କ୍ଷୁଦ୍ରଗଳ୍ପ - ଦି ଟୋପା ଲୁହ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଦି ଟୋପା ଲୁହ - ନାରାୟଣ ଚନ୍ଦ୍ର ସେନାପତି

ସେଦିନ କାହିଁକି କେଜାଣି ବାପୁନଙ୍କୁ ଉଦାସ ଉଦାସ ଲାଗୁଥିଲା।ନିତିଦିନର ପ୍ରିୟ ହୁଣ୍ଡା ବାଇକକୁ ଧରି ଚାଲିଲା ନିଜ କର୍ମସଂସ୍ଥାନକୁ।ନିତିଦିନିଆ ଯାଆସ ବାଟଟା ଟିକେ ଖାଁ ଖାଁ ଲାଗୁଥିଲା ତାକୁ।ଭେଟିଲା ନିତିଦିନିଆ ଭେଟଘାଟ ହେଉଥିବା ସାଇକେଲରେ ଖୁସି ମିଞ୍ଜାସରେ ମନ ପବନରେ ଉଡି ଉଡ଼ି ଯାଉଥିବା ସୁନ୍ଦରୀ ତରୁଣୀ କେତେଟାଙ୍କ ସହ।ଆଶ୍ଚର୍ଯ୍ୟର କଥା,ଆଜି ସେମାନଙ୍କ ମନରେ ନିରସତା କାହିଁକି ? ପୁଣି ଆଜିବି.... ଏଇ କେତେଦିନ ହେବ ଅନୁପସ୍ଥିତ ଥିଲା ସେ... ମାନେ ତା ମନର ମାନସୀ ମିନୁ,ଯିଏ ତାକୁ ଦେଖିଲେ ଉତ୍ଫୁଲ୍ଲିତ ହେଉଥିଲା।ତା ଦେଖାଦେଖି ତା ସାଥୀମାନେ ବି କେତେ ଉନ୍ମାଦିନୀ ପ୍ରାୟ କୁରୁଳୁ ଥିଲେ।ବାପୁନ ଏଇ କେତେଦିନ ହେବ ଲକ୍ଷ୍ୟ କରିଛି ମିନୁର ମନରେ ସରସତା ନାହିଁ,ତା ପ୍ରତି ପୂର୍ବ ଆକର୍ଷଣ ବି ନାହିଁ।ମନେ ମନେ ଭାବିଲା,ଜାଣତରେ ତ ସେ କିଛି ଦୋଷ କରିନି...ହେଲେ ମିନୁର ଏ ଆଚରଣ ଏମିତି ହେବାର କାରଣ କଣ?

   ଏଇମିତି ଭାବି ଭାବି ବାପୁନ ପହଁଚିଗଲା ତା ଅଫିସ ପାଖରେ।ଠିକ୍ ସେହି ପାଖରେ ଦେଖିଲା ସୀମା ଆଉ ରୀମା ଦୁଇଜଣଙ୍କୁ।ଏମାନେ ମିନୁର ସମ୍ପର୍କୀୟ ଭଉଣୀ ହେବେ,ଯେଉଁମାନଙ୍କୁ ଧରି ମିନୁ ଆସୁଥିଲା ତା ଅଫିସକୁ।ମେଡ଼ିକାଲ ବିଭାଗରେ ନୂଆ ଜଏନ କରିଥିବା ଡାକ୍ତର ବାପୁନ।ସେଦିନ ମିନୁ ସହ ଦେଖିଥିଲା ସୀମା ରୀମାକୁ।ମଝିରେ ମଝିରେ ସମୟ ସୁଯୋଗ ହେଲେ ସେ ସେମାନଙ୍କୁ ମିନୁ କଥା ପଚାରିଦିଏ।ସେମାନେ ମଧ୍ୟ ମିନୁର କଥା ଆପେ ଆପେ କହନ୍ତି, ମିନୁ ପଚାରୁଥିଲା ବୋଲି କହନ୍ତି।କିନ୍ତୁ ଆହୁରି ଆଶ୍ଚର୍ଯ୍ୟ ଲାଗିଲା ସୀମା ଓ ରୀମା ଦୁହିଙ୍କ ମନରେ ବି ସରସତା ନାହିଁ କି ସେମାନେ ବି ହସି ହସି କିଛି କହୁନାହାନ୍ତି।ପାଖ ବିଦ୍ୟାଳୟରେ ପଢ଼ୁଥିବା ଛୁଆ ଦୁହେଁ।ଭାରି ସରଳ ଓ ଭଲ ମିଞ୍ଜାସର।ଉତ୍ସୁକ ମନଟା ତାଙ୍କର ଅସମ୍ଭାଳ ହୋଇ ଉଠିଲା।ସେ ଡାକ୍ତରଖାନା ଅଫିସ ପଛକୁ ନିଛାଟିଆ ଦେଖି ଡାକି ପଚାରିଲା।ହେଲେ ଆଗଭଳି ପିଲାମାନେ କିଛି କହିଲେ ନାହିଁ।ବହୁତ ପଚାରିବାରୁ ସୀମା କହିଲା ସେ ପଳେଇଛି।ବାପୁନ ଭାବିଲା କୁଆଡେ ବନ୍ଧୁବାନ୍ଧବ ଘରକୁ ଯାଇଥିବ ବୋଧେ।କୁଆଡେ ପଳେଇଲା ପଚାଇବାରୁ ରୀମା କହିଲା ଆଜ୍ଞା,ସେ ଗୋଟେ ପିଲା ସାଙ୍ଗରେ ପଳାଇ ଯାଇଛି।ଏତିକି ଶୁଣିବା ମାତ୍ରେ ବାପୁନର ପାଦ ତଳରୁ ମାଟି ଖସିଗଲା।ତା ସ୍ୱପ୍ନର ଶସ୍ଯକ୍ଷେତ୍ରଟା ସତେ ଯେମିତି ବନ୍ୟାଜଳରେ ନଷ୍ଟ ହୋଇଗଲା।କ'ଣ କରିବ,ଅନ୍ତରର କୋହ ତାକୁ ପ୍ରତି ମୁହୂର୍ତ୍ତରେ କନ୍ଦାଉଥାଏ।ମିନୁ ତାକୁ ଛାଡି କେମିତି କାହା ସାଥେ ଯାଇପାରିଲା?ମନରେ ଦ୍ବନ୍ଦ୍ୱ ଅନ୍ତର୍ଦ୍ବନ୍ଦ୍ୱ ଗୁଡାକ ପରସ୍ପର ଶୀତଳ ଯୁଦ୍ଧ କରିବାକୁ ଲାଗି ବସିଲେ।ନିଜକୁ ଶତ ଧିକ୍କାର କରୁଥାଏ ସେ।ଖାଇବ କଣ, ମିନୁ ଅବିଳମ୍ବେ ଯେଉଁ ମିଠା ଖୁଆଇଲା ଆଉ ଜୀବନ ସାରା ତାର ଖାଇବା ଆବଶ୍ୟକ ପଡିବନି।ସେଦିନ ଠାରୁ ରାତି ଦିନ ସବୁ ତା ପାଇଁ ସମାନ।ନିଃସଙ୍ଗ ଜୀବନ ବିତାଉଥାଏ ସେ।ମନେ ପକାଉଥାଏ ତାର ପ୍ରଥମ ଦେଖା ମିନୁ ସହ ହୋଇଥିଲା ଏକ ଟ୍ରେନିଂ ରେ।ସ୍ୱାସ୍ଥ୍ୟ ବିଭାଗ ଟ୍ରେନିଂ ରେ ସେ ଥିଲା ଟ୍ରେନର ଆଉ ମିନୁ ଥିଲା ଜଣେ ଚପଳମତୀ ପ୍ରଶିକ୍ଷାର୍ଥୀ।ସତେ ଯେମିତି ଜହ୍ନ କଇଁର ଆକର୍ଷଣ ରେ ଆକର୍ଷିତ ହୋଇଯାଇଥିଲେ ସେ ଦୁହେଁ।ପ୍ରଥମ ଦିନର ଦେଖା ଚାହାଁ ଓ ଦ୍ଵିତୀୟ ଦିନର କଥୋପକଥନରେ ଦୁହେଁ ଦୁହିଁଙ୍କୁ ପ୍ରେମର ଆକର୍ଷୀରେ ଛନ୍ଦି ହୋଇଥାନ୍ତି।ମଝିରେ ମଝିରେ ଏଇମିତି ଦେଖାସାକ୍ଷାତ ମେଡିକାଲରେ।ଦିନେ ବାପୁନର ମେଡିକାଲକୁ ଆସିଥାଏ ମିନୁ।ଏଇମିତି କଥା ହେଉ ହେଉ ମଜାରେ ବାପୁନ କହିଲା, ମୋତେ ମନେ ରଖିବ ତ?ମିନୁ ଲାଜ ଲାଜରେ କହିଥିଲା,ଆପଣ କଣ ମୋ ପରି ଗରିବଟାକୁ  ମନେ ରଖିବେ?

ସେ ଭରସା କଣ ମୋ ଉପରେ ନାହିଁ ? ବାପୁନର ଉତ୍ତର ଥିଲା। ବେଳେବେଳେ ବନ୍ୟାର ସ୍ରୋତ ବି ବାଟ ବଦଳାଏ, ଆପଣଙ୍କ ସ୍ରୋତ ଦିଗ ବଦଳାଇବ ନାହିଁ ତ?ଥିଲା ମିନୁର ପ୍ରତ୍ୟୁତ୍ତର। ବାପୁନ ମୁରୁକି ହସିଥିଲା। ଲୋକ ଆସିବାରୁ ଆଉ କିଛି କହି ପାରି ନ ଥିଲା ବାପୁନ।ମିନୁ ବି ଚାଲି ଯାଇଥିଲା।ସେହି ଦିନ ଠାରୁ କଲେଜ ଯିବା ରାସ୍ତାରେ ବାପୁନ ଦେଖି ଖୁସି ହେଉଥିଲା ତା ମନର ମାନସୀକୁ।ଆଉ ମିନୁର ମନ କୁଂଢ଼େ ମୋଟ ହୋଇ ଯାଉଥିଲା।ହେଲେ ଆଜି...ଏ ଅବସ୍ଥା ???

ଏସବୁ ପରେ ବାପୁନ ଆଉ କେମିତି ବା ରହିଥାନ୍ତା ସେ ଅଂଚଳରେ?ଦେହରୁ ଆତ୍ମା ଛାଡ଼ିଗଲା ପରେ ଶରୀର କଣ ଜୀବିତ ରହେ? ତାର ଜୀବନ ତ ନିର୍ଜୀବ ପରି।ଲାଗି ଲାଗି ଟ୍ରାନ୍ସଫର୍ କରି ନେଲା ଜିଲ୍ଲା ହେଡକ୍ବାଟର ଡାକ୍ତର ଖାନାକୁ।ଶୁଷ୍କ ମନକୁ ନେଇ କାଟୁଥାଏ ହାତଭାଗ୍ୟ ଦିନ ଗୁଡିକୁ ସତେ ଯେମିତି କଷ୍ଟ ଯନ୍ତ୍ରଣାର ଭିଟା ମାଟିରେ।ବାପୁନର ଏଭଳି ଅବସ୍ଥାକୁ ସହ୍ୟ କରି ପାରୁ ନ ଥାନ୍ତି ବାପା ମାଆ।ବହୁତ ଚେଷ୍ଟା କରୁଥାନ୍ତି ବିବାହ ବନ୍ଧନରେ ଛନ୍ଦିବା ପାଇଁ ହେଲେ ସବୁ ଉଦ୍ୟମ ପଣ୍ଡ ହେଉଥାଏ ବାପୁନର ଅନିଛାରେ, ଆଉ କେତେଦିନ ଯାଉ କଥାରେ।

ସେଦିନ ମେଡିକାଲରେ ଡ୍ୟୁଟି ସାରି ବାହାରିଲା ବେଳକୁ କେହି ଜଣେ ଡାକିଲେ ବାପୁନ ବାବୁ?ଚିହ୍ନା ଚିହ୍ନା ସ୍ୱର ଶୁଣି ପଛକୁ ଫେରି ଯାହାକୁ ଦେଖିଲା ତା ଆଖିକୁ ଵିଶ୍ଵାସ କରି ପାରିଲାନାହିଁ।ସେ ଅନ୍ୟ କେହି ନୁହଁ, ତାର ଅତୀତର...ଅତି ନିଜର... ପ୍ରେମ ସ୍ପନ୍ଦନ,ହୃଦୟର ଆତ୍ମା, ମିନୁ ।

ମିନୁ ପଚାରିଲା,କେମିତି ଅଛନ୍ତି ଆପଣ ?

ଶରୀରରୁ ହୃତପିଣ୍ଡ ଅଲଗା ହୋଇଗଲେ ଜଣେ ଯେମିତି ରହେ,ସେମିତି ମୁଁ ଖୁବ... ଭଲରେ ଅଛି,ବାପୁନ ର ଉତ୍ତର ଥିଲା।ତୁମେ ନିଶ୍ଚୟ ଖୁସିରେ ଥିବ ମିନୁ।ବହୁତ ଭାଗ୍ୟବତୀ ତୁ।ଏ?

ପରିସ୍ଥିତିର ଝଡରେ ଉଡି ଉଡି ପାହାଡ଼ ଗୁମ୍ଫାରେ ରହିଲେ ଜଣେ ନିଶ୍ଚୟ ଖୁସିରେ ରହିପାରିବନା?ମିନୁ କୋହଭରା ଉତ୍ତର ଦେଇଥିଲା।

ହେଲେ ମିନୁ ତୁମେ ଏଇଠି,ଏଭଳି ଅବସ୍ଥାରେ?

ସ୍ୱାମୀଙ୍କର ଗୋଟେ ଆକ୍ସିଡେଣ୍ଟ ହୋଇଥିଲା,ଦୁଇ ଦିନ ହେଲା ଏଇ ମେଡିକାଲରେ ଅଛନ୍ତି।ତାଙ୍କୁ ବିଶ୍ରାମ ଦରକାର କହିବାରୁ ମୁଁ ଏଠାରେ ଅପେକ୍ଷା କରିଛି।

ବାପୁନର ମନ କୌତୁହଳରେ ଭରିଗଲା।ସେ ଭାଗ୍ୟବାନ କୁ ଦେଖିବାକୁ ତାର ଇଚ୍ଛା ହେଲା।ମିନୁ ସାଥିରେ ମେଡିକାଲର ସେହି ବେଡ଼କୁ ଯାଇ ଦେଖିଲା।ନର୍ସଙ୍କୁ କହି ସବୁ ବ୍ୟବସ୍ଥା କରାଇଲା।ଆମ ଆତ୍ମୀୟ ଲୋକ କହି ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେବାକୁ କର୍ମଚାରୀ ମାନଙ୍କୁ କହିଲା।ଦୁଇ ଦିନ ହେଲା ସେ ଅଫିସ କାମରେ ବାହାରକୁ ଯାଇଥିଲା,ତେଣୁ ସେ ବା କିପରି ଜାଣିଥାନ୍ତେ।ଦୁହେଁ ଫେରିଲେ ସେହି ୱେଟିଂ ରୁମକୁ।

ମୋ ଉପରେ ଭରସା ରଖିପାରିଲ ନାହିଁ ନା ମିନୁ? 
ମୋ ଆଶାର ସୌଧଟାକୁ ଭାଙ୍ଗି ଚୁରମାର କରିଦେଲ?ବାପୁନର ଦରଦୀ ମନର ପରିଭାଷା ଥିଲା।

ମୁଁ ପରିସ୍ଥିତିର ଦାସ।ବାମନ ହୋଇ କେମିତି ବା ଚାନ୍ଦ ପାଇବାର ଅଭିପ୍ସା ରଖିଥାନ୍ତି ?

ହେଲେ ମୋ ଭଲପାଇବାରେ କଣ ଛଳନା ଥିଲା?ବାପୁନର ପ୍ରଶ୍ନରେ ମିନୁ ଏତିକି କହିଥିଲା,କାହିଁ କେବେ କ'ଣ ମୋତେ କହିଛନ୍ତି ନାଁ ମୋତେ ଏ ଆଶ୍ୱାସନା ଦେଇଛନ୍ତି?ଆପଣ ତ ସମ୍ଭ୍ରାନ୍ତ  ଘରର ପିଲା,ନିଜ ସ୍ତ୍ରୀ ପିଲା ନେଇ ବେଶ ଆରାମରେ ଥିବେ ନିଶ୍ଚୟ ? ଥରେ ଧକ୍କା ଖାଇଲା ପରେ ଆଉ ଧୋକା ଖାଇବାକୁ କଣ ଆମନ୍ତ୍ରଣ କରିବି?ଏବେବି ମୁଁ ଅକେଲା ଓ ଏଇମିତି ବି ଥିବି।

ବାପୁନର ଏଇ କେତେପଦ କଥାରେ ମିନୁର ହୃଦୟ ଖିନ ଭିନ ହୋଇଗଲା।ତା ଭୂଲର ପରିଣାମ ପାଇଁ ନିଜକୁ ଦୋଷୀ ସାବ୍ୟସ୍ତ କରି ଅନୁତାପର ନିଆଁରେ ନିଜକୁ ଦଗ୍ଧ କରିଦେଲା।ଭୋ ଭୋ କାନ୍ଦି ବହୁ ଦିନରୁ ସାଇତା ପତ୍ରକୁ ଭେନିଟିରୁ ବାହାର କରି ବାପୁନ ହାତକୁ ବଢ଼ାଇଦେଲା।ସେଇ ସ୍ମୃତିର କୁଟାଖିଅକୁ ଧରି କୋହ ଭରା ହୃଦୟରେ ଆସୁଛି କହି ବାପୁନ ଫେରିଲା ଘରକୁ।ଘରେ ତରବର ହୋଇ ନିଜ ରୁମରେ ଭିତରୁ କବାଟ ବନ୍ଦ କରି ପଢିପକାଇଲା ମିନୁର ହୃଦୟର ଭାଷା ଏକ ନିଃଶ୍ଵାସରେ।

ବାପୁନ ବାବୁ,
            ମୋତେ ଭୁଲ ବୁଝିବେ ନାହିଁ।ଏପର୍ଯ୍ୟନ୍ତ ଆପଣଙ୍କ ପାଖରୁ ଆଗାମୀ ସୂଚନା ପାଇଲି ନାହିଁ।ବାପ ଛେଉଣ୍ଡ ମୁଁ, ମା ମୋର ରୋଗ ଶଯ୍ୟାରେ।ତାର ଏକାନ୍ତ ଜିଦ ସେ ଦେଖିବ ମୋ ବାହାଘର।ଆପଣ ଓ ମୋ ଚଳଣି ଆକାଶ ଓ ପାତାଳ ପରି।ଆପଣଙ୍କ ଘରେ ଚାକରାଣୀ ହେବାର ଯୋଗ୍ୟତା ବି ମୋ ପାଖରେ ଥାଇ ନ ପାରେ।ଆପଣ ଜଣେ ଡାକ୍ତର ଆଉ ମୁଁ ଗରିବ କଣ ଦି ଅକ୍ଷର ପଢିଥିବା ସାଧାରଣ ଗାଉଁଲି ଝିଅ।ମୁଁ ଆପଣଙ୍କୁ ବହୁତ ବହୁତ ଭଲପାଏ କିନ୍ତୁ ଆପଣ ପାଆନ୍ତି କି ନାଁ ଜାଣେନା।କିନ୍ତୁ ମୋତେ ଜୀବନଠୁ ଅଧିକ ଭଲ ପାଉଥିବା ଏଇ ମଫସଲି ପିଲାକୁ ବିବାହ କରିବାକୁ ଯାଉଛି।ସେ ପୁଣି ଭିନ୍ନ ଜାତିର। ସମାଜ କେବେ ବି କ୍ରାଇଦେଵ ନାହିଁ।ତେଣୁ ମାଆର ଜ୍ଞାତରେ ତାକୁ ନେଇ ମୁଁ ଛୋଟିଆ ସଂସାର ଗଢିବାକୁ ଯାଉଛି। ଆପଣଙ୍କ ପରି ଆଭିଜାତ୍ୟ ସମ୍ପନ୍ନ ବ୍ୟକ୍ତିତ୍ୱକୁ ପାଇବା ବୋଧେ ମୋ ପରି ହତଭାଗିନୀର ଭାଗ୍ୟରେ ନଥିଲା। ହେଲେ ଆଶୀର୍ବାଦ ଟିକେ ଦେବେ।କାହିଁକି ନା ଆପଣ ମୋ ମନର ପ୍ରଥମ ଭଗବାନ। ରହୁଛି।ଭୁଲ ଥିଲେ କ୍ଷମା ଦେବେ।
          ଇତି,
"ଆପଣଙ୍କର କେହିଜଣେ... ମିନୁ ।"

ଚିଠିଟି ପଢି ବାପୁନ ଚିତ୍କାର କରି କାନ୍ଦିଲା।ନିଜ ମନର କଥା ଅପ୍ରକାଶ୍ୟ ରଖିଥିବାରୁ ନିଜକୁ ଦୋଷୀ ମନେକଲା।ବାହାରକୁ ଯାଇ ମୁକ୍ତ ଆକାଶକୁ ଚାହିଁଲା।ସତେ ଯେମିତି ଆକାଶଟା ତା ଉପରେ ଫାଟି ପଡୁଛି।ପାଖ ଗଛକୁ ଚାହିଁଲା।କପୋତ କପୋତି ଦୁହେଁ ଦୁହିଁଙ୍କର ବିପରୀତ ଦିଗରେ ଉଦିଗଲେ।ଆଖି ବୁଜି କିଛି ଭାବୁ ଭାବୁ ବାପୁନର ଆଖିରୁ ନ ବାହାରି ରହିପାରିଲାନି ଅମାନିଆ ଆଖିର ଅଭିମାନଭରା "ଦି ଟୋପା ଲୁହ"।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments