ପ୍ରବନ୍ଧ - ଗାନ୍ଧୀ ଓ ଲବଣ ସତ୍ୟାଗ୍ରହ - ନାରାୟଣ ଚନ୍ଦ୍ର ସେନାପତି

ପ୍ରବନ୍ଧ - ଗାନ୍ଧୀ ଓ ଲବଣ ସତ୍ୟାଗ୍ରହ - ନାରାୟଣ ଚନ୍ଦ୍ର ସେନାପତି

                   ସ୍ୱଦେଶ ଦ୍ରବ୍ୟକୁ ବିଦେଶୀଠୁ କିଣି
                                 ନୂଆଁଇବ ନାହିଁ ଶୀର
                    ଗୋଲାମ ନୁହେଁ ମୋ ପ୍ରିୟ ଭାରତୀୟ
                                  ଲକ୍ଷ୍ୟ ନ୍ୟାର୍ଯ୍ୟ ଅଧିକାର।

ନିଜ ଜୀବନକୁ ତିଳ ତିଳ ଦଗ୍ଧ କରି ଭାରତମାତାର ମୁଖରେ ଟିକେ ହସ ଫୁଟାଇବାର ସ୍ବପ୍ନ ଯେଉଁ ବୀର ଭାରତୀୟ ଗଣ ଦେଖିଥିଲେ ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ଥିଲେ ମହାମାନବ ମହାତ୍ମାଗାନ୍ଧୀ । ସମସ୍ତଙ୍କ ଠାରୁ ତାଙ୍କ ଆନ୍ଦୋଳନର ତରିକା ଥିଲା ଭିନ୍ନ, ସ୍ୱତନ୍ତ୍ର ଓ ଅନନ୍ୟ । ସତ୍ୟକୁ ସାରଥୀ କରି ଅହିଂସାର ପଞ୍ଚଜନ୍ୟ ଶଙ୍ଖରେ ନିଷ୍ଠାପର ଭାବେ ଆଗ୍ରହ ରଖି କରିଥିଲେ ସତ୍ୟାଗ୍ରହ । ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ କଠିନ ଦୁର୍ବାର ପଥ ଥିଲା ଲବଣ ସତ୍ୟାଗ୍ରହ ।
      
ଆମ ଭାରତ ସୀମାରେ ଲୁଣ ମାରି ଆମକୁ ବିକ୍ରୟ କରିବା, ଆମ ଉପରେ ଟିକସ ବସାଇବା ସତରେ କେତେ ଅନ୍ୟାୟ ! କେତେ ସ୍ୱାର୍ଥପରତା ! ବାରମ୍ବାର ଏପରି ଅସମାହିତ ପ୍ରଶ୍ନ କ୍ଷତାକ୍ତ କରିଥିଲା ସ୍ୱାଭିମାନୀ ସ୍ବାଧୀନଚେତା ଗାନ୍ଧିଜୀଙ୍କୁ । ସତରେ ଆମେ ଏତେ ଦୁର୍ବଳ ? ଆମେ କଣ ଗୋଲାମ ? ନ୍ୟାର୍ଯ୍ୟଦାବୀ ସାବ୍ୟସ୍ତ କରିବା କଣ ଆମର ଅଧିକାର ନୁହଁ ? ଅଠସ୍ତରୀ ଜଣ ସଚ୍ଚା ଅନୁଗାମୀଙ୍କୁ କର୍ଣ୍ଣମନ୍ତ୍ର ଦେଇ ଆରମ୍ଭ କଲେ ଦାଣ୍ଡିଯାତ୍ରା । ସେଦିନ ଗାନ୍ଧୀଙ୍କ ନେତୃତ୍ୱରେ ୧୯୩୦ ମାର୍ଚ୍ଚ ୧୨ ଦେଖିଥିଲା ଲୁଣ ମାରିବାର ସୁନେଲି ସ୍ବପ୍ନ । ଇଂରେଜର ଏକଛତ୍ରବାଦୀ ବେଆଇନ ଶାସନ ବିରୁଦ୍ଧରେ ଅପ୍ରେଲ-୬ ପର୍ଯ୍ୟନ୍ତ ଦୀର୍ଘ ଚବିଶ ଦିନର ପଦଯାତ୍ରା । ପୁଣ୍ୟ ସବରମତୀ ଆଶ୍ରମରୁ ବିଜୟର ତୀଳକ ପିନ୍ଧି ମୁଖରେ ସ୍ଲୋଗାନର ଜୟଧ୍ଵନି ଓ ହାତରେ ସ୍ୱାଭିମାନୀ ଶବ୍ଦ ଲିଖନର ଇସ୍ତାହାର । ସତେ ଯେମିତି ଚମକିଥିଲା ଆର୍ଯ୍ୟାବର୍ତ୍ତ ଭୂଖଣ୍ଡ । ଦୀର୍ଘ ୨୪୦ ମାଇଲ ବା ୩୮୦ କି.ମି.ର ଦୀର୍ଘତମ ପଥ ଅତିକ୍ରମର ଦୁଃସାଧ୍ୟ ଆଶା । ପଥପ୍ରାନ୍ତରରେ ଧୂପ ଦୀପ ଓ ପୁଷ୍ପର ଅର୍ଘ୍ୟ ଢାଳି ବନ୍ଦାପନା କରୁଥିଲେ ସଚ୍ଚା ଭାରତୀୟ । ଶୋଭାଯାତ୍ରା ମଇଦାନକୁ ଓହ୍ଲାଉଥିଲେ ସ୍ବେଚ୍ଛାକୃତ ଭାବେ ଶହ ଶହ, ହଜାର ହଜାର, ଲକ୍ଷ ଲକ୍ଷ ଦରଦୀ ଆର୍ଯ୍ୟ ସନ୍ତାନ । ନରନାରୀ କୌଣସି ଭେଦଭାବ ନ ଥିଲା ସେଠାରେ, କେଵଳ ଥିଲା ବ୍ରିଟିଶର ଅନ୍ୟାୟ ଅନୀତି ଦମନ ଓ ନ୍ୟାର୍ଯ୍ୟ ଦାବୀ ନ୍ୟାୟର ସହ ଅକ୍ତିଆର । ବ୍ରିଟିଶ ହୃଦୟରେ ସୃଷ୍ଟି ହେଲା କମ୍ପନ । ଭାଙ୍ଗିଲେ ଲବଣ ଆଇନ ମାରିଲେ ଲୁଣ । ହଜାର ହଜାର ଦେଶପ୍ରେମୀ ଆନନ୍ଦରେ ସହିଲେ ବ୍ରିଟିଶ ପୋଲିସ ବାହିନୀର ଲାଠିମାଡ଼ । ୧୯୩୦ ମସିହା ଅପ୍ରେଲ ୬ ସକାଳ ୬.୩୦ ରେ ଗାନ୍ଧିଜୀ ଭାଙ୍ଗିଦେଲେ ଲବଣ ସତ୍ୟାଗ୍ରହ ବା ଦାଣ୍ଡିଯାତ୍ରାର ନୀରବ ଅହିଂସା ବିପ୍ଳବ । ଏହି ଲବଣ ସତ୍ୟାଗ୍ରହରେ ଓଡିଶା ହେଲା ପ୍ରଭାବିତ । ସରୋଜିନୀ ନାଇଡୁ ଓ ଉତ୍କଳମଣୀ ଗୋପବନ୍ଧୁଙ୍କ ନେତୃତ୍ୱରେ ଓଡ଼ିଶାର ସମୁଦ୍ରବେଳାରେ ମାରିଲେ ଲୁଣ ଉଡାଇଲେ ବିଜୟର ପରୱାନା ।
     
ମାତ୍ର ଦୁଃଖର ବିଷୟ ଦ୍ଵିତୀୟ ଗୋଲଟେବୁଲ ବୈଠକର ନିଷ୍ପତ୍ତି ଅନୁସାରେ ଲବଣ ସତ୍ୟାଗ୍ରହ ଅପରାଧରେ ବନ୍ଦୀ ହୋଇ ଜେଲ ଦଣ୍ଡ ଭୋଗିଲେ ୬୦,୦୦୦ ନିରୀହ ଭାରତୀୟ । ହେଲେ ଦେଶ ସ୍ଵାଧୀନ ହେବାକୁ ସ୍ବାଧୀନତା ନିଜ ଅଧିକାର ରୂପେ ସାବ୍ୟସ୍ତ କରିବାକୁ ଗାନ୍ଧୀଙ୍କର ଲବଣ ସତ୍ୟାଗ୍ରହ ଥିଲା ଏକ ପ୍ରଶସ୍ତ ଓ ବଳିଷ୍ଠ ଅଭିଯାନ । ଯାହାର ପ୍ରଭାବରେ ଭାରତୀୟଙ୍କ ଐକ୍ୟ ଓ ଶକ୍ତି ସଂଗଠିତ ହୋଇ ପରବର୍ତ୍ତୀ ସମୟରେ ଭେଟିଦେଲା ସୁଖ, ସ୍ବାଛଂଦ୍ୟ ଓ ଉଲ୍ଲାସର ସ୍ବାଧୀନତା ।

ନାରାୟଣ ଚନ୍ଦ୍ର ସେନାପତିଂ, ଜମ୍ଭରା, କେନ୍ଦୁଝର

0 Comments