କ୍ଷୁଦ୍ରଗଳ୍ପ - ଅଶାନ୍ତ ନେଇଗଲା ସୁଶାନ୍ତ ଖୁସି - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଅଶାନ୍ତ ନେଇଗଲା ସୁଶାନ୍ତ ଖୁସି - ନାରାୟଣ ଚନ୍ଦ୍ର ସେନାପତି

ସେଦିନ କାହିଁକି କେଜାଣି ସୁଶାନ୍ତର ଶୁଖିଲା ମନଟା ଖାଁ ଖାଁ ଲାଗୁଥାଏ।ସକାଳ ସୁରୁଜର କଅଁଳ କିରଣ ବଗିଚାର ଆମ୍ବଗଛ ଉଢାଳରୁ ଖାଇଦେଇ ସିଧା ବେଡ଼ ରୁମକୁ ଚାଲି ଆସିଲା।ନିତିଦିନିଆ ଆନନ୍ଦର ଚିରସହଚର ସାମସଙ୍ଗ ସ୍ମାର୍ଟ ଫୋନଟାକୁ ଅନ କଲା।ହଠାତ୍ ଆଖିରେ ପଡ଼ିଲା ଏକ ଫ୍ରେଣ୍ଡ ରିକୁୱେଷ୍ଟ ସଜେସନ।ନାଁ ଥିଲା ଅଶାନ୍ତ କୁମାର।ବାରମ୍ବାର ସୂକ୍ଷ୍ମ ନିରୀକ୍ଷଣ ଯେତେ କଲେ ବି ଲାଗୁଥିଲା ଅଚିହ୍ନା ଅଚିହ୍ନା।ଭାବିଲା ହୁଏତ କିଏ ତାକୁ ଜାଣିଥିବ।କିଛି ନ ଭାବି ପ୍ରେସ କରି ରିକୁୱେଷ୍ଟ ଆସେପ୍ଟ କରିଦେଲା ଏବଂ ଅଶାନ୍ତଙ୍କର ଆଇଡିରେ ମ୍ୟୁଚୁଆଲ ଫ୍ରେଣ୍ଡ ସର୍ଚ୍ଚ କଲା।ଏଭଳି ଏକ ଫଟୋଚିତ୍ର ଦେଖି କୌତୁହଳର ଦରଦୀ ହୃଦୟାଟା ଅବାକ୍ ହୋଇଗଲା।ତା ଅନ୍ତରର ଖୁସିଟା ଦୁଃଖରେ ଭିଜିଗଲା... ଅଶାନ୍ତ ସହ ତା ଆପଣାର ଖୁସିକୁ ଦେଖି।

ଆଖିରୁ ଥପ ଥପ ଲୁହ ଦୁଇ ଧାରକୁ ସେ ଅଟକାଇପାରିଲା ନାହିଁ।ହେଲେ ଅତୀତର ଅଭୁଲା ସ୍ମୃତି ପାଖୁଡ଼ାରୁ ପରସ୍ତେ ଖୋଲି ଦେଖିଲା ଶୁଭିଲା ତା ଖୁସିର କଥା ପଦକ,ଏ....କାନ୍ଦିବା ତ ଦୂରର କଥା ମୋ ପାଖରେ କେବେ  ମନ ଦୁଃଖ ବି କରିବ ନାହିଁ ।ତରବରରେ ଇତସ୍ତତଃ ହୋଇ ଶୁଖା ରୁମାଲରେ ପୋଛି ପକାଇଲା ତା ଆଖିରୁ ଲୁହ କେଇ ବୁନ୍ଦା।କାହିଁକି ପୋଛିବ ନାହିଁ ଯେ,ସେ ପରା ତା ଆଖି ସାମନାରେ ଫଟୋରେ ବରଂ ହେଉ ଅଛି।ଅଜାଣତରେ  ମୁଣ୍ଡରେ ହାତ ଦିଆ ପ୍ରତିବିମ୍ବଟା ଡ୍ରେସିଂ ଟେବୁଲ ମିରରରେ ଦେଖି ପୁଣି ମନେ ପଡ଼ିଲା ତାର ଅନ୍ୟ ଏକ ସୃତି ପାଖୁଡା,ସେଦିନ ଜନୈକ ସମ୍ପର୍କୀୟଙ୍କ ଅସାଧ୍ୟ ରୋଗରେ ଅସୁସ୍ଥତା ଯୋଗୁଁ ସେ ମୁଣ୍ଡରେ ହାତ ଦେଇ ବସିଥାଏ,ଖୁସି ଆସି ଚଟକିନା ହାତ ଖୋଲି କହିଲା,ମୁଁ ଥାଉଁ ଥାଉଁ ମୁଣ୍ଡରେ କେବେ ହାତ ଦେଇ ବସିବ ନାହିଁ।ଯେତେ ଦୁଃଖ କି ବିପଦ ଆସୁ,କେବେ ଅଧୈର୍ଯ୍ୟ ହେବନାହିଁ।ବିଦ୍ୱାନ ଲୋକ କଣ ସାମୟିକ ଦୁଃଖରେ ମ୍ରିୟମାଣ ହୁଅନ୍ତି !ତତ୍ କ୍ଷଣାତ ମୁଣ୍ଡରୁ ହାତ ସିନା ଖୋଲିଦେଲା ହେଲେ ସେ ମୁହୂର୍ତ୍ତମାନ ତା ହୃଦୟର କୋହକୁ ବନ୍ୟାର ସ୍ରୋତ ଠେଲିଲା ପରି ଠେଲୁଥାଏ।ଫଟୋରେ ଅଶାନ୍ତ ସହ ଖୁସିର ପାଖାପାଖି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଦେଖି ଗୋଟିଏ ଝିଅର ବିଶ୍ୱାସର ଆଶ୍ୱାସନାକୁ ସେ ଧିକ୍କାର କଲା।ସେଦିନ ସାଆଁଳା ଯାତ୍ରାରେ ଖୁସି ଜନୈକ ସହପାଠୀ ସହ ବହୁତ ସମୟ କଥାବାର୍ତ୍ତା ହେଉଥାଏ।ସୁଶାନ୍ତ ଏସବୁ ଦେଖି ବରଦାସ୍ତ କରିପାରୁ ନ ଥିଲା।ଶୁଖିଲା ମନକୁ ନିଜ ଅନ୍ତରରେ ଅନ୍ତରରୁ ପଢି ଖୁସି ଜାଣିପାରିଥିଲା ଯେ ତାଙ୍କୁ ଏସବୁ ଭଲ ଲାଗୁନାହିଁ।ନଦୀବାଲିରେ ବସି ସେ କହିଲା,ମୁଁ ମୋ ସାଙ୍ଗ ସହ କଥା ହେଲିବୋଲି ମାଇଣ୍ଡ କଲନା।ଠିକ ଅଛି ଆଜିଠୁ ତୁମ ଛଡା ଅନ୍ୟ କେଉଁ ପୁରୁଷର ଅତି ନିକଟରେ ମୋତେ କେବେବି ଦେଖିବ ନାହିଁ।ହେଲେ ସେସବୁକୁ ସେ ଏତେ ଶୀଘ୍ର ଭୁଲିଗଲା କିପରି?ହଁ କାହିଁକି ବା ନହେବ।ଏ ଦୁନିଆଁ ଟା ପରିବର୍ତ୍ତନ ଶୀଳ।ଅତ୍ୟାଧୁନିକ ସମାଜରେ ଅସମ୍ଭବ ବା କେଉଁଠି କାହିଁକି ଲୁଚିବ ଯେ?
     
ଦୀର୍ଘଶ୍ଵାସଟାଏ ପକାଇଲା,କହିଲା...ଏଇନା ମୋ ଖୁସି ଯିଏ ସେଦିନ ମା ବିରଜାଙ୍କ ମନ୍ଦିର ପାହାଚରେ ବସି କହିଥିଲା ସତରେ ତୁମେ ମୋତେ ଭୁଲି ଯିବନି ତ?ସେ କହିଥିଲା, ମୋ ପାଖରେ ଏ ଶବ୍ଦର ସନ୍ଧାନ ତ ଅସମ୍ଭବ...ହେଲେ ତୁମ ଝିଅ ମାନଙ୍କ ପାଖରେ ନ ଭୁଲିବା କଣ ସମ୍ଭବ?ଖୁସି ସେଦିନ ମୁହଁ ଫୁଲେଇ ଘଣ୍ଟେ କିଛି କହିଲା ନାହିଁ।ସେ ବହୁତ ଚେଷ୍ଟା କରି କେତେ ଯେ ବୁଝାଇଲା।ଖୁସି କହିଲା,ତୁମେ ଏପରି କହିପାରିଲ କିପରି ଯେ?ତୁମେ କଣ ମୋତେ ଏତେ ଦିନର ମିଳାମିଶା ପରେ ବି ଚିହ୍ନିପାରିଲନି!ତୁମ ବିନା କଁ'ଣ ଜୀଇଁବା ମୋ ପାଖରେ ସମ୍ଭବ?ହେଲେ ଏତେ ସହଜରେ ଏ ମହାପୁରୁଷଙ୍କ ଉକ୍ତି ପରି ପ୍ରେମବୋଲା ବାଣୀ ପ୍ରତାରଣାର ଆଗ ଦରଜାକୁ ସହଜରେ କେମିତି ଖୋଲି ଦେଲା ତାହା ତା ବିଶ୍ୱାସକୁ ଶକ୍ତ ଚାପୁଡାଟିଏ ଦେଲା।
   
ଅଣ୍ଟିରେ ପୁରାଇଥିବା ସ୍ମୃତି ଫରୁଆକୁ ଧୀରେ ଧୀରେ ଖୋଲିଲା।କାଲିପରି ଲାଗୁଛି,ସେ ସେଇବର୍ଷ ବି  ଇଂଜିନିୟରିଂ ସାରି ଗୋଟିଏ କମ୍ପାନୀରେ ପୋଷ୍ଟିଂ ହୋଇଥାଏ।ନୂଆ ଚାକିରୀ,ଉପଭୋଗ ବି କରୁଥାଏ ଚାକିରୀ ଜୀବନର ଅସଲ ସ୍ୱାଦକୁ।ସୁନ୍ଦର ସରଳ ନିଷ୍କପଟ ହୃଦୟୀ ମଣିଷଟେ ସିଏ।ବାପା,ମାଆ ତା ହୃଦୟର ଜୀବନ୍ତ ଦେବତା।ଅନ୍ତରରୁ ଅଜସ୍ର ଭକ୍ତି ପୁଷ୍ପାଞ୍ଜଳି ଦେବାରୁ ସେ ବଞ୍ଚିତ କରୁ ନ ଥାଏ।ଭାଇ ଭଉଣୀ ତାର ହ୍ରତ ସ୍ପନ୍ଦନ।ତାଙ୍କର ଉନ୍ନତି ପାଇଁ ସେ ପ୍ରାଣ ଲଗେଇଦେଉଥାଏ।ସେମାନଙ୍କର ସଫଳତା ତାକୁ ଦେଉଥାଏ ଅମାପ ମାନସିକ ଶକ୍ତି।ହେଲେ ଜନୈକ ସମ୍ପର୍କୀୟଙ୍କ ଅସୁସ୍ଥତା ତା କୋମଳ ମନକୁ ଅସ୍ତ ବ୍ୟସ୍ତ କରି ଦେଉଥାଏ।ତଥାପି ଧୈର୍ଯ୍ୟର ପାହାଡ଼ ଉପରେ ବସି ସେ ଆଙ୍କୁଥାଏ ଭବିଷ୍ୟ ଉନ୍ନତିର ନକ୍ସା। 
  
ସୁଶାନ୍ତର ଜଣେ ଅନ୍ତରଙ୍ଗ ବନ୍ଧୁ ଥାଆନ୍ତି ପିଣ୍ଟୁ।ବିବାହ ବୟସ ହେବାରୁ ତାଙ୍କର ବିବାହ ସ୍ଥିର ହେଲା।ପିଣ୍ଟୁର ବାରମ୍ବାର ଅନୁରୋଧ ଓ ବାଧ୍ୟକୁ କେମିତି ବା ପ୍ରତ୍ୟାଖ୍ୟାନ କରିଥାନ୍ତା ସେ?ମଜାଖୁସିରେ ସାଥୀମାନେ ଚାଲିଲେ ପିଣ୍ଟୁର ବରାଯାତ୍ରୀରେ।ବିବିଧା ନୃତ୍ୟରେ ମସଗୁଲ ହୋଇ ସାଥୀଙ୍କୁ ଅର୍ପଣ କରିଥାନ୍ତି କେତେ ଯେ ଆନନ୍ଦ!ହେଲେ ବିଧାତାଙ୍କର ଅପୂର୍ବ ସଙ୍ଗମ।ପିଣ୍ଟୁକୁ ବିବାହ କରୁଥିବା ପ୍ରୀତିର ସାନ ଭଉଣୀଟିଏ ଥିଲା,ସେ ହେଉଛି ଖୁସି।ରୂପରେ ସାକ୍ଷାତ ଅପ୍ସରୀ।ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ସେ।ଭିଣୋଇଙ୍କ ସହ ମଜାଖୁସି କରୁକରୁ ତାଙ୍କ ସାଥୀମାନଙ୍କ ସହ ଗେହ୍ଲ ଥଟ୍ଟା ବି ହେବାକୁ ଭୁଲି ନଥାଏ।ସୁଶାନ୍ତର ମନ ଏ ଖୁସିକୁ ଦେଖି ଲାଖିଗଲା।ଦୁହେଁ ଦୁହିଁଙ୍କୁ ଦେଖି ଏପରି ଆକର୍ଷିତ ହେଲେ ଯେ ଭାବିଲେ ଯେମିତି ଦୁହେଁ ଦୁହିଁଙ୍କ ପାଇଁ ଗଢା।ବାହାଘର ସରିଗଲା।ସମସ୍ତେ ନିଜ ନିଜ ସ୍ଥାନକୁ ସିନା ଚାଲିଗଲେ,ହେଲେ ସୁଶାନ୍ତ ଓ ଖୁସି ଉଭୟଙ୍କ ଶରୀର ନିଜ ସ୍ଥାନରେ ଥିଲେବି ମନ କିନ୍ତୁ ଜଣଙ୍କର ଅନ୍ୟ ଜଣଙ୍କ ପାଖରେ ଥିଲା।
   
ସୁଶାନ୍ତ ମନେ ମନେ ଭାବୁଥାଏ ପିଣ୍ଟୁ ଡାକନ୍ତାକି ତା ଶ୍ବଶୁର ଘରକୁ ଯିବାକୁ।କଥାରେ ପରା ଅଛି ରୋଗୀ ଖୋଜୁଥିଲା ଯାହା,ବଇଦ ବତାଇଲା ତାହା।ସୁଶାନ୍ତ ପିଣ୍ଟୁ ଡାକିଲା ସୁଶାନ୍ତ କୁ ଯିବାପାଇଁ ତା ଶ୍ୱଶୁର ଘର।ସୁଶାନ୍ତର ମନ କୁଣ୍ଢେମୋଟ, ମାତ୍ର ଉପର ମନରେ କହୁଥାଏ ମୋର କାମ ଅଛି,ମୁଁ ନ ଗଲେ କଣ ହୁଅନ୍ତା ନାହିଁ ପିଣ୍ଟୁ।ପିଣ୍ଟୁ ବି ବାଧ୍ୟ କଲା।ଦୁହେଁ ଚାଲିଲେ କାରରେ।ତାଙ୍କ ସହ ବି ପ୍ରୀତି।ସୁଶାନ୍ତର ମନ କିନ୍ତୁ ଥାଏ ଖୁସି ପାଖରେ।କେମିତି ଦେଖିବି ଓ ଦି ପଦ କଥାହେବ।ଯାହେଉ କୌତୁହଳର ବାଆ ରେ ପହଁଚିଲା ସାଥି ସଂଗେ ଖୁସି ଘରେ।ଖୁସି ବି ସୁଶାନ୍ତକୁ ଦେଖି ସ୍ୱର୍ଗଟା ହାତ ମୁଠାରେ ପାଇଲା ପରି ଲାଗୁଥାଏ।ଦୁଇ ଦିନ ରହଣୀରେ ସୁଶାନ୍ତ ପ୍ରତ୍ୟେକ ମୁହୂର୍ତ୍ତ ଖୋଜୁଥାଏ ଖୁସିର ଉପସ୍ଥିତିକୁ।ଅନେକ ଆନନ୍ଦର ମୁହୂର୍ତ୍ତ ବି ସେ ପାଇ ଭାବ ବିନିମୟ କରି ଆନନ୍ଦ ବିଭୋର ହେଲା।ସବୁଠୁ ଦୁଃଖର ମୁହୂର୍ତ୍ତ ପହଁଚିଲା ଯେବେ ସେ ଖୁସି ଘରୁ ବିଦାୟ ନେଲା।କି ଦୁଃଖଦ ବିଦାୟ ମୁହୂର୍ତ୍ତ।ଯିଏ ଦେଖିବ ସେ ଅନୁଭବ କରିବ ପ୍ରେମୀ ଯୁଗଲଙ୍କ ବିଛେଦର ଦୁଃଖଦ ମୁହୂର୍ତ୍ତ।
  
ସୁଶାନ୍ତ ପରୋକ୍ଷ ରେ ଖୁସି କଥା ପଚାରୁ ପଚାରୁ ଧାରା ପଡିଯାଇଥିଲା ପିଣ୍ଟୁ ପାଖରେ।ପିଣ୍ଟୁ ବି ବହୁତ ଖୁସି ହେଲା।ମଝିରେ ମଝିରେ ସୁଶାନ୍ତକୁ ବିଭିନ୍ନ ସମୟରେ ନେଇଯାଏ ଖୁସି ଘରକୁ ଓ ଆବଶ୍ୟକ ହେଲେ ଏକୁଟିଆ ପଠାଏ ତାଙ୍କ ଘରକୁ।ଏଇମିତି ଦେଖା ସାକ୍ଷାତ ଓ ମିଳାମିଶାରେ ସମ୍ପର୍କ ବଢିଚାଲିଲା। ମକର ସମୟରେ ଖୁସି ଆସିଥାଏ ପ୍ରୀତି ଘରକୁ ।ସାଥିହୋଇ ସମସ୍ତେ ବୁଲୁଥାନ୍ତି ସାଆଁଳାଶୁଣି ମକର ଯାତ୍ରାରେ।ହେଲେ ଖୁସି ଓ ସୁଶାନ୍ତଙ୍କ ମନ ଜଣଙ୍କର ଅନ୍ୟ ଜଣଙ୍କ ପାଖରେ।ମଝିରେ ମଝିରେ ଦୁହେଁ ଦୁହିଁଙ୍କର ପାଖାପାଖି ହୋଇ କିଛି ଗପୁଥାନ୍ତି।ଭିଡ଼ ଭିତରେ ପ୍ରୀତି ଓ ପିଣ୍ଟୁ ଜିନିଷ କିଣୁ କିଣୁ ସେ ଦୁହେଁ ବାଲିରେ ବସି କେତେ କଥା ଗପୁଥାନ୍ତି।ମାନ ଅଭିମାନର ଖରା ଛାଇ ଲୁଚକାଳି ଖେଳ ପରି ମଜାରେ ଉପଭୋଗ କରୁଥାନ୍ତି ଅପୂର୍ବ ଆନନ୍ଦର ଜୁଆର।ଆଉ ଦୁହେଁ ଚାହୁଁଥାନ୍ତି ଜଣେ ଅନ୍ୟକୁ କହିବାକୁ,ସେଇ ଗୋଟିଏ ମଧୁର ପଦ,ମୁଁ ତୁମକୁ ଭଲପାଏ ବୋଲି।ସୁଶାନ୍ତ ବାସ୍ତବରେ ଖୁସିଠାରୁ ବୟସରେ ବହୁତ ବଡ଼,କେମିତି ସେ କହିବ?ଖୁସି ତାକୁ ଭଲ ପାଉଛି ତ?ଏପଟେ ଖୁସି ବୟସରେ ବହୁତ ସାନ,ସେ କେମିତି ସାହସ କରିବ ଯେ କହିବାକୁ ଏତେ ବଡ଼ କଥା? ଯାହେଉ ଦୁହେଁ ଆଗରୁ ଲେଖି ଆଣିଥିବା ଲେଖା ଦୁଇଟିକୁ ବଢ଼ାଇଦେଇ ଘରେ ଏକୁଟିଆ ଦେଖିବାକୁ କହିଲେ।ସମସ୍ତେ ଯାତ୍ରାରୁ ଫେରିଲେ,ହେଲେ ଖୁସି ଓ ସୁଶାନ୍ତର ଉତ୍ସୁକ ମନ ଥାଏ ସେ ଚିଠି ଉପରେ।ସୁଯୋଗ ଦେଖି ଦୁହେଁ ଦୁହିଙ୍କ ଲେଖା ପଢିଲେ ଯେଉଁଥିରେ ଲେଖାଥିଲା,ଆଇ ଲଭ ୟୁ।ସତେ ଯେମିତି ଦୁହିଙ୍କ ଭାଗ୍ୟ ଆକାଶରେ ପୁନେଇଁ ଜହ୍ନ ଉଇଁଗଲା କିବା ସରଗର ନନ୍ଦନକାନନରେ ସୁବାସିତ ପାରିଜାତ ଫୁଟିଲା।ରାତି ଦିନ,ଏମିତିକି କେଉଁ ମୁହୂର୍ତ୍ତ ନାହିଁ ଯେଉଁ ମୁହୂର୍ତ୍ତରେ ସେମାନେ ପରସ୍ପରକୁ ମନେ ନ ପକାଉଥିଲେ।

ଦିନକର କଥା,ଦୁହେଁ ଏକାଠି ହେଲେ ମା ବିରଜାଙ୍କ ପୀଠରେ।କଥାବାର୍ତ୍ତା ପରସ୍ପର ମା ବିରଜାଙ୍କୁ ଚାହିଁ ଶପଥ କଲେ କୌଣସି ପରିସ୍ଥିତିରେ କେହି କାହାଠୁ ଅଲଗା ନ ହେବା ପାଇଁ। ପିଣ୍ଟୁ ଚାହିଁଲା ଏ ସମ୍ପର୍କକୁ ବିବାହ ବନ୍ଧନରେ ସୁଦୃଢ଼ କରିବାକୁ।ଖୁସି ପରିବାର ଲୋକେ ଶୁଣି ପ୍ରଥମେ ଅମଙ୍ଗ ହେଲେ ହେଲେ ସୁଶାନ୍ତର ସୁଗୁଣ ମୂଲ୍ୟାୟନ କରି ତାଙ୍କ ଘରକୁ ଯାଇ ସବୁ କିଛି ପରଖିବାପାଇଁ ଇଛପ୍ରକାଶ କଲେ।ସୁଶାନ୍ତ ଅତ୍ୟନ୍ତ ଧନୀ ନ ଥିଲେ ବି ନିଜ ପରିବାରପାଇଁ ଅଶେଷ ତ୍ୟାଗ କରି ନିଜ ପାଇଁ କିଛି କରି ପାରି ନଥିଲା।ରକ୍ଷଣଶୀଳ ଓ କ୍ଷଣିକ ଅହଂକୁ ଗୁରୁ ଆସନରେ ଉପବେଶନ କରାଉଥିବା ଖୁସି ପିତା,ମାତା ଓ ଭାଇମାନେ ସମୂର୍ଣ୍ଣ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଓ ଆକଟ କଲେ।ଦୁଇ ପ୍ରେମୀଯୁଗଳଙ୍କ ପ୍ରେମ ଆକାଶରେ ଅମାନ୍ଧକାର ଦେଖାଗଲା।କେହି କାହାକୁ ଦେଖା ବି କରିପାରିଲେ ନାହିଁ।ଖୁସିର ଖୁସି ଆଖିର ଲୁହରେ ଭରିଗଲା।ସୁଶାନ୍ତଟା କିଂକାର୍ତ୍ତବ୍ୟବିମୁଢ ହୋଇ ହତାଶାର ନିଆଁରେ ଆଉଟୁ ପାଉଟୁ ହେଲା।ସାଥୀମାନେ ଏସବୁ ଶୁଣି ବହୁତ ପରାମର୍ଶ ଦେଲେ।କିଏ କହିଲା ତାକୁ ନେଇ ପଳାଅ।କିଏ କହିଲା ତା ବାପା ମାଆକୁ ସିଧାସଳଖ ପଚାର କାହିଁକି ଅରାଜି ହେଉଛନ୍ତି।ସୁଶାନ୍ତ ଅନ୍ତର୍ଦଶନ କଲା ସେ କଣ ଅସାମାଜିକ,ଅସଭ୍ୟ?ମାନ ସମ୍ମାନ ମର୍ଯ୍ୟାଦାକୁ କଣ ତଳେ ପକାଇଦେଵ? ଯଦି ସେ ନେଇ ପଳାଏ, ତା ଭାଇ ଭଉଣୀମାନେ ତାକୁ କଣ ସମ୍ମାନ ଦେବେ,ସେ ସେମାନଙ୍କ ଆଗରେ ମୁଣ୍ଡ ଟେକି ପାରିବ ତ?ମୁଣ୍ଡ କାନ ଆଉଁସି ଦୁଃଖର ଜୋର ଜବରଦସ୍ତ ନିଜ କର୍ମସଂସ୍ଥାନରେ ନିଜ କର୍ମରେ ନିୟୋଜିତ କଲା।
  
ସେଦିନ ଜାନୟାରୀ ମାସ ଷୋହଳ ତାରିଖ।ମକର ମେଳା ଚାଲିଥାଏ।ସାଆଁଳା ଯାତ୍ରାରେ ନିରସ ବୁଲାସାରି ଘରେ ଦୀର୍ଘଶ୍ଵାସଟାଏ ପକାଇ ବସିଲା।ହଠାତ ମୋବାଇଲଟା ରିଂ ହେଲା।ଦେଖିଲା ଲେଖାଅଛି ପିଣ୍ଟୁ।ମନରେ ଅମାପ କୌତୁହଳ ପୁଣି କଅଁଳିଲା।ଭାବିଲା ଖୁସି ଘର ଲୋକ ପ୍ରାୟ ରାଜିହୋଇଗଲେ, ସାଙ୍ଗ ମୋର ଜଣାଇବାକୁ କଲ କରିଛି।ହଁ ପିଣ୍ଟୁ କହ ର ଉତ୍ତର ଯାହା ଶୁଣିଲା ତା ହୃଦୟର ଆଶାଗଛଟା ସତେ ଯେମିତି ଜଙ୍ଗଲ ନିଆଁ ଲାଗି ପୋଡି ଯାଇଛି ବୋଲି ହୃଦବୋଧ ହେଲା।ପିଣ୍ଟୁର କଥା ଦି ପଦ "ସବୁ ସରିଗଲାରେ ସାଙ୍ଗ,ଆଜି ଖୁସିର ବାହାଘର"।କଣ କରିବ ସେ,ଘର କବାଟ କିଳି ଧକେଇ ଧକେଇ କାନ୍ଦିଲା।ଅତୀତର ଖୁସି ସହ ତାର ମଧୁର ମୁହୂର୍ତ୍ତମାନ ଧାରାବାହିକ ପରି ଭାସିଗଲା।ସେ ରାତି ଥିଲା ତାର ସ୍ମରଣୀୟ ବିଚ୍ଛେଦ ରାତି।ସତରେ ଖୁସିର ସେ ଶପଥ,ସେ ହୃଦୟ ଦିଆ କଥା କଣ ସ୍ବପ୍ନ ହୋଇଗଲା?ସେ ସତରେ ଭୁଲିଗଲା ନା ପରିସ୍ଥିତି ତାକୁ ବଦଲାଇବାର ଏ ଅଭିନୟ କରିବାକୁ ବାଧ୍ୟ କଲା।ଘରଲୋକ କେତେ ବୁଝେଇଲେ,ବିବାହ କରାଇବାକୁ କେତେ ଯେ ପ୍ରସ୍ତାବ ଦେଲେ,ହେଲେ ସୁଶାନ୍ତ ଆଖିରେ ଥିବା ଖୁସିର ପ୍ରତିବିମ୍ବ ସତେ ଯେମିତି ବାରମ୍ବାର କହୁଥିଲା, ତୁ ପରା ବିଦ୍ୱାନ,ଭଲ କଣ ଅନେକଙ୍କୁ ପାଆନ୍ତି।ଯଦି ଜଣକୁ ଭଲ ପାଇଁ ଅନ୍ୟକୁ ବିବାହ କରାଯାଏ ତେବେ ପ୍ରେମ ଦେହରେ ପରା କଳଙ୍କ ଲାଗିଯିବ,ପ୍ରେମ ଧକେଇ କାନ୍ଦିବ।ସେ କେମିତି ଅବା ରାଜି ହୋଇଥାନ୍ତା?ଦିନରେ ନିଜର କର୍ମ ନିଶା ଓ ରାତିରେ ଅଶ୍ରୁର ବର୍ଷାକୁ ସାଥି କରି କାଟୁଥାଏ ତାର ଅବଶିଷ୍ଟ ଜୀବନ।

  "ଆଜି ଏ ଫଟୋଚିତ୍ର ପୁଣି ଅଶାନ୍ତ ସାଥିରେ" ଏସବୁ ଦେଖି ତା ହୃଦୟ କ୍ଷତ ବିକ୍ଷତ ହେଉ ନଥିଲା,ତା କର୍ଣ୍ଣରେ ସତେ ଯେମିତି ସମୟ ଓ ପରିସ୍ଥିତି କହୁଥିଲା,ବିଚରାଟା କି ଆନନ୍ଦରେ ପହଁରୁଥିଲା, ଏବେ ତା ଅବସ୍ଥା ଦେଖି ଆମକୁ ଦୟା ଲାଗୁଛି।ଦୌଡ଼ି ଚାଲିଗଲା ନଦୀକୂଳକୁ।ସତେ ଯେମିତି ତାକୁ ଶୁଭୁଥିଲା  "ଅଶାନ୍ତ ନେଇଗଲା ସୁଶାନ୍ତ ଖୁସି"।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର👈🏿

0 Comments