ଉପନ୍ୟାସ - ସାଉଁଟା ଆଷାଢ - ଷଷ୍ଠ ଭାଗ - ପ୍ରମୋଦ କୁମାର ପଣ୍ଡା

ଉପନ୍ୟାସ - ସାଉଁଟା ଆଷାଢ - ଷଷ୍ଠ ଭାଗ - ପ୍ରମୋଦ କୁମାର ପଣ୍ଡା

ହାତରେ ମାତ୍ର ଗୋଟାଏ ଦିନ ମଝିରେ । କାଲି ଛାଡ଼ି ପହରିଦିନ ମୋତେ କଲିକତା ଯିବାକୁ ପଡ଼ିବ । ପେଣ୍ଟିଙ୍ଗସ୍ ଗୁଡ଼ିକ ରେଡ଼ି କରି ପ୍ୟାକିଂ କରିବାରେ ବ୍ୟସ୍ତ ଥାଏ । ଭଲଭାବେ ପ୍ୟାକିଙ୍ଗ ନକଲେ ପେଣ୍ଟିଙ୍ଗ ଗୁଡିକର ମର୍ଯ୍ୟଦା ନଷ୍ଟ ହୋଇ ମୂଲ୍ୟ କମିଯିବାର ସମ୍ଭାବନାକୁ ଏଡେଇ ଦିଆଯାଇନପାରେ ।
        କାନ୍ଥଘଣ୍ଟାରେ ଢ୦ ଢ଼୦ କରି ରାତି ବାରଟା ବାଜିଲା । ଭାଉଜ ରାତିର ଖାଦ୍ୟ ଆଣି ମୋ ରୁମରେ ଦେଇଗଲେ ଓ ଜଲଦି ଖାଇଦେବା ପାଇଁ ତାଗିଦକରି  ଶୋଇବା ପାଇଁ ଗଲେ । ଦିନ ଯାକ ଖଟୁଛନ୍ତି ସେ ,ରାତିରେ ଟିକେ ରେଷ୍ଟ ନେଲେ ପୁଣି ସକାଳୁ ଉଠିବେ ସେ । ତାଙ୍କୁ ସେଥିପାଇଁ ମୁଁ ଜୋର ଜବରଦସ୍ତ ଶୋଇବାକୁ ପଠାଇଦେଲି । ନଚେତ ସେ ମୋତେ ନଖୁଆଇ ଯାଇନଥାନ୍ତେ ।
        ଖାଇବା ସେମିତି ଥୁଆହୋଇଛି । ମୁଁ ମୋ କାମରେ ବ୍ୟସ୍ତ । ହଠାତ ପଛରୁ କାହାର ବୀଣା ଜିଣା କଣ୍ଠସ୍ୱର ଶୁଣି ଚମକିପଡ଼ି ଚାହିଁଲା ବେଳକୁ ଦେଖିଲି ପ୍ରଜ୍ଞା ଠିଆହୋଇଛି । ଆଖିକୁ ଵିଶ୍ଵାସ ହେଲାନି । ଏତେ ରାତିରେ ପ୍ରଜ୍ଞା ମୋ ରୁମରେ ! ଯଦି ବା ତା'ର ଉପସ୍ଥିତି ମୋତେ କେମିତି ଏକ ଅଜଣା ଆନନ୍ଦ ଦେଉଥିଲା, ମାତ୍ର ଭୟ ଲାଗୁଥିଲା ଯେ କାଳେ କିଏ ଯଦି ଦେଖିଦେବ ତେବେ ତ କଥା ସରିଲା । ବୋଉ ଯେଉଁ ଲୋକ ଆଗେ ପ୍ରଜ୍ଞାକୁ ଘରୁ ବାହାର କରିଦେବ । ମୋ ହୃଦୟ ଭିତରେ ହେଉଥିବା ଅଲୋଡନକୁ ବୋଧହୁଏ ଅଳ୍ପ ବହୁତେ ଠଉରାଇ ପାରିଲା ପ୍ରଜ୍ଞା । 
        କହିଲା, " ନିଦ ହେଲାନି ତ , ଟିକେ ଚାଲିଆସିଲି । ଆପଣଙ୍କର ପେଣ୍ଟିଙ୍ଗ ଗୁଡିକ ବୋଧେ ଏଇ କାଲି ପହରିଦିନ ବାହାରକୁ ଚାଲିଯିବ "।   " ହଁ ! ସେଥିପାଇଁ ତ ଆଜି ରାତି ଭିତରେ ପ୍ୟାକ୍ କରିଦେବି । କାଲିକି ଆଉ କୌଣସି କାମ ବାକି ରଖିବିନି । କାଲି ପୁରା ରେଷ୍ଟ ନେବି । ପହରିଦିନ ସକାଳୁ ସକାଳୁ କଲିକତା ବାହାରିଯିବି "। ଏକା ଦମରେ ଏତକ କହି ମୁଁ ଟିକେ ଦମ ନେଲି । ପ୍ରଜ୍ଞା କହିଲା " ମୁଁ କିଛି ସାହାଯ୍ୟ କରିପାରିବିକି "? ମୁଁ ବ୍ୟସ୍ତହୋଇ କହିଲି " ନା ନା ....ତୁମେ ଶୋଇବ ଯାଅ । କିଏ ଯଦି ତୁମକୁ ମୋ ରୁମରେ ଦେଖିଦେବ ତେବେ ବଡ ଅସୁବିଧା ହେବ "। ସେ ମୋର ହଡ଼ବଡେଇଯିବା ଦେଖିକରି ହସି ପକାଇଲା । ଭୁବନମୋହିନୀ ହସ ରେ ମୁଁ ନିର୍ବାକ !  ତାପରେ ଘଟଣା ଟିକୁ ହାଲକା କରିବାକୁ ସେ କହିଲା,"   ଆରେ ! ଆପଣ ଖାଇନାହାନ୍ତି ଏପର୍ଯ୍ୟନ୍ତ "? ବଡ ଆଶ୍ଚର୍ଯ୍ୟ ଲୋକ ତ , ଦେହ ଖରାପ ହେଇଯିବ ଏମିତି କଲେ । ଚାଲିଲେ  ଚାଲିଲେ ଆଗେ ଖାଇଲେ ,ତାପରେ ଯୋଉ କାମ "। ଏକଥା କହିବା ସଂଗେ ସଂଗେ ଖାଦ୍ୟ ଉପରୁ ଢ଼ାଙ୍କୁଣୀ ହଟାଇଦେଲା ପ୍ରଜ୍ଞା । ମୁଁ ମନ୍ତ୍ର ମୁଗ୍ଧ ଭଳି ତା ଆଦେଶ ପାଳନ କରି ଖାଦ୍ୟ ତକ ଖାଇଦେଲି । ପ୍ରଜ୍ଞା ମୁଁ ମନାକରିବା ସତ୍ତ୍ୱେ ମୋ ଅଇଁଠା ବାସନ ସେଠୁ ଉଠାଇନେଇ ଚାଲିଗଲା । ମୁଁ ଅପେକ୍ଷାକଲି କାଳେ ସେ ଫେରିବ , ମାତ୍ର ସେ ଫେରିଲାନି । ସେ ମୁହୂର୍ତ୍ତ ଗୁଡାକ ଯେମିତି ମୋ ପାଇଁ ଅବିସ୍ମରଣୀୟ ହୋଇଯାଇଥିଲା । କାମ ସରିଯାଇଥିଲା । ମୁଁ ଟିକେ ଶୋଇବି   ବୋଲି ବାହାରିଲି ।
        ତା ପର ଦିନ ସକାଳେ ରମେଶ ଆସି ପହଞ୍ଚିଲା । ହାତରେ ତା'ର ପ୍ରଜ୍ଞାର ଆପଏଣ୍ଟମେଣ୍ଟ ଲେଟର । ମୁରୁକି ହସି କହିଲା, " ପ୍ରଜ୍ଞା ଦେବୀ ! ମିଠା ମଗାନ୍ତୁ । ଚାକିରୀ ହେଇଗଲା ଯେ"  । ମୁଁ କହିଲି " ସତେ ଯେମିତି ଦରମା ମିଳିଯିବ ଏ ଚାକିରୀରୁ । ମାଗଣା ଖଟିଲେ କେଜାଣି ଯଦି ଭାଗ୍ୟ ଜୋର ଥିବା ତେବେ ଦଶ ବର୍ଷ ପରେ କିଛି ମିଳିଯାଇପାରେ । ପ୍ରାଇଭେଟ ହାଇସ୍କୁଲ , କହୁଛି କଣ ନା ମିଠା "। ପ୍ରଜ୍ଞା ଆମ କଥାର ମଜା ନେଉଥିଲା ଚୁପ ଚାପ । ଭାଉଜ କହିଲେ " ହଉ ! ମୁଁ ମିଠା ଦେବି । ରମେଶ କେତେ ପରିଶ୍ରମ କରିଛନ୍ତି ।" ରମେଶ ମୋ ମୁହଁକୁ ଚାହିଁ ହସିଲା । ତାପରେ କହିଲା " ହେଲେ ଆଜି ଜଏନ କରିବାକୁ ପଡିବ । ତୁ ପ୍ରଜ୍ଞା ଦେବୀଙ୍କୁ ନେଇ ସ୍କୁଲରେ ଜଏନ କରାଇ ଆଣେ "। ଏକଥା କହି ସେ ଚା ପିଇ ସାରି ଚାଲିଗଲା । 
        ଅଚ୍ୟୁତପୁରଟା ଆମ ଗାଁ ଠୁ ମାତ୍ର ଦି ମାଇଲ ବାଟ । ଦଶଟା ବେଳକୁ ମୁଁ ପ୍ରଜ୍ଞାକୁ ସ୍କୁଟରରେ ବସାଇ ଅଚ୍ୟୁତପୁର ହାଇସ୍କୁଲ ଅଭିମୁଖେ ଚାଲିଲି । ବାଟ ଆବଡା ଖାବଡା , ତେଣୁ ସ୍କୁଟରରେ ଗଲାବେଳେ ସେ ବାରମ୍ବାର ମୋ ଦେହରେ ଧକ୍କା ଖାଉଥାଏ ଅବଶ୍ୟ ତାପରେ ସଞ୍ଜମତା ଅବଲମ୍ବନକରି ଯଥାସମ୍ଭବ ନିଜକୁ ସମ୍ଭାଳି ନେଉଥାଏ । ମୋ ଦେହ କେମିତି ରୋମାଞ୍ଚିତ ହୋଇଯାଉଥାଏ । ଏକ ନୂତନ ପୁଲକ, ନୂଆ ଅନୁଭୂତି ଯାହାକି ମୋ ପ୍ରାଣରେ ଶତ ଫଗୁଣର ରୋମାଞ୍ଚ ସୃଷ୍ଟି କରୁଥାଏ । ଉଭୟେ ସେଥିରେ ଡୁବିରହିଥାଉ । ସେ  ଆନନ୍ଦର ଯବନିକା ପଡିଲା । ସାମନାରେ ସ୍କୁଲ ଗେଟ । ମୋ ମନ କହୁଥିଲା ବାଟ ଟା ଆଉ କିଛି ଦୂର ଲମ୍ବିଯାଇନଥାନ୍ତା ? ପ୍ରକୃତରେ ସେଦିନ ମୋତେ ଲାଗିଲା ମୁଁ ଯେମିତି ବଡ ହୋଇଯାଇଛି ଏଇ ସୁନ୍ଦର ଯୌବନୋଚ୍ଛଳ ଶରୀରକୁ ନେଇ ।ତାହା ଏକ ଅବିସ୍ମରଣୀୟ ବେଳା ଥିଲା ମୋ ପାଇଁ ।
        ଫେରିଲାବେଳେ ସେ ଯେତେବେଳେ ଆମ ଘରଠି ଓହ୍ଲାଇଲା, ମୁଁ ଲକ୍ଷ୍ୟକଲି ଲାଜରେ ତା ମୁହଁଟା ଲାଲ ପଡିଯାଇଛି । ଆନତ ଚକ୍ଷୁଯୁଗଳରେ ଲୁଚିରହିଛି ଅନୁରାଗର ଅସରନ୍ତି ଭଣ୍ଡାର । କାହାରି ମୁହଁରେ ଭାଷା ନାହିଁ । କେବଳ ବୁକୁର ସ୍ପନ୍ଦନ ମାତ୍ରକ ଆମେ  ଅନୁଭବ କରୁଥିଲୁ । ମୁଁ ଭାବୁଥିଲି ଯେ ଏହା କଣ ପ୍ରେମ ?
                " କ୍ରମଶଃ"

ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା

1 Comments

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।