କ୍ଷୁଦ୍ରଗଳ୍ପ - ଶିକ୍ଷାଯୁକ୍ତ ମଣିଷ ସବୁଠୁ ଓଜନିଆ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଶିକ୍ଷାଯୁକ୍ତ ମଣିଷ ସବୁଠୁ ଓଜନିଆ - ନାରାୟଣ ଚନ୍ଦ୍ର ସେନାପତି

ସେଦିନ ବିଷ୍ଣ୍ଣୁ ମାଷ୍ଟ୍ରେ ମନ୍ଦିରର ଆଳତୀ ସାରି ଫେରୁଥିଲେ ତାଙ୍କ ବାସ ଗୃହକୁ।ଗାଁ ମଝିରେ ସାଧୁ ବିଶ୍ୱାଳ ଘରେ ଶୁଭିଲା ବହୁତ ପାଟିତୁଣ୍ଡ।କଳି ଝଗଡାର ମାତ୍ରା ଏତେ ଅଧିକ ହୋଇଗଲା ଯେ,ତାହା ପିଟାପିଟି ଓ ମାଡ଼ଗୋଳର ରୂପ ନେଲା।ଭିତରକୁ ପଶିଲେ ମାଷ୍ଟ୍ରେ।ଭୋ ଭୋ ହୋଇ କାନ୍ଦୁଥାନ୍ତି ସାଧୁଆର ସ୍ତ୍ରୀ ମୋତି।ସାଧୁଆ ତାକୁ ଶକ୍ତ ଦୁଇ ଚାପୁଡ଼ା ଦେଇଛି ତା ରୁକ୍ଷ ବ୍ୟବହାର ପାଇଁ।ମାଷ୍ଟ୍ରେଙ୍କୁ ଦେଖି ଦୁହେଁ ଭୟ ଓ ଲାଜରେ ମୁଣ୍ଡ ତଳକୁ କରୁଥାନ୍ତି।ହଡ଼ବଡ଼ ହୋଇ ସାଧୁଆ ମାଷ୍ଟ୍ରେଙ୍କୁ ବସିବା ପାଇଁ ଚୌକି ଟିଏ ଦେଲା।କାନ୍ଦି କାନ୍ଦି ମୋତି ଜଣାଇଲା ସମସ୍ତ ପୁଙ୍ଖାନୁପୁଙ୍ଖ ଘଟଣା।

   ବିଷ୍ଣ୍ଣୁ ମାଷ୍ଟ୍ରେ ଜଣେ ସାଧାରଣ ବ୍ୟକ୍ତି ନ ଥିଲେ ଆଖ ପାଖ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନିଜ ଅଖଣ୍ଡ ଅଭିଜ୍ଞତା ଓ ଅସୀମ ବୁଦ୍ଧି-ଜ୍ଞାନ ବଳରେ ଆଖି ପିଛୁଳାକେ ସମାଧାନ କରି ଦେଉଥିଲେ।ଘଟଣାଟି ଥିଲା,ସାଧୁଆ ଓ ମୋତିର ଦୁଇ ପୁଅ ସରୋଜ,ପଙ୍କଜ ଓ ଗୋଟିଏ ଝିଅ ନଳିନୀ।ସରୋଜ ପଢୁଛି ଆଇ.ଆଇ.ଟି. ଆଉ ପଙ୍କଜ କରୁଛି ଚାଟାର୍ଡ କୁନିଝିଅ ମାନସୀଟା ଗାଁ ସ୍କୁଲରେ।ଦୁଇପୁଅଙ୍କ ପାଇଁ ଖର୍ଚ୍ଚ ହେଉଛି ଅନେକ ଟଙ୍କା,ମାତ୍ର ସାନ ଝିଅ ଚାହୁଁଛି ରହି ପଢିବ ଆବାସିକ ବିଦ୍ୟାଳୟରେ ଯେଉଁଥିପାଇଁ ଦରକାର ବାର୍ଷିକ ଅଶୀ ହଜାର।ସାଧୁଆ ଚାହୁଁଛି ଝିଅ ମୋର ପଢୁ,ବରଂ ଜମି ବାଡ଼ି ବିକ୍ରି ହୋଇଯାଉ,ମାତ୍ର ମୋତି ଚାହୁଁଛି ଝିଅଟା ନ ପଢୁ,ଆଉ ପୁଅ ମାନେ ସେତିକି ପଢି ଫେରିଆସନ୍ତୁ।ମୋତି କହିଲା ଦେଖନ୍ତୁ ମାଷ୍ଟ୍ରେ ଏ ପୁଅ ଦିଟାକୁ ପଢେଇ ପଢେଇ ଆମେ ସର୍ଵସ୍ୟାନ୍ତ ହୋଇ ଗଲୁଣି, ପୁଣି ଝିଅକୁ ପଢେଇବୁ।ଏମିତି ହେଲେ ତ ଆମେ ଦାଣ୍ଡର ଭିକାରୀ ହୋଇଯିବୁ।କଣ ଦରକାର ଏତେ ପାଠ ପଢା।ଏମାନେ ଥିଲେ ଦୁଇଭାଇ।ଆଙ୍କ ସାନ ଭାଇ ମଧୁଆର ବି ଦୁଇପୁଅ ଗୋଟିଏ ଝିଅ।ଏମାନଙ୍କର ସମାନ ସମ୍ପତ୍ତି।ହେଲେ ତାଙ୍କର ଏବେ ଦୁଇ ଦୁଇଟା ଟ୍ରାକ୍ଟର।ପୁଅ ଦୁହେଁ ଦୁଇଟା ଗାଦି ଚଳାଉଛନ୍ତି।ଝିଅଟାବି ଗାଁ ସ୍କୁଲକୁ ଯାଉଛି।ଦେଖ ଆମର ଏ ଝୁମ୍ପୁଡି ଘର ହେଲେ ତାଙ୍କର ରାଜ ଉଆସ ପରି କୋଠା।କହିଲ ଦେଖି ଏ ପାଠ ପଢି ଖାଲି ଅନାଵଶ୍ୟକ ଟଙ୍କା ଗୁଡାକ ଅପନ୍ତରାରେ ପକେଇବା ସାର ନୁହଁ ତ ଆଉ କଣ।ବିଷ୍ଣ୍ଣୁ ମାଷ୍ଟ୍ରେ କହିଲେ କଣ କହିବୁକି ସାଧୁଆ।ସାଧୁଆ କହିଲା କ'ଣ କହିବି ମାଷ୍ଟ୍ରେ,ଏ ହେଲା ମୁରୁଖ ଲୋକ,ତାକୁ ବହୁତ ବୁଝାଇଲି,ପିଲାଗୁଡ଼ାକ ପଢନ୍ତୁ,ବଡ଼ ମଣିଷ ଓ ଭଲ ମଣିଷ ହୁଅନ୍ତୁ।ସେ କଣ ମୋ କଥା ମାନୁଛି,ଦିନ ରାତି ମୋ ସାଙ୍ଗରେ କଳି।ସବୁ ଟଙ୍କା ସରିଗଲା,ଜମିବାଡ଼ି ବିକ୍ରିହୋଇଗଲା,ଆମେ ଭିକ ମାଗିବୁ,ଏଇମିତି କେତେ କଥା।ଆପଣତ ଜଣେ ଜ୍ଞାନୀ ପଣ୍ଡିତ ଓ ବିଚାରବନ୍ତ ଲୋକ।ଆପଣ ବିଚାର କରନ୍ତୁ,ମୁଁ କଣ ଭୁଲ କହିଛି?

  ବିଷ୍ଣ୍ଣୁ ମାଷ୍ଟ୍ରେ ମନେ ମନେ ବହୁତ ପ୍ରଶଂସା କଲେ ସାଧୁଆକୁ।କି ସୁନ୍ଦର ମହତ ଚିନ୍ତାଧାରା ଏ ସାଧୁଆର !ସତରେ ଏପରି ଚିନ୍ତାଧାରାର ବ୍ୟକ୍ତି ଥିଲେ ଆମ ଦେଶ ଶିକ୍ଷା ସଂସ୍କାରର ଚରମ ସୀମାରେ ପହଞ୍ଚନ୍ତା।ସେ ତ ରହୁଥିଲେ ବିଦେଶରେ।ଏଇ ଅବସର ପରେ ଦୁଇବର୍ଷ ହେବ ସ୍ଥାୟୀ ଭାବରେ ରହୁଛନ୍ତି ଏଇ ଗାଁରେ।ମନେ ମନେ ସାଧୁଆକୁ ସାଧୁବାଦ ଜଣେଇଲେ।କେମିତି ଏ ଅଶିକ୍ଷିତା ମୋତିଙ୍କୁ ବୁଝାଇବ ଚିନ୍ତାକଲେ।

  ମାଷ୍ଟ୍ରେ କହିଲେ,ବୋହୁ ..କେଉଁ ଜନ୍ମରେ ତପସ୍ୟା କରିଥିଲ ଯେ,ତୁମେ ସରୋଜ ପଙ୍କଜ ପରି ଦୁଇଟା ହୀରା ପାଇଛ।ଏମାନେ  କେବଳ ତୁମର ନୁହଁ,ଏ ଅଞ୍ଚଳର ମଉଡମଣୀ,ସୁନା-ରୁପା-ହୀରାର ଖଣି।ଦେଶର ବ୍ୟାଙ୍କ।ତୁମେ ନିଜକୁ ଏତେ ଛୋଟ କାହିଁକି ଭାବୁଛ।କାଲି ରାତି ପାହିଲେ,କଲେକ୍ଟର,ବିଡ଼ିଓ,ତହସିଲଦାର..ମାନେ ବୈଜ୍ଞାନିକ ପୁଅର ମା ବୋଲି କହି ମୁଣ୍ଡିଆ ମାରିବେ।ଖାଲି ଦେଶ ନୁହଁ ବିଦେଶରେ ବି ତୁମ ବାପା ମାଙ୍କ ନାମ ପ୍ରଚାର ହେବ।ମେଡିଆରେ ଯେତେବେଳେ ତୁମ କୁ କେମିତି ଗଢିଛ ପଚାରିଲେ,ତୁମ ଉତ୍ତର ଶୁଣିବାକୁ ଲୋକ କାନ ଡେରିବେ।ଜାଣିଛ ଗୋଟିଏ ଚାଟାର୍ଡ ପିଲାର ମୂଲ୍ୟ ଓ ମୂଲ୍ୟବୋଧ ସମାଜରେ କେତେ?ଗୋଟିଏ ଅଞ୍ଚଳକୁ ପରା ସେ କିଣିଦେଵ।ଆଜି ତୁମର ଥାଆନ୍ତା କୋଠାଘର,ତୁମ ପୁଅ ଚଳାଉଥାନ୍ତେ ଟ୍ରାକ୍ଟର।ତୁମକୁ ଲୋକ ଚିହ୍ନିଥାନ୍ତେ ଡ୍ରାଇଭରର ମାଆ ବୋଲି।ତୁମ ପୁଅ ମାନଙ୍କର ସାଥି ଥାଆନ୍ତେ ଡ୍ରାଇଭର।ମଦ ମାଂସ ଖାଇ ଫେରନ୍ତେ ଘରକୁ ତ କେତେବେଳେ ଗାଡି ଦୁର୍ଘଟଣା କରି ଯାଆନ୍ତେ ଥାନା।ତୁମକୁ କେମିତି ଲାଗନ୍ତା?ଅବଶ୍ୟ ପାଠ ପଢିଲେ ସର୍ଵସ୍ୟାନ୍ତ ଜଣେ ହୁଏ ହେଲେ ଗଢିଦିଏ ମଣିଷ ପରି ମଣିଷ।କୋଠାଘରର ଅମଣିଷ ଓ କୁଡ଼ିଆର ମଣିଷ ତୁମକୁ କେଉଁଟି ପସନ୍ଦ ଲାଗିବ?ପଢୁଆ ପୁଅଙ୍କୁ ଏ ଗାଁ କେବଳ ନୁହଁ ଏ ରାଜ୍ୟ ଏ ଦେଶ ଏମିତିକି ବିଦେଶବି ସାଲ୍ୟୁଟ ମାରିବ କିନ୍ତୁ ଅପାଠୁଆଟା ଏ ଗାଁ ବ୍ୟତୀତ ଆଉ କେଉଁଠି ପରିଚିତ ହୋଇପାରିବ କି ? ବାକି ରହିଲା ଝିଅ କଥା,ଝିଅ ବାପାମାଆଙ୍କ ବୋଝ ନୁହଁ।ଆଜି ଝିଅମାନେ ଶିକ୍ଷା,ସଂସ୍କୃତି,ବିଜ୍ଞାନ,କ୍ରୀଡା, ରାଜନୀତି କ୍ଷେତ୍ରରେ କେତେ ଯେ ଆଗରେ।କହିଲ ବୋହୁ,ତୁମର ସମ୍ପତ୍ତି ନାହିଁ କିନ୍ତୁ ଜ୍ଞାନୀ ଗୁଣୀ ଝିଅଟିଏ ଅଛି,ଆଉ ସୁନ୍ଦର ଘରେ ଝିଅଟିଏ ଅଛି ସେ ଅପାଠୁଆ, ତୁମକୁ କିଏ କେମିତି ଦରକାର ? 

ମୋତି ମୁଣ୍ଡ ତଳକୁ କରି ସବୁ ଶୁଣୁଥାଏ।ମାଷ୍ଟ୍ରେ ପୁଣି କହିଲେ,କହିଲ ବୋହୁ,ଏ ସଂସାରରର ବାପା ମାଆଙ୍କର ଶ୍ରେଷ୍ଠ ସମ୍ପତ୍ତି କିଏ ? ସୁନା...ରୁପା... କୋଠାବାଡ଼ି...ନାଁ ନିଜ ପିଲାଟିଏ।ତୁମେ ରଖିଥିବା ଟଙ୍କା ଖର୍ଚ୍ଚ ହୋଇଯିବ ନହେଲେ ହଜିଯିବ ନଚେତ ଚୋରି ହୋଇଯିବ,କିନ୍ତୁ ଶିକ୍ଷା ବା ବିଦ୍ୟା ଚୋରି ତ ଦୂର କଥା ତାକୁ ଯେତେ ଦାନ କଲେ ପରା ସେତେ ବଢିବ।ପୁନଶ୍ଚ ଶିକ୍ଷିତ ପିଲା ଓ ମୂର୍ଖ ପିଲା ଭିତରେ ବହୁତ ଫରକ।ମୂର୍ଖ ପିଲା ଘରେ ରହିବା ଯାହା ନିଜ ମୁଣ୍ଡରେ ଋଣ ବୋଝ ସେତେ ଲଦିହେବା ତାହା।ପିଲାଟି ଯଦି ମୂର୍ଖ ସେ ବହୁତ ହାଲୁକା ଆଉ ଯଦି ଯେତେ ଅଧିକ ଜ୍ଞାନର ଅଧିକାରୀ ସେ ସେତେ ଓଜନିଆ।ଅର୍ଥାତ ଶିକ୍ଷାଯୁକ୍ତ ମାନବ ଓଜନିଆ,ଆଉ ଅଶିକ୍ଷିତ ବହୁତ ହାଲୁକା ।ଏକଥା ପଦକ ଖାଲି ମୋତି ନୁହଁ,ସାଧୁଆକୁ ବି ଅଡ଼ୁଆ ଅଡ଼ୁଆ ଲାଗିଲା।ସେ କହିଲା,ମାଷ୍ଟ୍ରେ,ଶିକ୍ଷାଯୁକ୍ତ ମାନବ ଓଜନିଆ...ବୁଝିହେଲାନାହିଁ।ଟିକିଏ ଭଲକରି ବୁଝେଇ ଦିଅନ୍ତୁ।

  ମାଷ୍ଟ୍ରେ କହିଲେ,ତୁମେ ଦେଖିଥିବ ଫଳନ୍ତି ଗଛ ସେ କେମିତି ନଇଁଯାଏ।ହେଲେ ଯେଉଁ ଗଛ ଅଫଳନ୍ତି ସେ କେମିତି ଖାଡା ଖାଡା ଛିଡା ହୋଇଥାଏ।ସେଇମିତି ଯିଏ ଯେତେ ଅଧିକ ଜ୍ଞାନର ଅଧିକାରୀ ସେ ବିନୟ,ଭଦ୍ର,ଶିଷ୍ଟ,ଆଚରଣରେ ମାର୍ଜିତ। ସମ୍ମାନ ଦେବା ଓ ପାଇବାରେ ସେ ସିଦ୍ଧ।

  ମୋତି କହିଲା ମାଷ୍ଟ୍ରେ ମୋତେ କ୍ଷମା କରିଦେବେ।ମୁଁ ତ ବେଶି ପଢିନାହିଁ ହେଲେ ମୁଁ ଟିକେ କୃପଣ।ଟଙ୍କାଟିଏ ଖର୍ଚ୍ଚ ହୋଇଗଲେ ମୋ ଦେହରୁ ମାଂସ ଖଣ୍ଡେ ଚାଲିଯାଏ।ଆଉ ଶିକ୍ଷାର ଏମିତି କରାମତି ଅଛି ମୁଁ ଜାଣି ନଥିଲି।ଆମର ସର୍ବସ୍ୱ ପଛେ ଚାଲିଯାଉ,ହେଲେ ଆମେ ଆମ ଛୁଆଁଙ୍କ ପାଠ ପାଇଁ କେବେ ପଛେଇବୁ ନାହିଁ।ମୋ ଝିଅକୁ ମୁଁ ଭଲ ସ୍କୁଲରେ ବହୁତ ପାଠ ପଢ଼ାଇବି।ସେ ଯେମିତି ମୋ ଭଳି ମୂର୍ଖ ନ ହୁଏ। ମୁଁ ଲୁଚେଇ ଲୁଚେଇ ରଖିଛି ବସ୍ତେ ଟଙ୍କା।ଏସବୁ ମୋ ଝିଅ ପାଠପଢ଼ାରେ ଲଗାଇବି।

  ମାଷ୍ଟ୍ରେ କହିଲେ ଆରେ ସାଧୁଆ ତୋର ଶିକ୍ଷାପ୍ରତି ଆଡ଼ର୍କୁ ମୁ ସମ୍ମାନ ଦେଉଛି,ହେଲେ ମୋତିତ ବେଶି ପାଠ ପଢିନାହିଁ,ସେ ବୁଝିପାରୁନାହିଁ,ଆମେ ତ ଗାଁରେ ଅଛୁ ଆମକୁ ଡାକି ବୁଝେଇ ପାରନ୍ତୁ ହେଲେ,ସ୍ତ୍ରୀ ଟା ଉପରେ ହାତ ଉଠେଇବା କଣ ଠିକ୍ ?

  ସାଧୁଆ କହିଲା, ଭୁଲ ହୋଇଗଲା ମାଷ୍ଟ୍ରେ ମୁଁ ତାର କଳି ଝଗଡା ନ ସହି ଏମିତି ହାତ ଉଠାଇଦେଲି।ଆଉ କେବେ ଭୁଲ ହେବ ନାହିଁ।

  ମାଷ୍ଟ୍ରେ କହିଲେ ଏଇ ଶିକ୍ଷା ବି ଆମକୁ ଧୈର୍ଯ୍ୟ,ସହନଶୀଳତା, ବିବେକ,ମଣିଷପଣିଆ,ଆଦି କେତେ ମହାନ ଗୁଣ ଶିଖାଏ।ସତ୍ୟ,ଧର୍ମ,ନ୍ୟାୟ ପଥରେ ଚାଲିବାକୁ ଆମନ୍ତ୍ରଣ କରେ।ହଉ ମୁଁ ଆସୁଛି ତୁମେମାନେ ଶିକ୍ଷାକୁ କେବେ ହାତଛଡା କରିବ ନାହିଁ।

   ମୋତି ରଖିଥିବା ଟଙ୍କା ଥଳିକୁ ସାଧୁଆକୁ ଦେଲା।ସାଧୁଆ ତାଙ୍କ ଧାନ ବିକା କଣ୍ଟା ନିକିତିରେ ଗୋଟିଏ ପଟେ  ଟଙ୍କା ଓ ଗୋଟିଏ ପଟେ କୁନିଝିଅ ମାନସୀକୁ ବସାଇ କହିଲା ଦେଖିଲୁ,କିଏ ଓଜନିଆ ଲାଗୁଛି,ଟଙ୍କା ନା ଆମ ମାନସୀ।ମାଷ୍ଟ୍ରେ ଗେଟ୍ ପାଖରୁ ଏସବୁ ଶୁଣି ଫେରି କହିଲେ ଆରେ ଓଜନିଆ ମାନେ ଏ ନିକିତିରେ ଟଙ୍କା ସହ ଝିଅକୁ ଓଜନ କରନ୍ତି ନାହିଁ।ତୁମ ଝିଅ ଶିକ୍ଷିତ ହେଲେ ଜ୍ଞାନ,ବୁଦ୍ଧି ଓ ଗୁଣରେ ଏତେ ଓଜନିଆ ହୋଇଯିବ ଯେ କୌଣସି ନିକିତିର ଶକ୍ତି ନ ଥିବ ଓଜନ କରିବାକୁ କି ଟଙ୍କା ନ ଥିବ ତା ସଙ୍ଗେ ତୁଳନା ହେବାକୁ।ଶିକ୍ଷା ର ମୂଲ୍ୟ ଅମୁଲା ମୁଲ ଓ ମୂଲ୍ୟବୋଧ ପରା ବର୍ଣ୍ଣନା କରି ହେବନାହିଁ।

  ସାଧୁଆ ଓ ମୋତି କହିଲେ ଏମନ୍ତ କଥା ମାଷ୍ଟ୍ରେ ସତରେ ଶିକ୍ଷାଯୁକ୍ତ ମଣିଷ ଓଜନିଆ......।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments