ମୋ ଟିକି ରଥ - ହାସ୍ୟମୟୀ ରାଜ୍

ମୋ ଟିକି ରଥ - ହାସ୍ୟମୟୀ ରାଜ୍

ବଡଦାଣ୍ଡ ଜଗା ଯାଇ ପାରୁନାହିଁ
      ଟାଣୁଛି ମୋ ଟିକି ରଥ
ମୋ ଗାଁଆର ପଥ ତୋର ବଡଦାଣ୍ଡ
      ରଥେ ଉଡେ ତୋର ନେତ ।
ପୁରୀ ଯିବାପାଇଁ ଲାଗେ ନାହିଁ ଡୋରି
         ଛିଣ୍ଡେନି ହୃଦୟ ଡୋରି
ସେଇ ଡୋରି ମୋର ଜୀବନେ ଆୟୁଧ
         ସେଇ ତ ଜୀବନ ତରୀ ।
ମୋର ଟିକି ରଥ ତୁମ ନନ୍ଦିଘୋଷ
         ବିଜେ ପ୍ରଭୁ ଦାରୁଦିଅଁ
ପଣ୍ଡା ପଢିଆରୀ ମୋ ଭାଇ ଭଉଣୀ
        ଆଉ କିବା ଲୋଡା କୁହ।
ମୋ ଠାକୁର ଘର ତୋ ଶିରୀ ମନ୍ଦିର
         ନ ଜାଣେ ମୁଁ ଉପଚାର
ଜାଣିଛି ଏତିକି         ଶୁଦ୍ଧ ଅନ୍ତର
         ଅଟେ ତୋର ପୂଜା ଘର ।
ଯେଉଁ ଟିକି ହାତ   ତୋ ରଥ ଟାଣୁଛି
         ଦିଅ ତାକୁ ଆଶୀର୍ବାଦ
ଦୁନିଆର ଦୁଃଖ ଲାଘବ ପାଇଁକି
          କରିଦିଅ ତାକୁ ଶକ୍ତ  ।
ଟିକି ବଡଦାଣ୍ଡେ ଯେଉଁ ପାଦ ଚାଲେ
         ତୋ ରଥକୁ ବାହି ବାହି
ଶକ୍ତ ହେଇଯାଉ ସେଇ ପାଦ ନବ
           ଜୀବନ ରଥକୁ ବହି ।
ତୋର ଚକା ଆଖି ସବୁତ ଦେଖୁଛି
         କିଛି ମାଗିପାରେ ନାହିଁ
ତୋ ଅଭୟ ହାତ ଶିର ପରେ ଥାଉ
          ଏତିକି ମିନତି ସାଇଁ ।।
                         
Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି,ହାଟଡିହି, କେନ୍ଦୁଝର ।
Content Category:
Submission Date: Jul 03, 2019

0 Comments