ଉପନ୍ୟାସ - ସାଉଁଟା ଆଷାଢ - ଏକାଦଶ ଭାଗ - ପ୍ରମୋଦ କୁମାର ପଣ୍ଡା

ଉପନ୍ୟାସ - ସାଉଁଟା ଆଷାଢ - ଏକାଦଶ ଭାଗ - ପ୍ରମୋଦ କୁମାର ପଣ୍ଡା

ଏଇ ଭିତରେ ପ୍ରାୟ ମାସେ ବିତିଗଲାଣି । ପ୍ରଜ୍ଞାର କିଛି ଖୋଜ ଖବର ନାହିଁ । ମୁଁ ପୁରା ବ୍ୟତିବ୍ୟସ୍ତ ହୋଇଗଲିଣି ସଦର ଥାନାକୁ ଦୌଡ଼ି ଦୌଡ଼ି । ଗୌରହରି ବାବୁ ଯେ ଚେଷ୍ଟା କରୁନାହାନ୍ତି ସେକଥା ନୁହେଁ । କିନ୍ତି ଏପର୍ଯ୍ୟନ୍ତ କିଛି ଭଲ ଖବର ହସ୍ତଗତ ହୋଇନି । ଓଡ଼ିଶା ପୋଲିସ ଏବଂ ବେଙ୍ଗଲ ପୋଲିସ ମିଶି ଗୁଡାଏ ଘଣ୍ଟା ଚକଟା କଲେଣି କିନ୍ତୁ ଫଳ ଶୂନ । ମୁଁ ଗୌରହରି ବାବୁ ଓ ରମେଶର ମାମୁଁଙ୍କ ପାଖକୁ ପ୍ରତି ଦିନେ ଦୁଇଦିନ ଅନ୍ତରରେ ଦୌଡୁଛି , ଯେତେ ଟଙ୍କା ଖର୍ଚ୍ଚ ହେଉ ପଛେ ଦେବି ବୋଲି ମଧ୍ୟ ପ୍ରତିଶ୍ରୁତି ଦେଉଛି , ମାତ୍ର କିଛି ଗୋଟେ ସୁସମ୍ବାଦ ହାତରେ ଲାଗିନି । ନା ପ୍ରଜ୍ଞା ମିଳୁଛି ନା ସେ ଦଲାଲ । କିନ୍ତୁ ମୁଁ ଆଶା ଛାଡିନି । ମୋର ମନରେ ପ୍ରଜ୍ଞା ଫେରିବା ନେଇ ଆଶା ବଳବତ୍ତର ରହିଛି । ପ୍ରଜ୍ଞାର ଶୀଘ୍ର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ ମୁଁ ପ୍ରବଳ ଆଶାବାଦୀ ଥିଲି । ପ୍ରତି ମୁହୂର୍ତ୍ତରେ ଈଶ୍ଵରଙ୍କ ନିକଟରେ ତାର ସୁରକ୍ଷା ପାଇଁ ପ୍ରାର୍ଥନା କରୁଥିଲି ।

        ଦିନେ ରୋଜାଲିନ ଦେବୀଙ୍କର ଚିଠିଟିଏ ପାଇଲି । ସେ ମୋର ପେଣ୍ଟିଙ୍ଗ କାମ କେତେଦୂର ଗଲା ବୋଲି ଜାଣିବାକୁ ଚାହିଁଛନ୍ତି । ମୁଁ ବା କଣ ଉତ୍ତର ଦେବି ? ଜୀବନରେ କେବେ ମିଛ କହିନଥିଲି ମାତ୍ର ସେଦିନ ମିଛକଥା ଲେଖିଲି ଯେ ପେଣ୍ଟିଙ୍ଗସ୍ କାମ ଚାଲିଛି ଜୋରସୋରରେ । ମାତ୍ର ଏକଥା ସତ ଯେ ମୁଁ ସେପର୍ଯ୍ୟନ୍ତ କାମ ଆରମ୍ଭ କରିନଥିଲି ।  ? ପ୍ରଜ୍ଞା ମ୍ୟାଟରରେ ମାସେ ବିତିଗଲାଣି । ତାପରେ ଯେଉଁ ଲୋକ ଆଖିବୁଜି ପଚାଶ ହଜାର ଗଣି ଦେଇଛି ସେ ମଝିରେ ମଝିରେ ବୁଝିବାଟା ବି ଠିକ । ଭାବିଲି ମୋର ଦୁଇ କଳାକାର ବନ୍ଧୁ ରାଧେକୃଷ୍ଣ ଓ ହରେକୃଷ୍ଣଙ୍କୁ ଡାକିଦେଲେ କାମ ଶୀଘ୍ର ହୋଇଯିବ । ସେ ଦୁହେଁ ବି ଭଲ ଆର୍ଟିଷ୍ଟ । ବେକାର ହୋଇ ଘରେ ବସିଛନ୍ତି । ଯାହାହେଉ ସେ ଦୁହେଁ ବି ରାଜି ହୋଇଗଲେ । ମୋ ମୁଣ୍ଡରୁ ଗୋଟେ ବୋଝ ଗଲା । ପେଣ୍ଟିଙ୍ଗସ୍ କାମ ଆଗେଇଚାଲିଲା । ଦିନଟା ଯାହାହେଉ କାର୍ଯ୍ୟବ୍ୟସ୍ତତା ଭିତରେ କଟିଯାଉଥାଏ , ମାତ୍ର ରାତିଟା ମୋତେ ପ୍ରବଳ ଭାବରେ ବିଚଳିତ କରିପକାଏ । ମସ୍ତିଷ୍କ ଭିତରେ ପ୍ରଜ୍ଞାର ସ୍ମୃତି ଗୁଡାକ ଜମାହୋଇଯାନ୍ତି । ଗୁଡାଏ ସମୟ ତା ସ୍ମୃତିର ରୋମନ୍ଥନ କରି କେତେବେଳେ ଯେ ଆଖି ଲାଗିଯାଏ ଜାଣିପାରେନି । ମୁଁ କିନ୍ତୁ ପ୍ରଜ୍ଞାର ସ୍ମୃତିକୁ ହୃଦୟ ଭିତରୁ ଲିଭିବାକୁ ଦିଏନା । ବିରହର ଲୁହ ବୋହିଆସି ମନକୁ ମନ ଶୁଖିଯାଏ ।
        ଆମେ ତିନି ଜଣ ମିଶି ଛ ମାସ ଭିତରେ ପ୍ରାୟ ଦଶଟି ବଡ ବଡ ପେଣ୍ଟିଙ୍ଗସ ସାରିଦେଇଥିଲୁ । ଗୋଟିଏ ଗାଡି ଭଡ଼ାକରି ମୁଁ ସେତକ ଧରି କଲିକତା ଅଭିମୁଖେ ଯାତ୍ରାକଲି । ଆଗରୁ ରୋଜାଲିନ ଦେବୀଙ୍କୁ ଚିଠି ଲେଖି ଜଣାଇଦେଇଥାଏ । ରୋଜାଲିନ ଦେବୀଙ୍କ ବଙ୍ଗଳା ' ସୁମିତ୍ରା ଭବନ ' ରେ ହିଁ ଡେଲିଭରି ଥିଲା । ସେଠି ପହଂଚିଲା ବେଳକୁ ରାତି ଦଶଟା । ନିଜେ ରୋଜାଲିନ ଦେବୀ ମୋତେ ନେବାପାଇଁ ଆସିଲେ । ତାଙ୍କ ଲୋକ ସବୁ ପେଣ୍ଟିଙ୍ଗସ୍ ତକ ଖାଲିକରି ଗୋଦାମ ଘରେ ରଖିଦେଲେ । ଗାଡି ଡ୍ରାଇଭରକୁ ମୁଁ ତା ଭଡା ଦେଇ ବିଦା କରିଦେଲି । କାରଣ ମୋତେ କଲିକତାରେ ଦିନେ ଦିଦିନ ରହିବାକୁ ପଡିବ । ଏକରେ ସେଠିକାର ପୋଲିସକୁ ଦେଖାକରି ପ୍ରଜ୍ଞା ବିଷୟରେ ବୁଝିବାକୁ ପଡ଼ିବ । ସେଥିପାଇଁ ଗୌରହରି ବାବୁଙ୍କ ଠାରୁ  ଗୋଟିଏ ଚିଠି ସେଠିକା ପୋଲିସ ଇଂଚାର୍ଜ ହରମୋହନ ଚାଟାର୍ଜୀଙ୍କ ଉଦ୍ଦେଶ୍ୟରେ ଆଣିଛି । ଦୁଇରେ ପେଣ୍ଟିଙ୍ଗସ୍ ପାଇଁ କିଛି ଉପକରଣ କଲିକତାରୁ କିଣିବାକୁ ହେବ । ସେଥିପାଇଁ ମୁଁ ହୋଟେଲରେ ଦୁଇଦିନ ରହିବି ବୋଲି ପ୍ରସ୍ତୁତ ହୋଇ ଆସିଥିଲି ।
        ହୋଟେଲରେ ରହିବା କଥା ଶୁଣି ରୋଜାଲିନ ଦେବୀ ମୋ ଉପରେ ବିରକ୍ତ ହେଲେ । କହିଲେ " ଆମର କେବଳ ଇଣ୍ଡିଆ ଭିତରେ ହିଁ ତିରିଶଟି ହୋଟେଲ ଅଛି । ଆପଣ ବାହାର ହୋଟେଲରେ ରହିବେ କଣ ପାଇଁ ? ତେବେ  ଆମର ଏତେବଡ ବଙ୍ଗଳା । କେବଳ ମୁଁ ହିଁ ଏ ବିରାଟ ବଙ୍ଗଳାରେ ଏକା । ଆଉ ସବୁ ବାହାର ଲୋକ କେବଳ ଏଠି କାମ କରୁଛନ୍ତି । ସେକେଣ୍ଡ ଫ୍ଲୋରରେ ମୁଁ ରହେ । ଫାର୍ଷ୍ଟ ଫ୍ଲୋରରେ ଗେଷ୍ଟ ଆସିଲେ ରହନ୍ତି । ଗ୍ରାଉଣ୍ଡ ଫ୍ଲୋରରେ ଅଫିସ, ଡ୍ରଇଂଗ , ଗୋଡାଉନ ,କିଚେନ, ଡାଇନିଂ ଅଛି । ସର୍ଭେଣ୍ଟସ ମଧ୍ୟ ଏଠି ରହନ୍ତି ।  ଏତେବଡ ଘରେ କଣ ଆପଣ ଜଣେ ଲୋକ ରହିପାରିବେନି ଯେ ହୋଟେଲକୁ ଯିବେ ରହିବାକୁ ପୁଣି ମୋ ଗେଷ୍ଟ ହୋଇ ! ଠିକ ଅଛି , ଆପଣ ଯଦି ଆମ ବଙ୍ଗଳାରେ ରହିବାକୁ ଚାହୁଁନାହାନ୍ତି ତେବେ ମୁଁ ଟେଲିଫୋନ କରିଦେଉଛି ଆମ ହୋଟେଲରେ ରହିଯିବେ " ।
ଏହା କହିସାରି ରୋଜାଲିନ ଦେବୀ ଟେଲିଫୋନର ରିସିଭର ଉଠାଇଲେ । ମୁଁ ସଙ୍ଗେ ସଙ୍ଗେ କହିଲି " ଟେଲିଫୋନ କରନ୍ତୁନି ଆଜ୍ଞା , ମୁଁ ଆପଣଙ୍କ ବଙ୍ଗଳାରେ ରହିଯିବି "। ମୋ କଥା ଶୁଣି ସେ ରିସିଭରଟାକୁ କ୍ରେଡିଲ ଉପରେ ରଖିଦେଲେ । ତାଙ୍କ ମୁହଁରେ ବିଜୟସୂଚକ ହସ ଫୁଟି ଉଠି ମିଳେଇଗଲା ।
        ସେଦିନ ରାତିରେ ମୋର ଯେଉଁ ରୁମରେ ରହିବାର ବ୍ୟବସ୍ଥା କରାଗଲା ତାହା କୌଣସି ରାଜା ମହାରାଜାଙ୍କ ବେଡ଼ରୁମ ଠାରୁ କମ ନଥିଲା । ବିଶାଳ ବେଡ଼ରୁମରେ ରବିବର୍ମାଙ୍କର ପେଣ୍ଟିଙ୍ଗସ୍ ସବୁ ଲାଗିଥିଲା । କାଠର ବେଡ଼ରବରେ ମୂଲ୍ୟବାନ ସ୍ଲିପିଂଗ ସୁଟ । ତଳେ ମୋଟା ଇରାନୀ ଗାଲିଚା । ଛାତରୁ ଝୁଲିରହିଛି ବିରାଟ ବଡ ଝାଡ଼ ଯାହାକି ବିଭିନ୍ନ ରଙ୍ଗୀନ ଲାଇଟରେ ସୁସଜ୍ଜିତ । ବିଶାଳ ପଲଙ୍କରେ ମୁଲାୟମ ଗଦି । କୋଣରେ ସଜାଯାଇଛି ଇଟାଲିରୁ ଇଂପୋର୍ଟ ହୋଇଥିବା ମାର୍ବଲର ଅର୍ଧନଗ୍ନ ସୁନ୍ଦରୀ ନାରିମୂର୍ତ୍ତୀ ଯାହାଙ୍କ ଭଙ୍ଗୀରେ ଭରିରହିଥିବା ମିଳନର ଇଛା ଏତେ ତୀବ୍ର ଯେ କୌଣସି ମଣିଷ ମନରେ ରତି ଇଚ୍ଛାକୁ ଜାଗ୍ରତ କରିବାକୁ ସକ୍ଷମ । ଗୋଟେ ପଟେ   ରିଡିଙ୍ଗ ଟେବୁଲ ତା ଉପରେ ଇଂପୋର୍ଟେଡ଼ ଲ୍ୟାମ୍ପ । ଏବେବି ତା ଉପରେ ଥିବା ଫୁଲଦାନିରୁ ସଜ ଫୁଲର ବାସ୍ନା ଘର ଭିତରକୁ ମହାକାଉଥାଏ ଯାହା କିଛିସମୟ ପାଇଁ ମୋତେ ସ୍ୱପ୍ନପୁରୀର ଭ୍ରମରେ ପକାଇଲା । ମାତ୍ର ଶୀଘ୍ର ମୁଁ ସଂଯତ ହୋଇଗଲି ଓ ମନରୁ ମୋହ ତ୍ୟାଗ କଲି । 
        ରୋଜାଲିନ ଦେବୀ କହିଲେ " ଆପଣଙ୍କର ଯଦି ରୁମ ପସନ୍ଦ ନହେଉଛି ତେବେ ସେକେଣ୍ଡ ଫ୍ଲୋରରେ ଡାଡିଙ୍କ ବେଡ଼ରୁମରେ ଆପଣ ରାତ୍ରିଯାପନ କରିପାରନ୍ତି "। ମୁଁ କହିଲି " ନା ନା ,,,,,ଏ ରୁମଟି ପ୍ରକୃତରେ ବହୁତ ସୁନ୍ଦର ହୋଇଛି । ଆପଣ ନିଶ୍ଚିନ୍ତ ରୁହନ୍ତୁ "। ସେ ରାତିରେ ମୋତେ ଯେଉଁ ଡିନର ଦିଆଗଲା ତାହା କୌଣସି ରୟାଲ ଡିନର ଠାରୁ କମ ନଥିଲା । ମୁଁ ଯାତ୍ରାଜନିତ କ୍ଲାନ୍ତି ଓ ଭୁରିଭୋଜନ ଯୋଗୁଁ ଶୋଇପଡ଼ିଲି ଯେ ଉଠିଲା ବେଳକୁ କେତେବେଳୁ ରାତି ପାହିସାରିଥିଲା ।
        ଅତି ଶୀଘ୍ର ମୋର ନିତ୍ୟକର୍ମ ଶେଷକରି ସାରିଲା ବେଳକୁ ଚାକରାଣୀ ଆଣି ଜଳଖିଆ ଦେଇଗଲା ।  ଜଳଖିଆ ଖାଇସାରି ମୁଁ ଚାକରାଣୀକୁ ରୋଜାଲିନ ଦେବୀଙ୍କ କଥା ପଚାରିଲି । ସେ କହିଲା , ମାଡାମ ଶୋଇଛନ୍ତି । ସେ ଉଠିଲା ବେଳକୁ ଡେରିହେବ । " ଆଛା " କହି ମୁଁ ତଳକୁ ଚାଲିଲି । ତଳେ ପହଁଚିଲା ବେଳକୁ ଦେଖିଲି ଡ୍ରାଇଭର ମୋତେ ଅଭିବାଦନ ଜଣାଇ କାରର ଡୋର ଖୋଲିଦେଲା । ମୋ ଆଶ୍ଚର୍ଯ୍ୟ ଭାବ ଦେଖି କହିଲା " ମାଡାମ କାଲିଠାରୁ କହିଥିଲେ ଯେ ଆପଣ ଯୁଆଡେ ଯିବେ କାରରେ ଯିବେ । ମୁଁ କହିଲି," ଆରେ ଭାଇ ! ତୁମେ ଥାଅ ମୁଁ ଟାକ୍ସିରେ ଚାଲିଯିବି "।
 " ନାଇଁ ସାର ! ଦୟାକରି ଆସନ୍ତୁ , ନହେଲେ ମୋ ଚାକିରୀ ଚାଲିଯିବି "।
ଅଗତ୍ୟା ମୋତେ ହାୱଡା ପୋଲିସ ଷ୍ଟେସନ  ଯିବାର ଅଛି କହି କାରରେ ବସିଲି । ବାଟରେ ମନେ ମନେ ଭାବୁଥାଏ " ମୋ ଭଳି ଜଣେ ସାଧାରଣ ଲୋକ ପ୍ରତି ରୋଜାଲିନ ଦେବୀଙ୍କ ଭଳି ଜଣେ ମଲ୍ଟି କ୍ରୋରସ ଶିଳ୍ପପତିଙ୍କର ଏତେ ଅନୁଗ୍ରହ କାହିଁକି ? ମୋ ପେଣ୍ଟିଙ୍ଗସ୍ ତାଙ୍କୁ ଭଲ ଲାଗିଲା ଆଉ ସେ ସେଗୁଡିକୁ କିଣିନେଲେ । ବାସ , କଥା ଶେଷ୍ "।ମୋର ମନେପଡ଼ିଲା ବଳୀ ପଡିବା ପୂର୍ବରୁ କେମିତି ବୋଦାକୁ ବହୁ ପୂର୍ବରୁ ଖୁଆଇ ପିଆଇ ସୁସ୍ଥ ସବଳ କରାଇ ଶେଷକୁ ବଳୀ ଦିଆଯାଏ । ମୁଁ ଆଉ ସେଇ ବଳୀ ନୁହେଁ ତ ? ମାତ୍ର ମୋ ପାଖରେ ତାଙ୍କର କି କାମ । ପୁଣି ନିଜକୁ ଧିକ୍କାରକରି ଚିନ୍ତାକଲି ଯେ ମୋତେ ସାହାଯ୍ୟ କରୁଥିବା ଲୋକ ପ୍ରତି ଏଭଳି ଚିନ୍ତାଧାରା ରଖିବା ଠିକ ନୁହେଁ । ସେ ଜଣେ ମହାନ କଳାପ୍ରେମୀ ମହୀୟସୀ ମହିଳା "। ଏଭଳି ଚିନ୍ତା କରୁ କରୁ ପୋଲିସ ଷ୍ଟେସନ ଆସିଗଲା । ମୁଁ ଡ୍ରାଇଭରକୁ ସେଠାରେ ମୋତେ ଅପେକ୍ଷା କରିବାକୁ କହି ପୋଲିସ ଷ୍ଟେସନ ଭିତରକୁ ଗଲି ।
        ପୋଲିସ ଇନ୍ସପେକ୍ଟର ଓ ଥାନା ଇଂଚାର୍ଜ ହରମୋହନ ଚାଟାର୍ଜୀଙ୍କୁ ଗୌରହରି ବାବୁ ଦେଇଥିବା ଚିଠିଟି ଦେଲି । ସେ ମୋତେ ବସିବାକୁ କହି ଚିଠିଟି ପଢିଲେ । ପଢ଼ିସାରି ମୋତେ କହିଲେ  " ଏଭଳି କେସ ଏବେ ବହୁତ ଘଟୁଛି , ସଠିକ ଡାଟା ମିଳିଲେ କ୍ରିମିନାଲକୁ ଧରିବା ସହଜ ହେବ । ମୁଁ ବହୁତ ଚେଷ୍ଟାକଲିଣି କିନ୍ତୁ ଏପର୍ଯ୍ୟନ୍ତ କିଛି କ୍ଲୁ ମିଳିନି । ସବୁ ରେଡ଼ ଏରିଆରେ ମୁଁ ଚଢ଼ାଉ କରିସାରିଲିଣି ମାତ୍ର ସେ ପିଲା ମିଳିନି । ସେ ବ୍ରୋକର ବି ହାତରେ ଲାଗୁନି ।ମୋ ଆଶା ସେ ପିଲା ଇଆଡେ ଆସିନି । ନଚେତ ମୁଁ ଇଂଫରମେସନ ପାଇସାରନ୍ତିଣି " ।
        ହରମୋହନ ବାବୁଙ୍କ କଥା ଶୁଣି ମୋ ମନରେ ପ୍ରଜ୍ଞାର ଫେରିବା ଆଶା ଉଜ୍ଜୀବିତ ହେବାକୁ ଲାଗିଲା । ମନରେ ଆସିଲା ପ୍ରଜ୍ଞା ଯଦି ତାଙ୍କ କବଳରୁ ଖସି ଆସିଥିବ ତେବେ ଦିନେ ନା ଦିନେ ନିଶ୍ଚୟ ଫେରିଆସିବ । ମୁଁ ମନେ ମନେ ଭଗବାନଙ୍କୁ ଡାକୁଥାଏ ଯେ କେମିତି ସେ ଭଲରେ ଥାଉ ।
        ସୁମିତ୍ରା ଭବନରେ ପହଁଚିଲା ବେଳକୁ ଲଞ୍ଚ ଟାଇମ ହୋଇଯାଇଥିଲା । ରୋଜାଲିନ ଦେବୀ ଲଞ୍ଚ କରିନଥିଲେ । ମୋତେ ଦେଖି ତାଙ୍କ ମୁଖ ଉଜ୍ଜ୍ୱଳ ହୋଇଉଠିଲା । କହିଲେ " ଆସନ୍ତୁ ଶୁଭେନ୍ଦୁ ବାବୁ ! ଏକାଠି ଲଞ୍ଚ କରିବା । ଆପଣଙ୍କର ସେ ପେଣ୍ଟିଙ୍ଗସ୍ ଗୁଡିକ ମୁଁ ଦେଖୁଥିଲି ଏବେ । ଚମତ୍କାର ହୋଇଛି । ମୋ ମନ ମୁତାବକ ହୋଇଛି । ଆପଣଙ୍କ ପେମେଂଟ ରେଡି ଅଛି । ମୁଁ ଆପଣଙ୍କ ପାଇଁ ଭୁବନେଶ୍ବର ପାଇଁ ଫ୍ଲାଇଟ ବୁକ କରିଦେଇଛି କାଲିକୁ । କ୍ୟାସ ନେଇ ଟ୍ରେନରେ ଯିବା ରିସ୍କ କାହିଁକି ନେବେ "। ମୁଁ କହିଲି " ଆପଣ ପଚାଶ ହଜାର ଟଙ୍କା ଦେଇଥିଲେ । ଏ ପେଣ୍ଟିଙ୍ଗସର ମୂଲ୍ୟ ତା ଠାରୁ ଯଥେଷ୍ଟ କମ । ତେଣୁ ଏବେ ମୁଁ ଆପଣଙ୍କ ଠାରୁ  କାହିଁକି ପେମେଂଟ ନେବି "?
        ସ୍ମିତ ହସିଲେ ରୋଜାଲିନ ଦେବୀ ।  କହିଲେ " ଆପଣଙ୍କ ଡିଲ କମ୍ପ୍ଲିଟ ହେଲାଣି କି ? ସେସବୁ ହିସାବ ପରେ କଲେ ଚଳନ୍ତାନି ? ଡୋଣ୍ଟ ସୋ କାଲକୁଲେଟିଭି ମିଷ୍ଟର ପାଣିଗ୍ରାହୀ । ଲାଇଫ ହାଜ ନୋ ଗ୍ୟାରେଣ୍ଟି । ମୋ ଡ଼ାଡି ମୋ ପାଇଁ ପ୍ରଚୁର ସମ୍ପତ୍ତି ଛାଡିଯାଇଛନ୍ତି । ମମ୍ମି ବହୁତ ପୂର୍ବରୁ ଚାଲିଯାଇଛନ୍ତି । ଦେଖନ୍ତୁ ! ମୁଁ କେବଳ ଜଣେ ମାତ୍ର ବଞ୍ଚିଛି ଏ ସବୁ ପ୍ରପରଟି ଏଞ୍ଜଏ କରିବାକୁ "। ଶେଷ କେଇପଦ କଥା ତାଙ୍କର କୋହରେ ଭିଜାହୋଇ ଆସିଲା ଭଳି ମୋତେ ଲାଗିଲା । ରୁମାଲରେ ଆଖି ପୋଛିଲେ ରୋଜାଲିନ ଦେବୀ । ମୁଁ ମର୍ମାହତ ହେଲି । କହିଲି " ମୁଁ ବହୁତ ଦୁଃଖିତ ମାଡାମ " ।  " ନା ନା ଆପଣ କାହିଁକି ଫିଲ କରୁଛନ୍ତି ? କିନ୍ତୁ ଏକଥା ସତ୍ୟ ଯେ ଖୁବ କମ ବୟସରୁ ଜୀବନର ସତ୍ୟକୁ ମୁଁ ଅନୁଭବ କରିପାରିଛି "। ସେତେବେଳେକୁ ଡିନର ଆସି ଆମ ଟେବୁଲରେ ଲାଗିସାରିଥିଲା । ଖାଇଲାବେଳେ ସେ ବହୁତ ଚୁପଚାପ ଥିଲେ । ଖିଆ ସରିବା ପରେ ମୋତେ ଧୀର ଅଥଚ ଗମ୍ଭୀର ସ୍ୱରରେ କହିଲେ " ଆପଣ ଟିକେ ସେକେଣ୍ଡ ଫ୍ଲୋରରେ ଥିବା ମୋ ବେଡ଼ରୁମକୁ ଆସିବେ , ଆଇ ହାବ ଟୁ ଟକ ସମଥିଙ୍ଗ "। ତାପରେ ସେ ଚାଲିଗଲେ । ମୁଁ ଆଶ୍ଚର୍ଯ୍ୟ ଏଇଥି ପାଇଁ ଥିଲି ଯେ କଣ ଏମିତି କଥା ଯେ ସେ ମୋତେ ଏଠି କହିପାରିଲେନି । 
                " କ୍ରମଶଃ"

ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା

0 Comments