ଉପନ୍ୟାସ - ସାଉଁଟା ଆଷାଢ - ଅଷ୍ଟମ ଭାଗ - ପ୍ରମୋଦ କୁମାର ପଣ୍ଡା

ଉପନ୍ୟାସ - ସାଉଁଟା ଆଷାଢ - ଅଷ୍ଟମ ଭାଗ - ପ୍ରମୋଦ କୁମାର ପଣ୍ଡା

ଗରମ କଫି ଦୁଇ କପ ଚାକରାଣୀ ଆଣି ଟିପୟ ଉପରେ ରଖି ଚାଲିଗଲା । ଦୁହେଁ ଦୁଇ କପ ଉଠାଇନେଲୁ । ଧୁମାୟିତ କଫି କପରୁ ଢୋକେ କଫି ନେଇସାରି ରୋଜାଲିନ ଦେବୀ ଆରମ୍ଭକଲେ " ଆପଣଙ୍କ ପେଣ୍ଟିଙ୍ଗସ୍ ଯେତେବେଳେ ମୁଁ ଦେଖିଲି ବହୁତ ପ୍ରଭାବିତ ହେଇଗଲି । ସବୁଗୁଡିକ ନେବାକୁ ଇଛାହେଲା, ତେଣୁ ନେଇଆସିଲି । ଆପଣଙ୍କର ଆର୍ଟିଷ୍ଟକ ଟଚ ଗୁଡିକୁ ମାନିବାକୁ ହେବ । ହ୍ଵାଟ ଏ ରିଏଲଷ୍ଟିକ ଟଚ ! ରିଏଲି ଇମ୍ପ୍ରେସିଭ "। ମୁଁ କଥା କାଟି କହିଲି " ଆପଣଙ୍କ ଭଳି କଳାପ୍ରେମୀ ଲୋକଙ୍କ ଯୋଗୁଁ ହିଁ କଳା ବଂଚିରହିଛି । ଯଦି କିଛି ଖରାପ ନଭାବନ୍ତି ତେବେ କହିବେ କି ମୋତେ କାହିଁକି ଡାକିଛନ୍ତି "? 
        ରୋଜାଲିନ ଦେବୀ ଅଳ୍ପ ହସି କହିଲେ " ଆପଣ ବୋଧେ ବହୁତ ବ୍ୟସ୍ତ ଅଛନ୍ତି ଘରକୁ ଫେରିବା ପାଇଁ । ମୁଁ କିନ୍ତୁ ଆପଣଙ୍କ ଟ୍ୟାଲେଣ୍ଟକୁ ମୋ କାମରେ ଲଗେଇବାକୁ ଚାହୁଁଛି "। ମୁଁ ଜିଜ୍ଞାସୁ ଦୃଷ୍ଟିରେ ତାଙ୍କୁ ଚାହିଁବାରୁ ସେ କଫି କପଟା ଟିପୟ ଉପରେ ରଖିଦେଇ ମୋ ମୁହଁକୁ ସିଧାସଳଖ ଚାହିଁ କହିଲେ " ଆମ ହୋଟେଲ ଇମ୍ପିରିୟଲ ଗୃପ ର ଦେଶ ବିଦେଶ ମିଶାଇ ପ୍ରାୟ ପଚାଶଟି ସିଟିରେ ହୋଟେଲ ଅଛି ।  ଏଗୁଡିକ ସବୁ  ଫାଇଭଷ୍ଟାର ର ମାନ୍ୟତା ପାଇଛନ୍ତି । ଆମ ହୋଟେଲର ରେପୁଟେସନ ପାଇଁ ମୁଁ କେବେ କୌଣସି କମ୍ପ୍ରମାଇଜ କରେନା , କାହିଁକି ନା ବହୁତ ଇମ୍ପୋର୍ଟାଣ୍ଟ କଷ୍ଟମର କେବଳ ଆମରି ହୋଟେଲରେ ହିଁ ରହନ୍ତି ।  ମୁଁ ଚାହୁଁଛି ଏମିତି କିଛି ଇନୋଭେଟିଭି ଆଇଡ଼ିଆର ପେଣ୍ଟିଙ୍ଗସ୍ ସବୁ ଆମ ହୋଟେଲରେ ଶୋଭାପାଉ । ଆପଣଙ୍କ ପେଣ୍ଟିଙ୍ଗସ୍ ଗୁଡିକ ଦେଖିଲା ପରେ  ମୋ ମୁଣ୍ଡକୁ ଏକ ଆଇଡ଼ିଆ ଢୁକିଛି । ଓଡ଼ିଶାର ଟ୍ରାଇବାଲ କଲଚର ବିଶ୍ୱପ୍ରସିଦ୍ଧ । ଯଦି ସେମାନଙ୍କର ସମସ୍ତ ପରମ୍ପରା , ଚାଲିଚଳନ, ଉତ୍ସବରେ ତାଙ୍କର କସଟ୍ୟୁମ ଏବଂ ସେମାନଙ୍କର ଟ୍ରାଡିସନାଲ ଡାନ୍ସ  ଏବଂ ଯେତେ ସବୁ ଚାଲି ଚଳଣୀ ରହିଛି  ତାହାର ଅବିକଳ ଚିତ୍ର ସବୁର ଅଏଲ ପେଣ୍ଟିଙ୍ଗ ଆମ ହୋଟେଲର ଲବି ଏହାର ରିସେପ୍ସନ ଓ ୱାଲ ଗୁଡିକରେ ଯଦି ଶୋଭାପାଏ ତେବେ ଆମର  କଷ୍ଟମର ମାନେ ଏଆରକଣ୍ଡିସନଡ଼ ରୁମ ଭିତରେ ରହି ଦୁର୍ଗମ ଅଂଚଳର ଟ୍ରାଇବାଲ ବିଉଟିର ଆନନ୍ଦ ନିଅନ୍ତେ, ନା କଣ କହୁଛନ୍ତି "?
        ଏକା ନିଃଶ୍ବାସରେ ଏତକ କହିସାରି ସେ ଟିକେ ରହିଗଲେ । ମୁଁ ତାଙ୍କ ଆଇଡ଼ିଆକୁ ପ୍ରଶଂସା ନକରି ରହିପାରିଲି ନାହିଁ । ଏତେ କମ ବୟସରେ ବହୁତ ମାଚ୍ୟୁଅର୍ଡ । ଜଣେ ପୋଖତ ବିଜିନେସମ୍ୟାନ ଭଳି ଚିନ୍ତାଧାରା ।
    ମୋର ନୀରବତା ଲକ୍ଷ୍ୟକରି ରୋଜାଲିନ ଦେବୀ ପ୍ରଶ୍ନକଲେ " କଣ ଚିନ୍ତାକରୁଛନ୍ତି ମି ପାଣିଗ୍ରାହୀ "?
        ମୁଁ କହିଲି " ଗ୍ରେଟ ଆଇଡ଼ିଆ । ମୁଁ ଆପଣଙ୍କୁ କେମିତି ସାହାଯ୍ୟ କରିପାରିବି ବୋଲି ଆପଣ ଭାବୁଛନ୍ତି "? ଗମ୍ଭୀର ହୋଇ ରୋଜାଲିନ ଦେବୀ କହିଲେ " ମୁଁ ଚାହୁଁଛି , ସେସବୁ ବିଷୟକୁ ଆପଣ ବଡ ବଡ ପେଣ୍ଟିଙ୍ଗସ୍ ସବୁରେ ବାନ୍ଧିରଖନ୍ତୁ । ମୁଁ ଏଥିପାଇଁ ଗୋଟେ ବଡ ଡିଲ ଆପଣଙ୍କ ସହିତ କରିବାକୁ ଚାହେଁ "।
ଆପଣ ଯେକୌଣସି ଆମାଉଣ୍ଟ ଡିମାଣ୍ଡ କରିପାରନ୍ତି "। ଏହା କହି ସେ ତାଙ୍କ ସେକ୍ରେଟାରୀକୁ  ଡାକିବାକୁ  ଚାକରାଣୀକୁ କହିଲେ । ଅଳ୍ପ ସମୟ ଭିତରେ ପଚାଶ ପଞ୍ଚାବନ ବର୍ଷର  ଜଣେ ସୁଦର୍ଶନ ବ୍ୟକ୍ତି ଆସି ଆମକୁ ଅଭିନନ୍ଦନ ଜଣାଇ ଠିଆହେଲେ । ରୋଜାଲିନ ଦେବୀ କହିଲେ " ଘୋଷ ବାବୁ ! ଆପଣ ଚେକ ବୁକ ଦେଲେ ।ସେ ଏକ ଚେକବହି ଓ ପେନ ନିଜ ହ୍ୟାଣ୍ଡବ୍ୟାଗରୁ କାଢି ଟିପୟ ଉପରେ ରଖିଲେ । ଚେକବୁକଟି ମୋ ଆଡ଼କୁ ବଢ଼ାଇଦେଇ ରୋଜାଲିନ ଦେବୀ କହିଲେ "ଦି ଆମାଉଣ୍ଟ ଆଜ ଇଉ ଲାଇକ  ବଟ ଦି କନସାଇନମେଣ୍ଟ ଆଜ ଆଇ ସେ "।  ମୁଁ ତାଙ୍କ ମୁହଁକୁ ଚାହିଁ ଅଳ୍ପ ହସି କହିଲି " ମୁଁ କେବେ ପେଣ୍ଟିଙ୍ଗସ୍ ନଦେଇ କାହାଠୁ ଫୁଲ ପେମେଂଟ ନିଏନା ।  ଏସବୁ କରିବା ପାଇଁ  ତ ବହୁତ ସମୟ ଲାଗିବ । ତେବେ ଆପଣଙ୍କର କେତୋଟି ପେଣ୍ଟିଙ୍ଗ ଦରକାର "।
        "ଏବେ ପ୍ରାୟ  ପଚାଶଟି ହେଲେ ଚଳିବ । ତେବେ କେତେ ଦିନ ସମୟ ଲାଗିବ ଏତକ ତିଆରି କରିବାକୁ "? ଦେଖନ୍ତୁ ମାଡାମ ! ଜଣେ କଳାକାର କେବେ ସମୟ ଭିତରେ ବାନ୍ଧିହୁଏନା । ସେମିତି ହେଲେ ତା'ର ସୃଷ୍ଟିର ସମ୍ପୂର୍ଣ୍ଣ ବିକାଶ ହୋଇପାରେନା । ତେବେ ସମୟ ତ ଲାଗିବ । ତଥାପି ଯେତିକି ଟା କମ୍ପ୍ଲିଟ
ହୋଇଯାଉଥିବ ମୁଁ ସେତିକି ଟା ଦେଇସାରି ପେମେଂଟ ନେଇଯାଉ ଥିବି "। ମୁଁ ଏଥର ଠିଆହେଲି ଯିବାକୁ । କହିଲି " ଲେଟ ମି ଗୋ ନାଓ । ପ୍ରକୃତରେ ମୋତେ ଆଜି ଯିବାକୁ ହେବ । ମୋର ଡିଟେଲସ ଏକଜିବିସନ ମ୍ୟାନେଜର ସଞ୍ଜୟ ପଟେଲଙ୍କ ପାଖରେ ଅଛି । ଯଦି ମୋ ସହିତ ଯୋଗାଯୋଗ କରିବାକୁ ଚାହିଁବେ ତେବେ ତାଙ୍କ ସହ ଯୋଗାଯୋଗ କରିବେ । ତେବେ ମୁଁ ଏବେ ମୋ ଆଡ୍ରେସଟା ଆପଣଙ୍କୁ ଦେଇଦେଉଛି "। ଗୋଟେ କାଗଜରେ ମୋ ଠିକଣା ଲେଖି ଘୋଷ ବାବୁଙ୍କୁ  ଦେଇଦେଲି । ରୋଜାଲିନ ଦେବୀ ଚେକରେ କଣ ଲେଖି ସାଇନ କରି ମୋ ହାତକୁ ବଢ଼ାଇ ଦେଇ କହିଲେ " ଏଇଟା ମୋ କାମ ପାଇଁ ଆଡଭାନ୍ସ ବୋଲି ଭାବନ୍ତୁ । ମୁଁ ଦେଖିଲି ପଚାଶ ହଜାର ଟଙ୍କା ଲେଖାହୋଇଛି ଚେକ ଟିରେ ।
ଏତେ ଗୁଡାଏ ଟଙ୍କା ! ଫେରେଇ ଦେବି ବୋଲି ଭାବୁଥିଲି ପୁଣି ଅଭଦ୍ରାମି ହେବ ଭାବି ରଖିଦେଲି ।" ମୁଁ ଆଶାକରୁଛି ଆମ ହୋଟେଲ କାନ୍ଥ ଏଥରକ ଆପଣଙ୍କ ସୃଷ୍ଟିରେ ଶୋଭାପାଇବ । ଆଉ ଆପଣଙ୍କୁ କୌଣସି ଏକଜିବିସନ ପାଇଁ ଟେନ୍ସନ ନେବାକୁ ହେବନି "। ମୁଁ କେବଳ ମୁରୁକି ହସିଲି , କୌଣସି ଉତ୍ତର ଦେଲିନାହିଁ । ରୋଜାଲିନ ମାଡାମ କହିଲେ" ଆପଣଙ୍କୁ ଡ୍ରାଇଭର ହୋଟେଲରେ ଡ୍ରପ କରିଦେବ "।
        ମୁଁ ହୋଟେଲକୁ ଆସି ମୋ ବ୍ୟାଗ ଠିକ ଠାକ କରି ଚେକଆଉଟ ପାଇଁ ରିସେପ୍ସନକୁ ଗଲି । ସେଠୁ ସମସ୍ତ ଫର୍ମାଲିଟିଜ ପୂରା କଲି । ରିସେପ୍ସନିଷ୍ଟ ତାର ଚିରାଚରିତ ଢଙ୍ଗରେ ଏକ ବ୍ୟବସାୟୀକ ହସ ହସି କହିଲେ " ଉଇ ହୋପ ଏ ଫର୍ଦର ଭିଜିଟ ଫ୍ରମ ଇଉ ଆଣ୍ଡ ହାପି ଜର୍ନି ସାର "। ମୁଁ ତାଙ୍କୁ ହାତ ହଲେଇ ଚାଲିଆସିଲି । 
        ମନରେ ପ୍ରବଳ ଉତ୍କଣ୍ଠା , କେତେବେଳେ ଘରେ ପହଂଚିବି । ସୁପର ମାର୍କେଟ ରୁ ଘରର ସମସ୍ତଙ୍କ ପାଇଁ କିଣାକିଣି କଲି । ପାଖରେ ପ୍ରଚୁର ଅର୍ଥ । ଭାଉଜ ଓ ବୋଉ ପାଇଁ ଦାମିକା ଶାଢ଼ୀ , ବାପାଙ୍କ ପାଇଁ ଦାମି ସାଲ ଓ ନିଲୁ ପାଇଁ ଦାମିକା ଡ୍ରେସ , ଜୋତା କିଣିଲି । ପ୍ରଜ୍ଞା ପାଇଁ କଣ କିଣିବି ବୋଲି ଭାବିଲି ଘଡ଼ିଏ । ଶେଷକୁ ଚିନ୍ତାକଲି, ଗୋଟେ ଭ୍ୟାନିଟ ବ୍ୟାଗ ଓ ଗୋଟେ ଲେଡିଜ ଘଡି ନେବି । ଯେତେହେଲେ ସେ ଜଣେ ଟିଚର । ବାଛି ବାଛି ତା ଗୋରା ହାତକୁ ମ୍ୟାଚ କଲାଭଳି ଘଡି ଟିଏ ନେଲି । ଭଲ ଦାମିକା ଭ୍ୟାନିଟ ବ୍ୟାଗ ଟିଏ ବି ବାଛିଲି । ସବୁ ପ୍ୟାକ୍ କରି ଗୋଟେ ଭିଆଇପି ସୁଟକେସ କିଣି ସେଥିରେ ସବୁ ଭର୍ତିକରି ରେଲୱେ ଷ୍ଟେସନ ଚାଲିଲି । ପ୍ରାୟ ଏକ ସପ୍ତାହ ପରେ ଘରକୁ ଯାଉଛି । ମନେ ମନେ ରୋଜାଲିନ ଦେବୀଙ୍କୁ ଧନ୍ୟବାଦ ଦେଲି , ସେ ଯାହାହେଉ ମୋ ପେଣ୍ଟିଙ୍ଗସ୍  ତକ କିଣିକରି ମୋତେ  ଚିନ୍ତାମୂକ୍ତ କରିଛନ୍ତି । ପୁଣି ଯେଉଁ ଅର୍ଡର ତକ ଦେଇଛନ୍ତି ତାହା ମୋତେ ସାରା ଜୀବନ ଦାରିଦ୍ର୍ୟ ମୁକ୍ତ କରିବାକୁ ସକ୍ଷମ । ପ୍ରଭୁ ଜଗନ୍ନାଥ ତାଙ୍କର ସମସ୍ତ କାର୍ଯ୍ୟକୁ ସଫଳ କରିବାକୁ ଶୁଭ ମନାସି  ପ୍ରଣାମ ଜଣାଇଲି । ପ୍ରକୃତରେ ରୋଜାଲିନ ଦେବୀଙ୍କ ପ୍ରତି ମୋ ହୃଦୟରେ ଗଭୀର କୃତଜ୍ଞତା ଭରି ରହିଥିଲା । ସବୁ କିଛି ମୋତେ ସ୍ୱପ୍ନ ପରି ଲାଗୁଥିଲା ।
        ଘରେ ପହଂଚିଲା ବେଳକୁ ଦିନ ଆସି ଏଗାରଟା ହେଲାଣି ।  ଗାଧୁଆ ପାଧୁଆ କିଛି ହୋଇନି । ଭାରି ବିରକ୍ତ ଲାଗିଲାଣି । ମୋ ରୁମରେ ବ୍ୟାଗ ସୁଟକେସ ରଖିଦେଇ ଖାଲି ଭାଉଜଙ୍କୁ ପଦେ ଡାକିଦେଇ ବାଡିପଟକୁ ଚାଲିଗଲି ନିତ୍ୟକର୍ମ ଶେଷକରିବାକୁ । ଗାଧୁଆ ସାରି ଠାକୁରଘରେ ମୁଣ୍ଡିଆଟେ ପକେଇ  ମୋ ରୁମକୁ ଚାଲି ଆସିଲି । ବାପା କୁଆଡେ ବାହାରକୁ ଯାଇଥିଲେ । ନିଲୁ ସ୍କୁଲରେ । ଭାଉଜ ବୋଉ ଆସି ପହଁଚିଲେ ମୋ ରୁମରେ । ମୁଁ ମନେ ମନେ ଭାବୁଥିଲି ପ୍ରଜ୍ଞା ବୋଧେ ସ୍କୁଲ ଯାଇଥିବ । ମୁଁ ଜାଣିଶୁଣି ପ୍ରଜ୍ଞାର ଜିନିଷ ମୋ ବ୍ୟାଗରେ ରଖିଥାଏ । କେବଳ ସୁଟକେସଟି ଖୋଲି ସମସ୍ତଙ୍କ ଜିନିଷ ଧରେଇଦେଲି । ବୋଉ ବ୍ୟସ୍ତହୋଇ କହିଲା," ତୁ ତ ପଇସା ଗୁଡାକ ଏମିତି ଉଡେଇବୁ "। ମୁଁ କହିଲି " ମୁଁ ତେବେ ଟଙ୍କା କଣ ପାଇଁ ରୋଜଗାର କରୁଛି ?  ସେସବୁ ଛାଡ଼ ଆଗେ ଖାଇବାକୁ ବାଢିଲ ଭାଉଜ ! ମୋତେ ବହୁତ ଭୋକ ଲାଗିଲାଣି "। " ଆରେ ମୁଁ ଚଣ୍ଡାଳୁଣୀ ଏ ପର୍ଯ୍ୟନ୍ତ ତମକୁ ଖାଇବାପାଇଁ କହିନି । ଚାଲ ଚାଲ , ଆଗେ ଖାଇବ ଚାଲ "। ଭାଉଜ ତରତର ହୋଇ ଚାଲିଗଲେ । ମୁଁ ମୋ ବ୍ୟାଗ ଖୋଲି ବୋଉକୁ ଶହେ ଟଙ୍କିଆ ନୋଟ ପାଞ୍ଚ ଖଣ୍ଡ ବଢ଼େଇଦେଲି । କହିଲି "ତୁ ରଖିଥା ହାତଖର୍ଚ୍ଚ କରିବୁ । ଏଥିରୁ ବାପାଙ୍କୁ ଦେବୁନି , ମୁଁ ତାଙ୍କୁ ଅଲଗା ଦେବି "। ବୋଉ ଆଶ୍ଚର୍ଯ୍ୟ ହୋଇ ମୋ ମୁହଁକୁ ଚାହିଁ କହିଲା " ଆରେ ଏତେ ଗୁଡାଏ ଟଙ୍କା ମୋତେ ଦେଉଛୁ ? ମୁଁ ଏତେ ଟଙ୍କା କଣ କରିବି ? ତୋ ଚିତ୍ରଗୁଡ଼ାକ ଏମିତି କେତେ ଟଙ୍କା ହେଲାଯେ ଏତେ ଜିନିଷ କିଣିଲୁ ପୁଣି ଏତେ ଟଙ୍କା '? " ଓଃ ତୁ ଏତେକଥା ପଚାରନା । ମୁଁ ଖାଇବାକୁ ଚାଲିଲି "। ବୋଉକୁ ଆଶ୍ଚର୍ଯ୍ୟ ଚକିତ ଅବସ୍ଥାରେ ଛାଡି ମୁଁ ତଳ ଖଞ୍ଜାକୁ ଖାଇବାକୁ ଚାଲିଲି । ଆଉ ସାଥିରେ ନେଇଥାଏ ପାଞ୍ଚଶହ ଟଙ୍କା ଭାଉଜଙ୍କୁ ଦେବାକୁ । ମୁଁ ଜାଣେ ଭାଉଜଙ୍କ ପାଖରେ ପ୍ରାୟତଃ ଟଙ୍କା ନଥାଏ । ଘରର ଅସୁବିଧାରେ ଭାଇ ଦେଉଥିବା ତାଙ୍କର ହାତଖର୍ଚ୍ଚ ଟଙ୍କାରୁ ସେ ବାପାଙ୍କୁ ଦେଇଦିଅନ୍ତି । ଭାଇ ବି କେତେଟଙ୍କା ପାଆନ୍ତି । ପ୍ରାଇମେରୀ ଶିକ୍ଷକ । ପୁଣି ରହିଛନ୍ତି ବାହାରେ । ତାଙ୍କ ଖର୍ଚ୍ଚ ଉଠେଇଲା ପରେ ଯାହା ବଳେ ଘରକୁ ପଠାନ୍ତି । ଯେବେ ଛୁଟି ନେଇ କୋରାପୁଟରୁ ଘରକୁ ଆସନ୍ତି ସମସ୍ତଙ୍କୁ ହାତଖର୍ଚ୍ଚ ଦିଅନ୍ତି । ମୋତେ ସେ ଶହେ ଟଙ୍କା ନିଶ୍ଚୟ ଦେଇଥାନ୍ତି । 
ଭାଉଜ ଏତେଗୁଡାଏ ଟଙ୍କାଦେଖି ଆଶ୍ଚର୍ଯ୍ୟ । କହିଲେ "ତମ ଭାଇ ବୋଧେ ପାଞ୍ଚଶହ ଟଙ୍କା ଦରମା ପାଉଥିବେ । ତମର ଚିତ୍ର ଏମିତି କେତେଟଙ୍କାରେ ବିକ୍ରିହେଲାକି ? ପୁଣି ତମେ କଲିକତାରେ ସପ୍ତାହେ ରହିଲ । ତୁମ ଖିଆପିଆ ତ ଥିବ । ପୁଣି ଏତେ ଜିନିଷ ଘରକୁ ଆଣିଲ ସମସ୍ତଙ୍କ ପାଇଁ । ତମେ ରଖ ହାତ ଖର୍ଚ୍ଚ କରିବ , ପୁଅ ପିଲା ଲୋକ । ଆମେ ତ ସ୍ତ୍ରୀ ଲୋକ ଘରେ ରହିଲୁ , ଆମର ଖର୍ଚ୍ଚ କଣ "। ମୁଁ ଏ ସରଳିଆ ସ୍ନେହୀ ଲୋକଟିକୁ ଚାହିଁ କହିଲି " ତୁମେ ତ ପାଠ ପଢିଛ । ମାଟ୍ରିକ ପାସ , ଏଇ ଦେଖିଲ ଏଥିରେ କଣ ଲେଖାହୋଇଛି "? ଏକଥା କହି ମୁଁ ପକେଟରୁ ରୋଜାଲିନ ମାଡାମ ଦେଇଥିବା ଚେକଟା ତାଙ୍କ ହାତକୁ ବଢ଼େଇଦେଲି । ସେ ଚେକରେ ଲେଖାଥିବା ଆମାଉଣ୍ଟ ପଢି ଅବିଶ୍ୱାସ ଭରା ଦୃଷ୍ଟିରେ ମୋ ମୁହଁକୁ ଜଳ ଜଳ କରି ଚାହିଁଲେ । ସତେ ଯେମିତି ସେ ସ୍ୱପ୍ନ ଦେଖୁଛନ୍ତି । ତାପରେ ଥଙ୍ଗ ଥଙ୍ଗ ହୋଇ କହିଲେ " ପଚାଶ ହଜାର "! ମୁଁ କହିଲି " ଏଇଟା ଆଡ଼ଭାନ୍ସ ମାତ୍ର । ଏହାର ଦଶଗୁଣା ପୁଣି ମିଳିବ । ପେଣ୍ଟିଙ୍ଗସ୍ ବିକ୍ରୀ ଟଙ୍କା ଅଲଗା ଅଛି କୋଡିଏ ହଜାର "। ମୋର ଏବେଠୁ ଦୁଇବର୍ଷ ପର୍ଯ୍ୟନ୍ତ ଫୁରସତ ନାହିଁ । ଗୋଟାଏ ବଡ କଣ୍ଟ୍ରାକ୍ଟ ହାତକୁ ଆସିଛି । ବୁଝିଲ ଭାଉଜ ! ଆଉ ଆମର କିଛି ଅଭାବ ରହିବ ନାହିଁ । ମୁଁ ତ ଭାବୁଛି ପ୍ରଜ୍ଞା ଆମଘରେ ପାଦ ଦେଲାପରେ ଏସବୁ ଘଟଣା ଘଟିଛି । ଏପର୍ଯ୍ୟନ୍ତ ମୋ ପେଣ୍ଟିଙ୍ଗସ୍ କୁ କେହି ପଚାରୁନଥିଲେ , ମାତ୍ର ରାତାରାତି ମୁଁ ଏତେ ଫେମୋସ ହେଇଗଲି , ମୋତେ ନିଜକୁ ବି ବିଶ୍ୱାସ ହେଉନି । ପ୍ରଜ୍ଞା ଆମ ପାଇଁ ବହୁତ ଶୁଭ । ସେ କଣ ସ୍କୁଲକୁ ଯାଇଛିକି "? 
        ମୋ କଥା ଶୁଣି ଭାଉଜ କଥା ବାଁରେଇ କହିଲେ " ତମକୁ ପରା ଏବେ ପ୍ରବଳ ଭୋକ ହେଉଥିଲା । ଆଗେ ଖାଇବ ଚାଲ । ଭାତ କେତେବେଳୁ ବଢ଼ାହେଲାଣି । ମୁଁ ଇଆଡ଼େ ତମ ସହିତ ଗପୁଛି "। ମୁଁ ଆଉ କିଛି ନପଚାରି ଖାଇବାକୁ ବସିଲି । ପ୍ରକୃତରେ ଭାତ ତରକାରି ସବୁ ଥଣ୍ଡା ହୋଇଯାଇଥିଲା ।
        ଖାଇସାରି ଟିକେ ଗଡିପଡିଲି । ଟ୍ରେନରେ ଭଲରେ ଶୋଇପାରି ନଥିଲି । ପଲଙ୍କ ଧରୁ ଧରୁ ନିଦ ହୋଇଗଲା । ନିଲୁ ହଲେଇଦେଲାରୁ ଉଠି ବସିଲି । କାନ୍ଥ ଘଣ୍ଟାକୁ ଚାହିଁଲି , ପାଞ୍ଚଟା ବାଜିସାରିଥିଲା । ଭାବିଲି ପ୍ରଜ୍ଞା ସ୍କୁଲରୁ ଆସିସାରିବଣି । ବରଷାଟା ଅଗଣାରେ ଭାରି ଜୋର ରେ ବର୍ଷୁଛି । ଭାବିଲି ଯଦି ପ୍ରଜ୍ଞା ଏ ବର୍ଷା ଯୋଗୁଁ ଆସିପାରିନଥିବ ତେବେ ତ ଯାଇ ଆଣିବାକୁ ହେବ ।  ନିଲୁକୁ କହିଲି " ନିଲୁ ! ଦେଖିବୁ ପ୍ରଜ୍ଞା ଆଣ୍ଟି ଆସିଲେଣି କି ନାହିଁ । ତାପରେ ନିଲୁ ଠାରୁ ଯାହା ଶୁଣିଲି ମୋ ଛାତିର ସ୍ପନ୍ଦନ ବନ୍ଦ ହୋଇଗଲା ଭଳି ଲାଗିଲା । ମୁଣ୍ଡ ଭିତରଟା ଗରମ ହୋଇଗଲା । ମୋତେ ଲାଗିଲା ମୋ ଦେହରୁ ମାଂସ ଗୁଡାକ କିଏ ଯେପରି ପୁଳା ପୁଳା କରି ଛିଣ୍ଡେଇ ନେଉଛି । ମୁଁ ଦୁଇ ହାତରେ ମୁଣ୍ଡଟାକୁ ଚିପି ଧରିଲି ସତେ ଯେମିତି ବିସ୍ଫୋରଣ ଘଟି ମୋ ମୁଣ୍ଡଟା ଛିନ୍ନ ଭିନ୍ନ ହୋଇଯିବ । ମୁଁ ପଲଙ୍କ ଉପରୁ ଏକପ୍ରକାର ଡେଇଁ ପଡି ଭାଉଜଙ୍କ ପାଖକୁ ପିଲାଙ୍କ ଭଳି ଦୌଡ଼ିଲି । 
                " କ୍ରମଶଃ"

ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା

0 Comments