କ୍ଷୁଦ୍ରଗଳ୍ପ - କପଡ଼ା ଦୋକାନୀ ପୁଅ - ସତ୍ୟ ପ୍ରକାଶ ସେଠୀ

କ୍ଷୁଦ୍ରଗଳ୍ପ - କପଡ଼ା ଦୋକାନୀ ପୁଅ - ସତ୍ୟ ପ୍ରକାଶ ସେଠୀ

ତବ୍ରେଜ୍ ପରିବାର ଯେଉଁଠି ରହନ୍ତି – ସେଇଟା ଗୋଟିଏ ଜନଗହଳିପୂର୍ଣ୍ଣ ବସତି। ଘରକୁ ଘର ସବୁ ଲାଗି ରହିଥାଏ। ଖୁନ୍ଦି ଖାନ୍ଦି ହୋଇ ଅନେକ ଲୋକ ସେଇଠି ଚଳପ୍ରଚଳ କରିଥାନ୍ତି। ପରିବେଶ ନିହାତି ଅସ୍ଵାସ୍ଥ୍ୟକର, ଲୋକ ସଂଖ୍ୟା ଅଧିକ। କୁଢ କୁଢ ଆବର୍ଜନା, ଖାଲୁଆ ଅପନ୍ତରା ଜାଗା। ମଶା ଡାଉଁଷଙ୍କ ପାଇଁ ଉତ୍କୃଷ୍ଟ ବାସସ୍ଥଳୀ। ସବୁବେଳେ ରାସ୍ତା ଘାଟ ସନ୍ତସନ୍ତିଆ ରହେ। ଶୀତ ଦିନେ ବୁଜୁର ଲୋକମାନେ ରାସ୍ତା କଡରେ ଡାହି ଲଗାଇ ନିଆଁ ପିଅନ୍ତି। ଛେଳି ମଇଁଷି ସବୁ ରାସ୍ତାରେ ବନ୍ଧା ହୋଇଥାନ୍ତି ବା ବୁଲୁଥାନ୍ତି। ଅଗଣାରେ କୁକୁଡା ଚରୁଥାଏ। ଚାରିଆଡେ କାଣ୍ଡି କାଣ୍ଡି ଆସବାବ ପତ୍ର ଘେରା ବସ୍ତି – ସହର ତଳି ଅଞ୍ଚଳ। ଗାଁଟିର ନାଁ ନହର ପାଟଣା। ଆଜି ଯାଏଁ ଗାଁରୁ ପାଠ ପଢି କେହି ଗୋଟେ ମଣିଷ ହୋଇ ନାହିଁ। ଭଙ୍ଗା ଲୁହା ଲତା ଓ ଟିଣ ବିକି ବା ବୋତଲ ଜରି ଗୋଟାଇ ଆଧିକାଂଶ ଲୋକ ଚଳି ଯାଆନ୍ତି। କେହି କେହି ଅଡୁଆ ବାଳ ଓ ଶୂନ୍ ପାମ୍ପୁଡ଼ି ବିକି ବା ଫେରି କରି ଗୁଜୁରାଣ ମେଣ୍ଟାନ୍ତି। ସେଇଠି ତବ୍ରେଜ୍ ପରିବାରର କ୍ଷୁଦ୍ର ସାମ୍ରାଜ୍ଯ।


ତବ୍ରେଜ୍ ପରିବାରରେ ରାଜା ନବମତମ ଶିଶୁ ସନ୍ତାନ। ତଳେ ଉପରେକି ଆହୁରି ତେର ଜଣ ଭାଇ ଓ ଭଉଣୀ। ଖୁବ୍ ବଡ଼ ପରିବାର । ଚାଚା ଓ ଚାଚି ମଧ୍ୟ ଅଛନ୍ତି।ଦାଦା ଦାଦୀ ବି। ବବରୁଚିଖାନା(ରୋଷେଇ ଶାଳା) ଟି ବଡ଼, ମାନେ ଖୁବ୍ ବଡ଼। ବଡ଼ ବଡ ହଣ୍ଡାରେ ଭାତ ବସେ, ନହେଲେ କାହାକୁ ପାଇବ କହୁ ନାହାଁନ୍ତି! ତବ୍ରେଜ୍ ସାହେବ ଯେ ରୋଜଗାର ନକରନ୍ତି ତାହା ନୁହଁ, ତେବେ ତାଙ୍କ ଆର୍ଥିକ ଉପାର୍ଜନ ଏଡ଼େ ବଡ଼ ପରିବାର ନିକଟରେ ସବୁ ଲୁଟି ଯାଏ। ତେଣୁ ସମସ୍ତଙ୍କୁ ପାଠ ସାଠ ପଢାଇ ଶିକ୍ଷିତ କରିବା ସହଜ କଥା ନୁହଁ, ପରନ୍ତୁ ଅନେକ କଷ୍ଟସାଧ୍ୟ। ତେଣୁ ପିଲାମାନେ ପ୍ରାୟତଃ ମୂର୍ଖ ବା ଅର୍ଦ୍ଧଶିକ୍ଷିତ-ସେଇ ସେତିକିରେ କାମ ଚଳିଯାଏ। ତାଙ୍କର ଗୋଟିଏ କପଡା କି ତେଜାରତ( କପଡା ଦୋକାନ) ଅଛି। ସେହି ହିଁ ତବ୍ରେଜ୍ ପରିବାରର ଏକମାତ୍ର ଅନ୍ନ ସଂସ୍ଥାନ। ପୂର୍ବେ ତ ରାସ୍ତା ଘାଟ ଓ ଗମନାଗମନର ଏତେଟା ସୁବିଧା ସୁଯୋଗ କିଛି ନଥିଲା। ତେଣୁ ବଳଦ ଗାଡିରେ ସୁଦୂର ବଙ୍ଗୋପ ସହର କଲିକତାରୁ ସମାନ ପାତି ଓ କପଡା ଗାଣ୍ଠି ସବୁ ଆସୁଥିଲା। କିଛି ପିଲା ସେଇଥିରେ ଲାଗି ରହୁଥିଲେ। ବାଟରେ ଚୌର୍ଯ୍ଯ ଭୟ ପ୍ରବଳ ରହେ। ଜଙ୍ଘା ଜଙ୍ଘା ଟୋକା ଚାରି /ଛଅଟା ସାଥିରେ ନରହିଲେ ଚୋରି ହୋଇଯିବାର ଭୟ ଥାଏ। ତେଣୁ ଏ ଆଜ୍ଞା ଲୋକ ବଳର ବେପାର। ଲୋକ ବାକ ନଥିଲେ ବେପାର ବଣିଜ କରିବା ଭାରି ମୁସ୍କିଲ୍। ଆଉ କେତେଟା ପିଲା ମେଳା ମହୋତ୍ସବକୁ କପଡା ପତ୍ର ବୋହି ନେଇ ବିକ୍ରି ବଟା କରନ୍ତି। ତବ୍ରେଜ୍ ସାହେବ କେବଳ ସହରସ୍ଥିତ ମୁଖ୍ୟ ଦୋକାନ ଓ ଗୋଦାମ ଗୃହ ଗୋଟିଏ ଯୋଡ଼ିଏ ପିଲାଙ୍କୁ ନେଇ ସମ୍ଭାଳନ୍ତି।



ଯେଉଁ ପିଲାଟିର ହାତ ମୁଣ୍ଡକୁ ପାଇ ଯାଉଥାଏ ସେ ବାହା ଶାହା ହୋଇ ଧୀରେ ଧୀରେ ପରିବାର ଠାରୁ ସମ୍ପର୍କ ଛିନ୍ନ କରି ନିଜ ସଂସାର ନିଜେ ଦେଖୁଥାଏ। ଫଳରେ ୱାଲିଦ(ବାପ) ର ଦୁଃଖ କୌଣସି ଲାଘବ ହେଉ ନଥାଏ। ଓଲଟି ବରଂ ତା'ର ଆର୍ଥିକ ମେରୁଦଣ୍ଡ ଆହୁରି ଭାଙ୍ଗି ପଡୁଥାଏ। ତା'ର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡୁଥାଏ। ଯେତେ ରୋଜଗାର କଲେ ମଧ୍ୟ ଜନ ସମୁଦାୟର ଏ ବିରାଟ ଭାଗ ସେ ସବୁ ସୁଫଳକୁ ଖାଇ ଯାଉଥାନ୍ତି। ମଥା ଉପରେ ଅହରହ ବିରାଟ ପରିବାରର ବୋଝ। ଆର୍ଥିକ ଦୁର୍ଗତି ହେତୁ କାହାରି ଶିକ୍ଷା ଦିକ୍ଷା ଏତେ ନଥାଏ। ସେହି ପରିବାରରେ ରାଜାର ଜନ୍ମ୍ ଯିଏ କି ପିଲାଟି ବେଳୁ ବଡ଼ ମେଧାବୀ, ଶିକ୍ଷା ବୃତ୍ତିି ପାଇଛି। ତା' ର ନିଶା ଓ ପେଷା ହିଁ ସେହି ପାଠ। ମାଇନର ଖଣ୍ଡକ ପାସ୍ କରିଗଲା ପରେ ଆଉ ତାକୁ ଆଗକୁ ପଢ଼ାଇବାକୁ ଅବୁ ଅମ୍ମି (ବାପାମାଆ) ଙ୍କର ସାହାସ ନଥାଏ। ସମସ୍ତେ ନାରାଜ୍। କିନ୍ତୁ ପାଖ ଘରର ପିଲା ପଢୁଥିବାର ଦେଖି ଓ ଅନ୍ୟ ମାନଙ୍କର"କ' ଣ କରୁଛୁ" ବୋଲି ପ୍ରଶ୍ନରେ ବିବ୍ରତ ହୋଇ ନିଜକୁୁ ପାଠୁଆ ବୋଲି ପ୍ରମାଣିତ କରିବାକୁ ଯାଇ ପିଲାଟି ଜିଦ୍ କଲା ଯେ – ସିଏ ବି ଅନ୍ୟ ମାନଙ୍କ ପରି ପାଠ ପଢିବ। ସମାଜରେ ଜଣେ ହୋଇ ଛିଡ଼ା ହେବ। ତା'ର କଥାକୁ ସିନା ସମସ୍ତେ ହସରେ ଉଡେଇ ଦିଅନ୍ତି, ହେଲେ ତା'ର ଆଗ୍ରହ ଦେଖି ଅବୁ ତାକୁ ହାଇସ୍କୁଲରେ ଆଡମିସନ କରିଦେଇ ବହି ପତ୍ର କିଣି ଦେଲେ। କିନ୍ତୁ ଦୋକାନ ଚଳେଇବାକୁ ଲୋକ ବଳ ଦରକାର ପଡିବାରୁ ସେ ଆଉ ସ୍କୁଲ ଯାଇପାରିଲା ନାହିଁ। ହେଲେ ଘରୋଇ ଭାବେ ପଢି ସେ ଯାଇ ପରୀକ୍ଷା କେବଳ ଦେଇ ଆସୁଥାଏ।

ଅବୁର ତାଗିଦ୍ ମାନି ଦିନ ବେଳା ଦୋକାନ ଚଳାଏ ଓ ଜିନିଷ ପାତି ବିକ୍ରି ବଟା କରେ। ସମୟ ପାଇଲେ ବହି ଲେଉଟାଏ।ନିୟମିତ ବିଦ୍ୟାଳୟକୁ ଆସୁନଥିବାରୁ ଶ୍ରେଣୀ ଶିକ୍ଷକ ଓ ଶ୍ରେଣୀ ସାଙ୍ଗ କେହି ତାକୁ ଭଲ କି ଚିହ୍ନ ନାହିଁନ୍ତି। ମାଟ୍ରିକ ପରୀକ୍ଷା ଦୁଇ ମାସ ଅଛି ସେ ବାପାଙ୍କୁ କହି ସ୍କୁଲ ଗଲା। ସାରଙ୍କୁ ନେହୁରା ହେଲା ତାକୁ ଟିକିଏ ଟ୍ୟୁସନ କରି ପାଠ ବୁଝାଇ ଦେବାକୁ। ହେଲେ କେହି ଗୁରୁଜୀ ରାଜି ହେଲେ ନାହିଁ। କହିଲେ – "ତୁ ମୂର୍ଖଟା, ପାଠ ସାଠ କିଛି ପଢି ନାହୁଁ। ତୋତେ ଦୁଇ ମାସରେ କେମିତି ପଢ଼େଇ ପାସ କରେଇବୁ? ତୋତେ ପାଠ ପଢ଼େଇ ଖାଲି ବଦନାମ ହେବା ବ୍ୟତୀତ କିଛି ଲାଭ ହେବ ନାହିଁ। ବରଂ ତୁ ଯା', ପରୀକ୍ଷା ଏ ବର୍ଷ ଦେ' ନି। "



ଏ କଥା ଶୁଣି ପିଲାଟିର ମନ ଗଭୀର ଦୁଃଖରେ ଭାଙ୍ଗି ଯାଉଥାଏ। ତଥାପି ହିମ୍ମତ ହାରିଲା ନାହିଁ। ମନରେ ସାହସ ବାନ୍ଧିଲା। ନିଜ ଭିତରେ ଛୁପି ରହିଥିବା ଗଭୀର ଅଧ୍ୟବସାୟର ନିଶା ତା ମନ ଓ ପ୍ରାଣକୁ ଏକ କରି ପାଠ ପଢ଼ାରେ ପ୍ରଲୁବ୍ଧ କରି ରଖିଲା। ସେ ଦିନରେ ଦୋକାନ ସମ୍ଭାଳେ ଓ ରାତିରେ ଅନିଦ୍ରା ରହି ପାଠ ପଢ଼େ। କେତେବେଳେ କେମିତି ଉପର କ୍ଲାସରେ ପଢୁଥିବା କୋଉ ବଡ଼ ଭାଇ ଓ ଚିହ୍ନା ଜଣା ଲୋକକୁ ପାଠ ପଚାରି ହୁଏ। କିଛି ସାହାଯ୍ୟ ନପାଇଲେ ଗାଇଡ୍ ର ସାହାଯ୍ଯ ନିଏ। ନିଜକୁ ନିଜେ ବାରମ୍ବାର କସରତ କରି ଜଟିଳ ଗଣିତର ସରଳ ସମାଧାନ ପାଇଁ ଉପାୟ ଚିନ୍ତୁଥାଏ ବା କେଉଁ ସାଙ୍ଗକୁ ପଚାରି ବୁଝି ନେଉଥାଏ। କଠୋର ପରିଶ୍ରମ ଓ ଅନିଦ୍ରା ଦୋଷ ଯୋଗୁଁ ପରୀକ୍ଷା ବେଳକୁ ତା ଦେହ ଖରାପ ହୋଇ ଯାଇଥାଏ। ପ୍ରଚଣ୍ଡ ଜ୍ଵର ଓ ଦେହରେ ତାତି। ତଥାପି ଧୈର୍ଯ୍ୟର ସହ ସେ ସବୁ ପରୀକ୍ଷା ଦେଇ ଚାଲି ଥାଏ- ଗୋଟାଏ ପରେ ଗୋଟେ। ଘରକୁ ଫେରିଲା ପରେ ଅମ୍ମି ପଚାରିଲେ କହେ-ସଭି ସବାଲ୍ କା ଜବାବ୍ ଦିଆ ହୈ( ସବୁ ଲେଖିଛି) । ରେଜଲ୍ଟ ବାହାରିଲା ବେଳକୁ ଶ୍ରେଣୀରେ ଆଧିକାଂଶ ପିଲା ଫେଲ୍। ଯେଉଁ ଅଳ୍ପ କେତକ ସଫଳତା ପାଇଛନ୍ତି ସେମାନଙ୍କର ବି ସେତେ ନମ୍ବର (ମାର୍କ) ନାହିଁ। ଖାଲି ଜଣେ ଭୂଟୁ ବୋଲି କେହି ପୂରା ଜିଲ୍ଲାରେ ଟପ୍ପର ହୋଇଛି। ହେଲେ ପିଲାଟି କିଏ କେହି ସଠିକ ଭାବେ ଚିହ୍ନି ପାରୁ ନାହାଁନ୍ତି।

ସାର୍ କେତେ ଲୋକଙ୍କ ହାତରେ ଖବର ଦେଲେଣି ହେଲେ କେହି କିଛି ସଠିକ୍ କହି ପାରୁନାହାଁନ୍ତି। ରାଜାର ସାଙ୍ଗ ମାନେ ବି କହିଲେ ରାଜା ତୁ ଫେଲ ହେଇଛି। ତୋ ନାଁ ଲିଷ୍ଟରେ ବାହାରି ନାହିଁ। ରାଜାର ବି ମନ ଦୁଃଖ, ଭରସି ସାହସ କରି କାହାକୁ କିଛି ପଚାରି ପାରୁନାହିଁ। ଶେଷରେ ଚାରି/ ଆଠ ଦିନ ଗଡ଼ି ଗଲା ପରେ ଯାଇଁ ହେଡ୍ ସାରଙ୍କୁ ଦେଖାକଲା। କହିଲା-" ସାର୍ ମୁଁ ସବୁ ଲେଖିଥିଲି, କେମିତି ଫେଲ୍ ଆସିଲା" ?
ସାର୍ କହିଲେ -" ବେଟା ତୋର ନାଁ କି ଅଛି? "
କହିଲା -" ଭୂଟୁ"।
ସାର୍ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ, କହିଲେ -" କହିଲେ ଆରେ ତୁ ଏତେ ଦିନ ଧରି କେଉଁଠି ଥିଲୁ? ମୁଁ ତ ତୋତେ ହିଁ ଖୋଜୁଛି । ତୁ ଫେଲ୍ ନୁହଁ ଫାଷ୍ଟ୍ ହେଇଛୁ। ପୂରା ଜିଲ୍ଲାରେ ଫାଷ୍ଟ୍ ଆସିଛୁ।" ସମସ୍ତେ ଆଶ୍ଚର୍ଯ୍ୟ ଓ ଚକତି ହୋଇ ରହିଗଲେ। ଆଧିକାଂଶ ମନରେ ପ୍ରଶ୍ନ -" ଯେଉଁ ପିଲାକୁ କେହି ବିଶେଷ ଚିହ୍ନନ୍ତି ନାହିଁ କି ଦିନେ ସେ ସ୍କୁଲ୍ ଆସେ ନାହିଁ, କେମିତି ସେ ଫାଷ୍ଟ୍ ହେଲା? " ଯାହା ହେଉ କୌଣସି ପ୍ରକାର ସମସ୍ତ ବାଧା ଓ ପ୍ରତିବନ୍ଧକ ସତ୍ତ୍ୱେ ତା'ର ସ୍କୁଲ୍ ଜୀବନ ସଫଳତାର ସହ ସରିଗଲା। ଏବେ ସେ କଲେଜ ପଢିବ। ଅବୁ ତ ତା' ର ମୂରୁଖ ଲୋକ, ବ୍ୟବସାୟ ଛାଡ଼ି ଆଉ ଆଗକୁ କିଛି ସେ ଭାବି ପାରୁ ନଥାନ୍ତି। ପଢେଇବାକୁ ମଧ୍ଯ ରାଜି ନୁହଁନ୍ତି, ହେଲେ ରାଜାର ଜିଦ୍ ଯୋଗୁଁ ଶେଷରେ ସେ ରାଜି ହେଲେ। ପୁଣି ରାଜା ଚାହିଁଲା ଆଇ. ଏସସି ପଢିବ, କାରଣ ସେଇଟା କୁଆଡ଼େ ଭଲ ପାଠ। ଅବୁ ସର୍ତ୍ତ ରଖିଲେ – "ପଇସା ଖର୍ଚ୍ଚ କରି ତୋତେ ପାଠ ପଢେଇବି ସତ ହେଲେ ଯଦି ତୁ fast କ୍ଲାସ ପାଇବୁ ବୋଲି ଯେବେ କଥା ଦେବୁ, ତେବେ ଧାର କରେ କି ଉଧାର ତୋତେ ମୁଁ ବିଜ୍ଞାନ ପଢେଇବି। "



ସତକୁ ସତ ସେୟା ହେଲା-ରାଜା ଆଇ. ଏସ୍ ସିରେ ମଧ୍ୟ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାସ୍ କଲା। କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଯେ ପରୀକ୍ଷା ଫଳ ଖୋଦ୍ ଭୂଟୁ ମୁହଁରୁ ଶୁଣିବାକୁ ତବ୍ରେଜ୍ ସାହେବ ଆଉ ଏହି ଇହ ଧାମରେ ନଥିଲେ। ସେ ଆଲ୍ଲାଙ୍କୁ ପ୍ୟାରୀ ହୋଇ ଯାଇଥିଲେ। ବାର ଆଡ଼ୁ ତେର ଚିନ୍ତା ମୁଣ୍ଡରେ ପୂରାଇ ସେ ଦିନେ ବସିବା ସ୍ଥାନରୁ ଗଡି ପଡ଼ିଲେ, ଦେଖିଲା ବେଳକୁ ସବୁ ଶେଷ। ଦେହରେ ଆଉ ଜୀବନ ନଥାଏ। ଦେହଟା କଞ୍ଚା ପାଣି ହୋଇ ସାରିଥାଏ। ଭାଇ ସାହିକୁ ଡାକି ଶବଟାକୁ ମାଟି ତଳେ କବର ଦିଆ ଗଲା।
ଏଥିରେ ରାଜା ଜୀବନର ଦିଗ ଓ ଦିଶା ବଦଳି ଗଲା। ପ୍ରଚଣ୍ଡ ମାନସିକ ଯନ୍ତ୍ରଣାରେ ସେ ନିଜର ଭାରସାମ୍ୟ ହରେଇ ବସୁଥାଏ। ଏତେବେଳେ ମୁଣ୍ଡ ଉପରେ ଅନେକ ଗୁରୁ ଦାୟିତ୍ଵ ପିତାଙ୍କର ବ୍ୟବସାୟ ପ୍ରତିଷ୍ଠାନ ତ ଆଗ ଦେଖିବାକୁ ପଡ଼ିବ, ପୁଣି ଏଥିସହିତ ସାନ ଭାଇ ଓ ଭଉଣୀ ମାନଙ୍କର ହେପାଜତ, ପଢ଼ା ଖର୍ଚ୍ଚ ଓ ବିବାହାଦି କାମ କାର୍ଯ୍ୟ – ସବୁ ବାକି ରହିଛି। ବଡ଼େ ଭାଇଲୋଗ ତ ସମସ୍ତେ ଭିନେ। ଏପରି ପରିସ୍ଥିତିରେ" କ'ଣ କରିବାକୁ ହେବ" ମୁଣ୍ଡ କିଛି କାମ କରୁନଥାଏ। ଯାହା ବି ହେଉ ବିଜ୍ଞାନ ଛାଡ଼ି ଏଥର ସେ ବି. ଏ ରେ ନାମ ଲେଖେଇ ଦେଲା। ନିଜେ ଡକ୍ଟର ହୋଇ ଗରୀବ ଲୋକଙ୍କର ସେବା କରିବାର ସ୍ଵପ୍ନ ତା' ର ସେତିକିରେ ସେଇଠି ଅଟକି ଗଲା। ହେଲେ କୌଣସି ପ୍ରକାର ବି. ଏ ଖଣ୍ଡକ ଆହୁରି କେମିତି ପାସ୍ କରିଗଲା। ଆଉ ଅଧିକ ପଢିବାକୁ ସେ ଚାହିଁଲା ନାହିଁ। ଏଥର ଚାକିରୀ, ଖାଲି ଚାକିରୀ ଚିନ୍ତା। ଛୋଟ ମୋଟ କେତୋଟି ପରୀକ୍ଷା ସେ ଦେଲା। ସେଥିରେ ସେ ସିନା କୃତକାର୍ଯ୍ୟ ହୋଇଯାଉଥାଏ, ହେଲେ ଅନ୍ତିମ ଚରଣ ବେଳକୁ- ଲାଞ୍ଚ। ଉତ୍କୋଚ ଦେଇ ନପାରିବାର ଅକ୍ଷମତା ଯୋଗୁଁ ଚାକିରୀ ହାତଛଡ଼ା ହୁଏ। ଏଇମିତି କେଇଗୋଟି ଚାକିରୀ ଗଲାଣି। ତେଣୁ ଭାବିଲା ଯେଉଁଠି ଉତ୍କୋଚ ନାହିଁ ସେମିତିକା କେବଳ ସର୍ବ ଭାରତୀୟ ସ୍ଥରର କେତୋଟି ପରୀକ୍ଷା ଏଣିକି କେବଳ ସେ ଦେବ। ଶେଷରେ ଆଇ. ଏ. ଏସ୍ ପରୀକ୍ଷାରେ ସେ ଅବତୀର୍ଣ୍ଣ ହେଲା।

ମନରେ ଅନେକ ସ୍ଵପ୍ନ ସେ ବିରାଟ ଜନ ସମୁଦାୟର ସେବାରେ ନିଜକୁ ବ୍ରତୀ ରଖିବ। ଦେଶ ମାତୃକାର ସେବା କରି ଶିକ୍ଷାର ପ୍ରଚାର ଓ ପ୍ରସାର ଦିଗରେ ବିଶେଷ କାର୍ଯ୍ୟ କରିବ, ହେଲେ ଏପରି ଗୋଟେ ସୁଯୋଗ ମିଳନ୍ତା କି? ଯେତେବେଳେ ଏହି ସହରରେ ଭୂଟୁ ବୋଲି କେହି ଜଣେ ଆଇ. ଏ. ଏସ୍ ପାଇଛି ବୋଲି ପ୍ରଚାର ଧରିଲା, ଲୋକେ ଖୋଜି ବୁଲିଲେ – କିଏ! ସେହି ଭୂଟୁ, କେଉଁଠି ତା ଘର? ହେଲେ ରାଜା ଯେ ଭୂଟୁ କେହି ଜାଣି ପାରିଲେ ନାହିଁ, ଜାଣିଲେ ବି ଏ କଥା କେହି ବିଶ୍ବାସ କରିବାକୁ ନାରାଜ। କାରଣ କପଡା ବିକାଳୀ ପୁଅ ଭୂଟୁ ଯେ ସବୁ ବେଳେ କପଡା ଦୋକାନରେ କପଡା ବିକୁ ଥାଏ, ସେ ବା କେମିତି ଆଇ. ଏ. ଏସ୍ ପାଇବ – ଏମିତି କିଛି ଆଲୋଚନା ଜୋହର୍ ଧରିଥାଏ। ଯେତେବେଳେ ରାଜାର ଫଟୋ ସହିତ ନାଁ ବାହାରିଲା ସମସ୍ତେ ଜାଣିଲେ ରାଜା ହିଁ ଭୂଟୁ। ବସ୍ତିବାଲା ତ ତାଟିଆ ଚାମଚ ଧରି ନାଚି ଗଲେ। ସମସ୍ତଙ୍କ ମନରେ ଖୁସି -"ହାମାରା ପ୍ୟାରା ରାଜା ବାବୁ "ଆ. ଏ. ଏସ୍ ପାୟା ହୈ"(ଆମ ରାଜା ବାବୁ ଆଇ. ଏ. ଏସ୍ ପାଇଛି) ।

ତହିଁ କି ସମ୍ବର୍ଦ୍ଧନାର ସୁଅ ଛୁଟିଲା। କେତେ ମିଡିଆ ବନ୍ଧୁମାନେ ଆସିଲେ ଇଣ୍ଟରଭ୍ୟୁ ନେଲେ, ଜୀବନ କାହାଣୀ ଛାପିଲେ। ଖୋଦ୍ କଲେଜର ପ୍ରିନ୍ସିପାଲ ଆସି ଭୂଟୁକୁ ଭେଟି ନିୟୋତା ଦେଇଗଲେ – "ଆସନ୍ତା କାଲି ସନ୍ଧ୍ୟାରେ ଏକ ବିଶେଷ ବର୍ଣ୍ଣାଢ୍ୟ ଉତ୍ସବରେ ଭୂଟୁ! ତୁମକୁ ସମ୍ବର୍ଦ୍ଧିତ କରାଯିବ "। କାରଣ ଭୂଟୁ ହେଉଛି ତାଙ୍କ କଲେଜରୁ ପ୍ରଥମ ଆଇ ଏ. ଏସ୍ ପାଇଥିବା ସଫଳତମ କୃତୀ ଛାତ୍ର। ସହର ସାରା ଲୋକଙ୍କ ମନରେ ଖୁସି, କିନ୍ତୁ ଭୂଟୁ ମନରେ ସେତେଟା ସରାଗ ନଥାଏ, କାରଣ ତାଙ୍କ ଖୁସି ଦେଖିବା ପାଇଁ ତାଙ୍କ ଆବାଯାନ ଆଉ ଏହି ଇହ ଧାମରେ ନଥିଲେ ଯିଏକି ବେଶୀ ଖୁସି ହୋଇଥାନ୍ତେ, ଯାହାଙ୍କ ସହିତ ତାଙ୍କର ଭାବାବେଗ ଅଧିକ ଥିଲା। ଅବୁ କଥା ମନେ ପଡ଼ି ଯିବାରୁ ସେ ବେଶ୍ ଭାବ ବିହ୍ଵଳ ହୋଇ ପଡୁଥିଲେ। ସେଦିନ ସେହି ସମ୍ବର୍ଦ୍ଧନା ସଭାରେ ଭୂଟୁ ଗୋଟି ଗୋଟି କରି ତା'ର ସମସ୍ତ ଜୀବନୀ ବୃତ୍ତାନ୍ତ ବଖାଣି ବାସୁଥାଏ। ବେଶ୍ ଭାବୋଦ୍ଦୀପକ ଥିଲା ସେ କାହାଣୀ। ଅତ୍ୟନ୍ତ ମାର୍ମିକ ଅଥଚ ବେଦନାଭରା, ମର୍ମତୁଦ ଜୀବନୀ ଇତି ବୃତ୍ତି। କୋହଭରା ଓ ବୁକୁଫଟା ସ୍ଵର – ଦରିଦ୍ରତାର ଉପହାସ। ସତରେ ଏତେ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭୂଟୁର ସଫଳତା କେଡେ ବଡ଼ ପ୍ରେରଣାଦାୟକ ନୁହେଁ ସତେ?ଏ କଥା କହିଲା ବେଳେ ଭୂଟୁର ବାକ୍ ରୁଦ୍ଧ ହୋଇଯାଉଥିଲା, ନୟନରୁ ଗଡ଼ି ପଡୁଥିଲା ଲୋତକର ବାରିଧାରା।

ମହାବିଦ୍ୟାଳୟର ଅଧ୍ଯକ୍ଷ ଭୂଟୁକୁ ତୁନି ହେବା ପାଇଁ ସାନ୍ତ୍ଵନା ଦେଉଥିଲେ ହେଁ ନିଜେ ବି କାନ୍ଦି ପକାଉ ପକାଉ ଉପସ୍ଥିତି ଦର୍ଶକଙ୍କୁ ସମ୍ବୋଧିତ କରି କହୁଥିଲେ – "ଜଣେ କପଡା ବିକାଳୀ ପୁଅ କପଡା ବିକୁ ବିକୁ ଯଦି ଆଜି ଆଇ. ଏ. ଏସ୍. ପାଇଲା, ତାହେଲେ କାହିଁକି ତୁମେ ମାନେ ନୁହେଁ? ତେଣୁ ଆସ ଆମ୍ଭେମାନେ ସମସ୍ତେ ଭୂଟୁ ପରି ହେବା, କଠୋର ଅଧ୍ୟବସାୟ ଓ ପରିଶ୍ରମ ଦ୍ୱାରା ସବୁ ସମ୍ଭବ କରି ଗଢି ତୋଳିବା"।


ଚାଲ ଏ ଦେଶ ମାଟିର ନାଁ ରଖିବା
ଏ କଲେଜ ପାଇଁ ଗୌରବ ଆଣିବା 

Writer's Details: ସତ୍ୟ ପ୍ରକାଶ ସେଠୀ,
ଉପ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ ଭଦ୍ରକ
Content Category:
Submission Date: Jul 09, 2019

0 Comments