ଗାଁ ମନେପଡେ - ଅଧ୍ୟାପିକା ସସ୍ମିତା ମିଶ୍ର

ଗାଁ ମନେପଡେ - ଅଧ୍ୟାପିକା ସସ୍ମିତା ମିଶ୍ର

ଗ୍ରାସିଛି  ଗାଁକୁ ମୋ  ସହର  ଭୂତ 
ଇଂରାଜୀ ବିଦ୍ୟାଳୟ କ୍ଲବ ପ୍ରେତ 
ଗାଁ ଝିଅ ଶିଖନ୍ତି ଚିରୁଗୁଣୀ ନାଟ 
ପୁଅଙ୍କ ଲଣ୍ଡା କଟ ଆଉ ସିଗାରେଟ 
ଡିଜେ ଲୀଳାରେ ଗାଁର ଦୁଲୁକେ ଛାତି 
ରାମ ବଧ ନାଟକ ଚାଲିଛି ନିତି 
ଟୋକାଙ୍କୁ ନମ  ନମ କରନ୍ତି ବୁଢ଼ା 
ବଳକୁ ଦଳ ଅଛି କି ଅଛି ଚାରା 
ବୋହୁ ଗୋଡ଼କୁ ଶାଶୂ ଦଉଛି ମୋଡି 
ବୋହୁପା ସରପଞ୍ଚ ଶାଶୁ ଧୁକୁଡ଼ି 
ପଖାଳ ଚୁଡା ଖାଇ ବଢ଼େନା ପିଲା
ପେଟିସ ବର୍ଗର ଆଉ ରୋଲ ଚଲା 
ଗେମ ଖେଳନ୍ତି ପିଲା ମୋବାଇଲରେ 
ଲୁଡ଼ୁ କବାଡି ଆଦି ସବୁ ସେଥିରେ 
ସହରୀ ଢାଞ୍ଚାରେ ଏଠି କାଚ ଦୋକାନ 
ମିଳୁଛି ଟୋପି କେକ ବାର୍ଥ ଡେ ସାମାନ 
ଅତିଥି ଆସିଲେ ବି ମିଳୁଛି ଥଣ୍ଡା 
ନନା ଢ଼ାବା ରେ ଚିଲି ଚିକେନ ଅଣ୍ଡା 
ନଈବନ୍ଧରେ ହେଲା ପାର୍ଲର ଖୋଲା 
ନବବଧୂର ଏବେ କେଶ ମୁକୁଳା 
ଫଟଫଟିରେ ନନା ଆସେ ମନ୍ଦିରେ 
ସଅଳ ଫେରି ଯାଏ ପୂଜି ଇଶ୍ୱରେ 
ବେଶ ବଦଳ କରି ଯାଏ ବାହାରି 
ନନା କହିଲେ ଲାଜ ମାଡଇ ଭାରି 
ସ୍ତ୍ରୀ ନୁହେଁ ସିଏ ନା ଅଟେ ପୁରୁଷ 
ସମାଜ କହେ ଏହା ହିଞ୍ଜିଡା ବେଶ 
ଗାଁ ନୁହେଁ ନା ଇଏ ଅଟେ ସହର 
ସଭିଏଁ କହିବେ କି ୟାକୁ ମହର 
ମନେ ପଡଇ ମୋର ପୁରୁଣା ଗାଁ 
ମୋ ଛୋଟ ଚାଳ ଘର ଶୀତଳ ବାଆ 
ବିଦ୍ୟାଳୟ  ଆଉ ସେ ଖେଳ ପଡିଆ 
ପାଠ ନ କଲେ ବେତ ଏକ ଗୋଡ଼ିଆ 
ରାଧୁଆ ବୁଟ ସିଝା ପାଗ କରି ବିକିବ ଚାଲୁ 
କେତେ ମାଗିଲେ ମା ଆଠନା ଦେଵ 
ଜନମ ଦିନେ ମୋର ଶିରିଣୀ ଭୋଗ 
ସାଥୀ ମାନଙ୍କୁ ଦେବ କରିଣ ଭାଗ 
ଚୁଡା ମୁଢି ସାଙ୍ଗକୁ ମୁଆଁ ଲାଗୁଆ 
ବୁଢ଼ୀ ନାନୀ ହୁଡୁମ କୁଡୁ କୁଡ଼ିଆ 
କୁଣିଆ ଆସିଲେ ମନ ଆନନ୍ଦ ଭାରି 
ବେସର ପତରପୋଡା ହୁଏ ତିଆରି 
ଚମାର ଡକା ହୁଏ ପଇଡ଼ ପାଇଁ 
ଚଗଲା  କହେ ମିଠା ପଇଡ଼ ବାବୁ ପାଇବ କାହିଁ 
ଚାଉଳ ତିନ୍ତା ହେଲେ ହରଷ କେତେ 
ଆଜି କି ପିଠା ମା କରିବ ସତେ 
ସଉଦା କହିଲେ ସନା  ଏ ମୁଣ୍ଡେ 
ଧଡିଆ  ସେମୁଣ୍ଡରେ ଗରାଖ ପୁଞ୍ଜେ 
ନଇଁ ପୋଖରୀ ଯେବେ ଭରେ ଶ୍ରାବଣେ 
କେଉଟୁଣୀ ମଲ୍ଲୀ ମାଛ ବାଣ୍ଟଇ ଘରେ 
ନବାବ ଛେଳି  ହାଣେ ଦେଇ ଖବର 
ଭାଗ ଛିଣ୍ଡାଇ ଦିଏ ସଭିଙ୍କ ଘର
ସଞ୍ଜ ସକାଳେ ଆମ ମନ୍ଦିର ଘଣ୍ଟି
ସତେ କି କାଟିଦିଏ ସଭିଙ୍କ ଘାଟି 
ଦୁଃଖ ପଡିଲେ ନନା ଦୀପ ବସେଇ 
ତା ଶୁଭ ମନାସନ୍ତି ଦିଅଁ ଗାଧୋଇ 
ସ୍ନେହ ଆଦର ଶ୍ରଦ୍ଧା ବୋଳା ମୋ ଗାଁ 
ଦୁଃଖ ସୁଖରେ ସର୍ବେ ହୁଅନ୍ତି ଠିଆ 
ସେଇ ମୋ ଗାଁ ଛବି ମୋ ମନେ ଥାଉ 
ଗ୍ରାମ ମୋହର ପଛେ ସହର ହେଉ 
ଗ୍ରାମପଥରେ ମୁହିଁ ଚାଲେ ନ ଚାଲେ 
ସ୍ମୃତି ମୋ ଅହରହ ଭ୍ରମେ  ସେଠାରେ 
 ଭ୍ରମୁ ଥିବ ସେ ଛବି ଶେଷ ନିଶ୍ୱାସ ଯାଏଁ 
ଗାଁ କୁ କିଏ କେବେ ଭୁଲିଛି ହାଏ 

ଅଧ୍ୟାପିକା ସସ୍ମିତା ମିଶ୍ର 
ମହାନଦୀ ବିହାର ମହିଳା ମହାବିଦ୍ୟାଳୟ କଟକ 
ଦୂରଭାଷ 9078579612

0 Comments