ହେ ପତିତପାବନ - ନାରାୟଣ ଚନ୍ଦ୍ର ସେନାପତି

ହେ ପତିତପାବନ - ନାରାୟଣ ଚନ୍ଦ୍ର ସେନାପତି

ହେ ନୟନପଥଗାମୀ
ସଂସାରର ତୀର୍ଥ ଦାଣ୍ଡେ
ଛୁଟିଆସ କରିବାକୁ ଯେବେ ପତିତ ଉଦ୍ଧାର,
ଦୁଃଖୀ ଭକ୍ତର ହୃଦୟାଟା ଚହଲିଉଠେ,
ବ୍ୟାକୁଳିତ ମନଟା ଦେଖେ..
ଆଶାର ଅସୁମାରୀ ସୁନେଲି ସ୍ବପ୍ନ,
ପ୍ରେମ ଭକ୍ତିର ସଙ୍ଗମରେ ସୃଷ୍ଟିହୁଏ ଆଧ୍ୟାତ୍ମିକ ଜୁଆର,
ଆବାଳ ବୃଦ୍ଧ ବନିତା ବିହ୍ଵଳେ ଦିଅନ୍ତି ବୁଡ଼..
ଉତ୍ଫୁଲ୍ଲିତ ଆକାଶର ଦିଗ ବଳୟରେ ।

    ହେ ଜଗନ୍ନାଥ ସ୍ୱାମୀ
ଅଶ୍ରୁଳ ନୟନରେ ଭିଜି ଭିଜାଇ..
ଦୁଃଖୀର ଦୁଃଖ ଯେବେ କର ଅପହରଣ,
ସୁଖର ଉଦିଆ ଜହ୍ନଟା ମୁରୁକି ହସେ,
ପବିତ୍ର ଶ୍ରୀଫଳଟା ହାତ ଠାରି ଡାକେ ଦାସିଆକୁ,
ଆଜିର ସାଲବେଗ ମାନେ ମାନସ ନେତ୍ରରେ 
ସ୍ପର୍ଶ କରନ୍ତି ଶ୍ରୀରଙ୍ଗାଚରଣ,
ତ୍ୟାଗର ଥାଳରେ ଭରିଯାଏ କରୁଣାର ଭିକ୍ଷା,
ଦୀନ ଦରିଦ୍ରର ଭାଗ୍ୟ କ୍ଷେତ୍ରଟା 
ହୋଇଯାଏ ଶସ୍ୟ ଶ୍ୟାମଳା,
ଅମଳ ହୁଏ ଆଶୀର୍ବାଦର ଶ୍ରଦ୍ଧା ସୁମନ..
ଭରସାର ଫୁଲ ଚାଙ୍ଗୁଡାରେ ।
  
  ହେ ପତିତପାବନ
ପ୍ରୀତି ନନ୍ଦିଘୋଷ ଚଢି
ସରାଗରେ ଚାଲିଯାଅ ଯେବେ ମାଉସୀ ଘର,
ପବିତ୍ର ଭ୍ରାତୃଭଗ୍ନୀ ସମ୍ପର୍କରେ ଉଛୁଲିଉଠେ ଘୋଷଯାତ୍ରା,
ଦେଇ ବିଶ୍ଵଭ୍ରାତୃତ୍ୱର ବାର୍ତ୍ତା
ଶିଖାଅ ସଂସ୍କାର...ତୋଳ ସଭ୍ୟତା,
ଆହ୍ବାନ ଦିଅ ଗଢିବାକୁ ଆଦର୍ଶ ପରିବାର,
ସତ୍ୟ ଧର୍ମର ଲେଖନୀରେ ଲେଖ
ଭାରତୀୟ ସଂସ୍କୃତିର ନ୍ୟାୟ ଇତିହାସ,
ମୈତ୍ରୀ ଐକ୍ୟର ପବିତ୍ର ପୃଷ୍ଠାରେ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments