ରଜ ମଉଜ - ନାରାୟଣ ଚନ୍ଦ୍ର ସେନାପତି

ରଜ ମଉଜ - ନାରାୟଣ ଚନ୍ଦ୍ର ସେନାପତି

ଆଷାଢ଼ର ପହିଲି ବୁନ୍ଦା ଯେବେ ପଡେ ରତ୍ନଗର୍ଭାର ଗର୍ଭରେ
ରଜସ୍ଵାଳା ଧରାଣୀଟା ଉତ୍ଫୁଲ୍ଲିତ ହୋଇଉଠେ
ଆନନ୍ଦରେ ସଭିଏଁ ପାଳନ୍ତି ମହୋତ୍ସବ
କରନ୍ତି ରଜ ମଉଜ,,,,
କୁମାରୀଏ ସହୃଦୟେ ନ ଦେବାକୁ ପାଦର ଆଘାତ
ପିନ୍ଧନ୍ତି କଦଳୀ ପଟୁଆର ପାଦୁକା ତିନି ଦିନ
ଖେଳନ୍ତି ପୁଚି,ଲୁଚକାଳି,ରଜଦୋଳି
କଳରେ ଜାକି ମିଠା ଖିଲିପାନ
କରି ଓଠକୁ ସାଧବ ବୋହୁ ପୋକପରି କେତେ ନାଲି।

ରଜମଣ୍ଡାଟା ଚାହିଁଥାଏ ଆମ ଦାନ୍ତର କୋମଳ ସ୍ପର୍ଶ
ଗାଁ ଗୋଠ ନଦୀପଟା ପଡିଆ
ଚୁପ କରି ଡାକେ ଖେଳିବାକୁ କବାଡି
ଆଉ ମଣ୍ଡପ,କ୍ଳବ ଉଚ୍ଚ ପିଣ୍ଡା ମାନେ
ତାଳି ମାରି ନାଚନ୍ତି ତାସ ପଶା ମାଡ଼ରେ
ଦୋଳି ମୁଣ୍ଡରୁ ଭାସି ଆସେ
ବନସ୍ତେ ଡାକିଲା ଗଜର ମଧୁର ଧ୍ଵନି
କାଚ କଉଡ଼ି କି ଲୁଡୁଖେଳ ମାନେ ଟାଣି ଆଣି
ଶିଶୁଙ୍କୁ କରନ୍ତି କେତେ ଯେ ଉନ୍ମାଦ
ହଳଦୀପତ୍ରର ବାସ୍ନା ଆଉ ହଳଦୀ କାଠୁଆର ମହତ୍ତ୍ୱ
ସରାଗେ ଖୋଜୁଛି ଅଙ୍ଗର ଆଲିଙ୍ଗନ ।

ଆଜି ଖାଲି ଅତ୍ୟାଧୁନିକ ପୋଷାକଗୁଡା
ଖୋଜୁଥାନ୍ତି କୋମଳ ଦେହର ସ୍ପର୍ଶ
ସ୍ବପ୍ନ ହୋଇଛି ପାଣିବୁହା 
ବସୁମତି ସ୍ନାନ କରୁଛନ୍ତି ନିଦାଘର ତାପରେ
ମିଥୁନ ସଂକ୍ରାନ୍ତିଟା ଖାଁ ଖାଁ ଲାଗୁଛି ସୌର ମାସର ଆରମ୍ଭରେ
ବର୍ତ୍ତମାନ ଭବିଷ୍ୟତ ଗୁଡାକ ଦୁଃସ୍ବପ୍ନ ହୋଇ
ଅତୀତକୁ ଅତୀତ କରିଦେଲେଣି ପରମ୍ପରା
ଆତ୍ମହତ୍ୟା ଦେବାକୁ ଧମକ ଦେଲାଣି ସଂସ୍କାର
ଆଉ ଓଡ଼ିଆ ସଂସ୍କୃତିଟା ଦେଖୁଛି ପାଶ୍ଚାତ୍ୟ ସଭ୍ୟତାର ନଗ୍ନ ରୂପ
କେବଳ ଉପରେ ଲେପି ବୈଦିକତାର ବାସଯୁକ୍ତ ଦୁର୍ଗନ୍ଧ ଅତରର ପ୍ରଲେପ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments