ସମ୍ପର୍କ - ମାନବିକତାରେ ବନ୍ଧା ଏକ ଅନୁଭବ - ହାସ୍ୟମୟୀ ରାଜ୍

ସମ୍ପର୍କ - ମାନବିକତାରେ ବନ୍ଧା ଏକ ଅନୁଭବ - ହାସ୍ୟମୟୀ ରାଜ୍



ବେଳେ ବେଳେ
ମନକୁ ଅନେକ କଥା ଆସେ
ମଣିଷ ମନ ମାଫିକ୍
ଦୁନିଆକୁ ଦେଖେ
ହେଲେ ଦୁନିଆ କ'ଣ
ମଣିଷ ମନ ନେଇ ଚାଲେ  ?
ମଣିଷର ମୁହଁ ସିନା
ହୃଦୟର ପ୍ରତିଛବି ତୋଳେ
ହେଲେ ଦୁନିଆ
ନିରନ୍ତର ଚାଲୁଥାଏ
ତା ନିଜସ୍ବ ଗତିରେ....
ନା ତାକୁ କେହି ଅଟକେଇ ପାରେ
ନା କାହାର ମନ ନେଇ
ସେ ବିସ୍ତାର ଲାଭ କରେ....
ମଣିଷ କିନ୍ତୁ ନିଜକୁ
ଖୁବ୍ ଚାଲାକ୍ ଭାବେ
ନିଜ ଭିତରେ
ଏକ ଦୁନିଆ ତିଆରି କରି
ବୃଥାରେ ଆସ୍ଫାଳନ କରେ
ହେଲେ ଜାଣିପାରେନା
ତାକୁ ହୁଏତ
କେହି ନିରୀକ୍ଷଣ କରୁଥାଏ
ତଉଲୁ ଥାଏ
ସେ ବାରମ୍ବାର ଧରାପଡୁଥାଏ
କାହାରି ନା କାହାରି ସାମ୍ନାରେ ।
ସତରେ--
ଛଳନା ଭିତରେ
ମଣିଷ ବଞ୍ଚିବାକୁ କାହିଁକି ଭଲପାଏ  ?
ଏମିତି ଜୀବନ ପଥରେ ଚାଲୁ ଚାଲୁ
ଅନେକଙ୍କ ସହ ଭେଟହୁଏ
ଆଳାପ, ଆଲୋଚନା
ସବୁକିଛି ଭିତରେ
ଷ୍ଟେସନ୍ ପାଖେଇ ଆସେ
ଯେ ଯାହା ବାଟରେ
ପୁଣି ଚାଲିଯାଏ,
କେବେ ହୁଏତ
ଅପ୍ରତ୍ୟାଶିତ ଭାବେ
ପୁଣି ଦେଖାହୁଏ
ସେଇ ଚିହ୍ନା ମୁହଁ
ଲାଗେ ଖୁବ୍ ଆପଣାର
ଏ ହେଉଛି ସଂପର୍କ
ଏହାଠାରୁ ଅଧିକ ଆଉ କିଛି ନୁହେଁ ।
ତଥାପି
ଏହାକୁ ନେଇ ମଣିଷ ଖେଳେ
ଛାଇ ଆଲୁଅର
ଲୁଚକାଳି ଖେଳ,
ଆମର ହଜାର ଉପଦେଶ
ହଜାର ତତ୍ତ୍ବକଥା ଆମକୁ
ମାନବରୁ ମହାମାନବ
ଆଡକୁ ନେଇ ପାରେନା,
ଯଦି ଆମେ
ଅସହାୟତାର ଅନ୍ଧ ଗଳିରେ
ସଢୁଥିବା ମଣିଷକୁ
ସହାୟତାର ହାତଟିଏ
ବଢେଇ ଦେଉନା,
କାହାପାଇଁ ସମବେଦନାର
ଲୁହ ଟୋପେ ଝରେଇ ପାରୁନା,
ଯଦି ଉପଦେଶରେ
କାହାର ପେଟ ଭରୁଥାନ୍ତା
ତେବେ ଏ ଦୁନିଆରେ
ଭୋକ ବିକଳରେ
ମଣିଷ ଆଜି କାହିଁକି
ଡହଳ ବିକଳ ହୁଅନ୍ତା  ?
ଆମେମାନେ ତ
କଥା କହିବାରେ ଖୁବ୍ ଓସ୍ତାଦ !
କିନ୍ତୁ ହୃଦୟଟା ଭାଷା ନୁହେଁ
ଭାବର ପୂଜାରୀ,
ମୁକ ବି ତ ବୁଝିପାରେ ହୃଦୟ !
ବେଳେ ବେଳେ ଏମିତି
ନିଜକଥା ନିଜକୁ ଶୁଣେଇଲେ
ଆତ୍ମା କଷ୍ଟ ପାଏ
ତଥାପି
ହୃଦୟର ଭାଷାକୁ
ଅଟକେଇ ହୁଏନି ।
କେବେ ଆମେ ବୁଝିପାରିବା,
ସବୁର ଉର୍ଦ୍ଧ୍ୱରେ
ମାନବିକତାରେ ବନ୍ଧା
ଏଇ ସଂପର୍କର ମାନେ  ??
              
Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି , କେନ୍ଦୁଝର ।
Content Category:
Submission Date: Jun 01, 2019

0 Comments