ଭାଲଚନ୍ଦ୍ର - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଭାଲଚନ୍ଦ୍ର - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ଏତ , ପ୍ରାଚୀନ ପୁରାଣ କଥା ,   ଗଜାନନ ଙ୍କର ଭାଲଚନ୍ଦ୍ର ନାମ
ହେଲା ସେହିଦିନୁ ଲେଖା  , ଅତିବ ଗହନ ଗାଥା
ଶୁଣିଲେ ପଢ଼ିଲେ ଏହି ବ୍ରତ କଲେ
ଧନ,ଜନ,ଗୋପ, ଲକ୍ଷ୍ମୀ ପ୍ରପ୍ତ ହୁଏ , ଏକଥା ନୁହେଁ ଅନ୍ୟଥା  ।।
ଦିନେ , ବ୍ରହ୍ମଲୋକୁ ବ୍ରହ୍ମ ଦେବ , ପଶୁପତିନାଥ ଦର୍ଶନାଭିଳାସେ
ମନେବହି ଭକ୍ତି ଭାବ , ହୋଇଲେ ଆସି ସମ୍ଭବ
ଏକାଳେ ସେକାଳେ ଦୁଇ ପୁତ୍ର ଘେନି
କୈଳାଶ କାନନେ ଭ୍ରମଣ କରନ୍ତି , ଦେବ ଦେବ ମହାଦେବ  ।।
ଦେଖି , ସ୍ଵୟମ୍ଭୁ ଙ୍କୁ ଶିବସମ୍ଭୁ , ଆନନ୍ଦେ ସଧୀରେ ପାଛୋଟି ପୁଚ୍ଛନ୍ତି
ବ୍ରହ୍ମଲୋକ କଥା ସବୁ , କୁହ ପିତାମହ ବିଭୁ
କୁହନ୍ତି ବିରଞ୍ଚି ଶୁଣ ହେ ଧୁର୍ଜ୍ଜଟି
ତବ ଦରଶନ ଏକାନ୍ତ କାମନା , ଏହି ଆଶେ ଆସିଅଛୁ  ।।
ବିହି , ଆଣିଥିଲେ ଏକ ଫଳ , କୃତିବାସ ଙ୍କୁ ସେ ଫଳ ସମର୍ପିଲେ
ଗ୍ରହଣ କରି ଈଶ୍ଵର , କାହାକୁ ଦେବେ ଏ ଫଳ
ପୁତ୍ର ଦ୍ବୟ ପରା ସଙ୍ଗରେ ଅଛନ୍ତି
ମନେ ଭାଳି ଦ୍ଵନ୍ଦେ ଚିନ୍ତାରେ ଅଧୀର , ହୋଇଗଲେ ଗଙ୍ଗାଧର  ।।
ଧାତା , ବୁଝିଲେ ଈଶ୍ଵର ମନ , କାର୍ତ୍ତିକେୟ ଙ୍କୁ ଏ ଫଳଟି ଦିଅନ୍ତୁ
କହି ହୋଇଲେ ମଉନ , କାର୍ତ୍ତିକେୟ ହୃଷ୍ଟ ମନ
ଗଜାନନ କିନ୍ତୁ ରାଗେ ରୋଷ ବହି
ଧାତା ଦେଲେ ଏତେବଡ ଅପମାନ , ଅସହ୍ୟ ହୁଅଇ ମନ  ।।
ଏତ , ନିଜେ ବିଘ୍ନ ବିନାଶକ , ଘୋର ରୂପ ଧରି ପିତାମହ ଙ୍କର
ସର୍ବ କର୍ମେ କଲେ ବିଘ୍ନ , ଏବେଳରେ ଦିନେ ଜହ୍ନ
ଲୋକେଶ ଭୂବନେ ଲମ୍ବୋଦର ଙ୍କର
ବିକଟ ଏ ରୂପ କରି ଦରଶନ , ହସିଲେ ତାତ୍ସଲ୍ୟେ ଜାଣ  ।।
ରାଗେ , ଜର ଜର ଗୈାରୀ ପୁତ୍ର , ନିଶାପତି ଙ୍କୁ ଯେ ଅଭିଶାପ ଦେଲେ
ବିରୂପ ହେଉ ତୋ ରୂପ , ଘେନ ମୋର ଅଭିଶାପ
ସୁନ୍ଦର ପଣକୁ ବଡେଇ କରୁଛୁ
ମୋ ରୂପକୁ କରୁଅଛୁ ରେ ବିଦ୍ରୁପ , ଭାଙ୍ଗିଯାଉ ତୋର ଗର୍ବ  ।।
ଚନ୍ଦ୍ର , ରୂପ ହୋଇଲା ମଳିନ , ସର୍ବ ଦେବତାଙ୍କୁ ଗୁହାରି କରିଲେ
ନିଜ କରିଥିବା କର୍ମ , ଦୁଃଖେ ଚନ୍ଦ୍ର ମ୍ରିୟମାଣ
ସର୍ବ ଦେବ ମିଳି ଦୈମାତୁର ଙ୍କର
ଷୋଡ଼ଶପୋଚାରେ କରି ବନ୍ଦନ , ତୁଷ୍ଟ କଲେ ଗଜାନନ  ।।
ହୃଷ୍ଟ , ମନରେ ଯେ ବିନାୟକ , ଅଭିଶାପୁ ମୁକ୍ତ କରିଲେ ଚନ୍ଦ୍ରଙ୍କୁ
ରହିଲା ଏକ କଳଂକ , ଗଣେଶ ଚତୁର୍ଥୀ ଦିନ
ଚନ୍ଦ୍ର ଦରଶନ କଲେ ନର,ନାରୀ
ଲଭିବେ ଅନେକ ଅସହ୍ୟ ଦୁଃଖ , ମାନିନେଲେ ତା ମୃଗାଙ୍କ  ।।
ନେଇ , ସୁଧାଂଶୁ ଙ୍କ ଏକ ଅଂଶ , ମସ୍ତକେ ଖଞ୍ଜିଲେ ପ୍ରଭୁ ଗଣାଧିପ
ନାମ ହେଲା ଭାଲଚନ୍ଦ୍ର , ପୁରାଣ କଥାରେ ଗୀତ
ରଚିଲା ପ୍ରଫୁଲ୍ଲ ତବ ପଦ ତଳେ
ସଦା କାଳେ କାଳେ ହୋଇ ସମର୍ପିତ , ବନ୍ଦନା କରଇ ନିତ୍ୟ  ।।

0 Comments