରେ ନିୟୋଜିତ ଥିବା ଅଧିକାରୀ ମାନଙ୍କ ନିକଟରେ ଆମ ନିବେଦନ ଓ ଗୁହାରିର କିଛି ମୂଲ୍ୟ ନ ଥାଏ | ଆମେ ସିନା ମନ ବୁଝିବାକୁ ଏଠି ତଳ ଠାରୁ ନେଇ ଉପର ଯାଏଁ ନିବେଦନ କରୁ | ଆଉ ଆମ ନିବେଦନର କାଗଜ ଏଠି ବିଭିନ୍ନ ଜାଗାରେ ଗଦା ହେଇଥାଏ କିନ୍ତୁ ଆମର ମଙ୍ଗଳ ପାଇଁ ଆସୁଥିବା କେନ୍ଦ୍ରୀୟ ଓ ରାଜ୍ୟର ଅନେକ ଅନୁଦାନ ଏଠି ବିନିଯୋଗ ହେଇପାରେ ନାହିଁ | କିଛି ଅନୁଦାନ ଅନେକ ଦିନ ଧରି ପଡି ରହେ ଓ ଆଉ କିଛି ଫେରି ଯାଏ |



ସାଧାରଣ ଜନତା ପାଇଁ ହେଉଥିବା ଅନେକ ଯୋଜନା ଭିତରେ ଅନେକ ଭୂତ ହିତାଧିକାରୀ ଥାଆନ୍ତି | ସେମାନଙ୍କ ସଂଖ୍ୟା ଗାଁ ଠାରୁ ନେଇ ସହରୀ ଯୋଜନା ଭିତରେ କିଛି କମ ନୁହେ | ଏ ଦେଶର ପ୍ରକୃତ ହିତାଧିକାରୀ ଅନେକ ଯୋଜନାରୁ ବଂଚିତ ହୁଏ | ପ୍ରକୃତ ହିତାଧିକାରୀ ଜଣଙ୍କ ଯୋଜନାରେ ସାମିଲ ହେବା ପାଇଁ ହାତ ଗୁଂଜା ଦିଏ | ଖାଲି ହାତ ଗୁଂଜା ଦେଲେ ବି ହୁଏ ନାହିଁ ସେଥିପାଇଁ ନିଜ ଅଂଚଳର କୁଜି ନେତାଠାରୁ ବଡ ନେତାଙ୍କ ପାଖରେ ଯାଇ ଗୋଡ ଭାଙ୍ଗି ,ହାତ ଯୋଡି ନିଜ ହକ ପାଇବା ପାଇଁ ନିବେଦନ କରେ | ଏ ଦେଶର ସାଧାରଣ ଜନତା ନିଜ ହକ ପାଇଁ ଓ ଗୋଟେ ଛୋଟ କାମ ପାଇଁ ସରକାରୀ କାର୍ଯ୍ୟାଳୟ ଦୌଡ଼ି ଅନେକ ସମୟ ସାରି ଦେଲେ ମଧ୍ୟ ତାହାର କାମ ହୋଇପାରେନି | ସେ ଯଦି ନିଜ କାମ ପାଇଁ ଭିତିରିଆ ଅର୍ଥ ଦେଇପାରେ ନାହିଁ ତାକୁ ଆକୁଳ ହେଇ ନିବେଦନ କରିବାକୁ ପଡେ | ନ ହେଲେ ହତାଶ ଭିତରେ ଦିନ କାଟି ଦୁଃଖକୁ ଆଦରି ନେବାକୁ ପଡେ | ସତରେ ଏ ନିବେଦନ ଓ ଗୁହାରି ଏ ଦେଶରେ ଆଉ କେତେ ଦିନ ? ଏ ଦେଶର ମାଳ,ମାଳ ଲୋକ ପ୍ରତିନିଧି ଓ ସରକାରୀ ଅଧିକାରୀ ଆମର ସେବା ପାଇଁ ଥିଲେ ମଧ୍ୟ ତା ପରେବି ଆମ ହକ ପାଇଁ ଆମକୁ ଆଉ କେତେଦିନ ଏମିତି ଗୁହାରି ହେବାକୁ ପଡିବ | ଆମର ସମସ୍ୟାର ଦୂରୀକରଣ ପାଇଁ କେତେ ଆଲୋଚନା ,ସମୀକ୍ଷା ଲୋକସଭା ,ରାଜ୍ୟସଭା ,ବିଧାନସଭା,ସରକାରୀ ସଭା ପର୍ଯ୍ୟନ୍ତ ହେଉଛି ,ତଥାପି ଏବେବି ଏ ଦେଶର ଅନେକ ଗାଁ ଓ ସହରବାସୀ ନିଜ ମୌଳିକ ସମସ୍ୟାରୁ ବଂଚିତ ହେଇ ଆନ୍ଦୋଳନ କରୁଛନ୍ତି | ନିଜ ହକ ପାଇଁ ଲଢେଇ କରୁଛନ୍ତି | ଶାସନ ଉପରେ ଆସ୍ଥା ହରାଇ ଭୋଟ ବର୍ଜନ କରୁଛନ୍ତି | 



ସ୍ୱାଧୀନତାର ୭୨ ବର୍ଷପରେ ବି ଯଦି ଏଠି ଆମ ଜନପ୍ରତିନିଧି ମାନେ ନିଜ ଅଂଚଳର ସମସ୍ୟା ଗୁଡିକ କ୍ରମାନ୍ୱୟରେ ସମାଧାନ କରିଥାନ୍ତେ ତେବେ ଆମେ ଆହୁରି ବିକଶିତ ହୋଇ ପାରିଥାନ୍ତେ | କିନ୍ତୁ ସେଥିପାଇଁ କାହାର ନିଘା ନାହିଁ |ଅଧିକାଂଶ ଜନପ୍ରତିନିଧିଙ୍କ ନିଜ ଅଂଚଳର ସମସ୍ୟାକୁ ବୁଝିବା ଓ ସେସବୁର ସ୍ଥାୟୀ ସମାଧାନ କରିବାରେ ଆନ୍ତରିକତାର ଘୋର ଅଭାବ ରହିଛି | ତା ପରେ ଗୋଟେ ନିର୍ଵାଚନ ମଣ୍ଡଳୀରେ ଶାସନ ଗାଦିରେ ଥିବା ମନ୍ତ୍ରୀ ଓ ସେମାନଙ୍କ ବିରୋଧୀଙ୍କ କଳି ଭିତରେ ସାଧାରଣ ଜନତା ବଳି ପଡୁଛି | ଯାହା ସବୁ କାମ ହେଉଛି ତାହାର ମାନ ରହୁନାହିଁ | ଆଉ ଯାହା ହେବା ପାଇଁ ପ୍ରୟାସ ହେଉଛି ତାହା ପାଞ୍ଚ ବର୍ଷ ଭିତରେ ହେଇପାରୁନି | ଏବେ ଦେଖିବାକୁ ବାକି ରହିଲା ଆଗକୁ ଏ ଦେଶର ଜନତା ନିଜ ହକ ପାଇବା ପାଇଁ ଏମିତି ସବୁବେଳେ ନିବେଦନ କରୁଥିବ ନା ଆମ ଶାସନର ଢାଞ୍ଚା ଭିତରେ ଆମ ସମସ୍ତଙ୍କୁ ଆଚମ୍ବିତ କଲା ଭଳି କିଛି ପରିବର୍ତ୍ତନ ଆସିବ ?

Writer's Details: ସନ୍ତୋଷ କୁମାର ମହାନ୍ତି,
ନବଜୀବନ ସମାଜ, ସଫା, କଟକ-୭୫୪୦୨୨, ଦୂରଭାଷ-୯୭୭୭୭୬୬୩୪୬
Content Category:
Submission Date: Aug 03, 2019

0 Comments