ଶେଫାଳିର କଥା - ଅମିତ ନାରାୟଣ ଶତପଥୀ

ଶେଫାଳିର କଥା - ଅମିତ ନାରାୟଣ ଶତପଥୀ


ଦେଖ ତୁମେ ଯେବେ ଅନ୍ତରାଳରେ ମୋତେ
ତୁମ ଅସ୍ତିତ୍ଵରୁ ଟାଣି ଆଣି ଦେଖ, ଲଣ୍ଡଭଣ୍ଡ କରି, ନିରିଖେଇ ମୋର ତର୍ଜମା କର
ତୁମେ ମୋତେ ଆଉ ଥରେ କହି ଦିଅ, ପୃଥିବୀ ଗୋଲ, ଜୀବନ ଚକ୍ର ବି
ଆମର ଇତିହାସର କଥା,ତୁମ ଭୂଗୋଳର ବ୍ୟଥା ସ୍ପଷ୍ଟ ବାରି ହୋଇ ପଡ଼େ
ସହସ୍ର କବିତା କରି ତୁମେ ମୋତେ ଅବଚେତନରେ ରାତି ଅଧରେ ଗାଇ ଯାଅ
ତୁମକୁ ଦୋଷ ଦିଏନି ମୁଁ,ଅଭାଗିନୀ ବୋଲି ଭାବୁଥିଲି ନିଜକୁ,ଥରେ ଦୋଷ କରିଥିଲି
ତୁମେ ବି ମୋ ପରି,ନିଆଁ ପରର ଅଙ୍ଗାରରେ ତୁମ ଆଖିରେ ଲୁହ,ହସିବାକୁ ଚାହଁ ବୋଧହୁଏ
ସବୁ ରାଗ ରୁଷା,ପ୍ରାପ୍ତିର ତନ୍ମୟତା,ତୁମ ନୀରବତାର ସୁର,ନିଃସଙ୍ଗତାର ରାଗିଣୀ
ମୋ ପାଖରେ ନିଶ୍ଚିନ୍ତ ହୋଇ ଥୋଇଦିଅ,ନିଶ୍ଚିହ୍ନ ଅତୀତ ବାସ୍ତବତାରେ ନାହିଁ,
ମୋତେ ଚୋରି କରିନେଇଛି,କିଛି କହିବିନି ତୁମକୁ..

ତୁମେ ଥରେ ମୋତେ ଭିତରର କୋଠରୀରେ ଖୋଜିଥିଲ ନା,ତୁମ ଅଲଣା କଳ୍ପନାରେ ବଞ୍ଚ
ଶେଫାଳି ଲାଞ୍ଛିତା ନୁହଁ,ସୁରଭିରେ ମରେ,ତୁମଠାରୁ ଆଉ କାହା ମନକୁ ତରେ
ଘୋର ସ୍ରୋତରେ ଆହୁଲା ମାରି ଥକି ଯାଇଛ କି..ରହିଯାଅ,ଦେଖ ସେ କାଶତଣ୍ଡୀମାନେ
ତୁମକୁ ସ୍ଵାଗତ କରୁଛନ୍ତି,
ସେମାନେ କେବେଠାରୁ ସେମିତି ଚୁପ୍‌ଚାପ୍ ଅଛନ୍ତି,ପାଷାଣୀର କୋହ ବି ଛାଡ଼ି ଦେଲେଣି
ତୁମ ଛାତିର ଧକ୍‌ଧକ୍‌ରେ ଅଜସ୍ର ଶେଫାଳି ମୁଁ ଜାଣିଛି,ମ୍ଳାନ ହେଇ ଝରିଯିବାକୁ ସେମାନେ ଭୟ କରନ୍ତିନି
ସେଟା ଭଲ କି ନୁହଁ ଜାଣିନି,ଅସ୍ତରାଗକୁ କିନ୍ତୁ ମୋ ଅପେକ୍ଷା,ଗୋଟିଏ ରାତି ପାଇଁ
ସ୍ତବ୍ଧ ନୀରବତାରେ କାହିଁକି ଚାହଁ,ଇନ୍ଦ୍ରଧନୁ ହଜିଯାଇଛି,ତୁମ ଆଦ୍ୟ ପ୍ରାନ୍ତର ସେ ରଙ୍ଗ ହଜିଯାଇଛି

ତୁମେ ସେଦିନ ପାଦରେ ମୋତେ ଏଡ଼ାଇ ଦେଇଥିଲ,କହିଥିଲ-ତୁ ଠିକ୍ ନୁହଁ
ହଁ,ତୁମ ଅଶରୀର ଆବେଗର ଜ୍ଵାଳା କ୍ଷୀଣ ପଡ଼ିଥିଲା
କିଛି କହିନଥିଲି ,ଭାବିଥିଲି ବଳେ ବୁଝିବ, ଜଣଙ୍କ ଦୁଃଖ ବି ଦେଖିଥିଲି
ମୋ ନାରଙ୍ଗୀ ବେଣ୍ଟର ମାୟାରେ ସେ ଖୋସିଥିଲା ମୋତେ ତାର କେହି ଜଣେ ଅନ୍ତରଙ୍ଗ ଗଭାରେ
ମୁକୁଳା କେଶରେ ମୁକୁଳା ଆତ୍ମୀୟତା ,ରାତି ତମାମ୍‌ର କଥା,
ସକାଳର ନାଉରୀ ତାଙ୍କୁ ନ ପାଇଲା, ଅରୁଣିମାରେ ସେମାନେ ହଜିଯାଇଥିଲେ
କିନ୍ତୁ ମୋତେ ସେ ଅନ୍ତରରେ କହିଥିଲା ଧନ୍ୟବାଦ,ବେଦନାର ଫୁଲତୋଡ଼ା ପାଇଁ
ମୋତେ ସେ କୃତଜ୍ଞତା ମୋ ପରି ଲାଗିଲା-ମଳିନ,କଳ୍ପନା ବିଳାସୀ
ଦେଖ,ଯଦି ତାହା ଖୋଜୁଛ,ଏଇ ଶେଫାଳିକୁ ନେଇ ଅଳିଆ ଗଦାରେ ଫିଙ୍ଗି ଦେବ
ସେଠି ମାଟିର କୋଳ ନଥିବ,ଥିବ କିନ୍ତୁ ଅଶାନ୍ତ କୋଳାହଳ ରହିତ ଏକ ଶାନ୍ତିପୂର୍ଣ୍ଣ ମୃତ୍ୟୁ
ଛିଃ ମୁଁ ନିଜ ଧଳା ଦେହ ନେଇ ଏତେ ଭାବେ,ଝରିବା ଆଗରୁ ଖୁସିର ବର୍ଣ୍ଣବିଭା ତୁମ ଆଖିରେ
ସ୍ଵାର୍ଥୀ ମୁଁ,ସ୍ଵଳ୍ପ ଆୟୂଷ ମୋର,
ବିଦାୟରେ ତୁମ ସଙ୍ଗିନୀ ହେବାର ଅଭିଳାଷ..

ମନ ଭଲ ନଥିଲେ ବିଷବୃକ୍ଷ୍ୟର ଛାୟା ଛାଡ଼ି ମୋ ପାଖକୁ ଚାଲି ଆସିବ
ବେଶୀ କିଛି ନାହିଁ ମୋ ପାଖରେ,ଫେରାଇ ନିଆ ହେଇଥିବା କିଛି ଚାହାଣି,ଆବେଗରେ ଲତପତ୍ ଦେହଟେ
ତୁମ ଆଖିର କୋଣେ ଯେବେ ଭାବନାର ଉଡ଼ାଣ ଭରି ବ୍ୟୋମକେଶ ସାଜିବାର ଆଶା ଜାଗେ
ହୁଏତ ମୁଁ ସାହାଯ୍ୟ କରିଦେବି, ମୁଁ ଶେଫାଳି
ତୁମ ପାଇଁ କୋଳାହଳରୁ ବାହାରି ମୋ ଛାତିରେ ଛୁଆଁ ଦେଇ ସୁଖ ଆସେ ବୋଲି କହୁଛି
ଅକାଳ ବର୍ଷଣରେ ବହୁତ ଭିଜିଛି,ମୋତେ ଫିଙ୍ଗିଦେବ ଭିତରେ ନ ସଢ଼ି ମାଟିରେ ମିଶିବି
ବିଦାୟ ବେଳାର ସଙ୍ଗୀତ ମୋର ଜୀବନ ଡାଏରୀରେ ତୁମର ଲେଖି ନେବ
ମୁଁ ଶେଫାଳି..

Writer's Details: ଅମିତ ନାରାୟଣ ଶତପଥୀ
୧-ସି, ଟାୱାର ୮,ସଂକଳ୍ପ-୨,ନ୍ୟୁଟାଉନ୍, କୋଲକାତା
Content Category:
Submission Date: Jul 04, 2019

0 Comments