ଉପନ୍ୟାସ - ସାଉଁଟା ଆଷାଢ - ତ୍ରୟୋଦଶ ଭାଗ - ପ୍ରମୋଦ କୁମାର ପଣ୍ଡା

ଉପନ୍ୟାସ - ସାଉଁଟା ଆଷାଢ - ତ୍ରୟୋଦଶ ଭାଗ - ପ୍ରମୋଦ କୁମାର ପଣ୍ଡା

ବମ୍ବେର ସାନ୍ତାକ୍ରୁଜ ଏୟାରପୋର୍ଟ । ମୁଁ ଏୟାରପୋର୍ଟର ବୁକିଙ୍ଗ କାଉଣ୍ଟର ନିକଟରେ ପହଂଚି ମୋର ବ୍ରିଫକେଶଟି ତଳେ ଥୋଇ ଏପଟ ସେପଟ ହୋଇ ଅନାଇଲା ବେଳକୁ ଜଣେ ଭଦ୍ରବ୍ୟକ୍ତି ମୋତେ ସେଠାରେ ଟିକେଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାଗଜପତ୍ର ଧରାଇଦେଇ କହିଲେ  " ଅଶୋକ ସାହେବ ପଠାଇଛନ୍ତି । ଆଉ ଅଧଘଣ୍ଟାଏ ପରେ ପ୍ଲେନ ଟେକ ଅପ କରିବ । ଆପଣଙ୍କର ଚେକିଙ୍ଗ ସରୁ ସରୁ ଟାଇମ ହୋଇଯିବ । ବର୍ତ୍ତମାନ ଆପଣ ଭିତରକୁ ଯାଆନ୍ତୁ । ସୁଇଜରଲ୍ୟାଣ୍ଡ ଏୟାରପୋର୍ଟ ବାହାରେ ଆପଣଙ୍କୁ ଆପଣଙ୍କ ନେମପ୍ଲେଟ ଧରି ଯିଏ ଠିଆହୋଇଥିବେ ଆପଣ ତାଙ୍କ ସହିତ ହୋଟେଲ ଚାଲିଯିବେ । ହାପି ଜର୍ନି , ବାଏ "। ଏହାପରେ ସେ ଭଦ୍ରବ୍ୟକ୍ତି ଜଣକ ଚାଲିଗଲେ । ମୁଁ ମୋ ବ୍ରିଫକେଶ ଉଠାଇ ଭିତରକୁ ପ୍ରଵେଶକଲି ।

        ଏକ ସୁନେଲି ଅପରାହ୍ନ ସୁଇଜରଲ୍ୟାଣ୍ଡରେ ମୋତେ ଅପେକ୍ଷା କରୁଥିଲା । ମୁଁ ଏୟାରପୋର୍ଟ ବାହାରକୁ ଆସିଲି । ମେଘମୂକ୍ତ ସୁନୀଳ ଆକାଶ ଓ ସ୍ୱଚ୍ଛ ବାତାବରଣ , ଥଣ୍ଡା ଥଣ୍ଡା ହାୱା ଶରୀରକୁ ଆହ୍ଲାଦିତ କଲା । ଆଃ କି ସୁନ୍ଦର ସ୍ୱଚ୍ଛ କ୍ଳାଇମେଟ ! ଓଡ଼ିଶାରେ ଏଇ ସମୟରେ ପ୍ରଚଣ୍ଡ ଗରମକୁ ଗୁଳୁଗୁଳି । କିନ୍ତୁ ଏଠି ଠିକ ତାର ଓଲଟା । ମୁଁ ଆମୋଦିତ ହେଲି । କିଉରେ ଦେଖିଲି ଅନେକ ବିଦେଶୀ ଲୋକଙ୍କ ଭିତରେ ଖୁବ ଅଳ୍ପ ସଂଖ୍ୟକ ଭାରତୀୟ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଯୁବକ, ବୟସ ପ୍ରାୟ ମୋରି ପାଖାପାଖି ହେବ ଇଂରାଜୀରେ ମୋ ନାମଫଳକଟି ଧରି ଠିଆହୋଇଛି । ମୁଁ ତା ନିକଟରେ ପହଞ୍ଚି କହିଲି " ହାଲୋ ମିଷ୍ଟର ! ଆଇ ଆମ ଶୁଭେନ୍ଦୁ ପାଣିଗ୍ରାହୀ "। ସେ ପୁରା ଜୋଶରେ ମୋ ସହିତ କରମର୍ଦ୍ଧନ କରି କହିଲା " ଆଇ ଆମ ଅଭିଷେକ ଶର୍ମା ଫ୍ରମ ବମ୍ବେ । ନାଓ ଷ୍ଟେଇଂ ଇନ ସ୍ୱିଜର୍ଲ୍ୟାଣ୍ଡ । ପ୍ଲିଜ କମ "। ମୁଁ ତା ସହିତ ପାର୍କିଂ ପ୍ଲେସରେ ପାର୍କିଂ କରିଥିବା ଚକୋଲେଟ ରଙ୍ଗର ଏକ ଲମ୍ବା କାର ନିକଟକୁ ଗଲି । କିଛି ସମୟ ପରେ ଆମ କାରଟି ଦ୍ରୁତଗତିରେ ପ୍ରବେଶ କଲା ସୁଇଜର ଲ୍ୟାଣ୍ଡର ସବୁଠୁ ସୁନ୍ଦର ସହର ଜୁରିଚରେ ।

        ଉତ୍ତର ସ୍ୱିଜର୍ଲ୍ୟାଣ୍ଡର ଜୁରିଚ ହ୍ରଦ କୂଳରେ ଜୁରିଚ ସହର ଅବସ୍ଥିତ ଠିକ ଆଲପସ ପର୍ବତର କୋଳରେ । ନିର୍ମଳ ପ୍ରଶସ୍ତ ରାଜରାସ୍ତାର ଦୁଇ କଡରେ ନଭଶ୍ଚୁମ୍ବୀ ଅଟ୍ଟାଳିକା ସମୂହ ମଧ୍ୟ ଦେଇ କାରଟି ବ୍ରେକ କସିଲା ଏକ ବହୁତଳ ପ୍ରାସାଦର ସମ୍ମୁଖସ୍ଥ ଗେଟ ନିକଟରେ । ମୁଁ ଦେଖିଲି ଗେଟର ଶୀର୍ଷରେ ବଡ ବଡ ଅକ୍ଷରରେ ଲେଖାହୋଇଛି ' ହୋଟେଲ ଇମ୍ପ୍ରିୟଲ ' । ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇଗଲି । " ରୋଜାଲିନ ମାଡାମ କହୁଥିଲେ ଯେ ତାଙ୍କର ବିଦେଶରେ ଇମ୍ପ୍ରିୟଲ ଗ୍ରୁପର ପ୍ରାୟ କୋଡିଏଟି ହୋଟେଲ ଅଛିବୋଲି । ଏଇଟି ସେ ହୋଟେଲ ନୁହେଁ ତ " ?  ଆମ ଗାଡିଟି ରହିବା ସଙ୍ଗେ ସଙ୍ଗେ ହାଉସ କୀପିଙ୍ଗ ଆସି ମୋତେ ଅଭିବାଦନ ଜଣାଇ ମୋ ବ୍ରିଫକେଶ  ଉଠାଇ ସୁସଜ୍ଜିତ ଫୁଲର ବିଥିକା ମଧ୍ୟରେ ରଙ୍ଗୀନ ବାଲିଗରଡା ବିଛା ରାସ୍ତାରେ ବିଶାଳ ରିସେପ୍ସନରେ ପହଁଚିଲା । ସୁନ୍ଦରୀ ସ୍ୱିସ ରିସେପ୍ସନିଷ୍ଟ ତାର ଲିପଷ୍ଟିକ ବୋଳା ଓଠ ଖୋଲି ଏକ ସେକ୍ସି ଚାହାଣୀ ହାଣି ସାମାନ୍ୟ ହସି ମୋତେ ସ୍ୱାଗତ ଜଣାଇଲା । ହାଉସକୀପିଙ୍ଗ କାଉଣ୍ଟରରୁ  ରୁମ ଚାବିନେଇ ଆଗେ ଆଗେ ଚାଲିଲା ଓ ମୁଁ ତା ପଛେ ପଛେ ।

        ତୃତୀୟ ମହଲାର ଶେଷ ମୁଣ୍ଡରେ ଥିବା ରୁମର ଚାବି ଖୋଲିଲା ହାଉସକୀପିଙ୍ଗ । ମୁଁ ମୋ ସୁଟ ଭିତରେ ପ୍ରବେଶ କଲି । ବିଶାଳ ଭି ଆଇ ପି ସୁଟର ଶୀତ ତାପ ନିୟନ୍ତ୍ରିତ କୋଠରୀ ବେଶ୍ ଅତ୍ୟାଧୁନିକ ଉପକରଣରେ ସୁସଜ୍ଜିତ । ଫୁଲଦାନୀରେ ସଦ୍ୟ ସଜା ହୋଇଥିବା ବିଦେଶୀ ଫୁଲର ଭିନି ଭିନି ସୁଗନ୍ଧ ମୋ ମନ ମସ୍ତିଷ୍କକୁ ଆମୋଦିତ କରିଦେଉଥାଏ । ମୁଁ ପଛକୁ ଚାହିଁ ଦେଖିଲି ହାଉସକୀପିଙ୍ଗ ଠିଆହୋଇଛି । ମୁଁ କରେଂସି ଏକ୍ସଚେଞ୍ଜ କରିପାରି ନଥିବାରୁ ତାକୁ କୌଣସି ଟିପ୍ସ ଦେଇପାରି ନଥିଲି । ତେଣୁ ବାଧ୍ୟହୋଇ କହିଲି, " ସରି ! ଆଇ ହାଭ ନୋ ସ୍ୱିସ କରେଂସି ଉଇଥ ମି । ସୋ ଆଇ ସାଲ ଗିଭ ଇଉ ଲାଟର । ସେ ସାଲ୍ୟୁଟ କରି  ଚାଲିଗଲା । ମୁଁ ଡ୍ରେସ ଚେଞ୍ଜକରି ଶୋଇପଡିଛିଯେ କେତେବେଳେ ରାତି ହେଲା ଜାଣିପାରିଲିନାହିଁ ।

        କଳିଙ୍ଗ ବେଲର ଶବ୍ଦ ଶୁଣି ଉଠି ଦେଖେ ତ ରାତି ଆସି ଦଶଟା ବାଜିଲାଣି । ଡୋର ଖୋଲି ଦେଖେ ତ ପୂର୍ବୋକ୍ତ ହାଉସକୀପିଙ୍ଗ ଜଣକ ଠିଆହୋଇଛି । ସେ ମୋତେ ଦେଖି ଗୋଟେ ଚିଟ ମୋ ହାତରେ ଧରେଇଦେଇ ସଲାମ କରି ଚାଲିଗଲା । ମୁଁ ଦେଖେ ତ ସେଥିରେ ଇଂରାଜୀରେ ଲେଖାହୋଇଛି " ଆଇ ଆମ ୱେଟିଂ ଫର ୟୁ ଇନ  ରୁମ ନମ୍ବର 45 ଜଷ୍ଟ ବାଇ ୟୋର ରାଇଟ  ସାଇଡ ଆଣ୍ଡ ହୋପ ଫର କୁଇକ ଆରାଇଭାଲ "।

        କିଏ , କାହିଁକି ଡାକୁଛି ମୋତେ ଏ ଅଜଣା ସହରରେ , ଏକଥା ଭାବି ମୋ ମୁଣ୍ଡ ଜାମ ହୋଇଗଲା । ତେବେ ଡ୍ରେସ ବଦଳାଇ , ନିଜକୁ ଟିକେ ମିରରରେ ଦେଖିନେଲି । ଦେହରେ ଦାମି ପରଫିଉମ ଟିକେ ଲଗେଇ ମୁଣ୍ଡରେ ପାନିଆ ଚଳେଇନେଲି । ତାପରେ ମୋ ରୁମରୁ ବାହାରି ଦେଖେତ ମୋ ଡାହାଣ ପଟ ରୁମ ହେଉଛି 45 ନମ୍ବର । ମୁଁ ଡୋରରେ ଆଙ୍ଗୁଠି ପଛରେ ଠକ ଠକ କଲି । ଡୋରଟା ଖୋଲା ଥିଲା । ସଙ୍ଗେ ସଙ୍ଗେ ଖୋଲିଗଲା । ରୁମ ଭିତରେ କେହି ନଥିଲେ । ତାହା ଥିଲା ଡ୍ରଇଂଗ ରୁମ । ସେ ରୁମ ଅତିକ୍ରମ କରି ସେକେଣ୍ଡ ରୁମର ଡୋରକୁ ସାମାନ୍ୟ ଠେଲିଦେଲାରୁ ସେଇଟି ଖୋଲିଗଲା । ରୁମ ଭିତରେ ଉଜ୍ଜ୍ବଳ ଆଲୋକର ବନ୍ୟା । ସୁସଜ୍ଜିତ ରୁମଟିର ଠିକ ମଝିରେ ପଡିଛି ସୁସଜ୍ଜିତ ବେଡ଼ । ଠିକ ମୋ ଆଡ଼କୁ ପଛକରି ବେଡ଼ରେ ଶୋଇରହିଛନ୍ତି କେହି ଜଣେ ମହିଳା । ମୁଁ ଖଣ୍ଡି କାଶ ମାରି ମୋର ଉପସ୍ଥିତି ଜାହିର କଲି । କଡ଼ ଲେଉଟେଇଲେ ମହିଳା ଜଣକ । ମୁଁ ନିର୍ବାକ । ମୋ ଚକ୍ଷୁ ସାମନାରେ ଶୋଇରହିଥିବା ତରୁଣୀ ଜଣକୁ ଦେଖି ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । 
                " କ୍ରମଶଃ"

ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା

0 Comments