କ୍ଷୁଦ୍ରଗଳ୍ପ - ଧୋ ରେ ବାଇଆ ଧୋ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଧୋ ରେ ବାଇଆ ଧୋ - ନାରାୟଣ ଚନ୍ଦ୍ର ସେନାପତି

ସେଦିନ ବାପାଙ୍କୁ ହୁଇଲ ଚେୟାର ରେ ବସାଇ ଠେଲି ଠେଲି ପହଂଚିଲା ଅମରେନ୍ଦ୍ର ନିକଟସ୍ଥ ବୃଦ୍ଧାଶ୍ରମର ସମ୍ମୁଖରେ।ଆଖିରୁ ତାର ଝରି ପଡୁଥିଲା କେଇ ବୁନ୍ଦା ଲୁହ।ନିଜ ନାଲି ଗାମୁଛାରେ ପୁଅର ଆଖିରୁ ଲୁହ ପୋଛୁ ପୋଛୁ ନିଜ ବୁକୁଫଟା କୋହକୁ ସମ୍ଭାଳି ପାରିଲେ ନାହିଁ ଅବିନାଶ ବାବୁ।ବାପ ପୁଅଙ୍କ ଆଲିଙ୍ଗନ ଓ ହୃଦୟ ଥରା ଦୃଶ୍ୟ ଶିହରାଇ ଦେଇଥିଲା ସେହି ଆଶ୍ରମ ପରିବେଶର ବାୟୁମଣ୍ଡଳକୁ।ମୁଁ ନାଚାର ବାପା, ମୋତେ କ୍ଷମା କରିଦେବ,ପାରିବ ଯଦି ମୋତେ ଅଭିଶାପ ବରଂ ଦେଇଦେବ। ମୁଁ ଆଜି ପିତୃ ମାତୃ ଦ୍ରୋହୀ ସ୍ୱାର୍ଥପର ନିର୍ଜୀବ ଜନ୍ତୁଟେ ସାଜିଛି।ତୁମ ମାନଙ୍କ ପାଖରେ ରୁଣୀ ଅପଦାର୍ଥଟିଏ ମୁଁ।ମଝିରେ ମଝିରେ ମୁଁ ନିଶ୍ଚୟ ଆସିବି ବାପା।ଏତିକି କହି ବିଦାୟ ନେଲେ ଅମରେନ୍ଦ୍ର,ପୁଅର ଚଳନ୍ତା ବାଟକୁ ଏକ ଲୟରେ ଚାହିଁରହିଥାନ୍ତି ଅବିନାଶ ବାବୁ।ହଠାତ୍ ଆଶ୍ରମର ତତ୍ତ୍ବାଵଧାରିକା ତାଙ୍କୁ ନେଇ ଛାଡିଦେଲେ ଏକ କୋଠରୀରେ। କୋଠାରୀର ଗୋଟିଏ କୋଣରେ ବସି ଦୀର୍ଘଶ୍ଵାସଟିଏ ମାରି ଅତୀତର ଘଟଣାବଳୀକୁ ମନେ ପକାଇଲେ ଧାରାବାହିକର ଗୋଟିଏ ପରେ ଗୋଟିଏ ଦୃଶ୍ୟ ପରି।

ଅମରେନ୍ଦ୍ରର ମା'ଟା କେତେ ଦେବାଦେବୀଙ୍କୁ ପୁଜି ପାଇଥିଲା ତା ଧନକୁ।ଯେଉଁ ଦିନ ପୁଅ ଭୂମିଷ୍ଠ ହେଲା ସେ ଏତେ ଉତ୍ଫୁଲ୍ଲିତ ହେଉଥିଲା ଯେ,ଯିଏ ଦେଖିବ କହିବ ଏଇଟା ଗୋଟେ ପାଗଳି।ପୁଅକୁ ଭଲ ଖୁଆଇ ପିଆଇ ବଡ଼ କରି ଓ ଭଲ ପାଠ ପଢ଼ାଇ ମଣିଷ କରିବାକୁ ସେ ତାଗିଦ କରିଥିଲା ତାଙ୍କୁ।ଆଜିବି ତାର ମନେ ପଡୁଛି ନିଳିମାର କେଇପଦ କଥା,"ଦେଖ.... ମୋ ପୁଅର ଯେମିତି କିଛି ଅଭାବ ନ ହୁଏ,ଯେତେ କଷ୍ଟ ହେଉ ପଛେ ତାର ସବୁ ପୂରଣ କରିବ,ସେ ଏମିତି ପଢି ହାକିମ ହେବ ଯେ, ଲୋକେ ଦେଖିଲେ ବାରହାତ ଦୂରରୁ ସଲାମ କରିବେ ଓ କଥା ପଦେ ହେବାପାଇଁ ସାହସ କରିପାରିବେନାହିଁ"।ସେ ପ୍ରକମ୍ପାନୀରେ ଦୁଇ ସିଫ୍ଟ ଡ୍ୟୁଟି କରିଛି।ବଡ ଲୋକଙ୍କ ପିଲାପରି ଯତ୍ନ ନେବାରୁ କେବେବି ବଂଚିତ କରିନାହିଁ।

କାଲିପରି ମନେ ପଡୁଛି ଯେଉଁଦିନ ତାକୁ ନୂଆକରି ସ୍କୁଲ ଆଣିଥିଲା।କାନ୍ଦି କାନ୍ଦି ସ୍କୁଲ ଯିବନାହିଁ ବୋଲି ତାଙ୍କ ହାତ ଛାଟି ଦୌଡୁଥିଲା ସେ।କେତେ ବୁଝେଇ, ୟା ଦେବି ତା ଦେବି କହି ଓ ଚକୋଲେଟ ଦେଇ ବୋଧ କରି ନେଉଥିଲା ସ୍କୁଲକୁ।ବୁଝାଉଥିଲା ବାପାରେ,ଏ ସ୍କୁଲ ହେଲା ମଣିଷ ତିଆରି କାରଖାନା।ଏଇଠି ପାଠ ପଢିଲେ,ବଡ଼ ହୋଇ ବଡ଼ ଚାକିରୀ କରିବୁ,ହାକମ ହେବୁ।ତୋତେ ସମସ୍ତେ ସାର୍ ସାର୍ କି ବାବୁ ବୋଷ କହି କେତେ ସାଲ୍ୟୁଟ ମାରିବେ।ଏହା ଦେଖି ମୁଁ ଓ ତୋ ମାଆ ଗର୍ବରେ ଫାଟି ଉଠିବୁ।ତୁ ଟିକେ ମୁରୁକି ମୁରୁକି ହସୁଥିବୁ।ଆଉ ଲୋକେ ପଚାରିଲେ ଆମକୁ ଚିହ୍ନାଇ ସେମାନଙ୍କୁ କହିବୁ,ଆରେ କାଠ ପରି ଛିଡା ହେଇ ଦେଖୁଛ କଣ?ଏମାନେ ପରା ମୋ ମାଆ ବାପା,ମୋର ଜୀବନ୍ତ ଭଗବାନ।ସେମାନେ ଡରି ଡରି ଆମକୁ ଯେତେବେଳେ ମୁଣ୍ଡ ନୁଆଇଁ ଜୁହାର କରିବେ,ତୁ ଖୁସିରେ ଆମକୁ ଆଖି ମାରି ଦେଇ ମୁରୁକି ହସିବୁ।ପୁଅଟା ବହୁତ ଖୁସି,ପାଠ ପଢିବ,ହାକିମ ହେବ।ଆମ କଥା ସବୁ ମାନେ।ପାଠ ବହୁତ ଭଲ ପଢେ।ଶିକ୍ଷକ ମାନେ କୁହନ୍ତି ସତରେ ଅବିନାଶ ବାବୁ ଆପଣ କି ଭାଗ୍ୟବାନ ! ସାକ୍ଷାତ ସୁନା ମୁଣ୍ଡାଟିଏ ଜନ୍ମ କରିଛନ୍ତି।ଏହା ଶୁଣି ତାଙ୍କ ଛାତି ଅଧିକ ଚାରି ପାଞ୍ଚ ଇଞ୍ଚ ଫୁଲିଉଠୁଥିଲା।ଅମରେନ୍ଦ୍ର ବହୁତ ଭଲ ପଢ଼ିଲା।ମାଟ୍ରିକ ରେ ବେଷ୍ଟ ଟେନଥ ପାଇଲା।ଖୁସିରେ ଫାଟି ଉଠୁଥାନ୍ତି ସେ ଓ ନିଳୀମା।ସାମ୍ବାଦିକ ମାନେ ମତ ଦେଉଥାନ୍ତି ଆପଣଙ୍କ ପୁଅ ଆମ ରାଜ୍ୟର ସମ୍ପଦ।ଦେଶ ଦିନେ ଗର୍ବ କରିବ ୟାକୁ ପାଇ।ଚାଲିଲା ପଢା,ସଫଳତା ପରେ ସଫଳତା, ଚୟନ ହୋଇ ଚାଲିଲା ଆମେରିକା।ମା ବାପା, ଉପରେ ହସି ଭିତରେ କାନ୍ଦି ବିଦାୟ ଦେଲେ ହସି ହସି,କାହିଁକି ନା,ଏ ସୌଭାଗ୍ୟ କ୍ଵଚିତ ମିଳେ।

ପୁଅ ଆମେରିକାରେ ଭଲ ପାଇଲା ଏକ କୋଟିପତି ଖ୍ରୀଷ୍ଟିୟାନୀ ଝିଅ ନାଁ ତାର ପେରିନା।ହିନ୍ଦୁ ଧର୍ମରୁ ଖ୍ରୀଷ୍ଟିଆନ ହୋଇ ନିଜ ମା ମାଟିକୁ ଧୋକା ଦେଇ ଅମରେନ୍ଦ୍ର ଦେଖିଲା ରଙ୍ଗୀନ ଦୁନିଆଁର ମଧୁର ସ୍ବପ୍ନ।ପେରିନା ଓ ଅମରେନ୍ଦ୍ର ମଦ୍ୟପାନ କରି ବେଳେବେଳେ ଭୁଲି ଯାଉଥିଲେ ବାସ୍ତବ ଦୁନିଆଁ କୁ।ପେରିନାର ବାପା ଥିଲେ ଶିଳ୍ପପତି, ସେହି ଶିଳ୍ପରେ ଚାକିରୀ କଲେ ଅମରେନ୍ଦ୍ର ଓ ବିବାହ ବନ୍ଧନରେ ଛନ୍ଦି ହେଲେ ପେରିନା ସହ।ଆସିଲେ କିଛିଦିନ ରହିବେ ତାଙ୍କ ଘରେ।ଉଗ୍ର ଉଦ୍ଧତ ଅସାମାଜିକ ପେରିନାର କୁତ୍ସିତ ବ୍ୟବହାରରେ ବିବ୍ରତ ହେଲେ ସେ ଓ ନିଳୀମା।ଭୁଲ ବାଛି ଶାସନ କରିବା ତ ଦୂରର କଥା,ତାର ଏ କଦର୍ଯ୍ୟ ବ୍ୟବହାରରୁ ନିବୃତ୍ତ ରହିବାକୁ କହିବାରୁ ପେରିନାର ନିଳୀମା ଉପରେ ଅତ୍ୟାଚାରର ସ୍ୱର ଉତ୍ତୋଳନ କଲେ ସେ।ହେଲେ ପେରିନାର ଜିଦ୍ ସେ ଏ ଘରେ ରହିବନି।ବାଧ୍ୟ ହୋଇ ଅମରେନ୍ଦ୍ର ସ୍ତ୍ରୀ କଥାରେ ନିଜ ପିତା ମାତାଙ୍କ ଅନୁରୋଧ କ୍ରମେ ଛାଡିଲା ନିଜ ଜନ୍ମମାଟି,ଆଉ ବିଦେଶ ଆମେରିକାକୁ କଲା ଜନ୍ମଭୂମି ଓ ପୁଣ୍ୟଭୂମି।

ପୁଅକୁ ଝୁରି ଝୁରି ବିଚାରୀ ନିଳୀମାଟା ଆଖି ଖୋସିଦେଲା।ଅବିନାଶଙ୍କର ଆଶାର ସ୍ବପ୍ନ ଦୁଃସ୍ବପ୍ନ ପାଲଟିଗଲା।ଖବରପାଇ ଆସିଲେ ପୁତ୍ର ବଧୁ।ଅନୁଷ୍ଠିତ ହେଲା ନିଳିମାର ଅନ୍ତେଷ୍ଟିକ୍ରିୟା।ନିଳିମାର ଜିଦ୍,ଜମିବାଡ଼ି ବିକ୍ରିକରି ଅବିନାଶ ଙ୍କୁ ବୃଦ୍ଧାଶ୍ରମର ଛାଡି ଚାଲିଯିବାକୁ ଆମେରିକା।ଅମରେନ୍ଦ୍ରଙ୍କ ଅମଣିଷ ପଣିଆଭିତରେ ଲୁଚିଥିବା ପିତାମାତାଙ୍କ ସଂସ୍କାର ପୂର୍ଣ୍ଣ ମଣିଷ ପଣିଆ ମାନି ନ ଥିଲା ଏ ଅସଙ୍ଗତ ଅସୌଜନ୍ୟ କଥାକୁ।ଚାଲିଲା ପେରିନା ଓ ଅମରେନ୍ଦ୍ର ମଧ୍ୟରେ ବାକ ବିତଣ୍ଡା।ପେରିନାର ଜିଦ୍ ତା କଥା ନ ମାନିଲେ ସେ ଅମରେନ୍ଦ୍ରଙ୍କ ଡିଭୋର୍ସ ଦେବ ଓ ବାପାଙ୍କୁ କହି କମ୍ପାନୀ ଚାକିରୀରୁ ବହିଷ୍କାର କରିବ।ଗୋଟିଏ ପଟେ ବାପାଙ୍କୁ ବୃଦ୍ଧାଶ୍ରମ ସହ ଜମିବାଡ଼ି ବିକ୍ରି ନଚେତ ତାଙ୍କୁ ଡିଭୋର୍ସ ଓ ଚାକିରୀରୁ ବହିଷ୍କାର।ଅମରେନ୍ଦ୍ରଙ୍କ ନିଷ୍ପତ୍ତି ପାଇଁ ଛାଡି ଚାଲିଗଲା ଦେଇ ଦୁଇଟି ଦିନର ନିର୍ଘଣ୍ଟ।କିଂ କାର୍ତ୍ତବ୍ୟବିମୁଢ ଅବସ୍ଥାରେ ଅମରେନ୍ଦ୍ର ଭାସିଲା ମଝି ନଈର ହୁଲି ଡଙ୍ଗାରେ।କେଉଁ କୂଳକୁ ସେ ବାଛିବ?ଏପଟେ ପେରିନା କୁମ୍ଭୀର ତ ସେପଟେ ଜ୍ୱଳନ୍ତ ଅଗ୍ନିରେ ନିଜ ପିତାଙ୍କୁ ଝାସ।ବହୁତ ବୁଝାଇଲେ ଅବିନାଶ,ତାଙ୍କୁ ବୃଦ୍ଧାଶ୍ରମରେ ଛାଡି ଆମେରିକା ଫେରିବାକୁ ହେଲେ ଅମରେନ୍ଦ୍ରର ବିବେକୀ ମନରେ ଅବିବେକୀ କାମ ପ୍ରତି କାହିଁ ଆଦୌ ମନ ବଳିଲା ନାହିଁ।ଶେଷରେ ରାଣ ନିୟମ ପକାଇ ଅମରେନ୍ଦ୍ରକୁ ରାଜି କରାଇ ସେ ବାହାରିଥିଲେ ବୃଦ୍ଧାଶ୍ରମ।

ଆଜି ଅମରେନ୍ଦ୍ର ଟା କେତେ ମାନସିକ ଦୁର୍ବଳ ହୋଇଯାଇଛି।ନିଜ ଧର୍ମକୁ ଛାଡି ନିଜ ଭିଟା ମାଟିକୁ ଛାଡି ସିନା ଚାଲିଯାଇଛି ଆମେରିକା ହେଲେ ଦିନ ଆସିବ ସେ ପୁଣି ଫେରି ଆସିବ ମାନସିକ ଦୃଢ଼ କରି ଏଇ ସରଗପୁରୀ ମା' କୋଳକୁ।ଏତିକି କହିଛି କି ନାହିଁ,ପରିଚାଳକ ଡକାଇଲେ କିଏ ଡାକୁଛନ୍ତି ତାକୁ ଦେଖାକରିବାକୁ।କାନ୍ଥରେ ହାତ ଭରାଦେଇ ଆସି ବାହାରକୁ ଦେଖନ୍ତେ, ସେଇ ସେଦିନର ଗେହ୍ଲା ଅମରେନ୍ଦ୍ର।କାନ୍ଦି କାନ୍ଦି ତାଙ୍କ ପାଦ ତଳେ ପଡି କହିଲା,ବାପା ମୋର ଚାକିରୀ, ଟଙ୍କା, କୋଠା ବାଡ଼ି କିଛି ଦରକାର ନାହିଁ।ମୁଁ ଖାଲି ଚାହେଁ ତୁମର ସ୍ନେହ,ମୋ ମାଆର ସ୍ମୃତି ଆଉ ମୋ ଭଙ୍ଗାକୁଡ଼ିଆର ପ୍ରେମ ପରଶ।ଖାତାରେ ଦସ୍ତଖତ କରି ବାପାଙ୍କୁ ନେଇ ଚାଲିଗଲା ସେଇ ନୀଡ଼କୁ ଯେଉଁଠି ନିଳୀମା ତାକୁ ବୋଧ କରି ଶୁଆଇଲା ବେଳେ ଗୀତ ଗାଉଥିଲା, ସ୍କୁଲରେ ସାର୍ ବର୍ଣ୍ଣବୋଧରୁ ଶିଖାଇଥିବା ସେଇ ସୁମଧୁର ଗୀତ......"ଧୋ'ରେ ବାଇଆ ଧୋ।" ଆଉ ହୁଇଲ ଚେୟାରରର ଗଡ଼ାଇ ଗଡ଼ାଇ ଆଣିଲା ବେଳେ ଲାଗୁଥିଲା ସେ କେମିତି ଅମରେନ୍ଦ୍ର ହାତ ଧରି ବୁଝେଇ ଶୁଝେଇ ନେଉଥିଲା ଗାଁ ସ୍କୁଲକୁ।
 
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments