ଉପନ୍ୟାସ - ସାଉଁଟା ଆଷାଢ - ଦ୍ଵିତୀୟ ଭାଗ - ପ୍ରମୋଦ କୁମାର ପଣ୍ଡା

ଉପନ୍ୟାସ - ସାଉଁଟା ଆଷାଢ - ଦ୍ଵିତୀୟ ଭାଗ - ପ୍ରମୋଦ କୁମାର ପଣ୍ଡା

ଭାଗ୍ୟ ଭଲ, ଦାଣ୍ଡ ଦୁଆରେ ପହଞ୍ଚୁ ପହଞ୍ଚୁ କରେଣ୍ଟ ଆସିଗଲା | ଆମ ଗାଁ ଟା ମଫସଲ ହେଲେ ସୁଦ୍ଧା ପିଚୁ ରାସ୍ତା ଓ ବିଜୁଳିର ସୁବିଧା ଅଛି | କିନ୍ତୁ ଗାଁ ହୋଇଥିବା ଦୃଷ୍ଟିରୁ ଦାଣ୍ଡ କବାଟ କେବଳ ରାତିରେ ଶୋଇବା ପୂର୍ବରୁ ହିଁ ବନ୍ଦହୁଏ | ନଚେତ କେବଳ ଆଉଜାହୋଇ ରହିଥାଏ |ଆମର ପ୍ରଥମ ଖଞ୍ଜାରେ ବୈଠକ ଘର | ବନ୍ଧୁ ବାନ୍ଧବ , ସାଙ୍ଗ ସାଥୀ କିମ୍ବା କୌଣସି ଅତିଥି ଆସିଲେ ସେ ଘରେ ରହିବାର ବନ୍ଦୋବସ୍ତ କରାଯାଏ |ମୁଁ ସେଇ ବଖରାରେ ରହେ | ମୋ ପେଣ୍ଟିଂ କାମ ,ସେଇଠି ହୁଏ | ଏବେବି ଜେଜେବାପାଙ୍କ ଶିଶୁକାଠର କମ କରା ପଲଙ୍କ ସେ ଘରେ ପଡିଛି | ବିରାଟ ବଡ ବଖରା | କମ କରା ଶାଳ କାଠର ଓରା ଶେଣି ଓ ବାଉଁଶର ଆଟୁ | ଶିଶୁ କାଠର କମ କରା ଜାଉଁଳି କବାଟ | ପୂର୍ବ ପୁରୁଷ ଜମିଦାରୀ କରୁଥିଲେ | ତା'ର ସନ୍ତକ ମାତ୍ର ଅଛି | ତା ପାଖକୁ ବାଟ ଘର | ସେଇଠୁ ଅଗଣାକୁ ବାଟ | ଅଗଣା ଆରପଟେ ତଳ ଖଞ୍ଜାରେ ଶୋଇବା ଘର, ରୋଷେଇ ଘର, ଠାକୁର ଘର, ଭଣ୍ଡାର ଘର ରହିଛି ଆଠ ବଖରା | ବାଡିପଟକୁ ଧାନଘର, ଚାଷୋପକରଣ ଓ ବିହନ ରଖିବା ଘର , ଗୁହାଳ ରହିଛି | ବାଡିରେ କୂଅ ଏବଂ ପାଇଖାନା | ଚାରିପଟେ ପାଚିରୀ ଓ ବାଡିପଟ ଦଣ୍ଡାକୁ ବିରାଟ ଗେଟ୍ | ଏବେ ତ ଜମିଦାରୀ ନାହିଁ | ଯାହା କିଛି ଜମି ବାଡି ଅଛି ଓ ଏଇ ପୁରୁଣାକାଳିଆ ଘର ଖଣ୍ଡିକ | ବଡ ଭାଇ କୋରାପୁଟରେ ଶିକ୍ଷକ ଓ ଆର୍ଟ କଲେଜରୁ ପାସ୍ କରିସାରିଲା ପରେ ବିଭିନ୍ନ ଏକ୍ ଜିବିସନ୍ ପାଇଁ ପେଣ୍ଟିଂ ତିଆରିକରେ | କର୍ପୁର ଗଲାଣି ଉଡି କେବଳ କନା ପଡି ରହିଛି |
        
ଦାଣ୍ଡ ଦରଜା ଖୋଲି ଘର ଭିତରକୁ ପ୍ରବେଶ କରିବା ପୂର୍ବରୁ ପଛକୁ ଫେରି ଚାହିଁଲି | ଯୁବତୀଟି ପାହାଚ ତଳେ ଠିଆହୋଇଛି | ମୁଁ ତାକୁ ଉପରକୁ ଆସିବାକୁ ସଂକେତ ଦେଇ ମୋ ରୁମ୍ ର କବାଟ ଖୋଲି ଘରକ ଲାଇଟ୍ ଦେଲି | ଯୁବତୀ ଜଣକୁ ସେଠି ପ୍ରଥମ ଥର ଉଜ୍ଜ୍ୱଳ ବିଜୁଳି ଆଲୁଅରେ ଦେଖିଲି | ମୋ ସମ୍ମୁଖରେ ଆର୍ଦ୍ର ବସନ ପରିହିତା କୌଣସି ଶାପଗ୍ରସ୍ତା ଅପ୍ସରା ଠିଆ ହୋଇଥିଲା ନତ ମସ୍ତକରେ | ଅପୂର୍ବ ରୂପ ଲାବଣ୍ୟରେ ମୁଁ ମୋହଗ୍ରସ୍ତ ହେବା ପୂର୍ବରୁ ସଞ୍ଜତ ହୋଇଗଲି |  ତା ପାଇଁ ଶୁଖିଲା ବସ୍ତ୍ରର ବନ୍ଦୋବସ୍ତ କରିବାକୁ ପଡିବ | ତାପରେ ପୁଣି ଖାଇବା ପିଇବା ଓ ରହିବାର ସୁବନ୍ଦେବସ୍ତ | ମୁଁ ସେଠି ସେଇ ଅବସ୍ଥାରେ ତାକୁ ଛାଡିଦେଇ ତଳ ଖଞ୍ଜାକୁ ଚାଲିଗଲି | ବାପା ବୋଉ ସନ୍ଧ୍ୟା ଆଳତୀରେ ବ୍ୟସ୍ତଥିଲେ ଠାକୁର ଘରେ | ଘଣ୍ଟିର ମଧୁର ଶବ୍ଦ ସହିତ ଝୁଣା ଧୂପର ପବିତ୍ର ବାସ୍ନାରେ ସାରା ଘରଟା ମହକି ଉଠୁଥାଏ | ମୁଁ ଠାକୁରଙ୍କ ଉଦ୍ଦେଶ୍ୟରେ ନମସ୍କାର ଜଣାଇ ଭାଉଜଙ୍କୁ ଡାକ ଛାଡିଲି | ମୋର ସବୁ ଅଳି ଅର୍ଦ୍ଦଳି ଭାଉଜଙ୍କ ପାଖରେ ଯେମିତି କି ଛୋଟ ଶିଶୁର ତା ମା ପାଖରେ ଥାଏ |
        
ଭାଉଜ ରୋଷେଇ ଘରୁ ବାହାରି ଆସିଲେ ମୋ ପାଟି ଶୁଣି | ଶାଢୀ କାନିରେ ହାତ ପୋଛୁ ପୋଛୁ ମୋତେ ପଚାରିଲେ, " କଣ ହେଲା ଶୁଭ ? ପକଡି ଛାଣୁଥିଲି | ଟିକେ ବସିଥା ମୁଁ ଆଣି  ଦେଉଛି |" ମୁଁ କହିଲି " ନା ନା ! ପକଡି ପରେ ଦେବ , ଆଗେ ତୁମ ଶାଢୀରୁ ଗୋଟେ ଦେବ |" ଭାଉଜ ବୋଧେ ମୋ କଥା ଠିକ୍ ରେ ବୁଝିପାରିଲେନି | ଆଶ୍ଚର୍ଯ୍ୟରେ ମୋ ମୁହଁକୁ ଚାହିଁ ରହିଲେ | " ଓଃ....ତୁମ ଶାଢୀରୁ ଖଣ୍ଡେ ଦିଅ , ମୁଁ ପରେ ସବୁକଥା କହିବି |"  ଗୋଟାଏ ପ୍ରଶ୍ନିଳ ଚାହାଣି ମୋ ଉପରେ ନିକ୍ଷେପକରି ତାଙ୍କ ଆଲମାରୀରୁ ଶାଢୀଟେ ଆଣି ମୋ ହାତରେ ଧରେଇଦେଲେ | ମୁଁ ତାଙ୍କୁ ସେହିପରି ଅନୁସନ୍ଧିଶ୍ଚୁ ଅବସ୍ଥାରେ ଠିଆହୋଇଥିବା ଛାଡି ଶୀଘ୍ର ମୋ ରୁମ୍ ଅଭିମୁଖେ ଚାଲିଆସିଲି |ରୁମ୍ ରେ ଆସି ଦେଖିଲି ଯୁବତୀଟି ସେମିତି ଠିଆହୋଇ ମୋର ପେଣ୍ଟିଂ ଗୁଡିକୁ ନିରୀକ୍ଷଣ କରିଚାଲିଛି | " ଶାଢୀ ନିଅ ବଦଳି ପକେଇବ " | ମୋ ପାଟି ଶୁଣି ଚମକିପଡି ପଛକୁ ଚାହିଁଲା  ସେ | ମୋ ହାତରୁ ଶାଢୀଟି ନେଲା ସତ କିନ୍ତୁ ,ସେମିତି ଠିଆହୋଇ ରହିଲା | "ତମେ ଏ ଘରୁ ବାହାରକୁ ଯାଇ ତାକୁ ଶାଢୀଟା ପିନ୍ଧିବାକୁ ଦିଅ | ଝୀଅ ପିଲାଟା ତମ ଆଗରେ ଡ୍ରେସ୍ ବଦଳେଇବ ନା କଣ ?" ଭାଉଜଙ୍କ କଥା ଶୁଣି ମୋର ଚେତନା ଜାଗ୍ରତ ହେଲା | ସେ ଯେ ମୋ ପଛେ ପଛେ ଏଠିକି ଆସିଯାଇ ଛନ୍ତି ମୁଁ କେମିତି ଜାଣିବି ? ବଡ ଅପ୍ରସ୍ତୁତ ଲାଗିଲା |ତୁରନ୍ତ ସେଠୁ ପଳେଇ ଆସିଲି |
       
 ମୋ ପଛେ ପଛେ ଭାଉଜ ବି ଚାଲିଆସିଲେ | ମୋତେ ପଚାରିଲେ " ତମେ ଏସବୁ ଆମକୁ ନକହି ନିଜ ପାଇଁ ଠିକ୍ କରିସାରିଲଣି ତେବେ | ମୁଁ ସିଆଡେ ମୋ କକା ଝୀଅ ଭଉଣୀ ଚନ୍ଦ୍ରାକୁ ତମ ପାଇଁ ଠିକ୍ କରି ସାରିଛି | ତମ ଭାଇ ଓ ବାପା ବୋଉ ସମସ୍ତେ ବି ରାଜି | ହେଲେ......" ଓଃ ଭାଉଜ ! ତୁମେ କିଛି ନଜାଣି କଣ ଏସବୁ କହିଯାଉଛ ? ତାକୁ ମୁଁ ଏବେ ହିଁ ଜାଣିଲି | ତା ନାଁ ଗାଁ କିଛି ବି ଜାଣିନି | " ତାପରେ ଆମୂଳ ଚୂଳ ସବୁ ଗୋଟିଏ ଆଡୁ ବର୍ଣନା କରିଗଲି | ସବୁ ଶୁଣି ଭାଉଜ କହିଲେ, " ତମେ ଭଲକରିଛ ତାକୁ ନେଇ ଆସିଛ | ଏ ମେଘ ଅନ୍ଧାର ରାତିରେ କୁଆଡେ ଯାଇଥାନ୍ତା ଏ ସୁନ୍ଦରୀଆ ଝୀଅଟା ?  ଆହା ବିଚାରୀ କେଡେ ନିରିମାଖୀ ସତେ |ତା ବାପା ମା କେମିତିଆ ମଣିଷ କେଜାଣି |" ମୋ ମୁଣ୍ଡରୁ ବୋଝଟା ଓହ୍ଲେଇଗଲା ଭଳି ଲାଗିଲା | ମୁଁ ଜାଣିଛି , ଭାଉଜ ସବୁ ସମ୍ଭାଳିନେବେ |  ପକଡି ଦୁଇ ପ୍ଲେଟ୍ ଆଣି ଭାଉଜ କହିଲେ , " ନିଅ ! ଗୋଟିଏ ତମର ଆଉ ଗୋଟିଏ ତାକୁ ଦେଇଦେବ | ମୁଁ ଯାଉଛି ସିଆଡେ ରୋଷେଇ ଘରକୁ | ଯାହା କିଛି ଗୋଟେ ଅଲଗା ଆଇଟମ୍ ବନେଇବାକୁ ପଡିବ | ''
        
ବୋଉ ବାପା ପୁରୁଣାକାଳିଆ ରକ୍ଷଣଶୀଳ ଚିନ୍ତାଧାରାର ଲୋକ | ପୁଣି ଆମେ ବ୍ରାହ୍ମଣ ଘର | ତେଣୁ ଏସବୁ କଥାକୁ ସେମାନେ ଯେ ଏତେ ସହଜରେ ଗ୍ରହଣ କରିନେବେ ତାହା ନୁହେଁ | ତେବେ ଭାଉଜଙ୍କ ଉପରେ ମୋର ପୂର୍ଣ ଭରଷା ଥାଏ | ସେ  ସବୁକଥାକୁ ଠିକ୍ ଭାବରେ ତୁଲେଇନେବେ | ସେଇଆ ବି ହେଲା ମୁଁ ଯାହା ଭାବିଥିଲି | ବାପା ବୋଉ ଆଉ ମୁଁ ଖାଇବାକୁ ବସିଲୁ | ଭାଉଜ ପରସି ଦେଉଥାନ୍ତି | ବାପାଙ୍କ ପ୍ରିୟ ବଡି ବେଶର ଦେଇ ସେ ସଜନା ଛୁଇଁ ଆଳୁ ତରକାରୀ କରିଛନ୍ତି | ପୁଣି ବୋଉକୁ ଭଲ ଲାଗୁଥିବା ରସୁଣ ଶୋରିଷ ଛୁଙ୍କ ଦେଇ ଖଡାପତ୍ର ଭାଜିଛନ୍ତି | ବଳକା ପକଡିକୁ ଆଳୁ ସହିତ ଝୋଳ ତରକାରି କରିଛନ୍ତି ଯାହା ମୋତେ ଭଲଲାଗେ | ମୁଗଡାଲି କୁ କଟା ହୋଇଥିବା ମିଠା ଆମ୍ବ, ଗରମ ଭାତକୁ ବେଶ୍ ଜମିଯାଉଥାଏ | ଖାଉ ଖାଉ ବୋଉ କହିଲା, " ରୁନୁ ! ଆଜି କଣ ବହୁତ ପ୍ରକାର | କେତେବେଳେ ଏସବୁ ରାନ୍ଧିଲୁ  ?"  ଭାଉଜ କହିଲେ, ଆଜି ଶୁଭଙ୍କର ଜଣେ ଅତିଥି ଆସିଛନ୍ତି ତ ସେଥିପାଇଁ ଟିକେ ଅଧିକ କରିଦେଇଛି |" ବୋଉ କହଲା, ଦେଖ୍ ଶୁଭ ! ଯଦି ତୋ ସାଙ୍ଗ ସାଥୀ ଅଜାତି ହୋଇଥିବ ତେବେ ତା ବାସନ ସେ ମାଜିବ | ତାକୁ ସେଇ ବୈଠକ ଘରେ ଦେଇଦିଅ | ଖାଇସାରି ଦାଣ୍ଡରେ ନଳକୂଅ ଅଛି , ସେ ସେଇଠି ବାସନ ମାଜିଦେବ ଆଉ ଶଙ୍ଖୁଡି କରିଥିବା ଯାଗାଟାକୁ ଧୋଇଦେବ |" ମୁଁ ଜାଣିଛି ବୋଉ କଥା | ସେଥିପାଇଁ ଯେତେକ ମୋର ଅବ୍ରାହ୍ମଣ ସାଙ୍ଗ ସାଥୀ ଥାଆନ୍ତି ସେମାନଙ୍କୁ ମୁଁ ଘରକୁ ଡାକେନାହିଁ କାଳେ ସେମାନେ ଅପମାନ ଅନୁଭବ କରିବେ ବୋଲି |ବାପା କହିଲେ " ସେ କଣ  ଛୋଟ ପିଲା ହୋଇଛି ଯେ ତାକୁ ବାରମ୍ବାର ସେଇକଥା କହୁଛୁ |"     

ଭାଉଜ ସେଇ ବୈଠକଘରେ ହିଁ ଆଗନ୍ତୁକା ଯୁବତୀ ପାଇଁ ଖାଇବା ଓ ଶୋଇବାର ସବୁ ବନ୍ଦୋବସ୍ତ କଲେ | ସେ ପର୍ଯ୍ୟନ୍ତ ବାପା ବୋଉ ଆଗନ୍ତୁକା ଯୁବତୀଟି ବିଷୟରେ କିଛି ଜାଣିନାହାନ୍ତି | ମୁଁ ଭାଉଜଙ୍କୁ ଏକାନ୍ତରେ କହିଲି " କାଲି ସକାଳେ ବୋଧେ ବୋମା ଫୁଟିବ |" ସେ ଅଳ୍ପ ହସି କହିଲେ " ହଉ କଣ ହେଉଛି କାଲି ସକାଳେ ଦେଖିବା | ମୁଁ ଆଜି ରାତିରେ ସେ ଝୀଅ ଠାରୁ ସବୁ ଘଟଣା ବୁଝିଦେଉଛି |"ତମେ ବାରଣ୍ଡାରେ ପଡିଥିବା ଖଟରେ ଶୋଇପଡ | ମୁଁ ଅଗଣାକୁ ଲାଗିଥିବା ବାରଣ୍ଡାରେ ପଡିଥିବା ଖଟରେ ମଶାରି ଟାଣି ଶୋଇଲି |  ବହୁତ ରାତି ପର୍ଯ୍ୟନ୍ତ ଯୁବତୀଟି ବିଷୟରେ ଚିନ୍ତାକରି କରି ବିଳମ୍ବରେ ନିଦହେଲା |

ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା

0 Comments