ଉପନ୍ୟାସ - ସାଉଁଟା ଆଷାଢ - ନବମ ଭାଗ - ପ୍ରମୋଦ କୁମାର ପଣ୍ଡା

ଉପନ୍ୟାସ - ସାଉଁଟା ଆଷାଢ - ନବମ ଭାଗ - ପ୍ରମୋଦ କୁମାର ପଣ୍ଡା

ମୁଁ ତଳ ଖଞ୍ଜାରେ ପହଂଚିଲା ବେଳକୁ ଭାଉଜ ବାଡିପଟୁ ଆସୁଛନ୍ତି । ମୁଁ ଏକରକମ ତାଙ୍କ ହାତକୁ ଧରିପକାଇ କହିଲି " ସତ କୁହ ଭାଉଜ ! ପ୍ରଜ୍ଞା କୁଆଡେ ଯାଇଛି ? ତୁମକୁ ମୋ ରାଣ " । ସେ ଟିକେ ମୋ ମୁହଁକୁ ଚାହିଁଲେ । ତାଙ୍କ ଆଖି ଦୁଇଟି ଲୁହରେ ଛଳ ଛଳ ହୋଇଗଲା । ଶାଢ଼ୀ କାନିରେ ଆଖି ପୋଛି କୋହ ଭିଜା କଣ୍ଠରେ ସେ କହିଲେ " ତମେ କଲିକତା ଯିବାର ଦିଦିନ ଠି ପ୍ରଜ୍ଞାର ବାପା ମା ଓ ତା ମାମୁଁ ଆସି ପହଁଚିଲେ । ଆମକୁ କହିଲେ ' ଆମ ଝିଅକୁ ଦିଅ । କଣ ପାଇଁ ତାକୁ ଏଠି  ରଖିଛ । ଭଲ,  ବିନା ଦରମାରେ ତମକୁ ଆମ ଝିଅ ଚାକରାଣୀ ଭାବରେ ମିଳିଯାଇଛି । ଭଲ ଭଦ୍ରଲୋକ ତମେ । ଡ଼ାକ ତାକୁ ଆମେ ଆସିଛୁ ତାକୁ ନେବାପାଇଁ ' । ଆମକୁ କିଛି କୁହାଇଦେଲେନି । ତା'ର ସେ ସାବତ ମା ଖଣ୍ଡକ ତ ପାଟିକରି ଘର ଭାଙ୍ଗୁଥାଏ " । ମୁଁ କହିଲି " ସେ  ପାଟିକଲା ବୋଲି  ତମେ ପ୍ରଜ୍ଞାକୁ ସେମାନଙ୍କ ଭଳି ଅମଣିଷ ରାକ୍ଷସଙ୍କ ହାତରେ ଛାଡିଦେଲ ? ତୁମେ ତ ସବୁ ଜାଣିଛ , ପୁଣି କେମିତି ସେ ରାକ୍ଷସ ମାନଙ୍କ ହାତରେ ଛାଡିଦେଲ ? ଭାଉଜ ନିରାଶ ସ୍ୱର ରେ  କହିଲେ '' କଣ  ଆଉ କରିଥାନ୍ତୁ ଯେ , ପ୍ରଜ୍ଞା ତ ନିଜେ ରାଜି ହେଲା ଯିବାକୁ "। ମୁଁ ଉତ୍ତୋଜିତ ହୋଇ କହିଲି " କେବେ ନୁହେଁ , ପ୍ରଜ୍ଞା କେବେ ସେ ନର୍କକୁ ଯିବାକୁ ରାଜି ହୋଇନଥିବ । ତୁମେ ମିଛ କହୁଛ ଭାଉଜ "। " ତୁମେ ମୋତେ ତୁମ ରାଣ ପକେଇବା ପରେ ମୁଁ ତୁମକୁ ମିଛ କହିବି ବୋଲି କେମିତି ଭାବିପାରିଲ "? କ୍ଷୋଭ ଓ ଅଭିମାନ ଭରା କଣ୍ଠରେ କହିଲେ ଭାଉଜ । ମୋର ସେତେବେଳେକୁ ଚେତନା ଶକ୍ତି ହଜି ଯାଇଥାଏ । ମୁଁ କଣ କହୁଥାଏ ତାହା ଜାଣିପାରୁନଥାଏ । ତେବେ ଏତିକି କହିଲି " ପ୍ରଜ୍ଞା କେମିତି ଯାଇପାରିଲା ? ନା , କିଛି ଗୋଟେ ରହସ୍ୟ ଲୁଚିକରି ରହିଛି " । 
        ଭାଉଜ କହିଲେ ଯେ ବାପା ଯେତେବେଳେ ପ୍ରଜ୍ଞାକୁ ସେମାନଙ୍କ ସାଥିରେ ଛାଡିବାକୁ ସଫା ମନାକରିଦେଲେ ସେତେବେଳେ ସେ ଯୋଉ ତା ସାବତ ମା ଖଣ୍ଡକ , ସେ ତ ପୁରା ଏଠି ଧମକ ଦେଲା । କହିଲା ' ଆହେ କି ଯୁଗ ହେଲା ! ମୋ ଝିଅକୁ ମୋ ସହିତ ଛାଡୁନାହାନ୍ତି ଏ ପର ଲୋକ ଗୁଡାକ । ୟାଙ୍କୁ ଯଦି ମୁଁ ପୁଲିସି ଲଗେଇ ବାନ୍ଧିକି ହାଜତରେ ନ ପୁରେଇଛି ତେବେ ମୁଁ ବୋପାର ପିଲା ନୁହଁ । ତା'ର ଏ ଧମକ ଚମକ ଶୁଣି ପ୍ରଜ୍ଞା ରାଜି  ହୋଇଗଲା "। 
        ଏଥର ମୁଁ ଜାଣିଗଲି କାହିଁକି ପ୍ରଜ୍ଞା ସେମାନଙ୍କ ଭଳି ପଶୁଙ୍କ ସାଙ୍ଗରେ ସେ ନର୍କକୁ ଯିବାକୁ ରାଜିହେଲା । କେବଳ ଆମକୁ କୌଣସି ବିପଦରେ ନପକାଇବାକୁ ସେ ବିପଦକୁ ବରଣ କରିନେଲା । ତା'ର ମହାନତା ନିକଟରେ ମୋ ମୁଣ୍ଡ ନଇଁଗଲା ।
        ସେ ରାତିରେ କିଛି ଆଉ  ଖାଇପାରିଲିନି । ଭାଉଜ , ବାପା , ବୋଉ ସମସ୍ତେ ମୋତେ ବୁଝାଇଲେ । କହିଲେ  ଯେ  ଆମେ  ଯେତେହେଲେ ପର । ସେମାନେ ବାପା ମା । ଆମେ କେମିତି ତାଙ୍କ ପିଲାକୁ ରଖିପାରିବା ? ତେଣିକି ତା ଭାଗ୍ୟ । ଯାହା ଭଗବାନଙ୍କ ଇଛା ।
        " ଆଶ୍ଚର୍ଯ୍ୟ ! କି ଦର୍ଶନ  ସତେ । ନିଜେ କୌଣସି ପ୍ରଚେଷ୍ଟା ନକରି ଭଗବାନଙ୍କ ହାତରେ ସବୁ ଟେକିଦେଇକରି ନିଶ୍ଚିନ୍ତ ରହିଯାଉଛନ୍ତି । ପ୍ରଜ୍ଞା ଯଦି ଏମାନଙ୍କର ନିଜ ପିଲା ହୋଇଥାନ୍ତା ତେବେ କଣ ଏମାନେ ଏମିତି ଚୁପ ରହିଥାନ୍ତେ ଭଗବାନଙ୍କ ଦ୍ୱାହି ଦେଇ "? 
        ମୋ ରୁମ ଟା ମୋତେ ଖାଁ ଖାଁ ଲାଗିଲା । ବ୍ୟାଗରୁ ପ୍ରଜ୍ଞା ପାଇଁ ଆଣିଥିବା ଜିନିଷ କାଢି ଦେଖିଲି । ଟପ ଟପ ହୋଇ ଆଖିରୁ ଲୁହ ଟୋପା ଖସିପଡ଼ିଲା । ତା'ର ସେ ନିରୀହ ମୁହଁ ଓ ନିଷ୍ପାପ ଆଖି ଦୁଇଟି ମୋ ଆଖି ଆଗରେ ବାରମ୍ବାର ନାଚିଉଠିଲା । ଛାତି ଭିତରୁ  ଦୀର୍ଘନିଃଶ୍ୱାସ ନିର୍ଗତ ହେଉଥାଏ ବାରମ୍ବାର । ପୃଥିବୀଟା ଯାହା ଏପର୍ଯ୍ୟନ୍ତ ମୋତେ ସ୍ୱର୍ଗ ଭଳି ପ୍ରତୀୟମାନ ହେଉଥିଲା ତାହା ମୋତେ ଉତପ୍ତ ଲାଭା ପିଣ୍ଡ ଭଳି ଲାଗିଲା । ଅସହ୍ୟ ଯନ୍ତ୍ରଣାରେ ହୃଦୟଟା ଯେମିତି ରକ୍ତାକ୍ତ ହେଲାଭଳି ହୃଦବୋଧ ହେବାକୁ ଲାଗିଲା । ଆଖିରୁ ନିଦ କୋଶ ଦୂର ଥିଲା । କୋଠରୀଟା ଭିତରେ ଖାଲି  ଏପଟ ସେପଟ ହୋଇ ଟହଲିବାକୁ ଲାଗିଲି । ରାତିଟା ଯେମିତି ଅସମ୍ଭବ ଭାବରେ ଲମ୍ବା ଥିଲା ଯେ ପାହିବାର ନାମ ନେଉନଥିଲା ।କୋଠରୀର ନିର୍ଜନତା ଭିତରେ ମୁଁ କେବଳ ମୋର ଦୀର୍ଘନିଃଶ୍ବାସକୁ ଶୁଣି ପାରୁଥିଲି । ପ୍ରଜ୍ଞାର ସମସ୍ତ କାର୍ଯ୍ୟକଳାପ ଓ ଚାଲିଚଳଣୀ  ତା'ର କଥାବାର୍ତ୍ତା ଓ ବ୍ୟବହାର ସିନେମା ପରି ମୋ ଆଖି ଆଗରେ ଚଳ ଚଞ୍ଚଳ ହେବାକୁ ଲାଗିଲା । ମୁଁ ଭାବିଲି ମୁଁ ପାଗଳ ହୋଇଯିବିନି ତ ? ତା ପ୍ରତି ଏ ଆକର୍ଷଣ ଯେ ଏମିତି ଚରମ ସୋପାନରେ ପହଂଚିଯିବ ଏକଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି । ସେ ଥିଲାବେଳେ ଏଭଳି ଭାବନା ତ ନଥିଲା । ତେବେ ଏବେ କାହିଁକି ? ବୋଧେ ହୃଦୟ ସନ୍ଧିରେ ଏ ଆକର୍ଷଣ , ଏ ବ୍ୟାକୁଳତା , ଏ ପ୍ରଗାଢ ମୋହ ଲୁଚିରହିଥିଲା ଠିକ ସୁପ୍ତ ଆଗ୍ନେୟଗିରିରେ ଲାଭା ଭଳି ।
        ମନ ଦୃଢ କଲି । ଏଭଳି ସଙ୍ଗିନ ମୁହୂର୍ତ୍ତରେ ଏ ଦୁର୍ବଳତା ଠିକ ନୁହେଁ । ମୋତେ ପ୍ରଜ୍ଞାକୁ ଖୋଜି ବାହାର କରିବାକୁ ପଡିବ । ସେ ପୃଥିବୀର ଯେଉଁଠି ବି ଥାଉ ନା କାହିଁକି ?  ମୋ ପାଖରେ ଅର୍ଥର ଅଭାବ ନାହିଁ । ମୋତେ କେବଳ ସାହାସ ରଖିବାକୁ ପଡିବ ।ମନକୁ ଦୃଢ ରଖିବାକୁ ପଡିବ । ମୁଁ ଜାଣିଥିଲି ଯେ ମୋ ବ୍ୟତୀତ ପ୍ରଜ୍ଞାର ଆଉ କେହି ନାହାନ୍ତି ।  ତାକୁ ଯେମିତି ହେଲେ ଖୋଜିବାକୁ ପଡିବ । କାନ୍ଥ ଘଣ୍ଟାରେ ରାତି ଚାରିଟା ବାଜି ସାରିଥିଲା । ଆଖିପଟା ଦୁଇଟି ବନ୍ଦ ହୋଇ ଆସିଲା । ପଲକ ଭିତରେ ପ୍ରଜ୍ଞାର ସୁନ୍ଦର ଓ ଉଜ୍ଜ୍ୱଳ ଚେହେରା ମୋତେ ହାତ ଠାରି ଡାକୁଥିଲା । ତା ଚେହେରାକୁ ନିଜ ଭିତରେ ଏକାନ୍ତ ଭାବେ ରଖିବା ପାଇଁ ଆଖିର ପଲକ ଦୁଇଟି ବନ୍ଦ ହୋଇଗଲେ ।
        ପ୍ରଜ୍ଞାକୁ ମୁଁ ଖୋଜି ବାହାରିଲି । ବହୁତ ବାଟ ଗଲାପରେ  ଦେଖିଲି ଆଗରେ ବିଶାଳ ସାଗରର ସୁନୀଳ ଜଳରାଶିରେ ଫେନୀଳ ବୀଚିମାଳା ଭିତରେ ଗୋଟେ ବୋଇତ ଭିତରେ ପ୍ରଜ୍ଞା ବସିଛି । ବୋଇଟଟି ଆଗକୁ ଆଗକୁ ମାଡି ଚାଲିଛି । ମୋତେ ଦେଖି ସେ ତା' ର ଦୁଇ ବାହୁ ତୋଳି ଡ଼ାକ ପକାଇଲା ବିକଳରେ । ମୁଁ ଖୁବ ଚିତ୍କାର କରି ଡାକିଲି ....ପ୍ରଜ୍ଞା.....। ମାତ୍ର ସାଗରର ସେ ମନ୍ଦ୍ର ଘୋଷ ଭିତରେ ମୋ ଡ଼ାକ ହଜିଗଲା କୁଆଡେ । ମୁଁ ବ୍ୟାକୁଳ ହୋଇ ସମୁଦ୍ର ଭିତରକୁ ଧାଇଁଲି । ମାତ୍ର ସେତେବେଳେକୁ ସେ ବୋଇଟଟା ଦିଗବଳୟ ଭିତରେ ନିଶ୍ଚିହ୍ନ ହୋଇଯାଇଥିଲା । ଆଗରେ ସୁବିସ୍ତୃତ  ଗାଢ଼ ନୀଳ ଜଳରାଶି ଓ ତା'ର ଗର୍ଜ୍ଜନ ବ୍ୟତୀତ ଆଉ କିଛି ନଥିଲା ।
        ମୁଁ ଆର୍ତ୍ତ ଚିତ୍କାର କରିଉଠିଲି .....ପ୍ରଜ୍ଞା...... ! ଭାଉଜ ଆସି ମୋତେ ହଲେଇଦେଲେ । ମୁଁ  ଉଠିବସି ଦେଖେ ତ ମୋ ଶେଯ ଉପରେ ମୁଁ ବସିଛି । ଭାଉଜ ମୋ ମୁଣ୍ଡ ଆଉଁସି ଦେଇ କହିଲେ " ତୁମେ ଏମିତି ହେଲେ କେମିତି ହେବ ? ବାପା ବୋଉ ଶୁଣିଲେ କଣ ଭାବିବେ "? ମୁଁ କିଛି ଉତ୍ତର ନଦେଇ ଅଗଣାକୁ ଚାହିଁଲି , ସକାଳ ହୋଇସାରିଥିଲା । ବିକ୍ଷୁବ୍ଧ ସୂର୍ଯ୍ୟ ରଶ୍ମି ଆଗଣରେ ଇଆଡେ ସିଆଡେ ବିଛାଡି ହୋଇ ପଡ଼ିଥିଲା ପିଜୁଳି ଗଛର ଫାଙ୍କ ଦେଇ । ମୁଁ ଆତ୍ମସନ୍ତୋଷ ଲାଭକରୁଥିଲି ଯେ ପ୍ରଜ୍ଞାର କିଛି ହୋଇନି । ସେ ସୁରକ୍ଷୀତ ଅଛି । ମୁଁ ସ୍ୱପ୍ନ ଦେଖୁଥିଲି ମାତ୍ର ।
                " କ୍ରମଶଃ"

ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା

0 Comments