ପ୍ରବନ୍ଧ - ଏ ନେତ୍ର ଦେଖେ ଯାହା କଥାଟି ନୁହେଁ ତାହା - ସନ୍ତୋଷ କୁମାର ମହାନ୍ତି

ପ୍ରବନ୍ଧ - ଏ ନେତ୍ର ଦେଖେ ଯାହା କଥାଟି ନୁହେଁ ତାହା - ସନ୍ତୋଷ କୁମାର ମହାନ୍ତି



ସଂସାର  ବଡ ବିଚିତ୍ର |କେତେ ରକମର ଲୋକ ଏଠି ଆତଯାତ ହେଉଛନ୍ତି | କିଏ ଏଠି ସାଧାସିଧା ଆଉ କିଏ ଏଠି ଦାମୀ ପୋଷାକରେ ସଜାଇ ହେଇ ବୁଲୁଛି | କିଏ ଏଠି ଚାଳ ଛପର ଘରେ ଖୁସିରେ ଅଛି  ତ ଆଉ କିଏ  ସୁରମ୍ୟ ପ୍ରାସାଦରେ ଖୁସିରେ ରହି ପାରୁନି | କିଏ ଏଠି ଧନ ଥାଇ ଖରଚ କରିବାରେ  କୁଣ୍ଠା ପ୍ରକାଶ କରୁଛି ତ କିଏ ପୁଣି ଉଧାର କରି ଘିଅ ପିଉଛି |କିଛି ଲୋକ ଏଠି ଅଳ୍ପରେ ସନ୍ତୁଷ୍ଟ ଆଉ କିଛି ଲୋକ ଯେତେ ପାଇଲେ ଓ ନେଲେବି ସେମାନେ ଖୁସି ହେଇପାରନ୍ତି ନାହିଁ | ଏହି ଜଗତରେ କିଏ ସବୁ ଦାନ କରି ଦେଇ ସନ୍ୟାସୀ ହେଇଯାଉଛି ଆଉ କିଏ ଧନର ପାହାଡ଼ ଉପରେ ଠିଆ ହେଇ ତଥାପି ନିଜକୁ ଶାନ୍ତିରେ ରଖି ପାରୁନି |
   
ସମାଜରେ ଆମେ ଅନେକ ଲୋକଙ୍କ ଚାଲିଚଳନ ଓ ଜୀବନ ଜୀଇଁବାର ତରିକା ଦେଖି ନାନା ପ୍ରକାର ଆଲୋଚନା ଓ ସମାଲୋଚନା କରୁ | ସେହି ଲୋକର ପସନ୍ଦ ହେଉନଥିବା କାମ ଓ ଗୁଣ ଗୁଡିକ ଉପରେ ଆମେ ନାନା ଟୀକ୍କା ଟିପ୍ପଣୀ କରିଥାଉ  | ସେହି ଲୋକଟି ତ ଏତେ ପଇସା କମାଉଛି ଦାମୀ ପୋଷାକ କାହିଁକି ପିନ୍ଧୁ ନାହିଁ ? ଖାଇବାରେ କାହିଁକି ପଇସା ଖରଚ କରୁ ନାହିଁ  ? ଭଲ ଘରେ କାହିଁକି ରହୁ ନାହିଁ ? ଆମକୁ  ନିଜ ଚିନ୍ତା ଯେତିକି ନ ଥାଏ ପରର ଏହି ସବୁ ଚିନ୍ତା ଆମକୁ ବେଶୀ ଘାରୁଥାଏ |  ଆମେ ଘରେ ଓ ବାହାରେ ସେହି ସବୁ ଲୋକମାନଙ୍କ ଉପରେ ଆଲୋଚନା କରି ଭାରି ଖୁସି ପାଉ | କିଛି ଲୋକ ଅଛନ୍ତି ଯେତେ ପଇସା କମେଇଲେବି ସେମାନେ ଭଲ ଖାଆନ୍ତି  ନାହିଁ | ମନୋରଞ୍ଜନରେ ଅର୍ଥ ଖର୍ଚ୍ଚ କରନ୍ତି ନାହିଁ | ଦାମୀ ପୋଷାକ ପିନ୍ଧନ୍ତି ନାହିଁ | ସାମାଜିକ କାମରେ ଟଙ୍କାଟିଏ ପାକେଟରୁ ଦେବାକୁ ପସନ୍ଦ କରନ୍ତି ନାହିଁ | ଏହି ସମାଜରେ ପୁଣି ଲୋକ ଅଛନ୍ତି  ଭାରି ସାଧାସିଧା ଜୀବନ କାଟନ୍ତି ,ଅଯଥା ପଇସା କେବେ ଖର୍ଚ୍ଚ କରନ୍ତି ନାହିଁ | ନିଜ ପରିବାର ଓ ସମାଜରେ ସେମାନେ କଂଜୁସ ଓ କାଂପୀ ବୋଲି ପରିଚୟ ପାଇଥାନ୍ତି | କିଛି ଲୋକ ସେମାନଙ୍କ ମୁଂହ ଚାହିଁଲେ ସକାଳୁ  ଅଶୁଭ  ବୋଲି ଭାବନ୍ତି |  କିନ୍ତୁ ଏହି ଭଳି ଧାରଣା ଥିବା କିଛି ଲୋକମାନଙ୍କ ଭିତରର  କାର୍ଯ୍ୟ ଉପରେ ଆମର ଧାରଣା ନ ଥାଏ | କି ସେମାନେ ନିଜେ କରୁଥିବା କିଛି କାମକୁ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତି ନାହିଁ | ଆଜି ଏହି ଲେଖା ମାଧ୍ୟମରେ  ଆମ ରାଜ୍ୟର ଦୁଇ ଜଣ ସେହି ଭଳି ଚରିତ୍ରର ଲୋକଙ୍କ କଥା ଆପଣଙ୍କ ଆଗରେ ପ୍ରକାଶ କରିବାକୁ ଯାଉଛି | ଜଣେ ଜୀବିତ ଅଛନ୍ତି ଆଉ ଜଣେ ଇହଧାମ ତ୍ୟାଗ କଲେଣି |

ସେ ବାବୁ ଜଣଙ୍କ ଜଣେ ଅଧ୍ୟାପକ | ଭାରି ସରଳ ଓ ନିରାଡ଼ମ୍ବର ଲୋକ | ଦାମୀ ପୋଷାକ କେବେ ପିନ୍ଧନ୍ତି ନାହିଁ | ଏପରିକି ନିଜେ ବାଇକଟିଏ କରି ନଥିଲେ | ସବୁବେଳେ ବସ, କମାଣ୍ଡର ଓ ଟ୍ରେକରରେ କଲେଜରୁ ଘରକୁ ଯିବା ଆସିବା କରନ୍ତି | ଯଦି କେବେ ଟ୍ରେକରରେ ସିଟ ନ ମିଳେ ପଛ ପଟେ ଓହଳିକି କଲେଜ ଚାଲିଆସନ୍ତି | ଅଧ୍ୟାପକଙ୍କ ଏହି ଭଳି ଜୀବନ ଜିଇବା ତାଙ୍କ ସହକର୍ମୀ ଓ ଛାତ୍ରଛାତ୍ରୀକୁ ଜମା ପସନ୍ଦ ଆସେ ନାହିଁ | ଲୋକଟାକୁ କଂଜୂସ କହି ସମସ୍ତେ ତାଙ୍କୁ ନାନା କଥା କୁହନ୍ତି | କିନ୍ତୁ ସେ କାହାକଥା  ଶୁଣନ୍ତି ନାହିଁ |ନିଜ ବାଟରେ ସିଏ ଚାଲୁଥାନ୍ତି | ପରେ ଜଣା ପଡିଲା ସେହି ଅଧ୍ୟାପକ ଜଣକ ଜୀବନରେ ଅନାଥାଶ୍ରମରେ ବଢିଛନ୍ତି | ଅନାଥାଶ୍ରମରୁ ଆଗକୁ ବଢି ସେ ଅଧ୍ୟାପକ ହେଇପାରିଛନ୍ତି | ସେଥିପାଇଁ ଅନାଥ ପିଲାଙ୍କ ଦୁଃଖ ସିଏ କଣ ବୁଝିଛନ୍ତି | ଅତୀତରେ ସେ କେତେ ଯନ୍ତ୍ରଣାଭରା ଦିନ ସବୁ ଅତିକ୍ରମ କରିଛନ୍ତି ସେ ନିଜେ ହିଁ ଜାଣିଛନ୍ତି | ସେଥିପାଇଁ ସେ ନିଜର ରୋଜଗାରର କୋଡିଏ ପ୍ରତିଶତ ଅର୍ଥ ନିଜ ଖର୍ଚ୍ଚ ପାଇଁ ରଖି ଆଉ ସବୁ ,ବିଭିନ୍ନ ଅନାଥଶ୍ରମକୁ ପ୍ରତି ମାସରେ ଦାନ କରନ୍ତି | ସେହି ସବୁ ଅନାଥ ଆଶ୍ରମ  ଯାଇ ବାପା ,ମା ଛେଉଣ୍ଡ ପିଲାଙ୍କ ଦୁଃଖ ବୁଝନ୍ତି | କାରଣ ସେ ପିଲାବେଳେ ପାଇଥିବା ଦୁଃଖକୁ ନିଜେ ହଜମ କରିଛନ୍ତି | ସେଥିପାଇଁ ସେ ଆଡମ୍ବର ଭରା ଜୀବନ ଛାଡି ଅନ୍ୟ ମାନଙ୍କ ମୁଁହରେ ହସ ଫୁଟାଇବା ପାଇଁ ଯାହା ଦାନ କରନ୍ତି ତାହା କେବେ କୋଉଠି ପ୍ରକାଶ କରନ୍ତି ନାହିଁ | ଏହି କଥା ଯେତେବେଳେ ପରେ ଜଣା ପଡିଲା ଅଧ୍ୟାପକଙ୍କ ସହକର୍ମୀ ଓ ଛାତ୍ରଛାତ୍ରୀ ମାନେ ଭାରି ଲଜ୍ଜିତ ହେଲେ | ଅଧ୍ୟାପକଙ୍କ ପ୍ରତି ଥିବା ଧାରଣା ବଦଳିଗଲା | ଆଉ ସମସ୍ତଙ୍କ ସେ  ଆହୁରି ପ୍ରିୟ ଓ ପୂଜ୍ୟ ହେଇଗଲେ |
     
ସେହି ଭଳି ଆଉ ଜଣେ ଲୋକ ସ୍ୱର୍ଗତ କଣ୍ଡୁରୀ  ଚରଣ ପଣ୍ଡା | ଘର ଭଦ୍ରକ ଅଚଂଳରେ | ସେ ଯେବେ ମଲେ ପଚିଶ ଖଣ୍ଡ  ଗାଁରୁ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଲା | ନିଜ ରକ୍ତର ଲୋକ ଯେତିକି କାନ୍ଦୁ ନଥିଲେ ବାହାର ଲୋକଙ୍କ ଛାତି ଫଟା କାନ୍ଦଣାରେ ସେଦିନ ସେ ମାଟି କାନ୍ଦୁଥିଲା | କଣ୍ଡୁରୀ ନନା ତ ସେ ଅଂଚଳର ପୁରା ଏକ ନମ୍ବର କଂଜୂସ ଲୋକ ଥିଲେ | ନିଜ ଘରେ ପୁଅ ,ଝିଅ ଓ ନାତିନାତୁଣୀଙ୍କ ପାଇଁ କେବେ ଅଯଥାରେ ଟଙ୍କାଟିଏ ଖର୍ଚ୍ଚ କରନ୍ତି ନାହିଁ | ସମସ୍ତଙ୍କୁ ସରଳ ନିରାଡ଼ମ୍ବର ଜୀବନ ବିତେଇବାକୁ କହନ୍ତି | କିନ୍ତୁ ତାଙ୍କ ପାଇଁ ଆଜି ଏତେ ଲୋକଙ୍କ ଭିଡ କଣ ପାଇଁ | ସମସ୍ତେ ଭାବିଲେ କଣ୍ଡୁରୀ ନନା ଯେହେତୁ ଅନେକ ଗାଁର କୁଳ ପୁରୋହିତ ଥିଲେ ସେଥିପାଇଁ ଆଜି ଏତେ ଲୋକଙ୍କ ଭିଡ | କିନ୍ତୁ କିଏ ତାଙ୍କୁ ମୋ ବାପା ଚାଲିଗଲା ବୋଲି କହି ଭୁଇଁରେ ଲୋଟି କାନ୍ଦୁଛି |କିଏ ପୁଣି ମୋ ଭାଇ ଚାଲିଗଲା ବୋଲି କହି ଛାତିପିଟି କାନ୍ଦୁଛି | ଶବ ସଂସ୍କାର କାମ ସରିଲା | ନନାଙ୍କ ଘର ଠାରୁ ମଶାଣି ଯାଏଁ ଲୋକଙ୍କ ଭିଡ ଦେଖି ସେଦିନ ପୁରା ଗାଁ ହତାବକ ହେଇଯାଇଥିଲା | ନେତା ଓ ମନ୍ତ୍ରୀଙ୍କ ଶବାଧାରରେ ଲୋକ ଏକାଠି ହେଲା  ଭଳି ସେଦିନ ଗାଁ ମାଟିରେ ଭିଡ ଲାଗିଥିଲା | ସମସ୍ତଙ୍କ ମୁହଁରେ ଗୋଟେ କଥା -ଆମ ଅତି ନିଜର  ନନା ଚାଲିଗଲେ | ପରେ ସବୁ କଥା ଜଣା ପଡିଲା | ନନା ତାଙ୍କ ଜୀବନ କାଳ ଭିତରେ ଅନେକ ଗରିବ ପରିବାରର ଝିଅ ବିଭାଘର ପାଇଁ ଅର୍ଥ ସହାୟତା କରିଛନ୍ତି | ସେ ଅଂଚଳରେ ଗରିବ ମେଧାବୀ ପିଲାଙ୍କ ପଢ଼ିବାର ବନ୍ଦୋବସ୍ତ କରିଛନ୍ତି | କୋଉ ଗାଁରେ ପୋଖରୀ ଖୋଳିବା ପାଇଁ ଅର୍ଥ ଖର୍ଚ୍ଚ କରିଛନ୍ତି କୋଉଠି  କୂଅ ତିଆରି କରିଛନ୍ତି | ପୁଣି ମନ୍ଦିର ଓ ବିଦ୍ୟାଳୟ ପାଇଁ ଅର୍ଥ ଦାନ କରିଛନ୍ତି | କିନ୍ତୁ ଏ କଥା ତାଙ୍କ ପରିବାର,ପଡୋଶୀ ଓ ଗାଁ ଲୋକ କେହି କେବେ ଜାଣି ନଥିଲେ | ନନା ନିଜ ଦାନ କଥା   କାହା ଆଗରେ କେବେ ବଖାଣି ହୁଅନ୍ତି ନାହିଁ | ନନା ଗଲା ପରେ ଯେତେବେଳେ ସବୁ କଥା ଜଣାପଡିଲା ଗାଁ ଲୋକମାନଙ୍କ  ନନାଙ୍କ ପ୍ରତି ଆହୁରି ଭଲ ପାଇବା ବଢି ଯାଇଥିଲା | ସେଦିନ ଲୋକେ ବୁଝିଲେ ବାହାରୁ ଆମେ ଜଣକୁ ଯେପରି ଦେଖୁ ଓ ଭାବୁ ସେମାନେ ସେମିତି ନୁହନ୍ତି |  
   
ସତରେ ଆଂଜ୍ଞା ,ଆମେ ଅନ୍ୟ ମାନଙ୍କୁ ବାହାରୁ ଦେଖି ଯାହା ଭାବୁ ସେଇଟା ଆମର କେବଳ ଗୋଟେ କାଳ୍ପନିକ ଧାରଣା | ଆମେ ଜାଣିନେ କିଏ କୋଉ ଭଳି ପରିସ୍ଥିତି ଓ ପରିବେଶରେ ଅଛି | କିଏ ଏ ସମାଜରେ କୋଉ ଭଳି ବୋଝ ବୋହୁଛି | ଜଣେ ଅଧିକ ଧନ କମେଇ କାହିଁକି ଏତେ ସରଳ ଜୀବନ ଜିଉଁଛି | ହୁଏତ ସେହି ଲୋକ ଉପରେ ପରିବାରର ବୋଝ ଅଧିକ ଅଛି ନେହେଲେ ସିଏ ସାମାଜିକ ଋଣ ସୁଝିବାରେ ନିଜ ଅର୍ଥ ବ୍ୟୟ କରୁଛି | ଏହି ସମାଜରେ ଆମେ ଦେଖୁଛେ କିଛି କୋଟି କୋଟି  ଅର୍ଥ ଦାନ କରି ନିଜର ପ୍ରଚାର ,ପ୍ରସାର କରନ୍ତି ନାହିଁ ଆଉ କିଛି ୧ ଟଙ୍କା ଦାନ କରି ଏତେ ପ୍ରଚାର କରନ୍ତି ଯେ ଆପଣ ଭାବିବେ ସତରେ ଏ ଲୋକଟା ବହୁତ ବଡ କାମଟିଏ କରିଦେଲା |
   
ଆମ ସମାଜରେ ଏହି ଭଳି ଅନେକ ଲୋକ ଅଛନ୍ତି ଯୋଉମାନେ ଅନ୍ତରାଳରେ ରହି ଏ ସମାଜର ଦୀନ,ଦୁଃସ ଲୋକଙ୍କ ସହାୟତା କରୁଛନ୍ତି | ଆମ ମାଟିର କଳା,ସଂସ୍କୃତି,ଭାଷା ଓ ସାହିତ୍ୟର ବିକାଶ ପାଇଁ ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରି ଅନେକ କାମ କରୁଛନ୍ତି | ଯୋଉମାନେ ନିଜ ପକେଟରୁ ଅନେକ ଅର୍ଥ ବ୍ୟୟ କରି ଆମ ସମାଜରେ ଅନ୍ୟ ମାନଙ୍କ ବାଟ ଚାଲିବା ପାଇଁ ରାସ୍ତା ତିଆରି କରୁଛନ୍ତି ସେମାନଙ୍କୁ ଆମେ ଚିହିଁବାରେ ବହୁତ ବିଳମ୍ବ କରୁ | ବଂଚିଥିବା ବେଳେ ଆମେ ସେମାନଙ୍କ ଉପରୁ କାଦୁଅ ଫିଙ୍ଗୁ ଆଉ ମରିଗଲା ପରେ କହୁ - ସତରେ ,ସେହିଭଳି ଲୋକଟିଏ କଣ ଦୁନିଆରେ ମିଳିବ  ?

ନବଜୀବନ ସମାଜ,ସଫା,କଟକ -୭୫୪୦୨୨
ଦୂରଭାଷ-୯୭୭୭୭୬୬୩୪୬

0 Comments