ମୁହୂର୍ତ୍ତ - ନାରାୟଣ ଚନ୍ଦ୍ର ସେନାପତି

ମୁହୂର୍ତ୍ତ - ନାରାୟଣ ଚନ୍ଦ୍ର ସେନାପତି

ତୁମେ ସମୟର ଏକ ସୂକ୍ଷ୍ମାତିସୂକ୍ଷ୍ମ କଣିକା
ତୁମେ ମହାକାଳ ସମତଳର ବି ଏଜ ବୈପ୍ଳବିକ ବିନ୍ଦୁ
ଜନ୍ମରୁ ମରଣ ଅବଧି ମଧ୍ୟରେ
ସୃଷ୍ଟିକର କେତେଯେ ଆଲୋଡ଼ନ
ତିକ୍ତତା ମାଧୁର୍ଯ୍ୟର ଅଙ୍କାବଙ୍କା ମାନଚିତ୍ର 
ରଖିଦେଇ ନିର୍ଣ୍ଣାୟକ ଚିହ୍ନ
ସ୍ମୃତି ହୋଇ ଲିପିବଦ୍ଧ ହୁଅ
ଯୁକ୍ତ ବିଯୁକ୍ତ ଆବେଗର ସଜ୍ଜିତ ପ୍ରତିବିମ୍ବ ପ୍ରାୟ
ଆଶା ଆକାଂକ୍ଷାର ରଙ୍ଗବେରଙ୍ଗ ଡାଏରୀରେ।

ତୁମେ ସମ୍ମୁଖୀନ ହୁଅ ଅପ୍ରତ୍ୟାଶିତ ଜୀବନ ଝଡ଼
ବେଲାଳସନ ହୋଇ ଦେଖୁଥାଅ ଭଗ୍ନ ସ୍ବପ୍ନ ମହଲ
ଆଉ ଖରସ୍ରୋତାରେ ଧୁଆ ହୁଆ ଭରସାର ଶସ୍ଯକ୍ଷେତ୍ର
ହେଲେ ସ୍ଥିତପ୍ରଜ୍ଞ ପ୍ରାୟ
ଅକ୍ଷତ ନିରାପଦରେ ଚକ୍ ଚକ୍ କରୁଥାଅ
ଅଦୃଶ୍ୟ ଆତ୍ମା ଉପରେ
ହୃତ୍ପିଣ୍ଡର ସ୍ପନ୍ଦିତ ସ୍ପନ୍ଦନରେ
କିବା କ୍ଷତାକ୍ତ ରକ୍ତାକ୍ତ ଛାତିର 
ଦୁକଦୁକ ଲୁହଭରା କୋହରେ।

ତୁମେ କେବେ ସ୍ୱାଗତ କରିଥାଅ ହସର ଜୁଆରକୁ
କେବେ ଅବା ଅନିଛାରେ ସମ୍ଭାଷଣ ଜଣାଅ କାନ୍ଦର ଶ୍ରାବଣୀକୁ
କିଂକର୍ତ୍ତବ୍ୟ ବିମୁଢ ପାଦଦେଶରେ ଦଣ୍ଡାୟମାନ ହୋଇ
କରିଥାଅ ଭଲ ମନ୍ଦର ହିସାବ
ନ୍ୟାୟ ଅନ୍ୟାୟର ବିଚାର
କେବେବା ତ୍ରିଶଙ୍କୁ ସ୍ଥିତିରେ କର ଶୁନ୍ୟକୁ ବିଶ୍ଳେଷଣ
ସାଜି ବର୍ତ୍ତମାନର ଆବର୍ତ୍ତନ
ଅତୀତର ପରିକ୍ରମଣ
ଆଉ ଭବିଷ୍ୟତର ଭାଗ୍ୟଚକ୍ର ଘୁର୍ଣ୍ଣନ
ଶୁଣୁଥାଅ କାନଡେରି ଆବର୍ତ୍ତୀ ପରିବର୍ତ୍ତନର କଣ୍ଠସ୍ୱର
କ'ଣ ଭୁଲିହେବ ସେ ଅଭୁଲା ମୁହୂର୍ତ୍ତମାନ।

0 Comments