ଉପନ୍ୟାସ - ସାଉଁଟା ଆଷାଢ - ତୃତୀୟ ଭାଗ - ପ୍ରମୋଦ କୁମାର ପଣ୍ଡା

ଉପନ୍ୟାସ - ସାଉଁଟା ଆଷାଢ - ତୃତୀୟ ଭାଗ - ପ୍ରମୋଦ କୁମାର ପଣ୍ଡା

ରାତିରେ ଡେରିରେ ଶୋଇଥିବାରୁ ସକାଳେ ମଧ୍ୟ ଡେରିରେ ନିଦ ଭାଙ୍ଗିଲା , ତା ବି ଭାଉଜଙ୍କ ଡାକରେ | ଆଖି ମଳି ମଳି ଉଠି ବସିଲା ବେଳକୁ ଅଗଣାରେ ଖରା ଅଧା ଯାଏଁ ମାଡି ଆସିଲାଣି | ଦେଖିଲି ଭାଉଜଙ୍କ ହାତରେ ଚା କପ୍ | ଚା ଟା ଧରୁ ଧରୁ ବୋଉର ପାଟି ଶୁଭିଲା ଠାକୁରଘରୁ " ଆରେ ଶୁଭ ଉଠିଲାଣି ନା ନାହିଁ | ତା'ର ପରା ଚିତ୍ର ନେଇ କଲିକତା ଯିବାର ଥିଲା ଏବେ କୋଉଦିନ ଗୋଟେ | ଏମିତି ଶୋଇଲେ କେମିତି ହେବ ? କାମ ତ ସାରିନି |" ସକାଳୁ ସକାଳୁ ବୋଉର ଏ କଥା ମୋତେ ଖାର ଖାଇଲା ଭଳି ଲାଗିଲା | ବିରକ୍ତ ହୋଇ କହିଲି " ତୁ ଠାକୁର କରୁଛୁ ନା ଏଇ ସବୁ କଥା ଚିନ୍ତାକରୁଛୁ | ମୋ କଥା ମୁଁ ବୁଝିବିନି ?  ସବୁକଥାରେ ତୁ କାହିଁକି ମୁଣ୍ଡ ଭର୍ତ୍ତିକରୁଛୁ ?" ......" ହଉରେ ବାବା ! ଯିଏ ଯାହା କରୁଛ କର , ମୋର କହିବାଟା ସେତିକି |" ବୋଉକୁ ସିନା ଚୁପ୍ କରାଇଦେଲି ମାତ୍ର କଲିକତା ଏକ୍ ଜିବିସନ୍ କୁ ଯିବାକୁ ଥିବା ମୋ ପେଣ୍ଟିଂ ଗୁଡିକ ପ୍ରକୃତରେ ସରିନଥିଲା | ଗୋଟାଏ ସପ୍ତାହ ଅଛି ହାତରେ | ଅବଶ୍ୟ କେବଳ ଫାଇନାଲ୍ ଟଚ୍ ବାକି ଅଛି ଆଉ ତାପରେ ବଢେଇ ଆସି ଫ୍ରେମ୍ ଫିଟିଙ୍ଗ୍ କରିଦେଲେ ସରିଲା | ଖୁବ୍ ହେଲେ ଦି ତିନି ଦିନ ଲାଗିବ | ସବୁ କାମ ପ୍ରାୟ ସରିଯାଇଛି |
        ଚା ଟା ପିଇ ସାରି ଭାଉଜଙ୍କୁ ଡାକ ପକେଇଲି | ମୋ ପାଟି ଶୁଣି ଯୁବତୀଟି ବୈଠକ ଘରୁ ବାହାରି ଦ୍ୱାର ମୁହଁରୁ ମୋ ଆଡେ ଚାହିଁବା ବେଳେ ମୋ ଆଖି ତା ଆଖିରେ ମିଶିଗଲା | କେମିତି ଗୋଟେ ଅଜଣା ଅନୁଭୁତିରେ ମୋ ଛାତିଟା ହଲ୍ ଚଲ୍ ହେଲା ଭଳି ଲାଗିଲା | ମୁଁ ତରବର ହୋଇ ମୋ ଖୋଲା ଦେହରେ ଚାଦରଟା ଘୋଡାଇ ଦେଲି | ମୋର ଏ ହଡବଡି ଦେଖି ସେ ହସି ପକାଇଲା | ପ୍ରଥମକରି ତା ହସ ଦେଖିଲି | ଅଭୁତପୂର୍ବ ସେ ହସ | ମୁକ୍ତା ପରି ଦାନ୍ତର ଚମକ ଦୁଇ ଲାଲ୍ ଓଠ ସନ୍ଧିରୁ ମୁହୂର୍ତ୍ତକ ପାଇଁ ଝଲସି ଉଠିଲା | ମୋର ଅପଲକ ଚାହାଁଣୀରେ ସେ ନିଜକୁ ଅପ୍ରସ୍ତୁତ ଅନୁଭବକରି ଘର ଭିତରକୁ ଚାଲିଗଲା | ତା'ର ସଦ୍ୟସ୍ନାତା ଗୋରା ଶରୀରକୁ ଭାଉଜଙ୍କର ହାଲକା ଗୋଲାପି ରଙ୍ଗର ଶାଢୀଟା  ବହୁତ ମାନୁଥୁଲା | ମୁଁ ମନ୍ତ୍ରମୁଗ୍ଧ ଥିଲି କ୍ଷଣିକ ପାଇଁ | ହଠାତ୍ ନିଜକୁ ସଞ୍ଜତ କରିନେଲି | ସେ ଯେ ମୋର ଅତିଥି | ଅସୁବିଧାରେ ପଡି ମୋର ସାହାଯ୍ୟପ୍ରାର୍ଥିନୀ | ତା ଅସହାୟତାର ଏମିତି ସୁଯୋଗ ନେବା ନିହାତି ଅବିବେକିତା | ତାକୁ ଏଭଳି ଦୃଷ୍ଟିରେ ଚାହିଁବାଟା ନିହାତି ଅଭଦ୍ରାମି | ମୋ ନିଜ ଉପରେ ମୋର ରାଗ ଆସିଲା |
        ଏଥର ଉଠି ଠିଆହେଲି |ବାଡିପଟକୁ ଯାଇ ମୋର ପ୍ରାତଃ ନିତ୍ୟକର୍ମ ଶେଷକରି ଘରକୁ ଫେରି ବଦଳିବା ପାଇଁ ଟ୍ରାଉଜର ଖୋଜିଲା ବେଳକୁ ମନେପଡିଲା , ଆରେ ! ମୋର ସମସ୍ତ ପୋଷାକ ପତ୍ର ତ ମୋ ରୁମ୍ ରେ ଅଛି | ଏବେ ପିନ୍ଧିବି କଣ ? ଅନନ୍ୟୋପାୟ ହୋଇ ଭାଉଜଙ୍କୁ ଡାକ ପକାଇଲି |
        ମୋ ରୁମ୍ ରେ ବୋଉ , ଭାଉଜ ଦିଜଣଯାକ ଥିଲେ | ମୋ ଡାକ ଶୁଣି ଭାଉଜ ସେଇଠୁ ଆସିଲେ ଓ ହାତରେ ତାଙ୍କର ମୋର ଟ୍ରାଉଜର ଓ ସାର୍ଟ | ମନ ଜାଣି କାମ କରିବାଟା ଭାଉଜଙ୍କୁ ଯେତିକି ଜଣା ଆଉ କାହାକୁ ନୁହେଁ | ସବୁବେଳେ ସେ କାର୍ଯ୍ୟବ୍ୟସ୍ତ | ମୋର ଅନୀୟମିତ କଳାକାର ଜୀବନକୁ ସେ ଅନେକାଂଶରେ ସଜାଡି ଦେଇଥିଲେ | ଠାକୁର କାମ ବ୍ୟତୀତ ସେ ବୋଉକୁ କୈାଣସି କାମ କରିବାକୁ ଦେଉନଥିଲେ |
        ବଡ ଭାଇ କୋରାପୁଟରେ ମାଷ୍ଟ୍ର ଚାକିରୀ କରନ୍ତି | ସେ ଯେ ଭାଉଜଙ୍କୁ ସେଠି ଯାଇ ରହିବାକୁ କହିନାହାନ୍ତି ସେକଥା ନୁହେଁ | ମାତ୍ର ଭାଉଜ ମନା କରିଦେଲେ | କହିଲେ, "ସେଠି ମୁଁ ରହିଲେ ଘର କଥା ବୁଝିବ କିଏ ?  ବୋଉ କଣ ଏ ବୟସରେ  ହାଣ୍ଡି ଚୁଲି ଧରିବେ ? ମୁଁ ନିଲୁକୁ ଧରି ରହିଯିବି | ଶୁଭ ବାହାହୋଇ ଘରକୁ ବୋହୁ ଆଣିବା ପର୍ଯ୍ୟନ୍ତ ମୋତେ ଏଠି ରହିବାକୁ ପଡିବ | " କେତେବା ତାଙ୍କର ବୟସ ! ନିଲୁକୁ ପାଞ୍ଚ ବର୍ଷ | ତାଙ୍କୁ ଖୁବ୍ ହେଲେ ପଚିଶି ହେବ | ଏ ବୟସରେ ସ୍ୱାମି ସଙ୍ଗ ଛାଡି ସେ ନିଜର ବୃଦ୍ଧ ଶାଶୁ ଶଶୁରଙ୍କ ସୁବିଧା ପାଇଁ ନିଜ ସୁଖକୁ ଜଳାଞ୍ଜଳୀ ଦେଇଛନ୍ତି | ସେ ଆମ ଗୃହର ଗୃହଲକ୍ଷ୍ମୀ | ମୋର ତାଙ୍କ ତ୍ୟାଗ ଆଗରେ ମୁଣ୍ଡ ନଇଁଯାଏ | 
        ଭାଉଜ କହିଲେ " ମୁଁ ପ୍ରଜ୍ଞାକୁ ଜଳଖିଆ ଦେଇ ସାରିଛି | ସେଠି ବୋଉ ତା ଠୁ ସବୁ ବୁଝାବୁଝି କରୁଛନ୍ତି | ତମେ ଏ ଡ୍ରେସ୍ ଟା ପିନ୍ଧିପକାଇ ନିଲୁକୁ ଟିୟୁସନ୍ ରୁ ନେଇଆସ | ସେ ସ୍କୁଲ୍ ଯିବ ଆସିଲେ | ତମେ କକେଇ ପୁତୁରା ସାଥୀ ହୋଇ ଜଳଖିଆ ଖାଇଦେବ | ମୁଁ ପରଟା , ଆଳୁ କସା କରିଛି  |" ମୁଁ ତରତର ହୋଇ ମୁଣ୍ଡଟାରେ ପାନିଆଟା ବୁଲେଇଦେଇ ସ୍କୁଟର ଟା ଦାଣ୍ଡ ଘରୁ ବାହାରକରିବାକୁ ଗଲାବେଳେ ବୌଠକ ଘରକୁ କଣେଇ ଚାହିଁଲି | ଦେଖିଲି " ପ୍ରଜ୍ଞା " ଯାହା ସେ କାଲି ରାତିର ଆଗନ୍ତୁକାର ନାଁ ବୋଲି ଜାଣିଲି , ବୋଉ ସାମନାରେ ନତମସ୍ତକ ହୋଇ ବସି ବୋଉର ଜେରାର ସମ୍ମୁଖୀନ ହେଉଛି | ମୁଁ ତରତରରେ ମୁହଁ ବୁଲେଇ ସ୍କୁଟରଟା ବାହାରକରି ଚାଲିଲି ନିଲୁକୁ ଆଣିବାକୁ |
        ମୋତେ ବଡ ଅସୁବିଧା ହେଲା ଯେ ପ୍ରଜ୍ଞା ସେ ଘରେ ରହିଲେ ମୋ ପେଣ୍ଟିଂ କାମ ଆଗେଇ ପାରିବନି | ମୁଁ ଭାବିଲି ଯାଉଛି ଭାଉଜଙ୍କୁ କହିବି ସେ ଯାହା ଗୋଟେ ବ୍ୟବସ୍ଥା କରିବେ | ଏକଥା ଯେତେବେଳେ ଭାଉଜଙ୍କୁ କହିଲି, ସେ କହିଲେ " ହଁ ମୁଁ ବି ଭାବୁଥିଲି ତଳ ଖଞ୍ଜାରେ ଗୋଟେ ବଖରା ଖାଲି ପଡିଛି | ଗୁଡେ ୟାଡୁ ସ୍ୟାଡୁ ଜିନିଷରେ ଭର୍ତ୍ତି | ତାକୁ ସଫା କରିଦେଲେ ସେ ସେଠି ଏବେ ରହିଯିବ ତାଙ୍କ ଘରକୁ ଯିବା ପର୍ଯ୍ୟନ୍ତ ଯେ ହେଲେ ବଡ ବିଷମ ସମସ୍ୟା ହେଇଛି |" ମୁଁ ଏକଥା ଶୁଣି ଚମକି ପଡିଲି | ଆଶଂକା ଜଡିତ ସ୍ୱରରେ କହିଲି " କଣ ହେଇଚି ମୋତେ ଟିକେ କହିବ କି ?" ଭାଉଜ ଆରମ୍ଭକଲେ..........
        " ପ୍ରଜ୍ଞାର ଘର ନଈ ସେପାରି ମନୋହରପୁର ଗାଁରେ | ତାଙ୍କର ଭାରି ଗରିବ ଘର | ବଡ କଷ୍ଟରେ ଚଳନ୍ତି | ପ୍ରଜ୍ଞା ତା ବାପା ମା ଙ୍କର ଏକମାତ୍ର ସନ୍ତାନ | ତା ମା ରୋଗରେ ପଡି ଚିକିତ୍ସା ଅବହେଳାରୁ ମରିଗଲା ବେଳକୁ ପ୍ରଜ୍ଞାର ବୟସ ବାର ବର୍ଷ |
 ତା ବାପା ଆଉ ଗୋଟେ ବାହାହେଲା | ଯୋଉ ସାବତ ମା ଟି ତାଙ୍କ ଘରକୁ ଆସିଲା ସେଇଟି ଗୋଟିଏ ଦୁଷ୍ଟ ପ୍ରକୃତିର ସ୍ତ୍ରୀଲୋକ | ପ୍ରଜ୍ଞାକୁ ସେ ଆରମ୍ଭରୁ  ଭଲରେ ଦେଖିପାରେନା | ଟିକେ ଟିକେ କଥାରେ ମାର ଧର କରେ | ଠିକ୍ ରେ ଖାଇବାକୁ ବି ଦିଏ ନା | ତା ବାପା ବି ଦ୍ୱିତୀୟ ସ୍ତ୍ରୀକୁ ଡରି କିଛି କହେନା | ଏମିତିରେ ଧୀରେ ଧୀରେ ପ୍ରଜ୍ଞା ବଡହେଲା ଓ ଗାଁ ପାଖ କଲେଜରୁ ବିଏ ପାସ୍ କଲା |
        ପ୍ରଜ୍ଞାର ସାବତ ମା ର ଭାଇ, ମାନେ ପ୍ରଜ୍ଞାର ମାମୁଁ ଅଧିକାଂଶ ସମୟ ମନୋହରପୁରରେ ହିଁ ରହେ | ତା' ର ଚାଲିଚଳନ ଭଲ ନୁହେଁ | ଭାଣିଜୀର ସୁନ୍ଦର ରୂପ ଦେଖି ସେ ମନେ ମନେ ଗୋଟାଏ ପ୍ଲାନ୍ ଚିନ୍ତାକରି ତା ଭଉଣୀକୁ ସେଥିରେ ସାମିଲ୍ କଲା | ତାପରେ ସେ କଲିକତାରେ ଥିବା ତା'ର ଗୋଟେ ବଦମାସ୍ ସାଙ୍ଗକୁ ଏଥିରେ ସାମିଲ୍ କଲା |"  
        ମୋତେ ଭାଉଜଙ୍କ କଥା କୋଉ ସିନେମାର ଷ୍ଟୋରି ପରି ଲାଗୁଥାଏ | ମୁଁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁବାରୁ ଭାଉଜ ପୁଣି କଥାର ଖିଅ ଯୋଡି କହିଲେ " ତା' ମାମୁଁର ସାଙ୍ଗ ଦିନେ ତାଙ୍କ ଘରେ ପହଞ୍ଚି କହିଲା ଯେ କଟକରେ ଗୋଟେ ବଡ କମ୍ପାନୀରେ ସେ ମ୍ୟାନେଜର ଅଛି | ସେ ଚାହିଁଲେ ପ୍ରଜ୍ଞାକୁ ସେଠି ଚାକିରି ଦେଇପାରିବ | ପ୍ରଜ୍ଞା ବି ଏ ନର୍କରୁ ମୁକୁଳିବାକୁ ଚାହୁଁଥିଲା | ସେ  ସଙ୍ଗେ ସଙ୍ଗେ ତା କାଗଜପତ୍ର ସାଥୀରେ ଧରି ବାହାରି ପଡିଲା |" 
        " ତାପରେ କଣ ହେଲା ? " ମୁଁ ଉତ୍ସୁକତାର ସହିତ ପଚାରିଲି | " ବାଟରେ ଗୋଟେ ଯାଗାରେ ସେମାନେ ମଦ ପିଇବାକୁ ଗଲେ | ସେଠି ମଦ ପିଇ ଦୁହିଙ୍କ ମଧ୍ୟରେ ଝଗଡା ଲାଗିବାରୁ ଉଭୟଙ୍କ କଥା ଯେ ପୁରାପୁରି ମିଛ ଏବଂ ତାକୁ କୁଆଡେ ବିକ୍ରୀ କରିଦେବେ ବୋଲି ଆଡ୍ ଭାନ୍ସ ଆଣିଛନ୍ତି  ଏବଂ ତା ସାବତ ମା ବି ଏଥିରେ ସାମିଲ୍ , ଏକଥା ଜାଣିଲା | ତାପରେ ତା' ପାଦ ତଳୁ ମାଟି ଖସିଲା ଭଳି ତାକୁ ଲାଗିଲା | ଏତିକି ବେଳକୁ ବର୍ଷାଟା ବି ଆରମ୍ଭ ହେଇଯାଇଥିଲା | ସେ ଆଉ ଡେରି ନକରି ଇଜ୍ଜତ ବଞ୍ଚେଇବାକୁ ସେଠୁ ଜୀବନ ବିକଳରେ ଧାଇଁଛି ଯେ ଏକାବେଳକେ ତମ ପାଖରେ  |"  
        ମୁଁ ବୁଝିପାରିଲି ଯେ ଆମ ଗାଁ  ଠୁ ପ୍ରାୟ ମାଇଲିଏ ଦୂରରେ ଥିବା ମଦଭାଟି ଠାରୁ ପ୍ରଜ୍ଞା ସେ ପ୍ରବଳ ବର୍ଷାରେ ଅନ୍ଧାରରେ ବିଜୁଳି ଘଡଘଡିକୁ ଖାତିରି ନକରି ନିଜ ଇଜ୍ଜତ ବଞ୍ଚେଇବାକୁ ଦୌଡି ଦୌଡି ଆସି ସନିଆର ସେ  ଚା ଦୋକାନରେ ଆଶ୍ରୟ ନେଇଥିଲା | ପ୍ରକୃତରେ ନାରୀ ତା ଇଜ୍ଜତ ରକ୍ଷାକରିବାକୁ ଯେ କୌଣସି ବିପଦ ସହିତ ମଧ୍ୟ ଲଢେଇ କରିପାରେ ପ୍ରତିକୂଳ ପରିସ୍ଥିତିରେ ବି ଏ କଥାଟା ମୋ ମନରେ ଦୃଢ ହେବାକୁ ଲାଗିଲା | ଶ୍ରଦ୍ଧାରେ ପ୍ରଜ୍ଞା ପ୍ରତି ମୋ ମନରେ ସମ୍ମାନବୋଧ ବଢିଗଲା ବହୁଗୁଣରେ | ସ୍ୱତଃ ମୋ ପାଟିରୁ ଖୁବ୍ ଧୀର କଣ୍ଠରେ 
 ବାହାରିଗଲା "ଗ୍ରେଟ୍ ପ୍ରଜ୍ଞା" |
        ତାପରେ ଭାଉଜ ଦୀର୍ଘନିଃଶ୍ୱାସ ଛାଡି କହିଲେ " ପ୍ରଜ୍ଞା ହେଉଛି ଜାତିରେ ଚଷା | ତମେ ତ ବାପା ବୋଉଙ୍କ କଥା ଜାଣିଛ | ସେମାନଙ୍କର କେତେ ବାରଣ | ସେ କଣ ତାକୁ ଘରେ ରଖିବାକୁ କହିବେ  ? ଧରିନିଅ ସେମାନେ କୌଣସିମତେ ରାଜି ହୋଇଗଲେ , କିନ୍ତୁ ପ୍ରଜ୍ଞାକୁ କେତେଦିନ ଆମେ ଘରେ ରଖିପାରିବା ? ଆଉ ଯଦି ତାକୁ ଛାଡିଦେଉଛେ ତେବେ ତା ସାବତ ମା ଆଉ ତା'ର ସେଇ କଂସ ମାମୁଁ ତାକୁ କଣ ଆଉ ସଂସାରରେ ରଖିବେ ? ଏପଟେ କୂଅକୁ ସେପଟେ ଖାଇ | ବିଚାରୀ ହତଭାଗିନୀଟା ଏ ରୂପ ଯୌବନ ନେଇ ଯିବ କୁଆଡେ ?" 

ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା

0 Comments