କ୍ଷୁଦ୍ରଗଳ୍ପ - କଥାକୁହା ଚିଠି - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - କଥାକୁହା ଚିଠି - ନାରାୟଣ ଚନ୍ଦ୍ର ସେନାପତି

ସେଦିନ ଫୁଲ ଆଈଟା ସବୁଦିନ ପରି ଗାଧୋଇ ସାରି ଆସି କାନ୍ଥରେ ଟଙ୍ଗା ଫଟୋଟିକୁ ଦେଖି ଟିକିଏ ହସିଲା ପୁଣି ଟିକିଏ କାନ୍ଦିଲା। ଦୈବାତ ପଡୋଶୀ ଘରର ସିନୁ ଆସିଥିଲା ଫୁଲ ଆଈକୁ ଟିକେ ତରକାରୀ ଦେବାକୁ।ହଠାତ୍ ଏ ଦୃଶ୍ୟ ତା ଆଖିକୁ ଝଲସାଇ ଦେଲା।ଭାବିଲା ଏ ଫୁଲ ଆଈଟା କଣ ପାଗଳି ହୋଇଯାଇଛି କି ନିଜେ ନିଜେ ପୁଣି ଫଟୋକୁ ଦେଖି ହସୁଛି...କାନ୍ଦୁଛି।ଫୁଲ ଆଈ ମଝିରେ ମଝିରେ ସେ ଫଟୋଟାକୁ ବି ଗେହ୍ଲ କରିଦେଉଥିଲା।ଏସବୁ ଦେଖି  ଆଶ୍ଚର୍ଯ୍ୟ ହୋଇ ସିନୁ ପଚାରିଲା,ଫୁଲ ଆଈ, ତୁମେ କ'ଣ ଏ ଫଟୋକୁ ଦେଖି ହସୁଛ...ପୁଣି କାନ୍ଦୁଛ?ପୁଣି ଗେହ୍ଲ ବି କରୁଛ?

  ଫୁଲ ଆଈ କହିଲା,ବୁଝିଲୁ ସିନୁ ଏପରା ମୋ ଜୀବନ,ମୋ ଗଳାର ମାଳୀ।ତୁ ବସିଥା,ମୁଁ ତରକାରୀ ରଖି ଥାଳିଆ ଆଣି ଦେଉଛି କହି ଘର ଭିତରକୁ ଗଲା।ଏପଟେ ସିନୁ ଫଟୋଟିକୁ ଦେଖି ଠୋ ଠୋ ହୋଇ ହସୁଥାଏ।କାରଣ ସେ ଫଟୋ ଭିତରେ କୋଉ ମଣିଷର ଫଟୋ ଙ ଥିଲା ଥିଲା ଗୋଟିଏ ହାତ ଲେଖା ଚିଠିର।

   ଫୁଲ ଆଈ ଆସିବାରୁ ସିନୁ କହିଲା ଏ ଫୁଲ ଆଈ ସତରେ ତୁମ ମୁଣ୍ଡ ଖରାପ ହୋଇ ଯାଇଛି,ଗୋଟେ ହାତ ଲେଖା ଚିଠିକୁ କିଏ ଫଟୋ ବନ୍ଧେଇ କରି ରଖେ?ତୁମେ ରଖିଛ? ଏସବୁ କହି ଏକ ତାଛଲ୍ୟ ଭରା ବିଦ୍ରୁପ ହସ ହସିଦେଲା ସିନୁ।

    ଆଖିରୁ ଠପ ଠପ ଦୁଇଧାର ବୋହିଗଲା ଫୁଲ ଆଈର।ସେ ପୁଣି ଥରେ ଫଟୋଟିକୁ ଛାତିରେ ଜାବୁଡି ଧରି ବାରମ୍ବାର ଗେହ୍ଲ କରି ଭୋ ଭୋ କରି କାନ୍ଦିବାକୁ ଲାଗିଲା।ସିନୁର ମନ ବହୁତ ଦୁଃଖ ହେଲା।ସେ ଭାବିଲା ଏଥିରେ କିଛି ରହସ୍ୟ ଅଛି,ନହେଲେ ଫୁଲ ଆଈ ଏତେ ଜୋରରେ କରୁଣ କ୍ରନ୍ଦନ ବା କରନ୍ତା କିପରି? ସେ ଫୁଲଆଈ ପାଖକୁ ଗଲା,ଧୀର ଗଳାରେ କହିଲା ଫୁଲ ଆଈ ମୁଁ ତୁମକୁ କଂଦେଇ ଦେଲିନା।ମୋ ମାଆ ଶୁଣିଲେ ମୋତେ ବହୁତ ଗାଳି ଦେବ।ହେଲେ ମୁଁ ବୁଝିପାରୁନି ଏ ଫଟୋ ଭିତରେ ଏମିତି କଣ ଅଛି ଯେ ତୁମେ ତା ପାଇଁ କାନ୍ଦୁଛ?

  ଫୁଲ ଆଈ କହିଲା, ଆରେ ତୁ ସାନ ପିଲାଟା,ତୁ ଏସବୁ କଣ ବୁଝିପାରିବୁ?ସିନୁର ଜିଦ୍ ଦେଖି ଫୁଲ ଆଈ କହିଲା ହଉ ଶୁଣ...ସିନୁ।ୟା ଭିତରେ ଯେଉଁ ଚିଠି ଦେଖୁଛୁ ତାହା ସାଧାରଣ ନୁହଁରେ।ୟା ଭିତରେ ପୁରି ରହିଛି କେତେ ସ୍ନେହ,କେତେ ମମତା,କେତେ ଅବିଶ୍ୱାସ ଆଉ ଏ ହେଉଛି ଭଲପାଇବା ଓ କେତେ ଧୋକାର ପ୍ରମାଣ ପତ୍ର।ଏଥର ଦଶମ ଶ୍ରେଣୀ ଛାତ୍ରୀ ସିନୁର ମୁଣ୍ଡ ଘାବରିଗଲା।ସେ ଯେଉଁ ସାଧା ସିଧା ଫୁଲ ଆଈକୁ ଭାବୁଥିଲା,ସେ ଆଭାସୀ ଧାରଣାବି ଛାଇ ପରି ଅପସରି ଗଲା।କି ଭାଷା...? କି ଅର୍ଥପୂର୍ଣ୍ଣ ଓଜନଦାର କଥା କେଇପଦ?ଏଥିରେ ବ୍ୟାକରଣ ବି ଅଛି ଦର୍ଶନ ବି ଅଛି,ଏ ଫୁଲ ଆଈ ବୋଧେ କିଛି ପଢ଼ିଛି,ନ ହେଲେ ଏ ଦାର୍ଶନିକ ସାହିତ୍ୟ ଶବ୍ଦ ଓ ଅର୍ଥପୂର୍ଣ୍ଣ ବାକ ଚାତୁରୀ କେମିତି ଆସନ୍ତା!ସିନୁ କହିଲା ବୁଝିପାରୁନି ଫୁଲ ଆଈ,ଟିକିଏ ସରଳ ଭାବେ କୁହ?ଫୁଲ ଆଈ ବି ପରଖିଦେଲା ଆଜି କାଲିକା ପିଲାଙ୍କ ଏ ଦେଖାସୁନ୍ଦର ବଡ଼ବସ୍ତାନୀ ପାଠ।କହିଲା ହଉ ଶୁଣ ରେ ସିନୁ,ମୋ ଜୀବନର ଦୁଃଖଦ କାହାଣୀ।

  ତୁ ବି ସେତେବେଳେ ଜନ୍ମ ହୋଇନ ଥିଲୁ।ତୋ ଅଜାଥିଲେ ଜଣେ ଶିଳ୍ପପତି।ଧନ ଡୌଲତ,ସୁନା ଟଙ୍କା କିଛିରେ ନ ଥିଲା ଅଭାବ।ମୋ ବାପା ମାଆଙ୍କର ମୁଁ ଥିଲି ଏକମାତ୍ର ଅଲିଅଳୀ ଝିଅ।ହୋଇଥିଲା ଆମର ଶୁଭ ବିବାହ।ହସ,ସୁଖର ନଦୀରେ ଆମେ ଏମିତି ପହଁରୁଥିଲୁ ଯେ ବାୟୁମଣ୍ଡଳ ବି ଦେଖି ଈର୍ଷା କରୁଥିଲା।ମୋ ବାପା ମାଆ ସେତେ ସ୍ଵଛଳ ପରିବାରର ନ ଥିଲେ।ବିବାହ ବେଳେ ଜମି ବନ୍ଧାପକାଇ ମୋତେ ବିବାହ କରାଇଥିଲେ।ହେଲେ ବାରମ୍ବାର ମରୁଡି ହେବାରୁ ଋଣ ପରିଶୋଧ କରି ନ ପାରି ଜମି ସବୁକୁ ହରାଇଲେ।ହୃଦ ଘାତ ହେଲା ବାପାଙ୍କର।ଡାକ୍ତରଖାନାରେ ଅକାଳ ବିୟୋଗ ହେଲା।ତାଙ୍କୁ ଝୁରି ଝୁରି ମା ବି ଆରପାରିକୁ ଚାଲିଗଲା।ଏପଟେ ତୋ ଅଜା ବିବେକଙ୍କ ବାପା ମାନେ ମୋ ଶ୍ୱଶୁର ଥିଲେ ଏପରି କୃପଣ ଯେ  ବିବେକ ତାଙ୍କ ହୃଦୟକୁ କେବେ ବି ସ୍ପର୍ଶ କରି ନ ଥିଲା।ତାଙ୍କ ଅନ୍ତେ ବିବେକ ବୁଝିଲେ ଫ୍ୟାକ୍ଟୋରି।ମୋ କୋଳକୁ ଆସିଥିଲା ଗୋଟିଏ ସୁନାପୁଅ ନାଁ ରଖିଥିଲି ବିଶ୍ୱାସ।ତାକୁ ଅଢେଇ ମାସ ହୋଇଥାଏ।ଆମେ ଫେରୁଥିଲୁ ରେମୁଣା କ୍ଷୀରଚୋରା ଗୋପୀନାଥ ଦେଖିସାରି।ଅନ୍ଧାର ରାତି ଶିମିଳିପାଳ ଅଭୟାରଣ୍ୟ ରାସ୍ତା ପରିହୋଇ ଆସୁଥାଉ।ମନରେ ଆନନ୍ଦ ଡିଆଁ ମାରୁଥାଏ।ହଠାତ୍ ଏକ ଟର୍ଣ୍ଣିଂରେ ଦଶଚକିଆ ଟ୍ରକଟେ ସାମ୍ନାରୁ ବାଡେଇଦେଲା ଆମ କାରକୁ।ତୋ ଅଜା ଖସି ପଡିଲେ ଦୁଇଶହ ଫୁଟୁ ତଳକୁ।ପ୍ରାଣ ହରାଇଲେ,ମାତ୍ର ମୁଁ ଆଉ ବିଶ୍ୱାସ ସାଇଡ଼ରେ ସତେ ଯେମିତି କିଏ ବଞ୍ଚାଇ ଦେଲା!ଗୋଟିଏ ଗଛ ମୂଳେ ରହିଗଲୁ ଆମେ।ପନ୍ଦର ଦିନ ଡାକ୍ତରଖାନାରେ ରହି ଭଲହୋଇ ଆସିଲୁ ଆମେ ଦୁହେଁ।କିଛିଦିନ ପରେ କମ୍ପାନୀରେ ଲାଗିଗଲା ନିଆଁ।କେଉଁଠୁ ବା ଆଣି ଋଣ ପରିଶୋଧ କରିବ?ଶେଷରେ ଘରଟା ବି ନିଲାମ ହେଲା।ଆଉ ସେହି ଘରକୁ କିଣିଲା ତା ବାପାଙ୍କ କମ୍ପାନୀ ପାଟନର ରଂଜୀତ ମହାନ୍ତି।ପରେ ଜାଣିଲି ସେହି ହିଁ ଚକ୍ରାନ୍ତ ଓ କଦର୍ଯ୍ୟ ଯୋଜନା କରି ଆମ ସବୁଙ୍କୁ ମାରିବାକୁ ଚାହୁଁଥିଲା,ଆଉ ସବୁ ସମ୍ପତ୍ତି ନେବାପାଇଁ ମଧ୍ୟ।ସେତେବେଳେ ପୁଅ ବିଶ୍ୱାସ ନିର୍ବୋଧ ଶିଶୁ।ଘର ଛାଡ଼ି ଚାଲିଆସିଲୁ ଏଇ ଗାଁକୁ।ତୋ ଅଜା ଭଲ ଲୋକଟିଏ ବୋଲି ଏ ଗାଁ ଲୋକେ ଏଇ ଜାଗା ଖଣ୍ଡକ ଦାନ କରିଥିଲେ।କଣ ବା କରିବି?ବାରଦ୍ୱାରେ ହାତ ପତେଇ ଅନ୍ୟର ବୋଲହାକ କରି ତାକୁ ବଡ କଲି।ଅଭାବ ବୋଲି ତାକୁ କେବେ ବି ଦୁଃଖ ସହିବାକୁ ଦେଇନାହିଁ।ଗାଈ,କେତୋଟି ଛେଳି ଆଉ କେତୋଟି କୁକୁଡ଼ା ବି ରଖି ଗୁଜୁରାଣ ମେଣ୍ଟାଉଥିଲି।ବିଶ୍ୱାସଟା ମୋର ଥିଲା ହାତବାରିସୀ।ଭାରି ବିବେକୀ,ଆଉ ଦୁଖରୀ ସୁଖରୀ ମଧ୍ୟ।କେତେବେଳେ ଗାଇଟେ,କେବେବା ଛେଳିଟେ ଆଉ କେବେ କୁକୁଡାଟିଏ ବିକି ମୋ ଦରକାରୀ ଜିନିଷ ସବୁ ମେଣ୍ଟାଉଥିଲା।ଆଉ ସେମାନଙ୍କୁ ବିକି ଦେଉଛି ବୋଲି ମୁଁ ଶୋଇସାରିଲା ପରେ ଧକ୍କେଇ ହୋଇ କାନ୍ଦୁଥିଲା ସେମାନଙ୍କୁ ଝୁରିଝୁରି।

  ମାଟ୍ରିକ ବହୁତ ନମ୍ବର ରଖି ପାଶ କଲା। ମୋର ଆଉ ବିବେକର ମନ କୁଂଢେମୋଟ ହୋଇଯାଉଥାଏ ହେଲେ ଏତିକି ଦୁଃଖ ମୋ ପାଖରେ ତ ପଇସା ନାହିଁ,ସେ ପଢିବ କେମିତି?
 କଥାରେ ପରା ଅଛି,ଈଚ୍ଛା ଥିଲେ ସୁଯୋଗ ପରା ଆପେ ଆପେ ଆସେ।ମୋ ବାପା ମୋ ନାଁରେ କରିଥିବା ଜମିଖଣ୍ଡକ ଥିଲା।ତାକୁ ବିକିଦେଇ ପୁଅକୁ ଭୁବନେଶ୍ୱରରେ ନାଁ ଲେଖେଇ ପଢ଼ାଇଲି।ବହୁତ ଭଲ ପଢ଼ିଲା।ସବୁଠୁ ଭଲ କରୁଥାଏ।ଯାହେଉ ଏଇମିତି କିଛି ବର୍ଷ ପଢୁଥାଏ।ମୁଁ ବିକି ଭାଙ୍ଗି ପର  ଘରେ କାମ କରି ପାଠ ପଢ଼ାଇଲି।ସରିଗଲା ପଢା।ଆସିଲା ଚାକିରୀ ପାଇଁ ଡ଼କରା।ସେଦିନ ଆମେ ଦୁହେଁ କେତେ ଯେ ଖୁସିହେଲୁ।ଆନନ୍ଦ ଅଶ୍ରୁ ବହିଯାଉଥାଏ।ମୋ ଆଖିରୁ ଲୁହ ପୋଛି କହୁଥିଲା, ବୋଉ କେତେ କଷ୍ଟ କରି ମୋତେ ପାଠ ପଢେଇଲୁ କହିଲୁ?ଶେଷରେ ପର ଘରେ ମୋ ପାଇଁ ମୁଣ୍ଡ ବି ବିକିଦେଲୁ!ତା ମୁଣ୍ଡଟାକୁ ଆଉଁସି ଦେଇ କେବଳ ଏତିକି କହିଥିଲି,ଆରେ ବାୟା ତୁ ପରା ମୋ ସୁନାଟା,ଧନଟା।ତୁ ଗୋଡ଼ରେ ଠିଆ ହୋଇଗଲେ ଆମର ଆଉ କି ଦୁଃଖ ରହିବ?

  ହେଲେ ଯାହା ତ ଥିଲା ସବୁ ସାରିଦେଇଛି।ପୁଅ ଯିବ ବିଦେଶ...କେତେ... ବାଟ।ଚାକିରୀ ସିନା ପାଇଗଲା ହେଲେ ହେଲେ ତା ବାଟ ଖର୍ଚ୍ଚ,ମାସେ ଯେ ରହିବା ଖର୍ଚ୍ଚ,ଜିନିଷ କିଣିବା ଖର୍ଚ୍ଚ..ନିହାତି ଦରକାର।ତା ପାଖରେ କେବଳ ସବୁ ବିକି ଆଉ ତିନୋଟି ସନ୍ତକ ଥିଲା।ଗୋଟିଏ ଝୁମୁରୀ ଗାଈ,ଗୋଟିଏ ଘରମଣୀ ଛେଳି ଓ ଗୋଟିଏ ଡାକୁଆ ନାମର ଗଞ୍ଜା।ଏମାନଙ୍କୁ ମଣିଷ ଛୁଆ ପରିଏପରି ପାଳିଥିଲା, ସତେ ଯେମିତି ଡାକିଲେ ଏମାନେ ଓ କହୁଥିଲେ।ପାଖରେ ବସିଲେ ଝୁମୁରୀଟା ଚାଟିଦେଉଥିଲା,ଘରମଣୀଟା ତା ପିଠିରେ ମୁହଁ ଘଷୁଥିଲା,ଆଉ ଦାକୁଆଟା ତା କାନ୍ଦ ଦେଖିଲେ ପାଖରେ କି ସୁନ୍ଦର ବୋବାଉଥିଲା।ସେ ଯେତେବେଳେ ବିକିବା କଥା ଉଠାଇଲା,ବିଶ୍ୱାସଟା କାନ୍ଦି କାନ୍ଦି ମନା କରୁଥିଲା।ମୁଁ କହିଲି ଆରେ ଧନ ତୁ ପରା ମୋ ରତନ.. ଏତେଦିନର ତପ କଣ ଏଇ ମୋହରେ ଚାଲିଯିବ।ବିକ୍ରିକରିଦେଲି ତିନିଟା।ସେମାନେ ଗଲାବେଳେ ସତେ ଯେମିତି କହୁଥିଲେ ଏ ମାଆ,ଆମେ ପଶୁପକ୍ଷୀ ବୋଲି ଆମକୁ ବିକିଦେଲୁନା?ମୁଁ ଅନ୍ତର କୋହକୁ ଚାପି ସତେ ଯେମିତି କହୁଥିଲି ନାଁ ରେ,ମୋ ଧନ ପାଇଁ ଦରକାର ପଡ଼ିଥିଲେ ମୁଁ ନିଜେ ବି ବିକ୍ରି ହୋଇଥାନ୍ତି।ସେସବୁ ବିକି ଟଙ୍କା ପଚିଶ ଶହ ତା ହାତରେ ଦେଲି।ସେ ସେଦିନ ଏ ପଇସାକୁ ଧରିଲା ବେଳେ ଭୋ ଭୋ କାନ୍ଦିଥିଲା ଆଉ ଗଲା ବେଳେ କୋଶେ ଦୁରଯେ ଅନେଇ ଅନେଇ ଗଲା।ତିନି ଜୀବନକୁ କେତେ ଝୁରିହେଲି,ବିଶ୍ୱାସଟାକୁ ବହୁତ ମନେ ପକାଉଥିଲି ପୁଣି ଭାବିଲି ମୁଁ ମନେ ପକାଇଲେ ସେ ପରା କାନ୍ଦିବ।ଏଇମିତି କିଛିଦିନ ଗଲା।

  ସେଦିନ କାଉଟା ରାଉ ରାଉ ହେଉଥିଲା। ମନୁଆଁ ଡାକବାଲାଟା ସାଇକେଲ ଘଣ୍ଟି ବଜାଇ ତୁହାଉଥିଲା।ଆଉ ମଜାରେ କହୁଥିଲା, ଲୋ ଫୁଲନାନୀ,ପୁଅ ଚାକିରୀ କଲା କେବେ ଖାଇବାକୁ ଦେବୁ?ମୁଁ ଆନନ୍ଦ ମନରେ କହୁଥିଲି ହଁ ରେ ଶନିଆ,ସେ ଫେରୁ ଭୋଜି ନିଶ୍ଚୟ ଖାଇବୁ।ଶନିଆଁ ବଢ଼େଇ ଦେଲା ପୁଅ ବିଶ୍ୱାସ ପାଖରୁ ଆସିଥିବା ଚିଠିଟି।ଚିଠିଟାକୁ କେତେ ଚୁମା ମାରି ଗେହ୍ଲ କଲା।ଆଦରରେ ଯତନରେ ଖୋଲିଲା।ସାଇ ଜଟିଆ ମାଷ୍ଟ୍ରେ କହିଲେ ନାନୀ କଣ କି?କିଏ ଚିଠି ଦେଇଛି?ଏଇ ବିଶିଆ ଟା ରେ।ନେଲୁ ଟିକେ ପଢ଼ିଦେ।ମୋ ଆଖିଟା ତ ଝାପ୍ସା ଝାପ୍ସା ଦିଶୁଛି।ଜଟିଆ ସାର୍ ପଢିଲେ ଚିଠିଟି।ଯେଉଁ ଚିଠି ତା ଚାକିରୀ କରିଥିବା ପୁଅ ଲେଖିଛି।

   ବୋଉ,ମୋର ପ୍ରଣାମ ନେବୁ।ମୋତେ ଛାଡ଼ି କେମିତି ରହୁଛୁ ଲୋ?ତୋତେ ଦଣ୍ଡେ ଛାଡି ମୁଁ ରହିପାରୁନି।ତୁ ପରା ମୋ ଜୀଅନ୍ତା ଠାକୁର।ତୁ ମୋ ମାଆ ତୁ ମୋ ବାପା।କଣ ଙ କରିଛୁ ମୋ ପାଇଁ?ଦେହର ଝାଳ ରକତ ସବୁ ନିଗାଡି ଦେଲୁ।ବେଶି କାନ୍ଦ ଲାଗୁଛି ତୋ ଜୀବନ ବୋଲାଉଥିବା ସରାଗର ଝୁମୁରୀ,ଘରମଣୀ ଆଉ ଡାକୁଆକୁ ମୋ ପାଇଁ ବିକି ଦେଇ କେତେ କଷ୍ଟ ପାଉଥିବୁ କହିଲୁ।ଯାହାକୁ ବିକିଛୁ କହିବୁ ସେମାନଙ୍କୁ ବିକିବେ ନାହିଁ।ଏଇମାସ ପ୍ରଥମ ଦରମାରେ ତୁ ସେମାନଙ୍କୁ ମୁକୁଳାଇ ଆଣିବୁ।ତୋ ଡାକ ଠାକୁର ଶୁଣିଛନ୍ତି ଲୋ ବୋଉ।ମୋତେ ସବୁ ଜନ୍ମରେ ତୋ ଭଳି ମାଆଟିଏ ମିଳୁ।ଆଉ ଚିନ୍ତା କରିବୁ ନାହିଁ,ତୋ ପୁଅ ପରା ଚାକିରୀ କଲାଣି।ଆଉ କାହା ଘରେ କାମ କରିବୁ ନାହିଁ।ରାଣୀମା ପରି ବସି ଅୟସୀ କରିବୁ।କିଛି ମାସ ପରେ ମୁଁ ତୋତେ ନେଇ ଆସିବି।ମୋ ପାଖରେ ରହିବୁ।ଦେହର ଯତ୍ନ ନେବୁ।ମୋ କଥ ଭାବି କାନ୍ଦିବୁ ନାହିଁ।ମୋ ରାଣ ରହିଲା।ରହୁଛି ବୋଉ।ପୁଣି ଦରମା ପାଇଲେ ଚିଠି ଆଉ ଟଙ୍କା ପଠାଇବି।
  ଇତି ତୋର ଗେହ୍ଲା ପୁଅ ବିଶି(ବିଶ୍ୱାସ)

  ଚିଠି ପଢ଼ିସାରି କୋହ ସମ୍ଭାଳି ପାରିଲେନି ଜଟିଆ ସାର୍।ଫୁଲ ଆଈଟା ଆଖିରୁ ଆନନ୍ଦର ଅଶ୍ରୁ ବୋହି ଗଲା।ଜଟିଆ ସାର୍ କହିଲେ ସତରେ ଲୋ ନାନୀ,ତୁ ବହୁତ ବଡ଼ ଭାଗ୍ୟବତୀ।ବିଶ୍ୱାସ ଭଳି ପୁଅ ପାଇଛୁ।ଏଭଳି ପୁଅ କୋଟିକରେ ଗୋଟିଏ।

  ତୋ ତୁଣ୍ଡ ସୁତୁଣ୍ଡ ହେଉରେ ଜଟିଆ।ହେଲେ ବାପା ମୋର ଗୋଟିଏ କାମ କରିଦେବୁ।ଏଇ ଚିଠିଟା ମୋ ପୁଅର ପ୍ରଥମ ଚିଠି ଆଉ ହୃଦୟର ଚିଠି।ମୁଁ ଚାହୁଁଛି ତା ବାପାର ଫଟୋ ପାଖରେ ସାଇତି ରଖିବି।ଟିକେ ବନ୍ଧେଇ ଆଣନ୍ତୁନି।ଜଟିଆ ସାର୍ କହିଲେ ନିଶ୍ଚୟ ନାନୀ,ଏ ରବିବାର ମୁଁ ହାତକୁ ଯିବି,ନେଇ ବନ୍ଧେଇ ଆଣିବି।

  ସେଦିନ ଜଟିଆକୁ ଚିଠିଟା ଦେଲାବେଳେ ବାରମ୍ବାର କହୁଥାଏ,ବାପାରେ ଚିଠିଟା ଯତ୍ନରେ ନେବୁ,ହଜାଇ ଦେବୁନାହିଁ।ଜଟିଆ ସାର୍ ଟି ବନ୍ଧେଇ କରି ଆଣି ଏଇ ଜାଗାରେ କଣ୍ଟାପିଟି ଟାଙ୍ଗିଦେଲା। ହେଲେ ସେଇଦିନଠୁ ଏଇ ଚିଠି ପରା ମୋ ଜୀବନ।ତା ସହିତ ମୁଁ ସବୁଦିନ କଥାହୁଏ।

  ସିନୁର ଆଖିରୁ ଦୁଇଟୋପା ଲୁହ ଙ ବାହାରି ରହି ପାରିଲା ନାହିଁ।କହିଲା ଫୁଲ ଆଈ ତୁମ ପୁଅ ତ ଆସୁଥିବେ ହେଲେ ତୁମେ ତାଙ୍କୁ ଦେଖୁଥିବ ହେଲେ ଏ ଫଟୋ ଦେଖି ହସୁଛ,ଆଉ କାନ୍ଦୁଛ?

  ଫୁଲ ଆଈ କହିଲା, ନାଁ ଲୋ ସିନୁ,ବିଶ୍ୱାସଟା ସେଇଦିନୁ ଯାଇଛି ଯେ ଯାଇଛି।ନୂଆ ନୂଆ ତିନି ଚାରି ଥର ଟଙ୍କା ପଠାଇଛି ହେଲେ ଆସିନାହିଁ କି ଆଉ ଦ୍ଵିତୀୟ ଚିଠି ଦେଇନି।ଶୁଣିଲି ସେ କାଳେ ଅନ୍ୟ ଜାତିରେ ଗୋଟେ ବାହା ହୋଇଯାଇଛି।ସେ ଝିଅ ମାନେ ମୋ ବୋହୂଟା ବହୁତ ବଡ଼ ଧନୀ ଘରର।ଆଉ ପୁଅଟା ମୋର ବହୁତ ମଦ ପିଉଛି।ମଣିଷକୁ ବେଖାତିର କରୁଛି।ଆର ସାହି ଧନିଆଁ ସାଙ୍ଗେ ଦେଖା ହୋଇଥିଲା।ସେ ତାଙ୍କ ଅଫିସ ଲୋକଙ୍କ ସାଥିରେ ଥିଲା।ଧନିଆଁ ଯେତେ ଡାକିଲା ସେ କହିଲା ମୁଁ ତୁମକୁ ଚିହ୍ନି ନାହିଁ।ପୁଣି ବାଟରେ ଗାଡି ଅଟକାଇ କହିଲା ମୁଁ ଜଣେ ଅଫିସର ତୁମେ ମୋତେ ପ୍ରେଷ୍ଟିଜ ଦେଇ ନ ଡାକି ବିଶୁ ବିଶୁ ଡାକୁଛ?ତୁମର କମନ ସେନ୍ସ ନାହିଁ।ଲୋକଙ୍କୁ ସେ ଚିହ୍ନି ପାରିନି ରେ ସୁନି।

  ସିନୁ କହିଲା,ଛି ଛି ଆଈ,ଏଭଳି ପୁଅର ଚିଠି ତୁମେ ରଖିଛ,ତାକୁ ଡ୍ରେନ ରେ ପକାଇଦେବା କଥା।ଯିଏ ମାକୁ ଭୁଲିଗଲା,ମା ମାଟିର ଲୋକଙ୍କୁ ଚିହ୍ନି ପାରୁନାହିଁ ତା ଚିଠିକୁ ....।ଫୁଲ ଆଈ କହିଲା ନାଁ ଲୋ ସୁନି, ଚଢ଼େଇଟା ସିନା ବାଟବଣା ହୋଇଯାଇଛି,ହେଲେ ଦିନ ଆସିବ,ସେ  ତା ଜନ୍ମଦାତ୍ରୀ ମା,ମା ମାଟି ବସାକୁ ଝୁରି ଝୁରି ଫେରିଆସିବ।ମୁଁ ପରା ତା ମାଆ, ଛୁଆସିନା ଭୁଲ କରିବ ମୁଁ ମା ହୋଇ ଭୁଲ କରିବି ନା?ତୁ ପଚାରୁଥିଲୁ ନା ମୁ ଫଟୋ ଦେଖି କି ଚିଠି ଦେଖି କାହିଁକି ହସୁଛି....କାହିଁକି କାନ୍ଦୁଛି...?ମୋତେ ଲାଗୁଛି ମୋ ପୁଅକୁ ଅବାଟରେ କିଏ ନେଉଛି...କାଳେ ଅଧିକ କିଛି ଖରାପ ହେବ ସେଥିପାଇଁ ମୁଁ କାନ୍ଦୁଛି।ଆଉ ସେ ସବୁକିଛିକୁ ଭୁଲି ତା ନାଆଁ ବିଶ୍ୱାସ ଥାଇବି କେମିତି ଅବିଶ୍ୱାସୀକୁ ବିଶ୍ୱାସ କରୁଛି ଆଉ ବିଶ୍ୱାସ ରଖିଥିବା ଲୋକକୁ ଅବିଶ୍ୱାସ କରିପାରୁଛି ଯେଉଁ ସମୟର ପ୍ରଭାବରେ ସେଠିପାଇଁ ମୁଁ ହସୁଛି।ମୋତେ ଲାଗୁଛି ସେ ଚିଠିଭିତରୁ ସେ କହୁଛି ମୋତେ ବଞ୍ଚାଆ ବୋହୁ,ଆଉ ନିଜକୁ ଧିକ୍କାର କରି କହୁଛି ଏ ଵୋଉ ମୋ ଖୁସିରେ ଟିକେ ହସନା।

କହିଲୁ ସିନୁ,କେମିତି ମୁଁ ଭୁଲିଯିବି ମୋ କଥାକୁହା ଚିଠିକୁ।ଭୋ ଭୋ ହୋଇ କାନ୍ଦି ପକାଇଲା ସିନୁ।ଖାଲି କହୁଥାଏ ଲୋ ଫୁଲ ଆଈ କେବେବି ଫିଙ୍ଗିଦେବୁ ନାହିଁ ଏ ଫଟୋକୁ।ଏଥିରେ ପରା ରହିଛି ତୋ ବିବେକ ପାଖରେ ଟଙ୍ଗା ବିଶ୍ୱାସର କଥାକୁହା ଚିଠି।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments