ବନ୍ଦଇ ଦେବ ନାରାୟଣ
          ଅନାଦି ପରମ କାରଣ ।।
ଜଗମ ହିତେ ଦେହ ଧାରୀ
         ଧରାରେ ଧର୍ମ ରକ୍ଷାକାରୀ ।।
ସକଳ ବ୍ରତର କାରଣ
         ଶ୍ରୀକୃଷ୍ଣ  ସ୍ବୟଂ ଭଗବାନ ।।
କୃଷ୍ଣଙ୍କୁ ଯୁଧିଷ୍ଠିର ଦିନେ
          ପଚାରି ଦେଲେ ସଖାପଣେ।।
କୁହ ହେ ଜଗତ ଗୋସାଇଁ
           ଜଗତ ହିତେ ଦୟାବହି ।।
କି ବ୍ରତ କଲେ ନାରୀମାନେ
          ହୋଇବେ ଖୁସି ସବୁଦିନେ ।।
ଶଙ୍ଖା ସିନ୍ଦୂର ବଜ୍ର ହେବ
         କୋଳରେ ଶିଶୁ ଖେଳୁଥିବ ।।
ସୌଭାଗ୍ୟବତୀ ଧନବତୀ
        ହେବେ ସେ ପତିବ୍ରତା ସତୀ ।।
ବୌଧବ୍ଯ ଦଶା ନ ଭୋଗିବେ
         ମରଣେ ସ୍ବର୍ଗ ପ୍ରାପ୍ତ ହେବେ ।।
ଧର୍ମ ରାଜାଙ୍କ ବାକ୍ଯ ଶୁଣି
          ହସି କହନ୍ତି ଚକ୍ରପାଣି ।।
ସଧଵା ନାରୀମାନଙ୍କର
          ସକଳ ବ୍ରତ ମଧ୍ଯେ ସାର ।।
ସାବିତ୍ରୀ ବ୍ରତ ଅଟେ ସେହି 
         ସେ କଥା ଶୁଣ ମନ ଦେଇ ।।
ଜ୍ଯେଷ୍ଠମାସର କୃଷ୍ଣ ପକ୍ଷ
          ଅମାବାସ୍ୟାକୁ କର ଲକ୍ଷ୍ୟ ।।
ସାବିତ୍ରୀ ଉଆଁସଟି ସେହି
          ସେ ଦିନ ବ୍ରତ ଯେ ଅଟଇ ।।
ବ୍ରତର ଫଳ ସ୍ବରୂପରେ
         ଯେ ସୁଖ ମିଳଇ ମର୍ତ୍ତ୍ଯରେ ।।
ତାହାର ନାହିଁ ପଟାନ୍ତର ।
           ଶୁଣ ହେ ପାଣ୍ଡବ ପ୍ରବର ।।
ମଦ୍ର ଦେଶର ନରପତି
             ତାହାଙ୍କ ନାମ ଅଶ୍ବପତି ।।
କୌଶଲ୍ଯା ରାଣୀଙ୍କର ନାମ
          ଧନଧାନ୍ୟରେ ରାଜ୍ୟ ପୂର୍ଣ୍ଣ ।।
ପ୍ରଜାବତ୍ସଳ ଅଶ୍ବପତି 
         ନ୍ଯାୟରେ ରାଇଜ ପାଳନ୍ତି ।।
ରାଜାରାଣୀଙ୍କ ବଡ଼ ଚିନ୍ତା
           ନ ଥାଏ ପୁତ୍ର କି ଦୁହିତା ।।
କୋଳରେ ନ ଥିଲେ ସନ୍ତାନ
           ପୂର୍ଣ୍ଣତା ନ କଲେ ଜୀବନ ।।
ରାଜାରାଣୀ ଯେ  ଦୁଃଖେ ଥିଲେ
             ଏଥକୁ ଉପାୟ ଚିନ୍ତିଲେ ।।
ସାଧୁ ପଣ୍ଡିତ ମତ ନେଲେ
           ସାବିତ୍ରୀ ଵ୍ରତ ଆରମ୍ଭିଲେ ।।
ଅଠର ବର୍ଷ ଅବିରତ
           ଚାଲିଲା ହୋମାହୁତି ମନ୍ତ୍ର ।।
ପୂର୍ଣ୍ଣାହୁତିର ପୂର୍ବ ନିଶି
       ସପନେ ରାଣୀ ହେଲେ ଖୁସି ।।
ସୁନ୍ଦର ଝିଅଟିଏ ହୋଇ
         ମାଆ ମାଆ ଡାକଦେଇ ।।
ରାଣୀଙ୍କ କୋଳରେ ଖେଳୁଥିଲା
          ସପନ ଶେଷେ ଚାଲିଗଲା ।।
ପ୍ରଭାତେ ରାଜା ପାଶେ ରାଣୀ
           କହିଲେ ଏସନ କାହାଣୀ ।।
ଉଭୟେ ଚିନ୍ତାମଗ୍ନ ଥାଇ 
           ଚଳିଲେ ପୂର୍ଣ୍ଣାହୁତି ପାଇଁ ।।
ଅନ୍ତିମ ଆହୁତି କାଳରେ 
          ଦିଶିଲେ ଯଜ୍ଞ ଅନଳରେ ।।
ଅପୂର୍ବ ଜ୍ଯୋତିର୍ମୟୀ ଦେବୀ
         ତେଜରେ କମ୍ପିଲା ପୃଥିବୀ ।।
କହିଲେ ଶୁଣ ରାଜାରାଣୀ
          ମୁଁ ଏହି ଯଜ୍ଞ ସ୍ବରୁପିଣୀ ।।
ମୋ ନାମ ଅଟେ ଯେ ସାବିତ୍ରୀ
           ହେବାକୁ ତୁମ ବରଦାତ୍ରୀ ।।
ନିର୍ଦ୍ଦେଶ ଦେଲେ ମୋତେ ସ୍ରଷ୍ଟା
          ଧନ୍ଯ ହେ ତୁମ ଭକ୍ତି ନିଷ୍ଟା ।।
ନିଜେ ମୁଁ ଅତ୍ଯନ୍ତ ପ୍ରସନ୍ନ
          ସେଲାଗି କଲି ବରଦାନ ।।
ଲଭିବ ତୁମେ କନ୍ଯାରତ୍ନ
          ପୁତ୍ରକୁ ନ କରିବ ମନ ।।
ଶତପୁତ୍ରର ସୁଖଶିରୀ
        ସେ କନ୍ଯା ଏକ ଦେବ ଭରି ।।
ଚକିତେ ସର୍ବେ ଚାହିଁଥିଲେ
         ସାବିତ୍ରୀ ଅନ୍ତର୍ଦ୍ଧାନ ହେଲେ ।।
ଯଜ୍ଞରେ ପୂର୍ଣ୍ଣାହୁତି ସାରି
    ଯେ ଯାହା ଗୃହେ ଗଲେ ଫେରି ।।
ସପନେ ଦେଖିଥିଲେ ରାଣୀ
          ସେଥିଲା ସପନ କାହାଣୀ ।।
ଘଟିଲା ଯଜ୍ଞ ଶାଳେ ଯାହା 
          ଅସତ୍ଯ କେ କରିବ ତାହା ।।
ଯାଇଛି ଅଳ୍ପ ଦିନ ବିତି
      ରାଣୀ ଯେ ହେଲେ ରଜବତୀ ।।
ରାଜାଙ୍କୁ ଚାହିଁ ଦେଲେ ହସି
           ପ୍ରିତିର ଅମୃତ ବରଷି ।।
ଆସିଲା ମନେ ଆଶାକଳି 
           ମରୁରେ ମାରିଲା ବିଜୁଳି ।।
ଉଚିତ ସମୟ ଅନ୍ତରେ
          ସେ ଏକ ଅମୃତ ଲଗ୍ନରେ ।। 
ସ୍ବର୍ଗ ସୁନ୍ଦରୀ କନ୍ଯାରତନ
     ରାଣୀଙ୍କ କୋଳେ ନେଲା ଜନ୍ମ ।।
ସାବିତ୍ରୀ ଯଜ୍ଞ ପୂଣ୍ଯ ଫଳେ
     ସେ କନ୍ଯା ଜନମିଲା କୋଳେ ।।
ପିତାମାତା ଯେ ପାତ୍ରମନ୍ତ୍ରୀ
         ତା ନାମ ରଖିଲେ ସାବିତ୍ରୀ ।।
ଶୁକ୍ଳପକ୍ଷର ଶଶୀ ପରି 
           ବଢିଲା ସାବିତ୍ରୀ କୁମାରୀ ।।

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦