ବାଜେକଥା - ସଲିଳ କୁମାର ସ୍ୱାଇଁ

ବାଜେକଥା - ସଲିଳ କୁମାର ସ୍ୱାଇଁ

ସତୁରୀ/ଅଶୀ ଦଶକରେ ଆମ ଗାଁରେ ଚାହାଳି(ଚାଟଶାଳୀ) ଥିଲା ।କୁନାକୁନି ମୁନାମୁନି ପୁରୁଣା ପେଣ୍ଟକନାରେ ତିଆରି ବ୍ଯାଗରେ ମାଟି ତିଆରି ସିଲଟ,ହାଡଖଡି/ମୁଣ୍ଡାଖଡି/ବଳିତାଖଡି,ବିଲେଇ ବହି ସହ ଚାହାଳି ଯାଉଥିଲେ । ସିଲଟ ସଫା କରିବାକୁ ଇଞ୍ଜେକସନ ଶିଶିରେ ପାଣିନେବା ନିତିଦିନିଆ ଅଭ୍ୟାସ ଥିଲା । ଦି ଓଳି ଚାହାଳି । ସକାଳେ ଓ ଉପରବେଳା । ଯେଉଁମାନେ ଇସ୍କୁଲ ଯାଉଥିଲେ , ସେମାନେ ପ୍ରାୟ ଉପରବେଳା ଚାହାଳି ଯାଉନଥିଲେ । ଏଡେବଡ ଗାଁ'ଟାରେ ତିନିଚାରିଜଣ ଅବଧାନ ଥିଲେ । ଗାଁର ଭଗତଘରେ/କୋଠଘରେ ଚାହାଳି ଚାଲୁଥିଲା । ଗୋପାଳ ସାରେ , କିଶୋର ସାରେ ଆରପାରିରେ । ସୁର ସାରେ ଅଛନ୍ତି ହେଲେ ଚାହାଳି ଆଉ ନାଇଁ । ଚାହାଳି ଯିବାରେ ଆଗ୍ରହ ଥିଲା, ଥିଲା ଅବଧାନଙ୍କ ପ୍ରତି ଯଥେଷ୍ଟ ଭୟମିଶା ସମ୍ମାନ । ଅଭିଭାବକ ମାନେ ଅବଧାନଙ୍କୁ ଯଥେଷ୍ଟ ସମ୍ମାନ ଦଉଥିଲେ ମଧ୍ୟ । ଗାଁର ଅଧିକାଂଶ ଥିଲେ ଚାଷୀ । ପିଲାଙ୍କ ପଢା ବାବଦକୁ ଚାଷୀ ଦଉଥିଲା ଧାନ, ଅନ୍ୟ ବୄତ୍ତିର ଲୋକେ ଦଉଥିଲେ ଦି'ଚାରି ଟଙ୍କା । ଟିଉସନ କଣ ଆମେ ଜାଣି ନଥିଲୁ,ଏପରିକି ହାଇସ୍କୁଲ ଶେଷ ପର୍ଯ୍ୟନ୍ତ ।

  ଏବେ ପିଲା ପେଟରେ ଥିଲାବେଳୁ ବୋପାମା କୋଉଠି ପଢେଇବେ, କାହାପାଖକୁ ଟୁଉସନ ଛାଡିବେ ଚିନ୍ତା କରୁଛନ୍ତି । ସେବେ ମୋ ଗାଁରେ ଯେତେଟା ଚାହାଳି ନଥିଲା, ଏବେ ଗାଁର ପ୍ରତି ସାଇରେ ତାଠାରୁ ଅଧିକ ଟ୍ଯୁସନ ସାରେ ଆଉ ଦିଦି ।  ଆମେ ସେତେବେଳେ ଜନ୍ମଦାତ୍ରୀକୁ ବୋଉ ଡାକୁଥିଲୁ, ଶହକେ ଜଣେଅଧେ ମାମା । ଅବିକା ସବୁ ମମ୍ମି । ନିଜପିଲାକୁ ଇଂରାଜୀମାଧ୍ୟମ(?) ବିଦ୍ୟାଳୟରେ ପଢାଇବା ପାଇଁ ରୀତିମତ କସରତ । କଣ୍ଠରେ ଟୁଇଙ୍କିଲ ଟୁଇଙ୍କିଲ ରାଇମ, ଗଳାରେ ଆଇକାର୍ଡ ଟାଇ ସହ ଟା'ଟା' ହାଏ ବାଇ ।

  ସଂପୂର୍ଣ୍ଣ ବେପାର ପାଲଟିଗଲାଣି ଶିକ୍ଷା । ଶିଶୁମନ୍ଦିର'ର ଗୁରୁଜୀ ଗୁରୁମା ନାମଲେଖା ଋତୁରେ ପିଲା ସଂଗ୍ରହ ପାଇଁ ସାଇସାଇ ବୁଲୁଛନ୍ତି । ନବମ ଶ୍ରେଣୀରେ ପାଦ ଦଉଦଉ ଘରୋଇ +୨/ଡିପ୍ଲୋମା କଲେଜ ଏଜେଣ୍ଟ ମାନେ ଅନବରତ ଯୋଗାଯୋଗ କରୁଛନ୍ତି । ଛତୁଫୁଟିଲା ଭଳି କୋଚିଙ୍ଗ ସେଣ୍ଟର/ଆବାସିକ +୨ କଲେଜ/ଇଞ୍ଜିନିୟରିଂ କଲେଜ ଏଠି ସେଠି ସବୁଠି । ନଉତିଏ ଧାନ ଦି'ଚାରିଟା ଟଙ୍କା ବଦଳରେ ମିଳୁଥିବା ଶିକ୍ଷା ଏବେକାର ସବୁଠାରୁ ହଟ୍ ବିଜିନେସ ।

   

0 Comments