ଜୀବନ !
ରଜ ଦୋଳି ଭଳି
ଟିକେ ଆଗକୁ, ଟିକେ ପଛକୁ
କେତେବେଳେ ଆକାଶ କୁ ଛୁଇଁବାର ଦୁର୍ବାର ଅଭିପ୍ସା
ତ ବେଳେବେଳେ କଚାଡି ପଡିବା ର ଭୟ
ଠିକ କାଠ ଘୋଡ଼ା ପରି
ଖାଲି ଦୋହଲିବାର ଅଭିନୟ ।

ଏଇତ ଜୀବନ !
ଗ୍ରୀଷ୍ମ ର ଅଂଶୁଘାତ ରୁ ବର୍ତ୍ତି ପାରିଲେ
ଶ୍ୟାମଳିମା
ବର୍ଷା ର ଅମୃତ ସ୍ପର୍ଶରେ
ଶୁଷ୍କ ମରୁ ରେ ବି କଅଁଳେ ଘାସ ।

ରଜ !
ଏକ ବିଶ୍ୱାସ,
ଏକ ଆଶ୍ୱାସନା,
ନୂତନ ସୃଷ୍ଟି ର ସମ୍ଭାବନା
ରଜସ୍ୱଳା ଧରଣୀ ର ଅଭିଷେକ
ନବ ଆଶା ର ସଞ୍ଚାର
କୃଷକ ର,
ତରୁଣୀ ର,
ନବ ବଧୂ ର ।

ରଜ !
ଜୀବନ ଯାତ୍ରା ର ଏକ ବିରାମ ସ୍ଥାନ
କ୍ଳାନ୍ତି ଟିକେ ମେଣ୍ଟି ଗଲେ
ଆଗକୁ ବଢ଼ିବାର ଅଫୁରନ୍ତ ମନୋବଳ
ଜୀବନ ର ଜୟକାର ଛକେ ଛକେ ।

ରଜ !
ଏକ ନିର୍ଭର ପ୍ରତିଶ୍ରୁତି
ପ୍ରକୃତି ର ଅନୁପମ ରହସ୍ୟ
ଗ୍ରୀଷ୍ମ ପରେ ବର୍ଷା ନିଶ୍ଚୟ ଆସିବ ।

ଜୀବନ ଜୀଇଁବାକୁ
ଭାଇଚାରା ଲୋଡ଼ା
ମୁଁହ ମିଠା କରିବାକୁ ହେବ
ପୋଡ଼ ପିଠା ର ସ୍ଵାଦରେ
ବୈର କୁ ଏଡ଼ାଇ
ସ୍ନେହ ପ୍ରେମ ର ନୂଆ ବସନ ଟେ
ପିନ୍ଧି ବାକୁ ହେବ
ଗାଇବା କୁ ହେବ
ପ୍ରେମ ର ସଙ୍ଗୀତ
ରଜ ଦୋଳି ଗୀତ ପରି।

ବାହୁ ବଳ ରେ, ରଣ କୌଶଳ ରେ
ହରାଇ ବାକୁ ହେବ
ଅହଂ, କ୍ଷୁଧା, କୁସଂସ୍କାର
ଦଳ ବାନ୍ଧି
ବାଗୁଡି ଖେଳ, ପଶା ପାଲି
ମାଧ୍ଯମ ମାତ୍ର।

ପାଟି ର ଆମ୍ବିଳ ବାସ୍ନା କୁ ହରି
ସୁବାସିତ ଖିଲି ପାନ ସ୍ଵାଦରେ
ଝଙ୍କୁରିତ ହେବ
ମଧୁର ବିନୟ ବଚନ ।

ଏଇତ ରଜ !
କୁଆଁରୀ ମନ ର ସ୍ବପ୍ନ
ଆଖିରେ କଜଳ, ପାଦରେ ଅଳତା
ନାଚୁ ଥାଏ ମୟୂରୀ ଟେ ଭଳି
ଦେହେ ତାର ଭିଜା ଭିଜା ପ୍ରେମ ର ଶିହରଣ
ଆସିବ ରାଜକୁମାର
ସାତ ନଈ ତେର ଦରିଆ ଡେଇଁ।

ଏଇ ଯେମିତି ମେଘ...
କାହା ଇଙ୍ଗିତରେ କି ଆକର୍ଷଣ ରେ
ଧାଇଁ ଆସେ ଆକାଶ ର ବୁକୁ ଚିରି
ମାଟି ସହ ମିଶିବା ପାଇଁ
ପାଲଟେ ଚିରନ୍ତନୀ ସ୍ରୋତସ୍ୱିନୀ
ଲମ୍ବି ଯାଏ ଜୀବନ ଧାରା ଟିଏ
ପର୍ବତ ଶିଖର ରୁ
ସାଗର ର ଗଭୀର ବକ୍ଷ ଦେଶ ଯାଏ।

ରଜ ଏକ ପର୍ବ ନୁହେଁ
କଳ କଳ ଛଳ ଛଳ ଝରଣାର ସୁଅ ଟିଏ
ଗାଉ ଥାଏ ଜୀବନ ର ସ୍ୱର
ଗ୍ରାମ୍ୟ ଜୀବନ ର ଅମୃତ ମଲ୍ଲ୍ହାର
ଓଡ଼ିଆ ଙ୍କ ଐତିହ୍ୟର ଗାଥା
କୃଷକ ର ହୃଦୟର ବ୍ୟଥା ।

ବରଗଛ, ଆମ୍ବ ତୋଟା
ଖିଲି ପାନ,ପୋଡ଼ ପିଠା
ରଜ ଦୋଳି, ପଶା ପାଲି
ଯିଏ ଯାଇ ଅଛି ଭୁଲି
ସିଏ ନିଶ୍ଚେ
କଂକ୍ରିଟ୍ ମଣିଷ !!! 

Writer's Details: ଶ୍ରୀ ଅଭୟ କୁମାର ପ୍ରଧାନ
ଶିକ୍ଷକ, ଗଣିଜାଙ୍ଗ, ବନ୍ତ, ଭଦ୍ରକ ମୋ- 9437953730
Content Category:
Submission Date: Jun 14, 2019