ଉପନ୍ୟାସ - ସାଉଁଟା ଅଷାଢ - ଦଶମ ଭାଗ - ପ୍ରମୋଦ କୁମାର ପଣ୍ଡା

ଉପନ୍ୟାସ - ସାଉଁଟା ଅଷାଢ - ଦଶମ ଭାଗ - ପ୍ରମୋଦ କୁମାର ପଣ୍ଡା

ମୁଁ ଖାଲି ମୁହଁଟା ଧୋଇଦେଇ ତର ତର ହୋଇ ଚାଲିଲି ମୋର ଶଙ୍କଟ ମୋଚନ ବନ୍ଧୁ ରମେଶ ପାଖକୁ । ରମେଶ ତା ବୈଠକ ଘରେ ବସି ଖବରକାଗଜ ଦେଖୁଥିଲା । ମୋତେ ଦେଖି କହିଲା " ଭଲ ହେଲା , ସାଥିହୋଇ ଚା ପିଇବା "। ତାପରେ ମାଉସୀଙ୍କ ଉଦ୍ଦେଶ୍ୟରେ ଡ଼ାକ ପକେଇଲା " ବୋଉ ! ଦି କପ ଚା ଆଣେ , ଶୁଭ ଆସିଛି "। ମୋତେ ଚୁପ ଚାପ ଦେଖି କହିଲା " ଆରେ ଘଟଣା କଣ ? ଆଜି ଏତେ ଚୁପଚାପ ଯେ "? ମୁଁ ରମେଶ ମୁହଁକୁ ଚାହିଁଲି ସିନା ମାତ୍ର କିଛି କହିପାରିଲିନି । ମୋ କଣ୍ଠ ରୁଦ୍ଧ ହୋଇଗଲା । ଆଖି ଦୁଇଟି ଲୁହ ଛଳ ଛଳ ହୋଇଗଲା । ରମେଶ ମୋର ଏ ଭାବ ଦେଖି ମୋ ପିଠିରେ ହାତ ବୁଲେଇ ସାନ୍ତ୍ୱନା ଦେଇ କହିଲା "କଣ ହୋଇଛି କହିଲେ ସିନା ଜାଣିବା "। ଏତିକିବେଳେ ମାଉସୀ ଚା ଦୁଇ କପ ଥୋଇଦେଇ ଗଲେ । ଦୁହେଁ ଚା ପିଇଲା ବେଳେ ରମେଶ ପୁଣି ମୋତେ ପ୍ରବୋଧନା ଦେଲା । ମୁଁ ନିଜକୁ ପ୍ରକୃତିସ୍ଥ କରି ସମସ୍ତ ଘଟଣା କହିଗଲି । ସେ ସବୁ ଶୁଣି ଗମ୍ଭୀର ହୋଇ କହିଲା " ଘଟଣା ନିଶ୍ଚିତ ଭାବରେ ଚିନ୍ତାଜନକ । ମୋତେ ସେ ସମୟରେ ମଉସା ଯଦି ଡାକି ଦେଇଥାନ୍ତେ ତେବେ ଏଭଳି ଘଟଣା ଘଟିନଥାନ୍ତା । ହଉ ଛାଡ଼ ! ଯାହା ହେବାକଥା ହେଇସାରିଲାଣି । ତୁ ଯା ଜଲଦି ମୋ ମାମୁଙ୍କ ପାଖକୁ ଯିବା । ସେ ଡ଼ିଷ୍ଟ୍ରିକ୍ଟି କୋର୍ଟରେ ସିନିଅର ଆଡଭୋକେଟ ଅଛନ୍ତି । ତୁ ଜଲଦି ତୋ ନିତ୍ୟକର୍ମ ତୁଟେଇ ତୋ ସ୍କୁଟର ଆଣି ଚାଲିଆ । ତାଙ୍କ ଘରକୁ ଯିବା । ସେ ଏହାର ପ୍ରତିକାର ନିଶ୍ଚୟ ବତେଇଦେବେ " । ମୁଁ ରମେଶ ଘରୁ ତୁରନ୍ତ ଆମ ଘରକୁ ଆସି ମୋ ନିତ୍ୟକର୍ମ ଶେଷକରି ପକେଟରେ ହଜାରେ ଖଣ୍ଡେ ଟଙ୍କା ଭର୍ତିକରି ସ୍କୁଟର ଧରି ରମେଶ ଘର ଦୁଆରେ ହାଜର ହୋଇଗଲି । ରମେଶ ରେଡିହୋଇ ବସିଥିଲା । ତାପରେ ମୁଁ ସ୍କୁଟର ଛୁଟେଇଦେଲି ଜିଲା ହେଡକ୍ବାର୍ଟରକୁ ।  
        ପ୍ରକୃତରେ ରମେଶର ମାମୁଁ ଜଣେ ପ୍ରତିଷ୍ଠିତ ଓକିଲ ହେବା ସଙ୍ଗେସଙ୍ଗେ ଜଣେ ଭଦ୍ରବ୍ୟକ୍ତି ମଧ୍ୟ ଥିଲେ । ସହରରେ ତାଙ୍କର ବିରାଟ କୋଠା ସାଥିକୁ ପ୍ରତିପତ୍ତି ମଧ୍ୟ ଥିଲା । ସେ ସବୁ ଶୁଣିସାରିଲା ପରେ କହିଲେ ମୁଁ ଚିଠି ଟିଏ ଲେଖିଦେଉଛି ତୁମେ ସେଇଟିକୁ ଥାନା ଇଂଚାର୍ଜ ଗୌରହରି ବାବୁଙ୍କୁ ଦେଇଦେବ । ତା ସହିତ ତେଲ ଖର୍ଚ୍ଚ ଓ ଜଳଖିଆ ଖର୍ଚ୍ଚ ସେଠାକାର ଥାନା ପୋଲିସକୁ  ସାଙ୍ଗରେ ଧରିକି ନେବେ ସେ ବାବଦରେ ଖର୍ଚ୍ଚ , ଏମିତି ମିଶାଇ ଟଙ୍କା ଦୁଇଶ ତିନିଶ ଖଣ୍ଡେ ପାଖରେ ରଖିଥା । ଗୌରହରି ବାବୁ ସବୁ ସମ୍ଭାଳି ନେବେ । ତାପରେ ପ୍ରଜ୍ଞା ହେଉଛି ସାବାଳିକା । ତେଣୁ ଆଇନଗତ ସମସ୍ୟା ନାହିଁ । ଯଦି କିଛି ଅସୁବିଧା ହେଲା ତେବେ କିଛି ଡରିବାର ନାହିଁ । ମୁଁ ତ ଅଛି । କେବଳ ସେ ପିଲା ସେଠି ଥିବାର ଅଛି । ଯଦି ଥିବ , କିଛି ଅସୁବିଧା ନାହିଁ ଆସିବାରେ " । ଏହାକହି ସେ ଗୋଟେ ଚିଠି ପୋଲିସ ଇଂଚାର୍ଜ ଗୌରହରି ବାବୁଙ୍କ ଉଦ୍ଦେଶ୍ୟରେ ଲେଖି ଆମକୁ ଦେଇଦେଲେ । ସ୍କୁଟର ଚାଲିଲା ସଦର ଥାନା ଅଭିମୁଖେ । ମୋତେ ଟିକେ ରିଲାକ୍ସ ଲାଗୁଥାଏ ସେତେବେଳେକୁ ।
        ଗୌରହରି ବାବୁ ଯେମିତି ଚିଠି   ପାଇଛନ୍ତି ସଙ୍ଗେ ସଙ୍ଗେ ଜଣେ ସବଇନ୍ସପେକ୍ଟରଙ୍କୁ ଡାକି ପଠାଇଲେ । ମୁଁ ତାଙ୍କ ହାତକୁ ପୁରା ପାଞ୍ଚଶହ ବଢ଼ାଇଦେଲି । ସେ ଏତେଗୁଡାଏ ଟଙ୍କା ଦେଖି ତୁରନ୍ତ ନିଜ ସାଥିରେ ଜଣେ ସବ ଇନ୍ସପେକ୍ଟରଙ୍କୁ ଧରି ବାହାରିଲେ । ଡ୍ରାଇଭର ଜିପ ବାହାର କଲା । ମୁଁ ସେଠାରେ ମୋ ସ୍କୁଟର ରଖିଦେଲି । ଆମେ ସମସ୍ତେ ପୋଲିସ ଜିପ ଧରି ବାହାରିଲୁ ମନୋହରପୁର,ପ୍ରଜ୍ଞା ଘର ଗାଁ କୁ । ମୁଁ ବହୁତ  ଉତ୍ତେଜିତ ଥାଏ । 
        ଗୌରହରି ବାବୁ ସେଠା ଥାନା ଇଂଚାର୍ଜଙ୍କୁ ସବୁ କଥା କହିବାରୁ ସେ ସଙ୍ଗେ ସଙ୍ଗେ ତାଙ୍କ ଷ୍ଟାଫ ଧରି ତାଙ୍କ ଜିପରେ ବାହାରିଲେ । ପ୍ରଜ୍ଞା ଘର ଦୁଆରେ ପହଁଚିଲା ବେଳକୁ ସମାନେ ତିନିଟା ବାଜି ସାରିଥିଲା । ଅବଶ୍ୟ ସମସ୍ତେ ବାଟ ହୋଟେଲରେ ଲଞ୍ଚ କରିସାରିଥିଲୁ । 
        ସେଠାକାର ଥାନା ଇଂଚାର୍ଜ ପ୍ରଜ୍ଞା ଘର କବାଟକୁ ରୋଲ ବାଡ଼ିରେ ଠକ ଠକ କଲେ । କିଛି ସମୟ ପରେ ଜଣେ ବୟସ୍କ ଲୋକ କବାଟ ଖୋଲିଲେ । ଦୁଆରେ ପୋଲିସକୁ ଦେଖି କବାଟକୁ ବନ୍ଦ କରିଦେବାକୁ ଗଲାବେଳେ ପୋଲିସ ସବୁ ଘରେ ପଶି ସାରିଥିଲେ । ଏତେଗୁଡିଏ ପୋଲିସକୁ ଏକାସାଙ୍ଗରେ ଦେଖି ପ୍ରଜ୍ଞାର ବାପା ବୋଉ ପୁରା ଡରିଗଲେ । 
        ଗୌରହରି ବାବୁ ତାଙ୍କର ଓଜନଦାର ପୋଲିସିଆ ଗଳାରେ ପଚାରିଲେ, ତୁମ ଝିଅ ପ୍ରଜ୍ଞା କାଇଁ ? ଶୀଘ୍ର ଶୀଘ୍ର କହ । ପୃଥୁଳକାୟା ଚାଳିଶି ବର୍ଷିଆ ସ୍ତ୍ରୀଲୋକ ଜଣକ ବୋଧେ ପ୍ରଜ୍ଞାର ସାବତ ବୋଉ ହେବ ନା କଣ କହିଲା " ହଜୁର ! ଆମ ସାଙ୍ଗରେ ସେ କଣ ଅଛି ? କୋଉ ବାଡିଖିଆ ଟୋକା ସାଥିରେ ତା'ର ସମ୍ପର୍କ ଥିଲା କେଜାଣି ଦିଦିନ ହେଲା କୁଆଡେ ସେ ଟୋକା ସାଥିରେ ପଳେଇଛି । ବହୁତ ଖୋଜିଲୁ ଆଜ୍ଞା । ଆମେ ଗରିବ ଲୋକ , କଣ କରିବୁ ? ଥିର ହୋଇକରି ରହିଲୁ "।  ସେଠାକାର ଥାନା ଇଂଚାର୍ଜ ପ୍ରଜ୍ଞାର ସାବତ ମା କୁ ଧମକାଇ ପଚାରିଲେ " ଯଦି ତୁମ ଝିଅ କୁଆଡେ ଚାଲିଗଲା ତୁମେ ଥାନାରେ ଏତଲା ଦେଇଛ କି ? କାଇଁ ଆମେ ତ ଜାଣିନୁ "। 
        ଏଥର ନିଶକୁ ଉପରକୁ ମୋଡ଼ି ଗୁଣ୍ଡା ଭଳି ଦିଶୁଥିବା ପ୍ରାୟ ତିରିଶ ବର୍ଷର ଜଣେ ଯୁବକ ଯାହାକୁ ମୁଁ ସେଦିନ ବର୍ଷା ଭିଜା ସନ୍ଧ୍ୟାରେ ଆମ ଗାଁ  ସନିଆ ଚା ଦୋକାନରେ ଦେଖିଥିଲି ପ୍ରଜ୍ଞାକୁ ଖୋଜିଆସିଥିଲେ, ସେ ବାହାରି ଆସି କହିଲା " ଆମ ଘର ପିଲା କୁଆଡେ ଗଲା କଣ କଲା ସେଥିରେ କାହାର କଣ ଗଲା ? ଆମ ଇଛା ଆମେ ପୋଲିସକୁ ଜଣେଇବୁ ନହେଲେ ନାହିଁ । ତମେ ସବୁ ଆମ ଘରୁ ବାହାରିଲ ଆଗେ "। 
        ଗୌରହରି ବାବୁ ସେଠା ଇଂଚାର୍ଜଙ୍କୁ କଣ କହିଲେ ଇଶାରାରେ କେଜାଣି , ସେ ହଠାତ ସେ ଗୁଣ୍ଡା ଭଳି ଦିଶୁଥିବା ଯୁବକର ଗାଲରେ ଠାଏ କରି ଚଟକଣାଟେ କସିଦେଲେ ଯେ ସେ ଜାଗାଟାରେ ତାର ଶବ୍ଦ ଗୁଞ୍ଜରିତ ହୋଇ ଉଠିଲା । ସେ ଏକାବେଳକେ ତଳେ ବସିପଡ଼ିଲା ଗାଲ ଆଉଁସିକରି ।  
        ଏଥର ଗୌରହରି ବାବୁ ତାଙ୍କର ପୋଲିସିଆ ଗଳାରେ ପଚାରିଲେ " କଣ ସତ ସତ କହିବ ନା ସମସ୍ତେ ବନ୍ଧା ହୋଇ ହାଜତକୁ ଯିବ " । ବିରି ମାଡ ଦେଖି କୋଳଥ ଚୋପା । ସଙ୍ଗେ ସଙ୍ଗେ ସବୁ ସତ କଥା ଜଣା ପଡିଗଲା । ପ୍ରଜ୍ଞାର ସାବତ ମା ଡରି ଡରି କହିଲା, ଆଜ୍ଞା ହଜୁର ! ଆମେ ଗରିବ ଲୋକ । ଚଳିବାକୁ ଅସୁବିଧା । ମୋ ଭାଇ କହିଲା ପ୍ରଜ୍ଞା ତ ଦେଖିବାକୁ ସୁନ୍ଦର । କଲିକତା ମାର୍କେଟରେ ଏହାର ଦାମ ପଚାଶ ହଜାରରୁ କମ ହେବନି । ତୁ କଣ ତାକୁ ଏବେ ଟଙ୍କା ଖର୍ଚ୍ଚ କରି ବାହାକରି ପାରିବୁ ?  ଜମି ବାଡ଼ି ବିକିଲେ ତୋ ପୁଅ କେମିତି ଚଳିବ ଭବିଷ୍ୟତରେ ? ତା କଥାରେ ଆମର ଲୋଭ ହେଲା । ତାକୁ ଚାକିରିର ଲୋଭ ଦେଖାଇ ନେଇଥିଲା ମୋ ଭାଇ , ମାତ୍ର ସେ ଅଲକ୍ଷଣି ଟୋକି ତାଙ୍କୁ ଧୋକାଦେଇ ବାଟରୁ ପଳେଇଥିଲା ଯେ ଜଣକ ଘରେ ଥିଲା । ଆମେ ଖବର ପାଇ ସେଠାରୁ ତାକୁ ଧରି ଆଣିଲୁ " ।
        ଅଚ୍ଛା , ଠିକ ଅଛି । ଏବେ ତୁମ ଝିଅ କୋଉଠି ଅଛି ତାକୁ ଡ଼ାକ " । କହିଲେ ଗୌରହରି ବାବୁ । ଏଥର ପ୍ରଜ୍ଞାର ବାପା ହାତଯୋଡି କାନ୍ଦ କାନ୍ଦ ହୋଇ କହିଲା  " ହଜୁର ଧର୍ମାବତାର ! ଏଇମାନେ ମୋ ଝିଅକୁ କଲିକତାର ଗୋଟେ ଲୋକକୁ ବିକିଦେଇଛନ୍ତି ଆଜ୍ଞା !  ଏଇ ଦିଦିନ ତଳେ ରାତିରେ ଗୋଟେ ଜିପ ଗାଡ଼ିରେ ଦିଜଣ ଲୋକ ଆସି ଜବରଦସ୍ତ ହାତ ଗୋଡ ମୁହଁ ବାନ୍ଧି ତାକୁ ପଛ ସିଟରେ ପକାଇ ନେଇଗଲେ । ନେଲାବେଳେ ମୋ ଝିଅ ବହୁତ ନେହୁରା ହେଲା , ଗୋଡ ହାତ ଧଇଲା , ମାତ୍ର ଏମାନେ କିଛି ଶୁଣିଲେନି । କି ପଥର ହୃଦୟ ଏମାନଙ୍କର ଯେ ଗୋରୁ ଗାଈ ନେଲା ଭଳି ମୋ ଝିଅକୁ ନେଇଗଲେ । ମୁଁ କିଛି କରିପାରିଲିନି ବାବୁ ! ମୋତେ ଜେଲରେ ପୁରାଅ । ମୁଁ ମହାପାପି , ବାପା ହେବାକୁ ମୋର ଯୋଗ୍ୟତା ନାହିଁ । ତା ମା ମଲାବେଳେ ତାକୁ ଦେଇଥିବା କଥା ମୁଁ ରଖିପାରିଲିନି ।
ଏବେ ମୋ ଝିଅର କି ଅବସ୍ଥା ହେଉଥିବ ପ୍ରଭୁଙ୍କୁ ଜଣା "। ପ୍ରଜ୍ଞାର ବାପା ଆଉ କିଛି ନକହି କାନ୍ଦି କାନ୍ଦି ତଳେ ଗଡ଼ିବାକୁ ଲାଗିଲେ ।
        ଗୋଟେ ଅସହାୟ ବାପର ଦୁରବସ୍ଥା  ଆମେ ସମସ୍ତେ ଦେଖୁଥିଲୁ । ସମସ୍ତେ ସ୍ତବ୍ଧ । କି ଅମଣିଷ ଏମାନେ । ଗୋଟେ ନିରୀହ ନିଷ୍ପାପ ଝିଅକୁ ଏମାନେ କେମିତି ଜଲ୍ଲାଦ ହାତରେ ଟେକିଦେଇପାରିଲେ ନିଜର ସୁଖ ପାଇଁ ? ଝିଅଟା କଣ କେବଳ ପଣ୍ୟ ଦ୍ରବ୍ୟ ଏମାନଙ୍କ ଦୃଷ୍ଟିରେ ! କି ଜଘନ୍ୟ ଏଗୁଡ଼ାକ । ଗୋଟେ ସଭ୍ୟ ସମାଜରେ ଏଭଳି ପଶୁ ଯେ ଅଛନ୍ତି ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା । ଏମାନେ କେମିତି ଇତର ହାତରେ ପ୍ରଜ୍ଞା ଭଳି ଝିଅକୁ ବେଶ୍ୟାବୃତ୍ତି କରିବାକୁ ଟେକିଦେଇ ପାରିଲେ ଚିନ୍ତାକରି ମୋ ମୁଣ୍ଡ ଭିତରଟା କଣ ହୋଇଗଲା । ଯାହା ଆଶା ଥିଲା ତାହା ମଉଳି ଗଲା । ଓଃ ମୋ ମୁଣ୍ଡଟା ଝାଇଁ ଝାଇଁ ହେଇଗଲା । ହାତ ମୁଠା ଦୁଇଟା ଟାଣ ହୋଇଗଲା ।  ମୁଁ ବୁଦ୍ଧିଶୂନ୍ୟ ହୋଇଗଲି । କ୍ରୋଧ ଓ ହତାଶାରେ ମୋର ମୁଣ୍ଡ ଆଉ କାମ କରୁନଥିଲା । ସବୁତକ ରାଗ ମୋର ଅଜାଡି ପଡିଲା ପ୍ରଜ୍ଞାର ସାବତ ମାମୁଁ , ସେ ଗୁଣ୍ଡା ଉପରେ । ମୋର ଯେତେ ଶକ୍ତି ଥିଲା ପ୍ରୟୋଗକରି ଦୁଲ ଦାଲ କରି ଲଦି ଦେଇଗଲି ତା ପିଠି, ମୁହଁ ଉପରେ । ସେ ତଳେ ପଡି ଚିତ୍କାର କରୁଥାଏ । ମୁଁ କିନ୍ତୁ ଗୋଇଠା ଗୋଇଠା ଲଦି ଦେଉଥାଏ ତା ଦେହରେ ।
        ଗୌରହରି ବାବୁ ଓ ରମେଶ ମୋ ଡେଣା ଧରି ମୋତେ ପଛକୁ ଟାଣି ଆଣିଲେ । ଗୁଡ଼େ ମାଡ ଦେଇ ଦେବାରୁ ମୋତେ ଟିକେ ଶାନ୍ତି ଲାଗିଲା । ପୋଲିସ ପ୍ରଜ୍ଞାର ସାବତ ମା ଓ ମାମୁଁକୁ ଆରେଷ୍ଟକଲା ଏହି ଜଘନ୍ୟ କାଣ୍ଡ ପାଇଁ । ତା ବାପାକୁ ସାକ୍ଷୀ ଭାବରେ ଛାଡିଦେଲେ । ସେମାନଙ୍କୁ ମନୋହରପୁର ଥାନା ପୋଲିସ ଧରିନେଲା । ପ୍ରଜ୍ଞାର ସାବତ ମାମୁଁ ଠାରୁ କଲିକତାର ସେ ଦଲାଲର ଡିଟେଲସ ଆଣି ଆମେ ଫେରିଲୁ ।
        ବାଟରେ ଗୌରହରି ବାବୁ କହିଲେ " ମାତ୍ର ଦୁଇ ଦିନ ହୋଇଛି ।  କଲିକତା ପୋଲିସିକୁ ଏ ଡାଟାଟା ଦେଇଦେଲେ ସେ ଖୋଜି ବାହାର କରିଦେବ ବୋଲି ମୋର ଆଶା "। ମୋତେ କିଛି ଭଲ ଲାଗୁନଥାଏ । ପ୍ରଜ୍ଞାର ଦୁରବସ୍ଥା କଥା ଚିନ୍ତାକରି ଛାତି ଭିତରଟା କୋରି ହୋଇଯାଉଥାଏ । ବିଚାରୀ କୋଉ ଅବସ୍ଥାରେ ଥିବ । ସେମାନେ କଣ ତା'ର ଅବସ୍ଥା କରୁଥିବେ , କେବଳ ଈଶ୍ୱର ହିଁ ଜାଣିଥିବେ ।
                " କ୍ରମଶଃ"

ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା

0 Comments