ଅନୁଭୂତି କଥା - ଶତ ପତ୍ନୀକ - ସତ୍ୟ ପ୍ରକାଶ ସେଠୀ

ଅନୁଭୂତି କଥା - ଶତ ପତ୍ନୀକ - ସତ୍ୟ ପ୍ରକାଶ ସେଠୀ

ରାୟ ବାହାଦୁର ବୋଲି ଗୋଟେ ଲୋକ ନୀଳଗିରିରେ ରହୁଥାଏ। ସେ ପ୍ରାକ୍ ସ୍ଵାଧୀନତା ଯୁଗର ଲୋକ। ଭାରି ପାଠୁଆ। ବ୍ରିଟିଶ ଅମଳର ପଢ଼ା। ସେ ସାତଟି ଭାଷାରେ ପାରଦର୍ଶିତା ଲାଭ କରିଥିଲେ। ଇଂରାଜୀ କହିବେ ମାନେ ଅନର୍ଗଳ। ସଂସ୍କୃତ ସାହିତ୍ୟରେ ଗଭୀର ପ୍ରବେଶ । ନିର୍ଭୁଲ ଭାବେ ଶ୍ଲୋକ ପଠନ ଓ ଗାନ କରିଥାନ୍ତି। ଓଡ଼ିଆ ସାହିତ୍ୟରେ ମଧ୍ଯ ବିପୁଳ ଜ୍ଞାନ। ପୁଣି ଉର୍ଦ୍ଦୁ, ଜର୍ମାନୀ, ବଙ୍ଗାଳୀ ଭାଷା ସାହିତ୍ୟ ଅଧ୍ୟୟନ କରି ସେ ଭଲ ଅନୁବାଦ ସାହିତ୍ୟ ରଚନା କରି ପାରନ୍ତି। ଜ୍ଞାନ ଓ କୌଶଳ ଅପୂର୍ବ। ରାଜନୀତି ବିଜ୍ଞାନ ହେଉ ବା ଇତିହାସ ସବୁ ତାଙ୍କ ମୁହଁରେ ଫେରେ ଦର୍ଶନ ଶାସ୍ତ୍ର ଭଲ ଆଲୋଚନା କରନ୍ତି।ଆୟୁର୍ବେଦ, ଭେଷଜ ଓ ହୋମିଓପାଥିକ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଜ୍ଞାନ। ଜ୍ଞାନ ଓ ବିଜ୍ଞାନ କ୍ଷେତ୍ରରେ ତାଙ୍କର ପ୍ରବେଶ ଅତୁଳନୀୟ। ପୁରାଣ ତଥା ବିଭିନ୍ନ କାହାଣୀ ଓ ଉପାଖ୍ୟାନ ତ ତାଙ୍କ ମୁହଁରେ। ଲୋକଟାର ଅଗାଧ ଜ୍ଞାନ। ପାଣ୍ଡିତ୍ୟପୂର୍ଣ୍ଣ ବ୍ୟକ୍ତିତ୍ୱ।ଜ୍ଞାନର ସୀମା ନାହିଁ, ଅସୀମ ସାଗର। ଯେ କେହି ଲୋକ ତାଙ୍କ ସହ ମିନିଟିଏ କି ଦି ମିନିଟ୍ ଆଲୋଚନା କରି ବସିଲେ , ସେ ବଳେ ତାଙ୍କ ଜ୍ଞାନର ପରିସୀମା ମାପି ପାରିବେ। ତେଣୁ ସେ ଏକ ବିସ୍ମୟ ଓ ଅସୀମ ତାଙ୍କର ଜ୍ଞାନର ଆକାଶ।


ଏହିଭଳି ଏକ ବ୍ୟକ୍ତି ଚରିତ୍ର ସହ ମୋର ଭେଟଣା ହୋଇଥିଲା ବିଗତ ଦଶ ବର୍ଷ ତଳେ, ଯେତେବେଳେ ସେ ଜୀବିତ ଥିଲେ ଓ ମୁଁ ତାଙ୍କ ପାଖରୁ ବିଶେଷ ବେଉରା ନେଉଥିଲି। ସେ କିନ୍ତୁ ଏବେ ତ ଆଉ ଜୀବିତ ନାହାନ୍ତି, ହେଲେ ତାଙ୍କ କଥାଟା ଆଲୋଚ୍ୟ ବିଷୟ ହୋଇ ରହିଯାଇଛି। ମୁଁ ଏକ କୌତୁହଳବଶତଃ ତାଙ୍କୁ ଭେଟିବାକୁ ଯାଇଥିଲି ଆଉ ତାଙ୍କ ସହ ଯୋଗକୁ ମୋର ସାକ୍ଷାତ୍ ହୋଇ ଯାଇଥିଲା। ଚା ଜଳଖିଆ ଭିତରେ ଆରମ୍ଭ ହୋଇଥିଲା ଗପର ସୁଅ । ରାୟ ବାହାଦୁର ନୀଳଗିରିର ଜଣେ ପ୍ରତିଷ୍ଠିତ ଜମିଦାର ଘରର। ଏତେ ପାଠ ପଢ଼ିଥିଲେ ହେଁ ସେ ଚାକିରୀ କରି ନଥିଲେ। କାରଣ ଜମିଦାରୀ ଓ ନିଜସ୍ୱ ସଂସ୍ଥାକୁ ସମ୍ଭାଳିବାକୁ ତାଙ୍କୁ ବେଳ ହେଉ ନଥିଲା। ଏବେ ଅବଶ୍ୟ ସେ ନିସ୍ଵ। ସମୟର ସୁଅରେ ସବୁ ପରିବର୍ତ୍ତିତ ହୋଇଯାଇଛି।



ଦିନ ଥିଲା ଅୟସ ଆରାମରେ ତାଙ୍କ ଜୀବନ ଅତିବାହିତ ହେଉଥିଲା। ବୟସ ମଧ୍ୟ ଥିଲା ଯେତେବେଳେ ସମସ୍ତେ ତାଙ୍କୁ ଡରୁଥିଲେ। ଏବେ ତ ବୟସ ଅପରାହ୍ଣରେ, ବାର୍ଦ୍ଧକ୍ୟର ଜନ୍ତ୍ରଣା ।ହାତରେ ଜମିଦାରୀ ବି ନାହିଁ। ସ୍ଵାଧୀନ ଭାରତରେ ଅନେକ କିଛି ପରିବର୍ତ୍ତନ ହେବା ସମ୍ଭବ।ବୃଦ୍ଧଙ୍କର ଅତୀତକୁ ଫେରିବା, ସେ ଦୀର୍ଘ ନିଶ୍ଵାସ ପକାଇ ଆରମ୍ଭ କଲେ –



ମୁଁ ଏକ ଧନୀକ ଘରର ପିଲା, ଖୁବ୍ ସୁନ୍ଦର ସୁଠାମ ଠାଣି, ରାଜା ପରି ଚେହେରା। ବପୁବନ୍ତ ଓ ବଳିଷ୍ଠ ଅଙ୍ଗ ସୌଷ୍ଠବ। ସୂର୍ଯ୍ୟସମ କାନ୍ତି, ଗୌର ବର୍ଣ୍ଣ। କଲେଜରେ ପାଠ ପଢୁଥିଲା ବେଳେ ଯିଏ କେହି ଝିଅ ମୋତେ ଦେଖୁଥିଲା ସେ ଲୋଭ କରୁଥିଲା। ବାହା ହେବାକୁ ମଧ୍ୟ ଚାହୁଁଥିଲା। ବାସନ୍ତୀ, ମୀରା କେତକୀ – ଏହିପରି ଅନେକ ସେମାନଙ୍କ ନାଁ। ହେଲେ ମୁଁ ସେମାନଙ୍କୁ ସବୁ ପ୍ରତ୍ୟାଖ୍ୟାନ କରିଦେଉଥିଲି। କାରଣ ମୁଁ ଚାହୁଁଥିଲି ଖାଲି ତାକୁ। ସେ ମୋ ହୃଦୟ ବେଦୀର ରାଣୀ ଓ ମୋ ମନ ରାଇଜର ମୟୂରୀ। ଶୟନେ ସୋପାନେ ଅବା ଜାଗରଣେ ସେ ହିଁ କେବଳ ମୋର ଦୃଷ୍ଟି ଗୋଚର ହୁଏ। ମୋ ମାନସ ଭାଲ ପଟେ ସେ ବରାବର ଉଙ୍କି ମାରେ, ନାଁଟି ତା'ର ଅପସରି। ମୁଁ ଶ୍ରଦ୍ଧାରେ ଯାହାକୁ ଡାକେ ସର। ନାଁଟି ଯେମିତି ତା'ର, ସେମିତି ସେ ସୁନ୍ଦରୀ, ଭାରି ରୂପବତୀ। ଆମେ ଦୁହେଁ ଏକା କଲେଜରେ ପଢୁଥିଲୁ। ସେ ମୋ ସହପାଠିନୀ ନୂହେଁ ସତ, ହେଲେ କଲେଜ ସାଥୀ। ମୋ ତଳ କ୍ଲାସରେ ସେ ପଢୁଥାଏ। ଘଟଣାବଶତଃ ଦୁଇ ଜଣଙ୍କ ଭିତରେ ପ୍ରେମ ଅନୁରାଗ ସୃଷ୍ଟି ହେଲା। ଏହାପରେ ଅନେକ ଭାବ ଆଦାନ ପ୍ରଦାନ, ଚିଠି ଦିଆ ନିଆ ଓ ପରିଶେଷରେ ପ୍ରେମ ଆଉ ଭଲ ପାଇବାର ପ୍ରତିଶ୍ରୁତି ଯାହାର ହୋଇ ପାରି ନଥିଲାଫଳଶୃତି । ଏହି ପ୍ରେମରୁ ବିବାହ ପ୍ରସ୍ଥାବ ଓ ତା'ର ସହମତି। ହେଲେ ପାଠ ସାରି ସେ ଚାକିରୀ କଲା ଓ ଜଣେ ସହକର୍ମୀ ଙ୍କୁ ପ୍ରେମ ଜାଲରେ ଫଶାଇ ଶେଷରେ ସେ ବାହା ହୋଇଗଲା, ଯାହା ଜଳାଇଥିଲା ମୋ ଭିତରେ ପ୍ରତିଶୋଧର ବହ୍ନି। ପରାହତ ହେଲା ମୋର ଦୀର୍ଘ ଦିନର ପ୍ରେମ। ଶେଷରେ ଠକି ଗଲି ମୁଁ ଠକି ଦେଲା ସେ, ଠକି ଗଲା ମୋ ପ୍ରେମ ମୁଁ ପ୍ରତାରଣାର ଶୀକାର ହେଲି।

ସେତେବେଳକୁ ପ୍ରତିଶୋଧର ବହ୍ନି ମୋ ହୃଦୟ ତନ୍ତ୍ରିକୁ ଥରାଇ ଦେଇ ଥାଏ। ପରାଭବର ଗ୍ଲାନି ସୃଷ୍ଟି କରୁଥିଲା ବିପର୍ଯ୍ୟୟ। ଆସନ୍ନ ଝଡ଼ର ସମ୍ଭାବନା ତୋଳୁଥିଲା। ମନରେ ସଂକଳ୍ପ ଆସିଲା ଗୋଟେ ନୂହେଁ ଶହେଟି ଦାର ଗ୍ରହଣ କରିବି। ଆରମ୍ଭ ହେଲା ବିବାହର ପର୍ବ। ଜଣେ ନୂହେଁ ଦୁଇଜଣ ନୂହେଁ ଅନେକଙ୍କୁ ବିବାହ କଲି। ପ୍ରଥମ ପ୍ରଥମେ ଏହା ସୁଗମ ହେଉନଥିଲା। ମୋର ଧନ ଓ ପ୍ରତିପତ୍ତିର ପ୍ରଲୋଭନାରେ ପ୍ରଲୋଭିତ ହୋଇ ଝିଅ ମାନେ ମୋତେ ବିବାହ କରିବା ପାଇଁ ସହମତି ଦେଉଥିଲେ। ହେଲେ ବୟସ ବଢ଼ିଯିବା ସଙ୍ଗେ ସଙ୍ଗେ ଓ ଧନ ସମ୍ପତ୍ତି ତଥା ପ୍ରତିପତ୍ତି କମିଯିବା କାରଣରୁ ମୋତେ ଆଉ କନିଆ ମିଳିବା ସହଜ ହେଲା ନାହିଁ ।ବହୁ କଷ୍ଟରେ ପଟେଇ ପାଟେଇ କାହାକୁ କେମିତି ବାହା ହେଲି, ହେଲେ ବଳ ପ୍ରୟୋଗ କାହା ସହ କେବେ ବିବାହ କରି ନାହିଁ। ହେଲେ ଏବେ ମୋ ପାଖରେ ଆଉ କେହି ରହି ନାହିଁ । ମୋର ଏହି ପାଗଳାମୀ ପାଇଁ ଜଣଙ୍କ ପରେ ଜଣେ ମୋତେ ଛାଡ଼ି ଚାଲି ଯାଇଥିଲେ। ତଥାପି ମୁଁ 91 ପତ୍ନୀଙ୍କ ପାଣି ଗ୍ରହଣ କରିଛି। ଇଚ୍ଛା ଥିଲା ସଂକଳ୍ପ ପୂରଣ କରିବି। ନାରୀମାନଙ୍କ ଉପରେ ପ୍ରଚଣ୍ଡ ପ୍ରତିଶୋଧ ନେବି। ହେଲେ ଏବେ ମୋର ସେ ମୋହ ତୁଟି ଯାଇଛି। ମଣିଷ କାହା ଉପରେ କି ପ୍ରତିଶୋଧ ନେଇ ପାରିବ? ଏ ସିନା ଖାଲି ତା'ର ଭ୍ରମ। କ୍ଷଣିକ ଉତ୍ତେଜନାରେ ଭ୍ରମିତ ହୋଇଗଲି। ସେଦିନର ନିଷ୍ପତ୍ତି ହୁଏତ ଆଜିକା ଦିବସରେ ବିଚାର ବିମର୍ଷ କଲେ ବୋଧେ ଭୁଲ ହୋଇପାରେ। ହେଲେ କ୍ରୋଧ ପରିଣତି ପ୍ରତି ସଚେତନତା ସ୍ରୁଷ୍ଟି କରି ପାରେ ନା। ସେଦିନ ଦୋଷ କରିଥିଲା ସରା। ସେ ତ ହୁଏତ ଖୁସିରେ ତା' ସଂସାର ନେଇ ରହୁଛି। ମୁଁ କଣ ପାଇଲି? ଅନେକ ଝିଅଙ୍କ ଜୀବନ ନଷ୍ଟ କଲି। ଧନ ସମ୍ପତ୍ତି ସମସ୍ତ ଉଡେଇ ଦେଲି। ଶେଷ ବେଳକୁ କେହି ମୋ ପାଖରେ ନାହାନ୍ତି। ଏପରି ମୋ ଘର, ମୋ ଜମି ଜମା ମୋର ହୋଇ ଆଉ ରହି ନାହିଁ। କେତେ କେତେ ସ୍ତ୍ରୀ ପ୍ରଲୋଭନାରେ ସେ ସମସ୍ତ ସେମାନଙ୍କ ନାଁରେ କରି ଦେଇଥିବାରୁ, ତାକୁ ବିକିଭାଙ୍ଗୀ ଖାଇଦେଇ ସେମାନେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେଣି।



ଏବେ ମୁଁ ଆତ୍ମ ନିର୍ଭରଶୀଳ ହୋଇ ରହି ନାହିଁ। ପର ଉପରେ ନିର୍ଭର କରି ଚଳୁଛି। ଏହି ଝୁମ୍ପୁଡି ଘରେ ରହୁଛି, ସେ ପୁଣି ପ୍ରଥମ ପତ୍ନୀର ସାହାରାରେ ।ସେଦିନ ମୋର ସମସ୍ତ ସାହାରା ଗୁଡିକ ଛିଣ୍ଡି ପଡ଼ିବାରୁ ମୁଁ କଷ୍ଟ ପାଉଥିଲି। ମୋର ଧର୍ମ ପତ୍ନୀ (ପ୍ରଥମ ସ୍ତ୍ରୀ) ଯାହାକୁ ସେଦିନ ମୁଁ ଘରୁ ତଡି ଦେଇଥିଲି, ସେ ମୋ କଷ୍ଟ ଦେଖିପାରିଲା ନାହିଁ, ନେଇ ଆସିଲା ତା' ପାଖକୁ। ଏବେ ମୋର ସେବା ଯତ୍ନ କରୁଛି, ଭଲମନ୍ଦ ସବୁ ବୁଝୁଛି। ତା' ମନରେ କିଛି ଆବିଳତା ନାହିଁ, କି ମନରେ ପ୍ରତିଶୋଧର ଭାବନା। ତା'ର କେବଳ ଗୋଟେ ଇଚ୍ଛା ସେ ଅୟୀ ସୁଲକ୍ଷଣୀ ହୋଇ ମରିବ-ମୋ ଆଗରୁ । ତେଣୁ ମୋତେ ଜୀବିତ ରଖିବା ପାଇଁ ସମସ୍ତ ପ୍ରଯତ୍ନ କରୁଛି। କି ଅଦ୍ଭୁତ ଏ ସୃଷ୍ଟି ଲୀଳା, କିଏ କେତେବେଳେ କେଉଁ ମତେ।

ହେଲେ ସେଦିନ ଯଦି ମୁଁ ଏ ଭୁଲ କରି ନଥା'ନ୍ତି, ତାହେଲେ ମୋ ପ୍ରଥମ ପତ୍ନୀ ନନ୍ଦିତା ସହିତ କେତେ ହସଖୁସିରେ ଜୀବନ ସତେ ନ ବିତେଇଥାନ୍ତି? ଆଜି ନା ଶହେ ଦାର ଗ୍ରହଣ କରିବାର ମୋର ଇଚ୍ଛା ଫଳବତୀ ହୋଇପାରିଲା ନା ସୁଖରେ ମୁଁ ସଂସାର କରି ପାରିଲି। ମନରେ ଅସୁମାରି ସ୍ଵପ୍ନ ଭାଙ୍ଗି ଗଲା ପରେ ମୁଁ ଏବେ ନିସ୍ଵ, ବେସାହାରା ମଣିଷ। ହେଲେ ନନ୍ଦିତା, ନନ୍ଦିତା କ'ଣ କାହାର କି ଦୋଷ କରିଥିଲା? ସେ କାହିଁକି କଷ୍ଟ ପାଇଲା? ଆଉ ସରା? ସରା ବି ଶୁଣୁଛି ଆଜି ଦୁର୍ଦ୍ଦଶାର ଶୀକାର। ତା' ସ୍ଵାମୀ କେମିତି ଜାଣି ପାରିଥିଲା ମୋ ତା 'ଭିତରର କଥା। ତେଣୁ ସେ ସରାକୁ ଛାଡ଼ପତ୍ର ଦେଇଦେଲା। ତା'ର ବି ଦୁର୍ଦ୍ଦଶା। ସେ ବି ଶାସ୍ତି ଭୋଗୁଛି। ସରାର ଜୀବନ ଦୁର୍ବିସହରେ ଭରି ଉଠିଛି। ଦିନ ଥିଲା ତା'ର ରୂପ ଯୌବନ ପାଇଁ ତା' ମନରେ ଥିଲା ଭାରି ଗର୍ବ। କେତେ କେତେ ପୁରୁଷଙ୍କର ପ୍ରେମ ନିବେଦନକୁ ସେ ପଲକ ଝପଟରେ ଅଗ୍ରାହ୍ୟ କରିଦେଉଥିଲା। ଆଜି ମୋ ଶତ ପତ୍ନୀକ ବ୍ରତ ଓ ତା' ର ସଙ୍କଳ୍ପ ସାରା ବିଶ୍ୱରେ ପ୍ରଘଟ ହେବାରୁ ବହୁ ମିଡିଆ ବନ୍ଧୁ ଓ ବିଦେଶୀ ପତ୍ରକାର ମୋ ଜୀବନୀ ସଂକ୍ରାନ୍ତୀୟ ଟୀକା ଛାପିଛନ୍ତି। ଫଳରେ ସରା ଜୀବନରେ ସୃଷ୍ଟି ହୋଇଛି ଝଡ଼। ମୋ ଜୀବନର secret of truth ସମ୍ପର୍କରେ ଅବଗତ ହୋଇଛନ୍ତି ସରାର ସ୍ଵାମୀ ଦୀପକ ବାବୁ। ଶେଷରେ ତାକୁ ଛାଡ଼ପତ୍ରର ଦଶା ଭୋଗିବାକୁ ପଡ଼ିଛି। ଅସହ୍ଯ ଜନ୍ତ୍ରଣା ଓ ଅନୁତାପ ନିଆଁରେ ସେ ସେଠି ଜଳୁଛି। ଦୀପକ ବାବୁ ନିଜକୁ ଦଣ୍ଡିତ କରି ଭୋଗୁଛନ୍ତି କଷ୍ଟ। ଆଉ ମୁଁ ଏଠି ଜଳି ଦରପୋଡ଼ା କାଠରେ ପରିଣତ ହୋଇ ସାରିଛି। ଜୀବନର ସମସ୍ତ ଖୁସି ଏବେ ପ୍ରାୟ ବିଲୁପ୍ତ। କେବଳ ଶଙ୍କା ଓ ଆଶଙ୍କାରେ ଜୀବନ ଧାଉଁଛି। ପରିଣାମ ନିଶ୍ଚିତ ପକ୍ଷେ ଭୟଙ୍କର। ପ୍ରତିଜ୍ଞାର କୁପରିଣାମ ଭୋଗିବାକୁ ପଡୁଛି । ତେଣୁ ବୁଝୁଛି କ୍ଷଣିକ ଉତ୍ତେଜନାରେ ବଶବର୍ତ୍ତୀ ହୋଇ ଅପରିଣାମଦର୍ଶୀ ହେଲେ କ'ଣ ଫଳ ଭୋଗିବାକୁ ମିଳେ । ଏ କଥା କହିଲା ବେଳକୁ ବୃଦ୍ଧଙ୍କର ନିଶ୍ଵାସ ରୁଦ୍ଧ ହୋଇ ଆସୁଥାଏ। ପତ୍ନୀ ନନ୍ଦିତା ଶାନ୍ତ୍ୱନାର ବାଣୀ ଶୁଣାଉଥାନ୍ତି 


Writer's Details: ସତ୍ୟ ପ୍ରକାଶ ସେଠୀ, ସା - ରାଣୀପଡ଼ା, ପୋ - ତରାଗେ, ଜି - ଭଦ୍ରକ - 756114
Content Category:
Submission Date: Jul 28, 2019

0 Comments