ହ୍ଵାଟ୍ସଆପ ବିତର୍କ - ୦୭/୦୭/୧୯

ହ୍ଵାଟ୍ସଆପ ବିତର୍କ - ୦୭/୦୭/୧୯


ବିତର୍କର ବିଷୟ :

ସମୟାନୁସାରେ ବିଭିନ୍ନ ଧାରା ଦେଇ ଓଡିଆ ପଦ୍ୟ ସାହିତ୍ୟ ଅଗ୍ରଗତି କରି ଚାଲିଛି । ଓଡିଆ କବିତା କ୍ଷେତ୍ରରେ ନୂତନ ଧାରା ସୃଷ୍ଟି ହେବାରେ ଲାଗିଛି । ମିତ୍ରାକ୍ଷର ବା ଅମିତ୍ରାକ୍ଷର ହେଉ, ଗୀତି କବିତା ବା କଥା କବିତା ହେଉ ସମସ୍ତେ ଓଡିଆ ସାହିତ୍ୟରେ କିଛି ନା କିଛି ସ୍ଥାନ ମାଡି ବସି ନିଜ ପରାକାଷ୍ଠା ଦେଖେଇ ଚାଲିଛନ୍ତି । କେଉଁଠି ନା କେଉଁଠି ପାରସ୍ପରିକ ବିରୋଦ୍ଧାଭାସ ଓ ଶୀତଳ ଯୁଦ୍ଧ ମଧ୍ୟ ଲାଗି ରହିଛି । ଆଜି ଆମେ ଆଲୋଚନା କରିବା, ଏହି ଧାରା ଓଡିଆ ସାହିତ୍ୟର ସମୃଦ୍ଧି ଦିଗରେ କେତେ ସହାୟକ ଏବଂ ଓଡିଆ ପଦ୍ୟ ସାହିତ୍ୟର ଭବିଷ୍ୟତ ପ୍ରତି କେତେ ଫଳପ୍ରଦ ?


ରାକେଶ ସାହୁ : 

୧ - ଛନ୍ଦ ,ତାଳ ଏବଂ ଯତିପାଦ ଥାଇ କବିତା ଗୁଡିକ ହୃଦୟକୁ ଛୁଏଁ କିନ୍ତୁ ପରିସ୍ଥିତି ବଦଳିବା ସହିତ ସାହିତ୍ୟ ରେ ନୂତନ ଧାରା ବି ସୃଷ୍ଟି ହୋଇଚାଲିଛି । କିନ୍ତୁ କଥା କବିତା ଗୁଡ଼ିକ କ୍ଷଣିକ ସୁଖ ଦିଏ କିନ୍ତୁ ତାକୁ କେହି ବାର ବାର ପଢ଼ନ୍ତିନି । ପିଲାଦିନେ ବିଦ୍ୟାଳୟରେ ସେହି କବିତା ଆଜି ବି ମୁଁ ଗୁଣୁଗୁଣୁ ହୋଇ ଗାଏ । ବାକି ସମୟ କହିବ ସାହିତ୍ୟ କେଉଁଠି ପହଞ୍ଚିବ ??


ରଙ୍ଗନାଥ ରଥ : 

୧ - ପ୍ରତ୍ୟେକ କ୍ଷେତ୍ରରେ ସମାଜର ଅଭିରୁଚି ମୁତାବକ ପରିବର୍ତ୍ତନ ଚାଲିଛି । ପ୍ରତିଭାଦ୍ଵାରା ଉନ୍ମୀଳିତ ହେଉଥିବା ସାହିତ୍ୟ କ୍ଷେତ୍ରରେ ତାହା ବାଦ୍ ଯାଇପାରିବ କିପରି ? ହୃଦୟର ଆବେଗ କବିତା ଆକାରରେ ଝରିଆସେ । ଏହା ମଧ୍ୟ ସମାଜର ବିଭିନ୍ନ ସମୟକୁ ତାଳ ଦେଇ ଗତି କରିବା ସ୍ଵାଭାବିକ ।

ସଂସ୍କୃତ ସାହିତ୍ୟ ପ୍ରାୟତଃ ପ୍ରତ୍ୟେକ ଭାରତୀୟ ଭାଷାର ଜନନୀ । ରାମାୟଣର ରଚୟିତା ବାଲ୍ମୀକିଙ୍କୁ ଆଦିକବି ଆଖ୍ୟା ଦିଆଯାଇଛି । ସେହିପରି ଓଡିଆର ଆଦିକବି ସାରଳା ଦାସ । ଛନ୍ଦୋବଦ୍ଧତା କାବ୍ୟ କବିତାର କଲ୍ଲୋଳିନୀ ସ୍ୱର । ଏହାର ମିତ୍ରାକ୍ଷର ଅମିତ୍ରାକ୍ଷର ଭେଦ ରହିଛି ।

ସମୟ ଓ ଅଭୀପ୍ସାକୁ ପାଥେୟ କରି କବିତାଧାରାରେ ମଧ୍ୟ ବିବର୍ତ୍ତନ ଚାଲିଛି । ଏହି ନିରବଚ୍ଛିନ୍ନ ଧାରାରେ କେହି କାହାରି ପରିପନ୍ଥୀ ବା ବିବାଦାତ୍ମକ ଚିନ୍ତାଧାରାର ନୁହନ୍ତି । ବରଂ ପୂର୍ବପିଢିର ମୂଳଦୁଆ ଉପରେ ଆଧୁନିକ ଓ ଅତ୍ୟାଧୁନିକ ପଦ୍ୟ ସାହିତ୍ୟ ପ୍ରତିଷ୍ଠିତ । ଏଣୁ ଛନ୍ଦୋବଦ୍ଧତା ଓ ବିଭିନ୍ନ ରାଗଯୁକ୍ତ କବିତାରେ ଯେଉଁ ଅନ୍ତଃସ୍ୱର ରହିଛି, ଛନ୍ଦହୀନ କବିତାରେ ମଧ୍ୟ ଅନୁରୂପ ବଣୀବୈଭବ ପରିପୂର୍ଣ୍ଣ ।

ଉଭୟ ପ୍ରାଚୀନ ଓ ଅର୍ବାଚୀନ ପଦ୍ୟ ପରସ୍ପରର ବିରୋଧୀ ହେବା ପରିବର୍ତ୍ତେ ସହାୟକ ତଥା ମାର୍ଗଦର୍ଶକ ହୋଇଥା'ନ୍ତି । ଓଡିଆ ପଦ୍ୟ ସାହିତ୍ୟର ଭବିଷ୍ୟତ ଯେ ଉଜ୍ୱଳ ଏଥିରୁ ସ୍ପଷ୍ଟ ଭାବରେ ଅନୁମେୟ । 


ପବିତ୍ର ଦାସ :

୧ - ପରିବର୍ତ୍ତନ ସମୟର ସ୍ବର । ଦେହ ବଦଳିବା ସହ ମନ ମଧ୍ଯ ପରିବର୍ତ୍ତନ ହୁଏ । ସେହିପରି କବିତାର ଦେହ ବଦଳିବା ସ୍ବଭାବିକ । ସୌନ୍ଦର୍ଯ୍ୟତାତ୍ମକ ଦୃଷ୍ଟିକୋଣରୁ କବିତା ରୂପରେ ଚମକ ଦେଖା ଦେଇଛି ସମୟ ରାୟରେ ।


ସଞ୍ଜୁକ୍ତା ରାଉତ :

୧ - ରୀତିଯୁଗୀୟ ଲେଖାଗୁଡିକ କୁହନ୍ତୁ ବା ଆଧୁନିକତାର ଲେଖା କୁହନ୍ତୁ , ପ୍ରତ୍ଯେକ କ୍ଷେତ୍ରରେ ପୂଜ୍ୟାସ୍ପଦ ସାରସ୍ଵତ ସାଧକ/ସଧିକାମାନେ ସମାଜିକ ଚଳଣୀ ଓ ରୀତିନୀତିକୁ ନିଜ ନିଜର ହୃଦୟର ଆବେଗର ସ୍ପର୍ଶ  ଦେଇ ରୂପରେଖ ଦେଇ ଆସିଛନ୍ତି ୲ ପ୍ରାୟ ପ୍ରତ୍ଯେକ ସାଧକ ନିଜର ଅନୁଭୂତି ଓ ଅନୁଭବର ପରିପକ୍ଵତା ତଥା ଶବ୍ଦକୋଷର ଅଭିବୃଦ୍ଧିକୁ ନେଇ ନିଜର ସ୍ଵତନ୍ତ୍ର ଲେଖାଗୁଡ଼ିକୁ ଉପସ୍ଥାପିତ କରିଥାଆନ୍ତି  ୲ ଛନ୍ଦ ତଥା ଭାବର ପ୍ରଭାବରେ ସେଗୁଡିକ ହୃଦୟଗ୍ରାହ୍ଯ ବି ହୁଏ ୲ ପୁରାତନ ଓଡ଼ିଆ ସାହିତ୍ୟର ଚଉପଦୀ , ଭାଗବତ , ରାମାୟଣ ବା ମହାଭାରତ ଯାହା ବି କୁହନ୍ତୁ ସବୁର ଏକ ସ୍ଵତନ୍ତ୍ର ନିଜସ୍ଵ ଧାରା ଓ ଭାବ ମଧ୍ୟ ରହିଛି  ୲ ସେ ମିତ୍ରାକ୍ଷର ହେଉ ବା ଅମିତ୍ରାକ୍ଷର ହେଉ ଅବା ଗୀତି କବିତାଟି ହେଉ ବା ଗଦ୍ୟ କବିତାଟି  ହେଉ ପ୍ରତ୍ଯେକ ନିଜେ ନିଜ ଭାବଧାରା ଓ କଳାତ୍ମକ ଚାତୁରୀକୁ ନେଇ ସ୍ଵତନ୍ତ୍ର ତଥା ଅନନ୍ୟ  ୲ ଯୁଗର ରୁଚି ଓ ଅଭିରୁଚି ସହ ତାଳ ଦେଇ ଆଗେଇ ଚାଲିଛି ଓ ବଦଳି ଚାଲିଛି  ଆମ ଆଧୁନିକ କବିତା ଗୁଡିକର ରୂପରେଖ ୲ କିନ୍ତୁ ତାହା ମାର୍ଜିତ ତଥା  ସମାଜର ମଙ୍ଗଳକାମୀ ହେବାଟା ଆଜିର ଯୁଗରେ ଅତି ଜରୁରୀ ବୋଲି କାହିଁକି ମୋର ମନେ ହୁଏ  ୲ ଅନେକାଂଶରେ ଦେଖାଯାଏ ସାହିତ୍ୟ କ୍ଷେତ୍ରରେ ଏବେ ନୁହେଁ କେଉଁ ପୁରାତନ ଯୁଗରୁ ମଧ୍ୟ ଗୋଟେ ଶୀତଳ ଯୁଦ୍ଧ ଲାଗି ରହିଛି  ୲ ବିରୋଦ୍ଧାଭାଷ ତ ଆସିବ ହିଁ ଆସିବ ୲ ତାର ଏତେ ଶକ୍ତି ନାହିଁ ଯେ ସେ  ସାହିତ୍ୟର ଗତିଧାରାର ପ୍ରତିରୋଧ କରି ତାର ଗତିପଥକୁ ବ୍ୟାହାତ ବା ବିଚ୍ୟୁତ କରିପାରିବ ୲ ଆମର ଚିନ୍ତା ଓ ଚେତନାର ବିକାଶ ଓ ପରିପକ୍ଵତା ଉପରେ ନିର୍ଭର କରେ ଆମ ଓଡ଼ିଆ ସାହିତ୍ୟର ଉଜ୍ଜ୍ଵଳ ଭବିଷ୍ୟତ ୲ ସେଥିପାଇଁ ଆମେ ସମସ୍ତେ ଗୁଣ୍ଡୁଚିମୂଷାର ଭୂମିକା ନିଶ୍ଚିନ୍ତରୂପେ ନିର୍ବାହ କରୁଛେ ଆଉ ଆଗକୁ ବି କରିବା ବୋଲି ଆଶା ରଖେ ୲ ଆମ ଭବିଷ୍ୟତ ସାରସ୍ଵତ ପିଢ଼ୀ ଆମର ପୂର୍ବ ପିଢ଼ୀ ଦ୍ଵାରା ସବୁବେଳେ ଓ ସବୁ ପରିସ୍ଥିତିରେ ନିଶ୍ଚିତ ରୂପେ ଅଳ୍ପ ବହୁତେ ପ୍ରଭାବିତ ହୋଇଥାନ୍ତି  ୲ ପ୍ରତ୍ୟେକ ସାରସ୍ଵତ ସୃଷ୍ଟିର ନିଶ୍ଚିନ୍ତ ଭାବେ ଗୋଟେ ନିଜସ୍ଵ ସ୍ଵତନ୍ତ୍ର ଭାବ ତଥା ଅନ୍ତସ୍ଵର ରହିଥାଏ ୲ ତାକୁ ଅଣଦେଖା କରିବା ଉଚିତ୍ ନୁହେଁ ବୋଲି ମୁଁ ଭାବେ ୲ ପରସ୍ପର ପରସ୍ପରର ବିରୋଧୀ ନହୋଇ ସହଯୋଗର ହାତ ବଢାଇ ହାତ ଧରାଧରି ହୋଇଚାଲିପାରିଲେ ନିଶ୍ଚୟ ଆମ ଓଡ଼ିଆ ଭାଷା ଆଗକୁ ଆହୁରି ସମୃଦ୍ଧ ତଥା ଉନ୍ନତ ହୋଇପାରିବ ଏଥିରେ ସନ୍ଦେହ ନାହିଁ ବୋଲି ମୋର ଦୃଢ଼ ବିଶ୍ଵାସ  ୲ ଜୟ କଳା , ଜୟ ଜଗନ୍ନାଥ


ଲକ୍ଷ୍ମୀନାରାୟଣ ପଟ୍ଟନାୟକ :

୧ - ଅନୁମାନ କରାଯାଏ ଚଉପଦୀ ହିଁ ଓଡିଆ ପଦ୍ୟର ପ୍ରଥମ ଅବସ୍ଥା ଥିଲା । ଯାହାକି ବୌଦ୍ଧଧର୍ମାବଲମ୍ବୀ ମାନଙ୍କ କଥୋପକଥନର ଏକ ଭିନ୍ନ ଭଙ୍ଗୀ ବା କଳାତ୍ମକ ଭାବ ପରିପ୍ରକାଶର ମାଧ୍ୟମ ଥିଲା ବୋଲି କେହି କେହି ଭାଷାବିତ ମାନେ ଗବେଷଣାରୁ ଅନୁଧ୍ୟାନ କରନ୍ତି । ଦଶମ ଶତାବ୍ଦୀରୁ ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ସାରଳା ଦାସଙ୍କ ମହାଭାରତ ଲେଖାଯାଇଥିଲା । କିନ୍ତୁ ପଞ୍ଚଦଶ ଶତାବ୍ଦୀରୁ ଓଡିଆ ପଦ୍ୟ ସାହିତ୍ୟର ପରିପକ୍ଵତା ଆମେ ଦେଖିବାକୁ ପାଉ । କିନ୍ତୁ ଏହା ପୂର୍ବରୁ  ଛନ୍ଦ ଓ ରାଗର ପ୍ରଭାବ ଏତେ ନଥିବା ଭଳି ଅନୁମାନ ହୁଏ । ତେବେ ତାହା କିପରି କାଳଜୟୀ ହୋଇ ପାରିଛି ?

୨ - ପଞ୍ଚଦଶ ଶତାବ୍ଦୀରୁ ଓଡିଆ ପଦ୍ୟ ସାହିତ୍ୟର ରସାଳ ରୂପ ଦେଖିବାକୁ ମିଳେ । ଯେଉଁ ସମୟରେ ଅନେକ କାବ୍ୟ, ଭକ୍ତି କବିତା,  ଚମ୍ପୁ, ଚଉତିଶା ଓ ଛାନ୍ଦ ଆଦି ରଚନା କରାଯାଇଥିଲା । ଏବଂ ଏହି ସୃଷ୍ଟି ଗୁଡିକ ରାଜକୀୟ ପରିଧି ମଧ୍ୟରେ ସୀମିତ ଥିଲା । ଓଡିଆ ପଦ୍ୟ ସାହିତ୍ୟର ଆଧୁନିକ ଯୁଗ ଅଷ୍ଟାଦଶ ଶତାବ୍ଦୀରୁ ଆରମ୍ଭ ହେଲା । ଏହି ଆଧୁନିକ ପଦ୍ୟ ଯୁଗର ପ୍ରଥମ ସୂତ୍ରଧର ଥିଲେ କବିବର ରାଧାନାଥ ରାୟ । ପାଶ୍ଚାତ୍ୟ ଶିକ୍ଷା ଲାଭ କରିବା ଦ୍ଵାରା ଗ୍ରୀକ ସାହିତ୍ୟର ଆଧାରରେ ସେ ଓଡିଆ ପଦ୍ୟ ସାହିତ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ ।

ତେଣୁ ମୋ ମତରେ, ଗୋଟିଏ ଧାରାକୁ ଜାବୋଡି ଧରି, ନୂତନ ଧାରା ପ୍ରତି ଅସୁୟା ଭାବ ପୋଷଣ କରି ଅଗ୍ରାହ୍ୟ କରିବା ଆଦୌ ଠିକ ନୁହେଁ । ଉଭୟ ଧାରାକୁ ଉଭୟଙ୍କ ସ୍ଥାନରେ ସ୍ଵତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରି ଗ୍ରହଣ କରିବା ଉଚିତ । କାରଣ କୌଣସି ଧାରା କିମ୍ବା ପଦ୍ଧତ୍ତି କେବେ ପ୍ରଗତିରେ ପ୍ରତିବନ୍ଧକ ହୁଏ ନାହିଁ । ଅର୍ଥାତ ପଦ୍ୟ ସାହିତ୍ୟରେ ନୂତନ ଧାରା କଦାପି ସାହିତ୍ୟର ଅବନତି ଘଟାଏ ନାହିଁ । ବରଂ ମାର୍ଜିତ, ଉନ୍ନତ୍ତ ଓ ବ୍ୟବହାରିକ କରାଇଥାଏ ।

୩ - ଓଡ଼ିଆ ପଦ୍ୟ ସାହିତ୍ୟରେ ନୂତନ ଧାରାକୁ ଅନେକ ସ୍ଵୀକାର କରନ୍ତି । ତେଣୁ ପରିବର୍ତ୍ତନଶୀଳ ମାନସିକାତାରେ ଏହାର ସ୍ୱତନ୍ତ୍ର ସ୍ଥାନକୁ ଅଧିକାଂଶ ଅଗ୍ରାହ୍ୟ କରି ନାହାନ୍ତି । ତେଣୁ ସ୍ୱର-ଗୀତି-କବିତା ଓ କଥା-ଗୀତି-କବିତା ଉଭୟ ଉଭୟଙ୍କ ଜାଗାରେ ସ୍ୱତନ୍ତ୍ର । କେହି କାହାର ସ୍ଥାନ ନେଇ ପାରିବେ ନାହିଁ ଏହା ନିଃସନ୍ଦେହ । ତେଣୁ ଉଭୟ ଧାରାକୁ ସ୍ୱତନ୍ତ୍ର ସମ୍ମାନ ଦେଇ ପଦ୍ୟ ସାହିତ୍ୟ ଜଗତରେ ସୃଷ୍ଟି ହୋଇ ଚାଲୁଥିବା ଶୀତଳଯୁଦ୍ଧର ଅବସାନ ଘଟାଇବା ଜରୁରୀ । ଯାହା ଦ୍ୱାରା ସାହିତ୍ୟର ଭବିଷ୍ୟତ ଉଜ୍ଜ୍ୱଳମୟ ହେବ । ଆଜିର କଥା-ଗୀତି-କବିତା ଆଗାମୀ ୫୦୦ ବର୍ଷ ବେଳକୁ ଯେ କାଳଜୟୀ ହୋଇ ପାରିନଥିବ, ଏହାକୁ ଆମେ ଆଜି ଅସ୍ବୀକାର କରିବା ଉଚିତ ନୁହେଁ । କାରଣ ଗୋଟିଏ କାଳ ଭିତରେ ସୃଷ୍ଟିଟିଏ କାଳଜୟୀ ହୋଇପାରେନା । ତାକୁ ପରବର୍ତ୍ତୀ କାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡେ । କିଛି ଲୋକ କୁହନ୍ତି ଆଜିର ପରିବର୍ତ୍ତିତ ଧାରାରେ ସୃଷ୍ଟି ହୋଇଥିବା କଥା କବିତା କେବେ କବିତା ନୁହେଁ । ସେମାନେ ସମ୍ପୂର୍ଣ୍ଣ ଧାରାକୁ ବିରୋଦ୍ଧ କରନ୍ତି ଏହି ନୂତନ ଧାରାକୁ । ସମୟ ଆସିବ ଦିନେ ଏହି କଥା-ଗୀତି-କବିତା କୁ ବି ଲୋକ ଗୁଣ ଗୁଣେଇବେ । ଯେଉଁଥିରେ ଭରପୁର ଥିବ ସେଇ ମାନବବାଦ ଆଉ ସାମାଜିକ ସୁଖ-ଦୁଃଖର ନିବିଡ଼ ପ୍ରୀତିବନ୍ଧନ । କୌଣସି ସୃଷ୍ଟିର କାଳଜୟୀ ରୂପକୁ ଆମ ଉତ୍ତର ପିଢ଼ି ହିଁ ଅନୁଭବ କରିବେ । କେମିତି ଆଜି ଆମେ ଜୋର ଦେଇ କହିପାରିବା ଯେ, ଦିନେ ଏହି କଥା-ଗୀତି-କବିତା କାଳଜୟୀ ନହେବ ବୋଲି ?? ଭୁଲ ବୁଝିବେନି, ମୁଁ ଗୀତି କବିତା ଓ କଥା କବିତା ଉଭୟଙ୍କୁ ଭଲପାଏ । ଯଦି ମୁଁ ଉଭୟଙ୍କୁ ଭଲପାଉଛି, ତେବେ କାଳଜୟୀ ଶବ୍ଦର ବ୍ୟବହାର ମୋ ମନରେ ଦ୍ଵନ୍ଦ ସୃଷ୍ଟି କରୁଛି । ତେଣୁ ଏହି ଅନୁଶୀଳନ କୁ ଏହି ଛୋଟ ବୁଦ୍ଧିରେ ଉପସ୍ଥାପିତ କରିଛି ।

୪ - ପଦ୍ୟ ସାହିତ୍ୟର ଏହି ନୂତନ ଧାରାରେ କବି ରାଧାନାଥ ରାୟ, ସଚ୍ଚି ରାଉତରାୟ ମଧ୍ୟ ଲେଖନୀ ଚାଳନା କରିଛନ୍ତି । ଏବେକାର ସମୟରେ ରମାକାନ୍ତ ରଥ, ପ୍ରସନ୍ନ ପାଟ୍ଟଶାଣୀ ଓ ଗିରିଜା ବଳିଆରସିଂହଙ୍କ ଅମିତ୍ରକ୍ଷର କବିତା ଯଦି କେହି ପଢିଥିବେ, ତେବେ ଅନୁମାନ କରିପାରୁଥିବେ ଏହି ଧାରାରେ ମଧ୍ୟ କବିତା କେତେ ଭାବପୂର୍ଣ୍ଣ ଓ ହୃଦୟଛୁଆଁ ହୋଇପାରେ । କବି ଗିରିଜା କୁମାର ବଳିଆରସିଂହଙ୍କ ଗୋଟିଏ କବିତାର ଗୋଟିଏ ପଦ ଉଦାହରଣ ସ୍ୱରପ ପଡ଼ିବାକୁ ଭୁଲନ୍ତୁ ନାହିଁ ।

କବି - ଗିରିଜା କୁମାର ବଳିଆରସିଂହଙ୍କ ରଚନାରୁ :
ହେ ଭ୍ରୁଣ ଭାରତବର୍ଷ ! ବିଭାଜିତ ହେ ଭୀତ ଭବିଷ୍ୟ !
ଅତୀତର ଅନ୍ତୁଡ଼ିରେ ଆର୍ତ୍ତ ଆଜି ଭାଷାର ଆଲୋକ...
କୁହେଳିର କଳୁଷରେ ଲୁପ୍ତ ହୁଏ କଠିନ କୁଳିଶ
କେରାଏ କିରଣ ପାଇଁ କାନ୍ତାରରେ କାନ୍ଦିବୁଲେ କୋକ ।।


ସନ୍ତୋଷ ମହାନ୍ତି (ମହାଗାଲୁଆ ସନୁ) :

୧ - ଅନୁନୟ ଭାବରେ ଅନେକ ସମୟ ରେ କାବ୍ୟ , ପଦ୍ୟ ଧାରା ରେ  ପରିବର୍ତ୍ତନ ଦେଖିବାକୁ ମିଳିଛି ।  କିନ୍ତୁ ସବୁ ପରିବର୍ତ୍ତନ ସମୟ, ସମାଲୋଚନା ର ଶିକାର ହୋଇ  ବଦଳିଛି  ଆଉ ସେଥିରେ ବହୁତ ବହୁତ ମାର୍ଜନ ବି କରା ଯାଇଛି , ସେ ରୀତି ଯୁଗ ରୁ ସବୁଜ ଯୁଗ ପର୍ଯ୍ୟନ୍ତ ହେଉ  । ତେଣୁ ପରିବର୍ତ୍ତନ ହେଉ କିନ୍ତୁ  ମାର୍ଜିତ ଓ ସଂହତି ସହକାରେ ହେଉ ।


ଶିବ ଚରଣ ମହାପାତ୍ର :

୧ - ଆମେ ଯେବେ ଯେବେ ବି ଅତୀତର ପୃଷ୍ଠା ଓଲଟାଇବା ସେଥିରେ ଆମ ଓଡିଆ ସାହିତ୍ୟର ପୃଷ୍ଠଭୂମି କେତେ ମଜବୁତ୍ ଆଉ ରସାତ୍ମକ ଥିଲା ତାହା ଦେଖିବାକୁ ପାଇବା । ଜଣେ ସାହିତ୍ୟିକ କେବଳ ଯେ ଶୃଙ୍ଗାର ସାହିତ୍ୟ ସର୍ଜନା କରିଦେଲେ ତାଙ୍କ ଦାୟିତ୍ୱ ସରିଗଲା ତାହାନୁହେଁ ବରଂ ସାହିତ୍ୟ ମାଧ୍ୟମରେ ଆମ ଐତିହ୍ୟ ସଂସ୍କୃତି ରୀତି ପରମ୍ପରାକୁ ବଜାୟ ରଖିବା ସହିତ  ସମାଜର କଳୁଷ ହରଣ କରିବାରେ ମୂଖ୍ୟ ଭୂମିକା ନିର୍ବାହ କରିବା ଆବଶ୍ୟକ ।ବର୍ତ୍ତମାନ ଦେଖାଯାଏ ଯେ ଅଧିକାଂଶ ଲେଖକ କେବଳ ପ୍ରଣୟ  ,ବିରହ , ବିଛେଦ ,ରସ ଶୃଙ୍ଗାର ଉପରେ ରଚନା କରିବାକୁ ପସନ୍ଦ କରୁଛନ୍ତି  ତାମାନେ ନୁହେଁ ଯେ ସେମାନେ ଆମ ରିତି ଯୁଗର ଲେଖକ ମାନଙ୍କ ଶୈଳୀରେ ରଚନା କରି ପାରିବେନି କିନ୍ତୁ ସେମାନେ ରାଗ ,ଛନ୍ଦ,ଅଳଙ୍କାର ଆଦିରୁ ଧିରେ ଧିରେ ରୁଚି କମ୍ କରିନେଉଛନ୍ତି । ଅବଶ୍ୟ ଆଧୁନିକ ରଚନା ଶୈଳୀ ମଧ୍ୟ ଖୁବ୍ ଉନ୍ନତ୍ତ ଆଉ ପରିମାର୍ଜିତ ପରିଲକ୍ଷିତ ହୁଏ । କିନ୍ତୁ  ପାଶ୍ଚାତ୍ୟ ସଂସ୍କୃତି ପାଶ୍ଚାତ୍ୟ ରୂପ ରଙ୍ଗ ଯେପରି ଭାବରେ ଆମ ସମସ୍ତଙ୍କୁ ଗ୍ରାସ କରିବାକୁ ବସିଲାଣି ଯଦି ଆମେ ଏବେଠାରୁ  ଆମ ଐତିହ୍ୟ, ସଂସ୍କୃତି , ରୀତିନୀତି,  ପରମ୍ପରା ପ୍ରତି ଘନିଷ୍ଠତା ନବଢେଇବା ତେବେ ଆଉ କିଛି ବର୍ଷ ପରେ ଓଡିଆ ଭାଷା ସାହିତ୍ୟର ସ୍ଥିତି ଅସମ୍ଭାଳ ହୋଇ ଯିବ ଏଥିରେ ଦ୍ୱିମତ ନାହିଁ  । କିଛି ଲେଖା କାଳଜୟୀ ହୋଇ ରହିଛି ଆଉ ରହିଥିବ ମଧ୍ୟ । ଆପଣ ସାରଳା ଯୁଗ  ,ପଞ୍ଚସଖା ଯୁଗ କିମ୍ବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ଯ ବଳଦେବ ରଥ ,ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ରାଧାନାଥ ରାୟ, ମଧୁସୂଦନ ରାଓ, ନନ୍ଦକିଶୋର ବଳ, ସଚ୍ଚିଦାନନ୍ଦ ରାଉତରାୟ ଇତ୍ୟାଦି  ,ଏବଂ ବର୍ତ୍ତମାନ ଯୁଗର ଅନେକ ଆଗଧାଡିର ଲେଖକଙ୍କ ଲେଖାକୁ ପରିକ୍ଷଣ କଲେ ଜାଣି ପାରିବେ ଆଧୁନିକ ସାହିତ୍ୟ ସର୍ଜନା ଏବଂ ପୁରାତନ ସାହିତ୍ୟ ସର୍ଜନା ମଧ୍ୟରେ କିପରି ପରିବର୍ତ୍ତନର ଛାପ  ଲାଗି ଆସୁଅଛି ।ପରିବର୍ତ୍ତନ ତ ନୀୟତିର ନୀୟମ କିନ୍ତୁ ଏଠାରେ  ମୋର କହିବାର ଅର୍ଥ ଆମେ ଆମ ସୃଷ୍ଟି କୁ ଏତେଟା ପରିବର୍ତନ କରି ନ ଦେବା ଉଚିତ୍ ଯେ ଜଣେ ପାଠକ କେବଳ ମୁହଁ ସୁଆଦିଆ ଭାବେ ତାକୁ ବ୍ୟବହାର କରିବେ । ସୃଷ୍ଟି ଏମିତି ହେବା ଆବଶ୍ୟକ ଯାହା ନିତ୍ୟ ଚିରନ୍ତନ , ରସଯୁକ୍ତ ,ମାର୍ଜିତ ଏବଂ ଅନବରତ  ମଧୂରତାର ପରିସ୍ଫୁଟ କରୁଥିବ ।



ସଲିଳ କୁମାର ସ୍ଵାଇଁ :

୧ - ତାମିଲ, ସଂସ୍କୃତ, କନ୍ନଡ, ତେଲୁଗୁ, ମାଲୟଲମ ପରେ ୨୦୧୪ ମସିହାରେ 'ଓଡିଆ' ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ୨୦୦୦ ବର୍ଷ ପୁରୁଣା ଏ ଭାଷା ନିଃସନ୍ଦେହରେ ଉନ୍ନତ ଓ ରୁଦ୍ଧିମନ୍ତ । କିନ୍ତୁ ସମସ୍ତ ସ୍ଵାଭିମାନୀ ଓଡିଆ ଆଜି ଅନୁଚିନ୍ତା କରିବାର ସମୟ ଆସିଛି ।

ଓଡିଆ ପଦ୍ଯ ସାହିତ୍ୟକୁ 'କଥିତ' ଓ 'ଲିଖିତ' ଦୁଇ ଭାଗରେ ବାଣ୍ଟିଦେଇ ପାରିବା । ଅତୀତରେ ଗାଁ'ଗହଳିରେ କିଛି ଲୋକ ନିଜର ଆନନ୍ଦ, ବିଷାଦ ତଥା ସଚେତନତାର ବାର୍ତ୍ତା ଗୀତ ଆକାରରେ ପ୍ରକାଶ କରୁଥିଲେ, ଯାହା ଢଗଢମାଳି, ଶଗଡିଆ ଗୀତ, ଚଢେଇଆ ଗୀତ, ଦଣ୍ଡନାଚ ଇତ୍ଯାଦି । ଏଗୁଡିକ ଶୁଣିଶୁଣି ମନେ ରହୁଥିଲା, ପୁରୁଷ ପୁରୁଷ ଧରି ମନେଅଛି ମଧ୍ୟ । ମୋ ଗାଁରେ ଏବେବି ଦଣ୍ଡନାଚ(୨୧ ହଳ ପଟେ) ଗୀତ ଗୁଡିକର ଲିଖିତ/ମୂଦ୍ରିତ ସଂସ୍କରଣ ନାହିଁ । ଏଗୁଡିକ ଛନ୍ଦପୂର୍ଣ୍ଣ , ମନଛୁଆଁ ଓ ମନରଖି ମନ ପକାଇଲା ଭଳି ।

ଲିଖିତ ପଦ୍ଯ ସାହିତ୍ୟ ଚର୍ଯ୍ଯା, ସାରଳା, ପଞ୍ଚସଖା, ରୀତି, ରାଧାନାଥ, ସତ୍ଯବାଦୀ, ପ୍ରଗତି, ସବୁଜ ଯୁଗ ଅତିକ୍ରମ କରି ଅତ୍ଯାଧୁନିକ ଯୁଗରେ ପହଞ୍ଚିଛି । ଏମିତି ତ ଇତିହାସ ପର୍ଯ୍ଯାଲୋଚନା କଲେ ଜଣାଯାଏ, ୧୨ଶ ଶତାବ୍ଦୀରୁ ମୋ ଭାଷା ଆଧୁନିକ ରୂପ ନେଇଛି । 'କୋଇଲି ଲୋ କେଶବ ଯେ . .... ' ଭଳି ରଚନାର ଅୟମାରମ୍ଭ । ୧୪ଶ ଶତାବ୍ଦୀରେ ସାରଳା ଦାସ'ଙ୍କ ଓଡ଼ିଆ 'ମହାଭାରତ' ରଚିତ ହେବାପରେ, ୧୬ଶ ଶତାବ୍ଦୀ ପର୍ଯ୍ୟନ୍ତ ସଂସ୍କୃତ କାବ୍ୟ ଗୁଡିକୁ ଓଡିଆରେ ଅନୁବାଦ କରାଯାଇଥିଲା । ସପ୍ତଦଶ ଶତାବ୍ଦୀରୁ ଉନବିଂଶ ଶତାବ୍ଦୀ ମଧ୍ୟରେ ଓଡିଆ ପଦ୍ଯ/କାବ୍ୟ/କବିତା ଉନ୍ନତିର ଶୀର୍ଷରେ ପହଞ୍ଚିବା ସହିତ ଆଦୄତ ହୋଇଥିଲା । ସେବେଠାରୁ ଏବେ ପର୍ଯ୍ୟନ୍ତ ଓଡିଆ ପଦ୍ଯ ସାହିତ୍ୟରେ ନୂତନ ଧାରା ଆସିଛି, ଭାଷା ପ୍ରଗତି କରିଛି ସତ କିନ୍ତୁ ଆଖିଦୃଶିଆ/ସନ୍ତୋଷଜନକ ଛାପ ଛାଡିପାରିନି ।

(କଥା/ଛନ୍ଦହୀନ/ତାଳହୀନ/ଅମିତ୍ରାକ୍ଷର)କବିତା ଆମ ସାହିତ୍ଯକୁ ରୁଚିମନ୍ତ/ରୁଦ୍ଧିମନ୍ତ କରିଛି ଏଥିରେ ସନ୍ଦେହ ନାହିଁ । ଅପରପକ୍ଷେ ମୁଁ ନିଜେ ଏପରି କବିତା ପ୍ରାୟ ମନେରଖିପାରିନି, କି କେବେ ଗୁଣୁଗୁଣୁ ହେଇନି । ଯଦି ବା କେବେ ମନେପଡେ/ଗୁଣୁଗୁଣାଏ ତାହା ଛନ୍ଦ/ତାଳଯୁକ୍ତ । ପଦ୍ଯ ଯେପରି ବି ହେଉ, ସମାଜର ହିତ ପାଇଁ ହେଉ ।



ସୁନୀଲ କୁମାର ବେହେରା :

୧ - ସମୟ ଅନୁସାରେ ବର୍ତ୍ତମାନ ସାହିତ୍ୟ ମଧ୍ୟ ବଦଳିବାରେ ଲାଗିଅଛି। କାହିଁକି ନା ବର୍ତ୍ତମାନ ସମାଜର ପ୍ରତିଷ୍ଠିତ ଜନସମାଜ "ମୁଁ" ବୋଲି ଶବ୍ଦଟିରେ ପରିଚିତ ହେବା ପାଇଁ ଯଥାସମ୍ଭବ ବ୍ୟଗ୍ର ରହୁଛନ୍ତି। ସେଥିମଧ୍ୟରେ ବର୍ତ୍ତମାନର ସାହିତ୍ୟ ପଦ୍ୟର ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳୁଅଛି। ନୂତନ ଶତାବ୍ଦୀର ଅନେକ କବି ପ୍ରାୟ ପ୍ରଶଂସା ପାଇବା ପାଇଁ ପ୍ରତିଦିନ ଗୁଡ଼ାଏ ଲେଖା ଲେଖି କରିବାରେ ବ୍ୟସ୍ତ।ତାର ଅନେକ କାରଣ ମଧ୍ୟ  ନଜରରେ ଆସିଛି।ପ୍ରଶଂସା ସାଉଁଟିବା ଆଶାରେ କବିତା ଚୋରି ଭଳି ଅଭିଯୋଗ ମଧ୍ୟ ଅଛି। ଆଉ ସେଇ ଘଟଣାକୁ ନେଇ ଶୀତଳ ଯୁଦ୍ଧର ଘନଘଟା ମଧ୍ୟ ବର୍ତ୍ତମାନ ଚାଲିଛି।କାରଣ କ'ଣ ଏମିତି ସାହିତ୍ୟ ଜଗତରେ ଏତେ ବାଦବିବାଦ କାହିଁକି???  ମୁଁ ଜଣେ କବି ଭାବରେ ଏହାର ଅନୁସନ୍ଧାନ କରିବାରେ ଲାଗିପଡିଲି। ଆଉ କିଛି ତଥ୍ୟ ଏଇ କ୍ଷୁଦ୍ର ମସ୍ତିଷ୍କରେ ମୂଲ୍ୟାୟନରେ ପାଇଛି।

ବାସ୍ତବରେ ରୀତିଯୁଗୀୟ କବିମାନେ ସେମାନଙ୍କ ସମୟକୁ କେବଳ ସାହିତ୍ୟ ପାଇଁ ହିଁ ବିତାଉଥିଲେ। ସେମାନେ ମୁଖ୍ୟତଃ କାବ୍ୟକୁଞ୍ଜବନରେ କାବ୍ୟର ଶରୀର, ବର୍ଣ୍ଣାଦିର ଉତ୍ପତ୍ତି ଓ ତାର ପ୍ରୟୋଜନ, କାବ୍ୟର ସ୍ଵରୁପ, ବିଭିନ୍ନ ପୌରାଣିକ ତଥ୍ୟ ଆଧାରିତ ପ୍ରସଙ୍ଗର ସମୀକ୍ଷା, କାବ୍ୟର ପ୍ରୟୋଜନ, କାବ୍ୟର ରସ, ଭାବ(ଅନୁମାନ, ରତି, ହାସ, ଶୋକ, କ୍ରୋଧ, ଉତ୍ସାହ, ଭୟ, ଜୁଗୁପ୍ସା,ବିସ୍ମୟ, ବିଭାବ, ନାୟକ,ନାୟିକା, ଉଦ୍ଦୀପନ,ଅନୁଭାବ, ସାତ୍ତ୍ୱିକ), ବ୍ୟଭିଚାରୀ ଭାବ, ରସ ନିଷ୍ପତ୍ତି, ତାତ୍ପର୍ଯ୍ୟ, ଅନୁମାନ,ଲକ୍ଷଣ,ସ୍ମରଣ ଇତ୍ୟାଦି ଦିଗକୁ ଲକ୍ଷ୍ୟ କରି ଲେଖୁଥିଲେ। ସେଥିପାଇଁ ସେମାନଙ୍କ କବିତା ଚିରସ୍ଥାୟୀ ହୋଇପାରୁଥିଲା । କାରଣ ସେମାନେ ଲେଖିବା ଅପେକ୍ଷା ଅଧିକ ଭାବିବା ତଥା ସମସ୍ତ ବର୍ଗର ଲୋକମାନେ କିପରି ବୁଝି ପାରିବେ ସେ ଭଳି ଲେଖୁଥିଲେ।

କିନ୍ତୁ ଆଜି ସମସ୍ତେ ସମୟ ଅଭାବରୁ ଯାହା ପାରୁଛେ ଶ୍ରୁତି ମଧୁର ନିମନ୍ତେ ଲେଖିଦେଉଛେ। ପୁରାତନ ଯୁଗର କବିମାନଙ୍କ ଲେଖାକୁ ପଢ଼ିବା ନିମନ୍ତେ ସମୟର ଅଭାବ । ତେଣୁ  ଯେଉଁଠି ଭାବନା କମ୍, ପଢ଼ିବା ପାଇଁ ଧୈର୍ଯ୍ୟର‌ ଅଭାବ ଆଉ ପ୍ରଶଂସା ଆଶାରେ ଲେଖିବା ସେଭଳି ପରିସରରେ ଏକ ଚିରସ୍ଥାୟୀ ବା କାଳଜୟୀ ଲେଖା ଆସିବା ଅତ୍ୟନ୍ତ କଷ୍ଟ।

୨ - କଥା କବିତା ମଧ୍ୟ ଅତ୍ୟାଧୁନିକ ସମାଜର ସତ୍ୟ ଘଟଣା ଉପରେ ଆଧାରିତ। କଥା କବିତା କୁ ମଧ୍ୟ ଏଡାଇ ଦିଆଯାଇପାରିବ ନାହିଁ, କାରଣ ଏଥିରେ ହିଁ ଏକ ଉନ୍ନତ ସଭ୍ୟତା ତଥା ସମାଜର ପରିକଳ୍ପନା କରାଯାଇଥାଏ।ସେ ଯାହା ବି ହେଉ ସଦ୍ୟ ସାହିତ୍ୟ ସମାଜର ଉତ୍ତରୋତ୍ତର ଉନ୍ନତି ପାଇଁ ସାକ୍ଷ, ଲକ୍ଷ୍ୟ ଏବଂ ପ୍ରତ୍ୟକ୍ଷ ତତ୍ତ୍ୱରେ ପ୍ରତ୍ୟେକ ଲେଖନୀ ଶାଣିତ ହେଉ। ସାହିତ୍ୟର ଜୟ ହେଉ। ସାହିତ୍ୟ ଜଗତରେ ଏହିପରି ନୂତନ ଲେଖାଗୁଡିକର ଅବାରିତ ଉଷ୍ମ ବାରିଧାରା ବହି ଚାଲିଥାଉ।



ନାରାୟଣ ଚନ୍ଦ୍ର ସେନାପତି : 

୧ - ଅତି ସୁନ୍ଦର ପ୍ରସଙ୍ଗଟିଏ ଯାହା ସାମ୍ପ୍ରତିକ ସାହିତ୍ୟ ସମାଜର ବାସ୍ତବ ଅପ୍ରିୟ ସତ୍ୟ କଥା।ମୋ ମତରେ କବିତା ହିଁ କବିତା ବା ପଦ୍ୟ ହିଁ ପଦ୍ୟ,ତାହା ଅମିତ୍ରା/ମିତ୍ରାକ୍ଷର ହେଉ,କି ଗୀତି-ଛନ୍ଦ କବିତା କିମ୍ବା କଥା(ଆଧୁନିକ)କବିତା ହେଉ।ମାତ୍ର ପ୍ରତିଟି କବିତାରେ ଭାବ,ଭାଷାର ଝଲକ,ବ୍ୟାକରଣ, ସଂଯୋଜନା,ସମାଜକୁ ଦିଗଦର୍ଶନ ଦେଲା ଭଳି ଓ ପାଠକ ପାଠିକାଙ୍କ ହୃଦୟକୁ ଛୁଇଁଲା ଭଳି ହେବ ନିତ୍ୟାନ୍ତ ଆବଶ୍ୟକ।ଅବଶ୍ୟ କଥା କବିତାର ରସ ସୁପ୍ତ ଅବସ୍ଥାରେ ଅଜଳା ଧୂପ ପରି ଥାଏ।ଭାବର ସହ ପଠନ ହେଲେ ତାର ସୁରଭି ସୁରଭିତ ଥାଏ।ମାତ୍ର ଗୀତି କବିତାରେ ସିଧାସଳଖ କିଛି ମାତ୍ରାରେ ରସ ପାଠ ପୂର୍ବରୁ ବାରି ହୁଏ।ତେବେ କଥା ହେଉଛି ପାରସ୍ପରିକ ବିରୁଦ୍ଧାଭାସ ଓ ଶୀତଳ ଯୁଦ୍ଧର ଆଵଶ୍ୟକତା ନାହିଁ।ଯଦି କିଏ କରୁଥାନ୍ତି ତାହା  ସାହିତ୍ୟିକର ସଂକୀର୍ଣ୍ଣତା।ପ୍ରତ୍ୟେକ ବିଭାଗର କବିତାର ମଧୁ ଆସ୍ଵାଦନ କରିବା ଓ ପ୍ରକୃତ କବିଙ୍କ ଯେକୌଣସି ବିଭାଗର ଭଲ କବିତାକୁ ଓ ସ୍ରଷ୍ଟାଙ୍କୁ ପ୍ରଶଂସା ଓ ସମ୍ମାନ ଦେଲେ ସାହିତ୍ୟର ମର୍ଯ୍ୟାଦା ବଢିବ,ମୋ ମତରେ।



ଚିତ୍ତରଞ୍ଜନ ସାହୁ : 

୧ - ପରିବର୍ତ୍ତନ ସଂସାରର ନିୟମ, ଏହା ଆମେ ସମସ୍ତେ ଜାଣିଅଛନ୍ତି। ସମୟ ସହିତ ସବୁକିଛି ପରିବର୍ତ୍ତନ ହେଉଛି। ମାନବ ସଭ୍ୟତାର ମଧ୍ୟ ବହୁତ ପରିବର୍ତ୍ତନ ହୋଇଛି। ତତ୍ ସହିତ ଭାଷା ସାହିତ୍ୟରେ ମଧ୍ୟ କିଛି କିଛି ନୂତନତ୍ୱ ଦେଖିବାକୁ ମିଳିଛି। ମିତ୍ରାକ୍ଷର ଏବଂ ଗୀତିକବିତା ଶ୍ରୁତି ମଧୁର ହେତୁ ସମସ୍ତଙ୍କର ପ୍ରିୟ। ଅମିତ୍ରାକ୍ଷର ଏବଂ କଥା କବିତା ମଧ୍ୟ ତାର ସ୍ୱତନ୍ତ୍ର ସ୍ଥାନ ପାଠକ ଏବଂ ଲେଖକଙ୍କ ପାଖରେ ରଖିପାରିଛି। ବର୍ତ୍ତମାନ ଅନେକ ଉଭୟ ମିତ୍ରାକ୍ଷର ବା ଅମିତ୍ରାକ୍ଷର ଏବଂ ଗୀତି କବିତା ବା କଥା କବିତା ଲେଖୁଛନ୍ତି। ସାହିତ୍ୟର ସମୃଦ୍ଧି ଯେ ଉଭୟ ଗୀତିକବିତା ବା କଥାକବିତା ଏବଂ ମିତ୍ରାକ୍ଷର ବା ଅମିତ୍ରାକ୍ଷର ଦ୍ୱାରା ହୋଇ ଆସୁଛି କହିଲେ କିଛି ଅତ୍ୟୁକ୍ତିକର ହେବନାହିଁ। ଲେଖିବାର ଶୈଳୀ ଅପେକ୍ଷା ଲେଖାର ମାନ ସାହିତ୍ୟର ସମୃଦ୍ଧି ପଥରେ ନିଶ୍ଚିତ ସହାୟକ ହୋଇଆସିଛି। ତାହା ଆଗକୁ ମଧ୍ୟ ରହିବ। ଲେଖା ସବୁରି ମନକୁ ଛୁଇଁ କିଛି ପରିବର୍ତ୍ତନ ଆଣିପାରିଲେ ତାହା ବାସ୍ତବରେ କାଳଜୟୀ ହୋଇପାରିବ। ତାହା ମିତ୍ରାକ୍ଷର ବା ଅମିତ୍ରାକ୍ଷର ହେଉ ଅଥବା କଥା କବିତା ବା ଗୀତି କବିତା ହେଉ।

ମହାକାଳ ଫଳ ଆହା କି ସୁନ୍ଦର !
ଭିତରଟା ନାରଖାର ।
କଣ୍ଟକିତ ସିନା ପଣସ ଶରୀର,
କି ମଧୁର ସ୍ୱାଦ ତା'ର ।।


ପ୍ରଣତି ମହାପାତ୍ର :

୧ - ଆଜିର ଆଲୋଚନାର ବିଷୟବସ୍ତୁ ଖୁବ୍ ମାର୍ମିକ ଓ ପ୍ରାସଙ୍ଗିକ ମଧ୍ୟ । ମୁଁ ଅକିଞ୍ଚନ ମତାମତ ନ ଦେଇ ଆଗ୍ରହ ସହକାରେ ପଢି ଚାଲିଛି । ଏତିକି କହିବି ଆମର ସୃଷ୍ଟି ଯାହା କିଛି ହେଉନା କାହିଁକି, କିନ୍ତୁ ବାକ୍ୟରେ ସଞ୍ଜମତା ରକ୍ଷା କରି ଲେଖନୀ ଚାଳନା କଲେ ଲେଖା ଗୁଡିକ ବେଶ୍ ହୃଦୟ ସ୍ପର୍ଶୀ ହୋଇପାରିବ ବୋଲି ମୋର ଏକାନ୍ତ ମତ ।

୨ - ସୁନ୍ଦର ଆଲୋଚ୍ୟର ବିଷୟ । କବିତା ଯାହା ଝରଝର, କଳକଳ, ନିନାଦିନୀ । ସ୍ଵଛ ପବିତ୍ର ଜଳଧାରା । କୁହାଯାଏ ଝରଣାର ସଫା ଜଳ ନଈ ପାଣି ଗୋଳିଆ । ଯେଉଁ କବିତା ମିତ୍ରାକ୍ଷର, ଛନ୍ଦବଦ୍ଧ, ସୁନ୍ଦର ଶବ୍ଦ, ସରସ , ଭାବଯୁକ୍ତ ତଥା ସମାଜର ହିତପାଇଁ ଉଦ୍ଦିଷ୍ଟ ତାହା ଆଦରଣୀୟ । କିନ୍ତୁ ଅମିତ୍ରାକ୍ଷର ଛନ୍ଦବଦ୍ଧ କବିତା ଯଦି ସାବଲୀଳ ଓ ଶାଳୀନତା ପୂର୍ଣ୍ଣ ଥାଏ ତାହା ମଧ୍ୟ ଗ୍ରହଣୀୟ । ଯେଉଁ ଲେଖା ହୃଦୟସ୍ପର୍ଶୀ ହୋଇ ପାରିଥାଏ, ତାହା ମଧ୍ୟ ଗ୍ରହଣୀୟ ହୋଇପାରିବ ।


ସୁଦ୍ରୁମା ପଣ୍ଡା : 

୧ - କବିତା ଯେମିତି ବି ହେଉ, ଛନ୍ଦ ଯୁକ୍ତ କି କଥା କବିତା ସେଥିରେ କିଛି ଯାଏ ଆସେ ନାହିଁ । ସବୁ ଗୁଡିକ ସାହିତ୍ୟ । କିନ୍ତୁ ପ୍ରତ୍ୟେକ କବିତା ର ଲେଖା ଶୈଳୀ ଓ ସମାଜ ପ୍ରତି ରହିଥିବା ଦିଗ୍ ଦର୍ଶନ ହିଁ ତା'ର ମାନ ନିର୍ଧାରଣ କରିଥାଏ । ସାହିତ୍ୟ  ଯୁଗପଯୋଗୀ ହେବା ଆବଶ୍ୟକ । ଛନ୍ଦ କବିତା ନିଶ୍ଚିତ ଭାବେ ମନକୁ ଆହ୍ଲାଦିତ କରିଥାଏ ଏବଂ ତାହା ପ୍ରାୟ ସମସ୍ତେ ଗୁଣୁଗୁଣୁ ହୋଇଥାନ୍ତି ।


ସଞ୍ଜୟ କୁମାର ପଣ୍ଡା : 

୧ - ଆମକୁ କୌଣସି ନିର୍ଦ୍ଦିଷ୍ଟ ଶୈଳୀର କବିତା (ଯଥା ଛନ୍ଦଯୁକ୍ତ ବା ଛନ୍ଦହୀନ) ଭଲ ଲାଗିପାରେ । କିନ୍ତୁ ଉଭୟଙ୍କ ମୂଲ୍ୟ ସମାନ କାଳାନୁଯାୟୀ । ହଁ ଏହା କୁହାଯାଇପାରେ ଯେ, ତାହା ରୁପରେ ଛନ୍ଦଯୁକ୍ତ ନହେଲେ ବି ଭାବରେ ଏକ ଛନ୍ଦ ସୃଷ୍ଟି କରିପାରୁଥିବ ।


ପ୍ରମୋଦ କୁମାର ପଣ୍ଡା : 

୧ - କବିତାଟି ଯଦି ହୃଦୟକୁ ଛୁଇଁ ପାରିଲା, ତାର ଯେବେ ଭାବ ଅଛି ତେବେ ଲେଖା ସାର୍ଥକ ହେଲା । ମୁଁ କଲେଜରେ ପଢୁଥିଲା ବେଳେ ଛନ୍ଦହୀନ କବିତା ନୂଆ ନୂଆ ଲେଖା ଚାଲିଥାଏ । ଆମ ଓଡ଼ିଆ ଅଧ୍ୟାପକ ଏସବୁ କଥାକୁ ଲକ୍ଷ୍ୟକରି କହିଥିଲେ, "ଏ ଯେଉଁ ସବୁ ଗଦ୍ୟକବିତା ଲେଖା ଚାଲିଛି, ସମୟ ଆସିବ ଯିଏ ଲେଖିଛି ସିଏ ମଧ୍ୟ ତା କବିତାକୁ ଚିହ୍ନି ପାରିବନି । ତା ନିଜସ୍ୱ କୃତୀର ଅର୍ଥ ମଧ୍ୟ କହିପାରିବନି । ଶବ୍ଦ ଜ୍ଞାନ ନଥିଲେ ଏଇଭଳି ଗଦ୍ୟ କବିତା ଲେଖାଯାଏ" । ତେବେ ଆମେ ସେସବୁ ବିତର୍କରେ ନପଡ଼ି କେବଳ ଦେଖିବା କଥା ଯେ କବିତାର ଭାବ ହୃଦୟକୁ ଛୁଇଁପାରୁଛି ନା ନାହିଁ । ଭାବହୀନ କବିତା, ଯାହା ପାଠକ ହୃଦୟରେ ଜାଗା ଟିକେ ସୃଷ୍ଟି କରିପାରେନା ସେ କି କବିତାରେ ଗଣା ? ତେଣିକି ସେ ଯେତେବଡ଼ କବି ହୁଅନ୍ତୁ ନା କାହିଁକି । ଧନ୍ୟବାଦ, ଜୟ ଜଗନ୍ନାଥ ।

[ଏହି ପ୍ରସଙ୍ଗ ଉପରେ ୱେବସାଇଟ ମାଧ୍ୟମରେ ଆପଣ ନିଜର ମତବ୍ୟକ୍ତ କରିବାକୁ ଚାହୁଁଥିଲେ ନିମ୍ନୋକ୍ତ କମେଣ୍ଟ ବକ୍ସରେ ନିଜର ମତାମତ ରଖନ୍ତୁ] 


3 Comments

  1. ଓଡ଼ିଆ ସାହିତ୍ୟର ସାମଗ୍ରିକ ଆଲୋଚନାରେ ସାମିଲ ହେବା ନିମନ୍ତେ ବଣମଲ୍ଲୀର ମହକ ଆପଣଙ୍କୁ ସ୍ୱାଗତ କରୁଛି । ଆସନ୍ତୁ ଓଡ଼ିଆ ସାହିତ୍ୟକୁ ପଢିବା ଓ ବୁଝିବା ।

    ReplyDelete
  2. ତାମିଲ, ସଂସ୍କୃତ, କନ୍ନଡ, ତେଲୁଗୁ, ମାଲୟଲମ ପରେ ୨୦୧୪ ମସିହାରେ 'ଓଡିଆ' ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ୨୦୦୦ ବର୍ଷ ପୁରୁଣା ଏ ଭାଷା ନିଃସନ୍ଦେହରେ ଉନ୍ନତ ଓ ରୁଦ୍ଧିମନ୍ତ । କିନ୍ତୁ ସମସ୍ତ ସ୍ଵାଭିମାନୀ ଓଡିଆ ଆଜି ଅନୁଚିନ୍ତା କରିବାର ସମୟ ଆସିଛି ।

    ଓଡିଆ ପଦ୍ଯ ସାହିତ୍ୟକୁ 'କଥିତ' ଓ 'ଲିଖିତ' ଦୁଇ ଭାଗରେ ବାଣ୍ଟିଦେଇ ପାରିବା । ଅତୀତରେ ଗାଁ'ଗହଳିରେ କିଛି ଲୋକ ନିଜର ଆନନ୍ଦ, ବିଷାଦ ତଥା ସଚେତନତାର ବାର୍ତ୍ତା ଗୀତ ଆକାରରେ ପ୍ରକାଶ କରୁଥିଲେ, ଯାହା ଢଗଢମାଳି, ଶଗଡିଆ ଗୀତ, ଚଢେଇଆ ଗୀତ, ଦଣ୍ଡନାଚ ଇତ୍ଯାଦି । ଏଗୁଡିକ ଶୁଣିଶୁଣି ମନେ ରହୁଥିଲା, ପୁରୁଷ ପୁରୁଷ ଧରି ମନେଅଛି ମଧ୍ୟ । ମୋ ଗାଁରେ ଏବେବି ଦଣ୍ଡନାଚ(୨୧ ହଳ ପଟେ) ଗୀତ ଗୁଡିକର ଲିଖିତ/ମୂଦ୍ରିତ ସଂସ୍କରଣ ନାହିଁ । ଏଗୁଡିକ ଛନ୍ଦପୂର୍ଣ୍ଣ , ମନଛୁଆଁ ଓ ମନରଖି ମନ ପକାଇଲା ଭଳି ।

    ଲିଖିତ ପଦ୍ଯ ସାହିତ୍ୟ ଚର୍ଯ୍ଯା, ସାରଳା, ପଞ୍ଚସଖା, ରୀତି, ରାଧାନାଥ, ସତ୍ଯବାଦୀ, ପ୍ରଗତି, ସବୁଜ ଯୁଗ ଅତିକ୍ରମ କରି ଅତ୍ଯାଧୁନିକ ଯୁଗରେ ପହଞ୍ଚିଛି । ଏମିତି ତ ଇତିହାସ ପର୍ଯ୍ଯାଲୋଚନା କଲେ ଜଣାଯାଏ, ୧୨ଶ ଶତାବ୍ଦୀରୁ ମୋ ଭାଷା ଆଧୁନିକ ରୂପ ନେଇଛି । 'କୋଇଲି ଲୋ କେଶବ ଯେ . .... ' ଭଳି ରଚନାର ଅୟମାରମ୍ଭ । ୧୪ଶ ଶତାବ୍ଦୀରେ ସାରଳା ଦାସ'ଙ୍କ ଓଡ଼ିଆ 'ମହାଭାରତ' ରଚିତ ହେବାପରେ, ୧୬ଶ ଶତାବ୍ଦୀ ପର୍ଯ୍ୟନ୍ତ ସଂସ୍କୃତ କାବ୍ୟ ଗୁଡିକୁ ଓଡିଆରେ ଅନୁବାଦ କରାଯାଇଥିଲା । ସପ୍ତଦଶ ଶତାବ୍ଦୀରୁ ଉନବିଂଶ ଶତାବ୍ଦୀ ମଧ୍ୟରେ ଓଡିଆ ପଦ୍ଯ/କାବ୍ୟ/କବିତା ଉନ୍ନତିର ଶୀର୍ଷରେ ପହଞ୍ଚିବା ସହିତ ଆଦୄତ ହୋଇଥିଲା । ସେବେଠାରୁ ଏବେ ପର୍ଯ୍ୟନ୍ତ ଓଡିଆ ପଦ୍ଯ ସାହିତ୍ୟରେ ନୂତନ ଧାରା ଆସିଛି, ଭାଷା ପ୍ରଗତି କରିଛି ସତ କିନ୍ତୁ ଆଖିଦୃଶିଆ/ସନ୍ତୋଷଜନକ ଛାପ ଛାଡିପାରିନି ।

    (କଥା/ଛନ୍ଦହୀନ/ତାଳହୀନ/ଅମିତ୍ରାକ୍ଷର)କବିତା ଆମ ସାହିତ୍ଯକୁ ରୁଚିମନ୍ତ/ରୁଦ୍ଧିମନ୍ତ କରିଛି ଏଥିରେ ସନ୍ଦେହ ନାହିଁ । ଅପରପକ୍ଷେ ମୁଁ ନିଜେ ଏପରି କବିତା ପ୍ରାୟ ମନେରଖିପାରିନି, କି କେବେ ଗୁଣୁଗୁଣୁ ହେଇନି । ଯଦି ବା କେବେ ମନେପଡେ/ଗୁଣୁଗୁଣାଏ ତାହା ଛନ୍ଦ/ତାଳଯୁକ୍ତ ।

    ପଦ୍ଯ ଯେପରି ବି ହେଉ, ସମାଜର ହିତ ପାଇଁ ହେଉ ।

    ReplyDelete
  3. କବିତା ଛନ୍ଦଯୁକ୍ତ ହେଉ କି ଛନ୍ଦମୁକ୍ତ ହେଉ କବିତାଟି ହୃଦୟକୁ ଛୁଇଁପାରୁଥିବା ଏବଂ ସମାଜକୁ କିଛି ବାର୍ତା ଦେଉଥିବା ଦରକାର

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।