ଉପନ୍ୟାସ - ସାଉଁଟା ଆଷାଢ - ଦ୍ଵାଦଶ ଭାଗ - ପ୍ରମୋଦ କୁମାର ପଣ୍ଡା

ଉପନ୍ୟାସ - ସାଉଁଟା ଆଷାଢ - ଦ୍ଵାଦଶ ଭାଗ - ପ୍ରମୋଦ କୁମାର ପଣ୍ଡା

ମୁଁ ରୋଜାଲିନ ଦେବୀଙ୍କ ଶୟନ କକ୍ଷର ଦ୍ୱାରାଦେଶରେ ପହଞ୍ଚି ଟିକେ ଅସମଞ୍ଜସରେ ପଡିଲି । ମୋ ପାଦ ଦୁଇଟି ତାଙ୍କ କକ୍ଷର ବନ୍ଦ ଦରବାଜା ବାହାରେ ଅଟକିଗଲା । କେମିତି ଭିତରକୁ ଯିବି ଭାବିପାରୁ ନଥାଏ । ଜଣେ ଅବିବାହିତା ମହିଳାଙ୍କ ଶୟନକକ୍ଷ ଭିତରକୁ ଏକଲା ଯିବାକୁ ମୋ ମନରେ ସଂକୋଚ  ଜାତ ହେଉଥାଏ । କିଛି ସମୟ ଏମିତି ଅସମଞ୍ଜସ ଭାବ ନେଇ ଠିଆହେଲା ପରେ ବଡ କୁଣ୍ଠିତ ମନରେ ଧୀରେ ଧୀରେ କବାଟରେ କରାଘାତ କଲି । ସାଙ୍ଗେ ସାଙ୍ଗେ ଭିତରୁ ରୋଜାଲିନ ଦେବୀଙ୍କ କୋମଳ କଣ୍ଠସ୍ୱର ଶୁଭିଲା " ଇଏସ ! କମ ଇନ " । ମୁଁ ସାହାସ ଜୁଟାଇ କବାଟ ପେଲି ଭିତରକୁ ପାଦ ବଢ଼େଇଲି । ରୋଜାଲିନ ଦେବୀ ବିଶାଳ ସୁସଜ୍ଜିତ ରାଜକୀୟ ଶୟନକକ୍ଷର ବିରାଟ ପଲଙ୍କର ଦୁଗ୍ଧଫେନନିଭ ଶଯ୍ୟା ଉପରେ ଅର୍ଦ୍ଧଶାୟୀତ ଅବସ୍ଥାରେ କୌଣସି ଏକ ପତ୍ରିକା ପଢୁଥିଲେ ।

        ମୁଁ ଧୀର ପଦକ୍ଷେପରେ ସଙ୍କୋଚ ଚିତ୍ତରେ ତାଙ୍କ ପଲଙ୍କ ନିକଟରେ ପହଞ୍ଚିଲି । ମୋର ଏ ଭାବ ଦେଖି ସେ ନିଜ ହସକୁ ଦବାଇ ରଖିପାରିଲେନି ବୋଧହୁଏ । ତାଙ୍କ କଣ୍ଠରୁ ଝର୍ଝରୀତି , ନିନାଦୀତ ଝରଣା ଭଳି ହସର ଝରଣା ଝରିଆସିଲା ।

        କିଛିସମୟ ପରେ ସେ ହସ ବନ୍ଦକରି ମୋତେ କହିଲେ " ଆପଣଙ୍କ ଭାବ ଦେଖି ମୋତେ  ଲାଗୁଥିଲା ଯେପରି ଆପଣ ଜଣେ ଲଜ୍ଜାଶୀଳା ନାରୀ ଆଉ ମୁଁ ଜଣେ ପୁରୁଷ । ଓଃ ! କ୍ଷମା କରିବେ , ମୁଁ ନିଜକୁ କଣ୍ଟ୍ରୋଲ କରିପାରିଲିନି । କିନ୍ତୁ ଗୋଟେ କଥା ଯେ ଅନେକ ଦିନ ପରେ ଆଜି ମୁଁ ପ୍ରାଣଖୋଲି ହସିଲି " । ତାପରେ କହିଲେ " ଆରେ ! ଆପଣ ଠିଆ ହୋଇଛନ୍ତି କାହିଁକି ? ମୁଁ କଣ ଆପଣଙ୍କ ବସ ଯେ ବସିବାକୁ ମୋର ପରମିଶନ ଆବଶ୍ୟକ ? ପ୍ଲିଜ ସିଟ ଡାଉନ "କହି ସେ ଉଠିଆସି ଶଯ୍ୟା ସଂଲଗ୍ନ ସୋଫାରେ ବସିପଡି ମୋତେ ବସିବାକୁ ଇଙ୍ଗିତ ଦେଲେ । ମୁଁ ତାଙ୍କ ଠାରୁ ଯଥାସମ୍ଭବ ଦୂରତା ରକ୍ଷାକରି ବସିଲି ।

        କିଛି ସମୟର ନୀରବତା ପରେ ମୋତେ କହିଲେ, ମୋର ଜଣେ ବନ୍ଧୁ ବମ୍ବେରେ ଏକ ଆର୍ଟ ଏକଜିବିସନର ଆୟୋଜନ କରିଛନ୍ତି ।   ଏଇଟା ହେଲା ଜାନୁଆରୀ ପ୍ରଥମ ସପ୍ତାହ । ଫେବୃଆରୀ ଶେଷ ସପ୍ତାହରେ ତାଙ୍କ ଏକଜିବିସନ ଆରମ୍ଭ ହେବାକୁ ଯାଉଛି । ବଡ ବଡ ଆର୍ଟିଷ୍ଟ ମାନେ ସେମାନଙ୍କର କ୍ରିଏସନ ସବୁ ସେଠାକୁ ପଠାଉଛନ୍ତି । ସେଠି ଅପ୍ସନ ରେ ଯେଉଁ ପେଣ୍ଟିଙ୍ଗ ଟି ଅଧିକ ଟଙ୍କାରେ ଯିବ ସେ ଆର୍ଟିଷ୍ଟଙ୍କୁ ଏକଜିବିସନ ତରଫରୁ ସ୍ୱିଜର୍ଲ୍ୟାଣ୍ଡ ଟ୍ରିପ ଅଫର ଦିଆଯିବ ପୁରା ଏକମାସ ପାଇଁ ।ଯିବା ଆସିବା ରହିବା ଖାଇବା ବୁଲିବା ପୁରା ଭି ଆଇ ପି ଙ୍କ ଭଳି , ସବୁ ସେମାନେ ବିଅର କରିବେ ।ମୁଁ ଆପଣଙ୍କ ନାଁ ତାଙ୍କୁ ଦେଇଦେଇଛି । ଆପଣଙ୍କ ହାତରେ ୱାନ ଆଣ୍ଡ ହାଫ

 ମନ୍ଥ  ସମୟ ଅଛି । ମୁଁ ଚାହୁଁଛି ଆପଣ ସେଥିରେ ଭାଗ ନିଅନ୍ତୁ । ଏବଂ ଆପଣ କଲିକତାରେ ହିଁ ରୁହନ୍ତୁ । ଏଇଠି ମୋ ବଙ୍ଗଳାରେ । ଆକଚୁଆଲି  ମୁଁ ପ୍ରାକ୍ଟିକାଲି ଆପଣଙ୍କ ଟ୍ୟାଲେଣ୍ଟକୁ ଦେଖିବାକୁ ଚାହେଁ , ଅବଶ୍ୟ ଏହା ଆପଣଙ୍କ ଇଛା ଉପରେ ନିର୍ଭର କରେ । ପୁରା ଫାର୍ଷ୍ଟ ଫ୍ଲୋରଟା  ଆପଣଙ୍କର ବୋଲି ଭାବି ନିଅନ୍ତୁ । ଆପଣଙ୍କୁ ସାହାଯ୍ୟ କରିବାକୁ ମୋ ସର୍ଭେଣ୍ଟଙ୍କ ଭିତରୁ କାହାକୁ  ଜଣେ ରଖିଦେବେ । ଆପଣଙ୍କ ମନରେ ଗୋଟେ ପ୍ରଶ୍ନ ଉଠୁଥିବ ଯେ ମୁଁ ଏସବୁ ଆପଣଙ୍କୁ କାହିଁକି କହୁଛି ବୋଲି , ଏଥିରେ ମୋର ବି ସ୍ୱାର୍ଥ ଅଛି । ଏଇ ଆପଣଙ୍କ ଭଳି ମହାନ ଆର୍ଟିଷ୍ଟଙ୍କ ବନ୍ଧୁତ୍ବ ପାଇବା " ।

        ସେ ଏ ଦୀର୍ଘ ବକ୍ତବ୍ୟ ପରେ ରହିଗଲେ । ମୁଁ ତାଙ୍କୁ ଖୁବ ନମ୍ର ସ୍ୱରରେ କହିଲି " ଆପଣ ମୋ ଭଳି ନଗଣ୍ୟ କଳାକାରକୁ ଏଭଳି ଅଯାଚିତ ସାହାଯ୍ୟ କରି ଧନ୍ୟ କରିଦେଲେ ମାଡାମ। କିନ୍ତୁ ଗୋଟିଏ ଉତ୍କୃଷ୍ଟ ଚିତ୍ର ଯାହାକି ବିଶେଷତଃ ବମ୍ବେ ଭଳି ଯାଗାରେ ଚଳୁଥିବା ଅତ୍ୟାଧୁନିକ  ଗ୍ରାହକ ମାନଙ୍କୁ ପ୍ରଭାବିତ କରିପାରିବ, ତାହା ବନେଇବା ପାଇଁ ଯେଉଁ ପରିବେଶ ଦରକାର ହେଉଛି, ତାହା ଏଠି ନାହିଁ । ସେଥିପାଇଁ ମୋତେ ଓଡ଼ିଶା ଫେରିବାକୁ ହେବ କିଛି ହିଣ୍ଟିସ ପାଇଁ " ।ତାପରେ ଆପଣ ଦେଇଥିବା ପୂର୍ବୋକ୍ତ ପେଣ୍ଟିଙ୍ଗସ୍ ଗୁଡିକୁ ତିଆରି କରିବାରେ ସାହାଯ୍ୟ କରିବାକୁ ମୋର ଯେଉଁ ବନ୍ଧୁ ଦୁଇଜଣ ସେଠି ଅଛନ୍ତି ତାଙ୍କୁ ବି ମୋର ଦିଗଦର୍ଶନ ନିହାତି ଦରକାର "।  ମୋ କଥା ଶୁଣି ମୋତେ ଲାଗିଲା ଯେ ରୋଜାଲିନ ଦେବୀ ସାମାନ୍ୟ ଅସନ୍ତୁଷ୍ଟ ଜଣାପଡୁଛନ୍ତି ।ସେ ଯାହାହେଉ ମୁଁ ତାଙ୍କଠୁ ବିଦାୟ ନେଇ ତାଙ୍କ ପ୍ରକୋଷ୍ଠରୁ ବାହାରିଆସିଲି ।

        ତା ପରଦିନ ରୋଜାଲିନ ଦେବୀ ବୁକ କରିଥିବା ଫ୍ଲାଇଟ ରେ ମୁଁ ଭୁବନେଶ୍ୱର ଫେରିଆସିଲି । ପ୍ରଥମ କରି ପ୍ଲେନ ରେ ବସିଲି ତାହା ପୁଣି ଅନ୍ୟ ପଇସାରେ । ମୋତେ ନିଜକୁ କେମିତି ଗୋଟେ ହୀନମନ୍ୟତା  ବୋଧହେଉଥାଏ । ଏତେଟା ଅନ୍ୟର ସାହାଯ୍ୟ ନେବା ମୋ ସ୍ୱାଭିମାନକୁ ବାଧୁଥାଏ । କିନ୍ତୁ ରୋଜାଲିନ ଦେବୀଙ୍କୁ କିଛି ବି କହିପାରୁନଥାଏ ।

        ମୋ ପେଣ୍ଟିଙ୍ଗ " ଦି ଟ୍ରାଇବାଲ ବିଉଟି " ବମ୍ବେ ଆର୍ଟ ଏକଜିବିସନରେ ପଚାଶ ହଜାର ଟଙ୍କାରେ ବିକ୍ରୀ ହୋଇ ଏକ ନୂତନ ରେକର୍ଡ଼ ସୃଷ୍ଟିକରି ଇତିହାସ ରଚିଲା । ଏକଜିବିସନର ମ୍ୟାନେଜର୍ ଅଶୋକ ମେହେଟାଙ୍କ ଉଛ୍ୱସିତ ସ୍ୱାଗତରେ ମୁଁ ଅଭିଭୂତ ହୋଇପଡିଲି । ସେ ପଚାଶ ହଜାର ଟଙ୍କାର ଚେକ ସହିତ ସୁଇଜରଲ୍ୟାଣ୍ଡ ଯିବାର ସମସ୍ତ ବ୍ୟବସ୍ଥା କରିବା ଦାୟୀତ୍ୱ ନେଲେ । ଭିସା, ପାସପୋର୍ଟ ପାଇଁ ଦୁଇମାସ ସମୟ ଲାଗିବ । ମୋତେ କହିଲେ " ମୋଷ୍ଟ ପ୍ରୋବାଵଲି ମେ ମାସ ଶେଷ ଆଡ଼କୁ ସବୁ ଫାଇନାଲ ହୋଇଯିଵ । ଆପଣ ଟେନ୍ସନ ନେଵା ଦରକାର ନାହିଁ । ଆଇ ଉଇଲ ଆରେଞ୍ଜ ଏଭ୍ରିଥିଙ୍ଗ "। ମୁଁ କହିଲି " ଆଜ୍ଞା ! ଆଜି ଯଦି ମୋତେ ଏ ଅର୍ଥ ଓ ସମ୍ମାନ ମିଳିଥାଏ ତାହାର ପ୍ରକୃତ ହକଦାର ହେଉଛନ୍ତି ରୋଜାଲିନ ଦେବୀ । ସେ ମୋତେ ପ୍ରଥମେ ଏ ବିଷୟରେ ଅବଗତ କରାଇ ଏଥିରେ ଭାଗ ନେବାକୁ ପ୍ରୋତ୍ସାହିତ କରାଇଥିଲେ । ଯଦି କିଛି ନଭାବନ୍ତି ମୁଁ ତାଙ୍କ ପାଖକୁ ଆପଣଙ୍କ ଟେଲିଫୋନରୁ ଗୋଟେ ଫୋନ କରିଥାନ୍ତି "। " ଓଃ ସିଓର !  ମୁଁ ମଧ୍ୟ ମାଡାମଙ୍କୁ ଏ ଖୁସି ଖବର ଜଣାଇବାକୁ ଚାହେଁ " । ତାପରେ ସେ ନମ୍ବର ଡାଏଲ କଲେ  । " ହାଲୋ ମାଡାମ ! ଗୁଡ଼ ମର୍ଣ୍ଣି । ମି ପାନିଗ୍ରାହୀ ଇଜ ଜିନିଅସ । ହିଜ ପେଣ୍ଟିଙ୍ଗ ' ଦି ଟ୍ରାଇବାଲ ବିଉଟି ' ଓନ ଦି କଣ୍ଟେଷ୍ଟ ଆଣ୍ଡ ହି ଇଜ ଇଲିଜିିବୁଲ ଟୁ ମୁଭ ସୁଇଜରଲ୍ୟାଣ୍ଡ " । ତାପରେ ମୋତେ ରିସିଭରଟି ବଢ଼ାଇଦେଇ କହିଲେ " ଟକ ଟୁ ମିସ୍ ରୋଜାଲିନ ବାସୁ । ସି ଇଜ ଅନ ଲାଇନ "।

        ମୁଁ ରିସିଭର ଧରିଲାପରେ ସେପଟୁ ଭାସିଆସିଲା ରୋଜାଲିନ ଦେବୀଙ୍କର ମୁଲାୟମ କଣ୍ଠସ୍ୱର " ହାଲୋ ଶୁଭେନ୍ଦୁ ବାବୁ ! କେମିତି ଫିଲ କରୁଛନ୍ତି "? ମୁଁ କହିଲି " ମାଡାମ ! ଆପଣଙ୍କ ନିକଟରେ ମୁଁ ଚୀର ଋଣୀ ରହିଗଲି "। "  ମୁଁ କେବଳ ଆପଣଙ୍କ ଟ୍ୟାଲେଣ୍ଟକୁ ଦିଗଦର୍ଶନ ଦେଇଛି । ଆପଣଙ୍କ ନିକଟରେ କ୍ବାଲିଟି ଅଛି । ଆଉ ଯଦି ଭାବୁଛନ୍ତି ଆପଣ ମୋ ନିକଟରେ ଋଣୀ ବୋଲି କେବେ ଗୋଟେ ସେଇଟା ମୁଁ ଆପଣଙ୍କ ଠାରୁ କଲେକ୍ଟ କରିନେବି , ହା ହା ହା,,,,," । ରହସ୍ୟମୟ ହସର ଲହରୀ ସେପଟୁ ଭାସିଆସିଲା ରୋଜାଳିନ ଦେବୀଙ୍କର । ତାପରେ ସେପଟୁ ଫୋନ କଟିଗଲା । ସେ ହସର ଧ୍ୱନୀ କାନବାଟ ଦେଇ ମୋ ମସ୍ତିଷ୍କରେ ଝଙ୍କୃତ ହେବାକୁ ଲାଗିଲା ଅନେକ ସମୟ ଧରି ।

        ଏଇ ଭିତରେ ଦୁଇମାସ କଟିଗଲା । ମୁଁ ଓ ମୋର ଦୁଇ ଆର୍ଟିଷ୍ଟ ବନ୍ଧୁ ମିଶି ରୋଜାଲିନ ଦେବୀଙ୍କର ଅର୍ଡର ପୁରାକରିବାରେ ଲାଗିଥାଉ ।  ମଝିରେ ମଝିରେ ମୁଁ ଯାଇ ପୋଲିସ ଇଂଚାର୍ଜ ଗୌରହରି ବାବୁଙ୍କ ଠାରୁ ବୁଝିଆସୁଥାଏ ପ୍ରଜ୍ଞାର  କିଛି ଖବର ମିଳିଲା କି ନାହିଁ । କିନ୍ତୁ କିଛି ଆଶାଜନକ ଉତ୍ତର ମିଳୁନଥାଏ । ଦିନେ ବମ୍ବେରୁ ଅଶୋକ ବାବୁଙ୍କ ରେଜିଷ୍ଟ୍ରେଡ଼ ଚିଠିଟିଏ ଆସି ପହଁଚିଲା । ମୋର ପାସପୋର୍ଟ, ଭିସା ସବୁ ରେଡି ହୋଇଯାଇଛି । ମେ ପଚିଶ ତାରିଖରେ ମୋର ସୁଇଜରଲ୍ୟାଣ୍ଡ ଟ୍ରିପ ଫାଇନାଲ ହୋଇଯାଇଛି । ମୋତେ ସେଦିନ ସାନ୍ତାକ୍ରୁଜ ଏୟାରପୋର୍ଟରେ ଦିନ ଦଶଟା ସୁଦ୍ଧା ପହଞ୍ଚିବାକୁ ହେବ । ସେଠାରେ ମୋର ଟିକେଟ ସହିତ ସୁଇଜରଲ୍ୟାଣ୍ଡରେ ଥିବା ହୋଟେଲ ଓ  ଟ୍ରାଭେଲ ଏଜେଣ୍ଟର କଣ୍ଟାକ୍ଟ ଲେଟର ମଧ୍ୟ ମିଳିଯିବ ।

        ଯାହାହେଉ ମୋର ବିଦେଶ ଯିବାକଥା ଶୁଣି ଗାଁ ଲୋକେ ମୋତେ ବଧାଇ ଦେବାକୁ ଧାଇଁଲେ  । ବମ୍ବେରେ  ପୁରସ୍କୃତ ହେବାରେ ମୁଁ ଥିଲି ପ୍ରଥମ ଓଡିଆ ଚିତ୍ରଶିଳ୍ପୀ । ତେଣୁ ବଧାଇର ସୂଅ ଛୁଟିବାରେ ଲାଗିଥାଏ । ଆମ ଘରେ ସମସ୍ତେ ଖୁସି । ସୁଇଜରଲ୍ୟାଣ୍ଡରୁ କଣ କଣ ଆଣିବି ତାର ଗୋଟାଏ ଲମ୍ବା ଲିଷ୍ଟ ଆମ ଘରଲୋକଙ୍କ ଠାରୁ ଆରମ୍ଭକରି  ବନ୍ଧୁବାନ୍ଧବ ଓ ସାଙ୍ଗ ସାଥିମାନେ ଦେଇସାରିଲେଣି । ଏକଥା ରୋଜାଲିନ ଦେବୀଙ୍କୁ ଜଣାଇବି ବୋଲି ଚିଠିଟିଏ ଲେଖି ତାଙ୍କ ଠିକଣାରେ  ରେଜେଷ୍ଟ୍ରି କରିଦେଲି ।କିନ୍ତୁ ଏହାପରେ ମୋ ଜୀବନରେ ଗୋଟେ ଏମିତି ମୋଡ ଆସିବ ବୋଲି ମୁଁ ଜମାରୁ କଳ୍ପନା କରିନଥିଲି ।
                " କ୍ରମଶଃ"

ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା

0 Comments