କ୍ଷୁଦ୍ରଗଳ୍ପ - ରଞ୍ଜୁ ହଜିଗଲା ରଜ ସାଙ୍ଗରେ - ବସନ୍ତ କୁମାର ପଣ୍ଡା

କ୍ଷୁଦ୍ରଗଳ୍ପ - ରଞ୍ଜୁ ହଜିଗଲା ରଜ ସାଙ୍ଗରେ - ବସନ୍ତ କୁମାର ପଣ୍ଡା

ସେଦିନ ଗାଁ ସାରା ଲୋକଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳି ଯାଇଥାଏ । ଦୁରାନ୍ତରେ ରହୁଥିବା ଚାକିରିଆ ଲୋକ ମାନେ ପିଲା ଛୁଆଙ୍କୁ ଧରି ଗାଁ'କୁ ଆସିଥାଆନ୍ତି । ଝିଅ ଝିଆଣି, ବନ୍ଧୁ ବାନ୍ଧବ, ଭାଇ ବତୀସା, ସାଙ୍ଗ ସାଥି ଆସି ଗାଁ ମାଟିକୁ ପୂର୍ଣ୍ଣଗର୍ଭା କରିଦେଇ ଥାଆନ୍ତି । ସବୁରି ଘରେ ଆରିସା, କାକରା, ମଣ୍ଡା ଇତ୍ୟାଦି ପାରମ୍ପରିକ ପିଠାପଣା ସାଙ୍ଗକୁ ନୂଆ ନୂଆ କେତେ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ତିଆରିର ବାସ୍ନା ଗାଁ ପବନ କୁ ଏକ ପ୍ରକାର ନୂତନ ମହକରେ ମହକି ଦେଉଥାଏ ।

ଗାଁ' ଆକାଶରେ ସେ ନିଷ୍ଠୁର ସୁରୁଜଟାକୁ  ମୌସୁମୀ ଆଗମନରେ ଝାପ୍ସା ରଙ୍ଗର ମେଘ, ଚାନ୍ଦୁଆଟିଏ ହୋଇ ଢାଙ୍କି ପକେଇଥାଏ । ଆଉ ପୂର୍ବଦିନ ପରି ପ୍ରଖର ଖରା ତାପ ସେଦିନ ଜଣା ପଡୁନଥାଏ । ଗାଁ ଦାଣ୍ଡରେ ଦଳ ଦଳ ହୋଇ ଲୋକ ମାନେ ତାସ ଖେଳରେ ମଜ୍ଜି ଯାଇ ଥାଆନ୍ତି । ରଙ୍ଗ ଟୀକା ଉପରେ ଜୋକର୍ ମାଡ଼ର ସେ ଯେଉଁ ନିଆରା ଉହ୍ଲାସପୂର୍ଣ୍ଣ ଉନ୍ମାଦନା  ସେଠାରେ ଉପସ୍ଥିତ ଲୋକଟିଏ ହିଁ ଅନୁଭବ କରିପାରିବ। ଗାଁ'ର ଭୁଆସୁଣୀ ସବୁ ଝଅଟ ଝଅଟ ଘରର କାମ ଦୁଃଖ ସାରି, ଦାଣ୍ଡ ଦୁଆରରେ ଦଳ ବାନ୍ଧି ବସି ମେହେନ୍ଦୀ ଅଳତା ପିନ୍ଧିବାରେ ଲାଗିପଡି ଥାଆନ୍ତି । କଲିକତୀ ଶାଢ଼ୀ ସାଙ୍ଗକୁ ମଧୁବାଲା ଷ୍ଟାଇଲିର ଜଟ ଆଉ ତା' ଉପରେ ଗୋଟିଏ ନାଲି ଟହ ଟହ ଗୋଲାପ  ଖୋସା, ରମା ମା'କୁ ଭାରି ମାନୁଥାଏ।ନିଜ ରୂପକୁ ଦେଖେଇ ହବା ପାଇଁ ୟାଙ୍କ ଘର ତାଙ୍କ ଘର ଖାଲି ପହଁରି ଆସୁଥାଏ। ଆଉ ଛୋଟ ଛୋଟ ପିଲାଙ୍କ କଥା କହିଲେ ନସରେ।ଗାଁ ପୋଖରୀ ଆଢ଼ି ଆମ୍ବ ତୋଟାଟି ପିଲା ମାନଙ୍କ ଗହଳରେ ଯେପରି ପଡୁଥିଲା ଉଠୁଥିଲା।ଦଉଡିରେ ବନ୍ଧା ଦୋଳି, ଲମ୍ବା ଲମ୍ବା ବାଉଁଶରେ ବନ୍ଧା ଦୋଳିର ଝାଇଁ ଝାଇଁ ଦୋଳନର ଶବ୍ଦ ଆମ୍ବ ବଗିଚାଟି ସତେ ଯେପରି ଝାଉଁ ବଣର ଭ୍ରମ ସୃଷ୍ଟି କରୁଥାଏ।କୁନି କୁନି ପିଲା ସବୁ ଭଳିକି ଭଳି ରଙ୍ଗ ବେରଙ୍ଗର ପୋଷାକରେ ତୋଟାଟି ଏକ ଛୋଟ ଫୁଲ ବଗିଚାର ଶୋଭା ବହନ କରୁଥିଲା।ଆଉ କିଛି ପିଲା ସାଙ୍ଗ ହୋଇ  ସାଧବ ବୋହୁ ପୋକକୁ ଧରିବାର ମଜ୍ଜା ନେଉଥାଆନ୍ତି ।

ଧଳା ରଙ୍ଗର ମାରୁତି ୱାଗନ ଆର୍ କାର୍ ଟିଏ ଗାଁ' ମଧ୍ୟକୁ ପ୍ରବେଶ କଲା।କାର୍ ରେ ଭୁବନେଶ୍ୱରରୁ ମନୋଜ ବାବୁ ଏବଂ ତାଙ୍କ ପତ୍ନୀ, ରଶ୍ମିତା ସାଙ୍ଗରେ ଚାରି ବର୍ଷର ଝିଅ ରଞ୍ଜିତା (ରଞ୍ଜୁ)ଆସି ଥାଆନ୍ତି।ପୂର୍ବରୁ ମନୋଜ ବାବୁ ଏବଂ ପତ୍ନୀ ରଶ୍ମିତାଙ୍କ ସହିତ ପ୍ରତିବର୍ଷ ଏହି ରଜ ପର୍ବରେ ଗାଁ'କୁ ଆସନ୍ତି।ଦୁହେଁ ଭାରି ଖୁସି ମିଞ୍ଜାସ ଏବଂ ମେଳାପି ଲୋକ। ଏମାନଙ୍କୁ ଦେଖି ଗାଁ ଲୋକେ ଆନନ୍ଦରେ ବିଭୋର ହେଇଗଲେ।ଝିଅ ବୋହୁ ମାନେ ଆସି ରଶ୍ମିତାଙ୍କୁ ପାଛୋଟି ନେଇଗଲେ।ତୁରନ୍ତ ଘରକୁ ଯାଇ ମା' ବାପାଙ୍କୁ ମୁଣ୍ଡିଆଟିଏ ପକେଇ ମନୋଜ ବାବୁ ବହାରି ଗଲେ ତାସ ଖେଳିବାକୁ।

ବାହାଘର ଛଅ' ବର୍ଷ ଯାଏ କୌଣସି ସନ୍ତାନ ନହେବା ଯୋଗୁଁ ଦୁଇ ପରାଣୀ ଭାରି ମନ କଷ୍ଟରେ ରହୁଥିଲେ।କେତେ ଦିଅଁ ଦେବତା ପୁଜି ପୁଜି ଚାରିବର୍ଷ ତଳେ ସେମାନେ ଏକ କନ୍ୟାରତ୍ନର ଅଧିକାରୀ ହୋଇଛନ୍ତି। ଭାରି ଗେହ୍ଲେଇ ଟିଏ।ନାଁ ତାର ରଞ୍ଜିତା।ଆଦରରେ ମାଆ ବାପା ରଞ୍ଜୁ  ବୋଲି ଡାକନ୍ତି।ତୁଳସୀ ଦୁଇ ପତ୍ରରୁ ବାସିବା ପରି ପିଲା ଦିନରୁ ରଞ୍ଜୁ ଅଲୌକିକ ଗୁଣରେ ଚହଟୁ ଥାଏ।ଯେବେ ଠାରୁ ରଞ୍ଜୁ ଜନ୍ମ ହେଲା,ବିଭିନ୍ନ କାରଣରୁ ସେମାନେ ଗାଁ'କୁ ଆସି ପାରିନଥିଲେ।ଏଥର ରଞ୍ଜୁ ପାଇଁ ଏହି ଗାଁ ପରିବେଶ ନୂଆ।ସରଗରମ ରଜପର୍ବର ଚିତ୍ତାକର୍ଷକ ମଉଜ ମଞ୍ଚଟି ରଞ୍ଜୁର ହୃଦୟ ଛୁଇଁ ପାରିଥିଲା।ତା'ର ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ଆମ୍ବ ତୋଟାର ଲଗା ଯାଇଥିବା ଦୋଳି ଉପରେ।ସେଇଠିକୁ ଯିବା ପାଇଁ'ରଞ୍ଜୁ' ବାରମ୍ବାର ମା'ଙ୍କ ପାଖରେ ଅଝଟିଆ ନିବେଦନ ଜଣାଉଥାଏ।ରଞ୍ଜୁର ଏପରି ଆକୁଳ ନିବେଦନକୁ ସହି ନପାରି ରଶ୍ମିତା ତାଙ୍କର ଜଣେ ପରିଚିତ ତଥା ଲେଖା ଯୋଖାରେ ନଣନ୍ଦଙ୍କ ସହିତ ପଠେଇଦେଲେ ଆମ୍ବ ତୋଟାକୁ।ସମୟ ସମୟରେ ରଶ୍ମିତା ମଧ୍ୟ ତା'ପ୍ରତି ଦୃଷ୍ଟି ଦେଉଥାଆନ୍ତି।ରଞ୍ଜୁକୁ ନଣନ୍ଦ ତାଙ୍କର ନିଜ କୋଳରେ ବସେଇ ଦୋଳିରେ ଝୁଲାଉ ଥାଆନ୍ତି।ଆକସିଆ ରଙ୍ଗର ନିମ୍ନକୁଞ୍ଚି  ହଳଦିଆ ଫ୍ରକଟି ପିନ୍ଧି ରଞ୍ଜୁ ଜିକ୍କଉ ଥାଏ।ରଶ୍ମିତା ମନେ ମନେ ହସି ହସି ଘର ଆଡ଼କୁ ଚାଲିଗଲେ।
            
ଘର ଦୁଆରରେ ପାଦ ନଦେଉଣୁ ତୋଟା ଆଡୁ ପିଲା ମାନଙ୍କର ଆକୁଳ ଚିତ୍କାର ର ଛାତିଫଟା ସ୍ୱର ଶୁଣାଗଲା।କିଛି ଭାବିବା ପୂର୍ବରୁ ଦୁଇଟି ଯାକ ପାଦ ବିଦ୍ୟୁତ୍ ବେଗରେ ଫେରିଆସିଥିଲା ଘର ବାହାରକୁ।ରଶ୍ମିତା ଧାଇଁ ଯାଇଥିଲେ ତୋଟା ଅଭିମୁଖେ।ହସମୁଖୀ ରଞ୍ଜୁର ଶରୀର ନିସ୍ତେଜ ହୋଇ ଭୂମିରେ ଲୋଟି ପଡିଥାଏ। ହଳଦିଆ ରଙ୍ଗର ପୋଷାକଟି ସେତବେଳକୁ ରକ୍ତ ରଞ୍ଜିତ ହୋଇ ବେରଙ୍ଗ ହୋଇ ପଡ଼ିଥିଲା।ଦିନସାରା ବ୍ୟସ୍ତ ରହିଥିବା ସୁଦୀର୍ଘ ଝୁଲଣଟିର ଗୋଟିଏ ପଟ ଦଉଡି ଛିଡି ନିଶ୍ଚଳ ହୋଇ ପଡି ରହିଥାଏ।ରଶ୍ମିତା ନିର୍ବାକ ହୃଦୟରେ ଧୀରେ ଧୀରେ ରଞ୍ଜୁର ମୁହଁରେ ହାତ ବୁଲଉ ବୁଲଉ ଚେତାଶୁନ୍ୟ ହୋଇ ପଡ଼ିଥିଲେ। ଦୁଇ ଦିନ ପରେ ରଶ୍ମିତାଙ୍କର ଚେତା ଫେରିବା ବେଳକୁ ଅଲିଅଳି ରଞ୍ଜୁ ହଜି ଯାଇଥିଲା ବହୁ ଦୂରକୁ ଆଉ ରଜ ବି ସରି ଯାଇ ଥାଏ।

ବସନ୍ତ କୁମାର ପଣ୍ଡା
ବଇଞ୍ଚା, ଇରମ, ଭଦ୍ରକ

0 Comments