ସରିଗଲା ଗ୍ରୀଷ୍ମ ଛୁଟି
ବରଷକେ ହୁଏ ସିଏ ସାଥୀ
କୋହରେ ବତୁରି ଉଠେ ହୃଦୟ
ତା ସହ ନିଛାଟିଆ ଖରାବେଳ
କେତେ ପ୍ରାଣମୟ
ଥିଲା ସତେ
କେତେ ମୋର ପ୍ରିୟ ।

ସବୁଠାରୁ କଷ୍ଟ ଲାଗେ
ଗ୍ରୀଷ୍ମ ଛୁଟି ଖୋଲିଗଲା ପରେ
ମନେପଡେ ସ୍କୁଲରେ,
ଦ୍ବିପହର ଶୋଇବାର ବେଳ
ଅବଶ ଶରୀର ଓ
ମୋ ପ୍ରିୟ ଚଟାଣ
ନିଦ୍ରାରେ ଅଭ୍ୟସ୍ତ ଆଖିଟା
ଲାଗିଯିବା ବେଳେ
ପୁଣି ପ୍ରକୃତିସ୍ଥ ହେଉଥାଏ ବାରମ୍ବାର
ସତରେ ମୋ ପ୍ରିୟ ଗ୍ରୀଷ୍ମ ଛୁଟି
କେତେଯେ ନିଜର
ସ୍କୁଲ୍ ରେ ତ ପାଠ ଆଉ ପାଠ
କାହିଁ ନିଦ୍ରା କାହିଁ ଅବସର ?

କିଛିଦିନ ପରେ
ସବୁ ହୁଏ ଠିକ୍ ଠାକ୍
ଅଭ୍ୟାସରେ ପଡିଯାଏ
ଗତିଶୀଳ ଜୀବନଟା
ସ୍ବାଭାବିକ୍ ଭାବରେ
ପୁଣି ସେଇ
କୁନି କୁନି ପିଲାଙ୍କର ମେଳ,
ପିଲାଙ୍କ ମୁଣ୍ଡରେ ପାଠକୁ
ପଶେଇବାର ଭୋକ
ଭିତରେ ହଜିଯାଏ ଜୀବନ
ଶୃଙ୍ଖଳାରେ ବନ୍ଧା
ସମୟ ସୁଅରେ
କାହିଁ ଆଉ ବେଳ ??

କର୍ମମୟ ଜୀବନ ମନ୍ଦିର
ସେଇ ବିଦ୍ୟାଳୟ
ଶିଖାଇ ଦିଏ
ଶ୍ରମ ହିଁ ମୂଳମନ୍ତ୍ର
ଲେଖା ଅଛି ଆମ ହାତେ
କୁନି କୁନି ପିଲାଙ୍କର
ଭବିଷ୍ୟତ ଭାଗ୍ୟ,
ସେମାନଙ୍କୁ ପ୍ରାଣଭରି
ଗଢିବାର ପଣ
ଜୀବନକୁ କରେ ଉପଭୋଗ୍ୟ ।

ପୁଣି ଅପେକ୍ଷା ଗୋଟିଏ ବର୍ଷର
ସେ ପୁଣି ଭେଟିବ
କେତେ ସ୍ମୃତି ଅନୁଭୂତି ନେଇ
ବିଗତ ଦିନର
କେତେ ମିଠା କଥା,
କେତେ ଯେ କବିତା ଲେଖାର
ଆସର ଜମିବ,
ହେ ପ୍ରିୟ ଗ୍ରୀଷ୍ମ
ତମ ଆତପ ଭିତରେ ବି
ଭର୍ ପୁର୍ କେତେ ଯେ ଆନନ୍ଦ
ତୁମପାଇଁ ହୃଦୟରେ ଆଜି
ଅନେକ ଆବେଗ....
ଦେଉଛି ବିଦାୟ
ଆସିବାକୁ ଭୁଲିବନି
ମନେ ରଖିଥିବ ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି , ହାଟଡିହି, କେନ୍ଦୁଝର ।
Content Category:
Submission Date: Jun 17, 2019