ଶ୍ରେଷ୍ଠ ସେହି ପରିଚୟ - ସଂଯୁକ୍ତା ରାଉତ

ଶ୍ରେଷ୍ଠ ସେହି ପରିଚୟ - ସଂଯୁକ୍ତା ରାଉତ

ପରମ୍ପରା ଆମ ହିନ୍ଦୁ ସମାଜର 
ବାର ମାସେ ତେର ବ୍ରତ
ବିବାହିତା ନାରୀ ମନେ ଭକ୍ତି ଭରି
ପାଳଇ ସାବିତ୍ରୀ ବ୍ରତ ୲୲

ସ୍ଵାମୀଙ୍କ ଦୀର୍ଘାୟୁ ମନାସିଣ ସେହୁ
ଉପବାସ କରିଥାଏ
ପୂଜାର୍ଚ୍ଚନା ଅନ୍ତେ ସ୍ଵାମୀ ପଦ ସେବି
ସ୍ଵାମୀ ପଦାମୃତ ପାଏ ୲୲

ବିଷ୍ଣୁ ପଦ ଧ୍ୟାୟୀ ଲଭେ ମନେ ଶାନ୍ତି
ସ୍ଵାମୀଙ୍କ ମଙ୍ଗଳ ଚାହେଁ
ଭାଗ୍ୟ ସାଥେ ଜୁଝି ଯମ ସାଥେ ଲଢ଼ି
ସଉଭାଗ୍ୟ ବତୀ ହୁଏ ୲୲

ଟୋପାଏ ସିନ୍ଦୂର ଦୁଇ ପଟ ଶଙ୍ଖା
ଯେବେଠୁଁ ନିଜର କରେ
ସୀମନ୍ତିନୀ ସାଜି ନିଜ କଥା ଭୁଲି
ହଜେ ନିଜ ସଂସାରରେ ୲୲

ବିବାହ ବନ୍ଧନେ ବାନ୍ଧି ହେଲା ପରେ
ସ୍ଵାମୀକୁ ଈଶ୍ଵର ମଣେ
ଦେହ ମନ ପ୍ରାଣ ଏକାକାର କରି
ଆତ୍ମୀୟତା ଭରେ ମନେ ୲୲

ସଂସାରେ ଅତୁଟ ବନ୍ଧନ ପରା ଏ
ସ୍ଵାମୀ ସ୍ତ୍ରୀ ର ସମ୍ପର୍କ
ଅହଂକାର ଏଠି ଅଙ୍ଗୀକାର ବଦ୍ଧ
ମାନେନି କିଛି ବିତର୍କ ୲୲

ମାନ ଅଭିମାନ ରାତି ଅନ୍ତେ ଶେଷ
ରହେନି କାହିଁରେ କ୍ଳେଶ
ସମର୍ପିତା ସେହି ପତିବ୍ରତା ନାରୀ
ତା'ର ଗୃହଲକ୍ଷ୍ମୀ ବେଶ ୲୲

ସ୍ଵାମୀ ତା' ଧରମ ସ୍ଵାମୀ ତା' କରମ
ସ୍ଵାମୀ ପଦ ସେବା କାମ୍ୟ
ପବିତ୍ର ହୃଦୟା ଅଟେ ସେହୁ ନାରୀ
ହୁଏନି ତା' ମତିଭ୍ରମ ୲୲

ସ୍ଵାମୀ ପରିଚୟେ ହୁଏ ପରିଚିତା
ଆନେ ନାହିଁ ତା'ର ଲୟ
ବନ୍ଦିନୀ ପରା ସେ ସ୍ଵାମୀ ହୃଦୟର
ଶ୍ରେଷ୍ଠ ସେହି ପରିଚୟ ୲୲

Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର, କୋରାପୁଟ
Content Category:
Submission Date: Jun 03, 2019

0 Comments