ଅଫୁଟା ଏ ମନ ଚାହେଁ
ଚାଲିବାକୁ ତୁମ ସାଥେ କିଛି ବାଟ
ମୁଣ୍ଡ ରେ ମୁଣ୍ଡେଇ
ଜାଙ୍ଗୁଲିଏ
ମଧୂର ପାପ ର ପଙ୍କିଳ ହାଟ..
ସେ ହାଟ ଥିଲା କାହାର..??
ସେ ବାଟ ନିଜ ଇଛା ର ନା
ଆଉ କାହା ଖୁସି ର..??
କିଏ ବା ଜାଣିଛି..
ଅବା
ଅତୀତ ଟା ନିରୋଳା ରେ
କହୁଥିଲା କିଛି..
ହେଲେ..
କିଏ ସେ କହିଛି ପରା
ଅତୀତ ଅଣଲେଉଟା ସପ୍ତଫେଣି କଣ୍ଟା ..
ଯାହା..
ହୃଦୟ ଆବେଗ ବଢାଏ ଦେହ ର ଉଷୁମ..
ପଥର ଛାତି ଜଳାଏ ନରମ କୁସୁମ..
ଲେଉଟି ଗଲେ ବଦଳି ଯିବ
ପ୍ରକୃତି ର ମାନଚିତ୍ର ଆଖି ତଳ ଭୟ..
ସବୁ ମଣିଷ ର ଖୋଲିଯିବ
ଅସଲ ଚେହେରା ଆଉ ମୁଖା ପିନ୍ଧା
ଭେଜାଲ ପରିଚୟ..
ନଥିଲା ସେ ସତ୍ ସାହସ କି
ବୋହିବାର ଧୈର୍ଯ୍ୟ
ସେ ଲାଗି ବିଶ୍ୱାସ ର ବନ୍ଧ ଭାଙ୍ଗିଥିଲା
ଅଦିନିଆ ବିଶ୍ବାସଘାତକତା  ଘୂର୍ଣ୍ଣିଝଡ ରେ..
ଆଉ..
ଯୁଗ ଯୁଗ ଧରି ମାଟି ମଞ୍ଜୁଷା  ହିଁ ବୋହିଥିଲା
କବଚ କୁଣ୍ଡଳ ଧାରୀ କର୍ଣ୍ଣ ର ଶରୀର..
ସେଦିନ ସେ ଲଗ୍ନ
ମଙ୍ଗଳମୟ ଥିଲା ନା ଅଭିଶପ୍ତ ଥିଲା.
ପବିତ୍ର ପାପ ର ପୂଣ୍ୟଭୂମି
ପବିତ୍ର ହେଲା ନା ଅପବିତ୍ର ହେଲା..
ସେ କଥା ସେ ଅତୀତ ହିଁ ଜାଣେ..
ହେଲେ..
ଫସଲ ତ ଫଳିଥିଲା
ଲାଲ୍ ଟହଟହ ପଳାତକ ସୂର୍ଯ୍ୟ ର..
କାମନା ର ନିଆଁ ନିଜେ ନିଜେ ଜଳୁଥିଲା
ଆଉ ଜାଳୁଥିଲା..
ଧର୍ମ-ଅଧର୍ମ,ଜାତି-ଅଜାତି ,ପାପ-ପୂଣ୍ୟ,
ଛୁଆଁ-ଅଛୁତି,ବୈଧ-ଅବୈଧ,ନୀତି-ଅନୀତି
ଧରିତ୍ରୀ ର ସମଗ୍ର ବଖରା..
ଆଉ ଡେଇଁ ଯାଉଥିଲା 
ସଂସ୍କାର ର ମେଘନାଦ ପାଚେରୀ..
ଖୁବ୍ ଦମ୍ଭ ଖୁବ୍ ସାହସ ରେ..
କିନ୍ତୁ..
ପୂଣ୍ୟ ଭୂମି ର ସେ ପାପ ଫଳ..
ବଦଳାଇ ଦିଏ
ମୁଖା ପିନ୍ଧା ମୁହଁ ର ରଙ୍ଗ..
ଫିକା କରିଦିଏ
ଲିପ୍ ଷ୍ଟିକ ଲଗା ବହଳ ଲେପ ର ଅସ୍ତିତ୍ବ
ଜୀବନ ଚାଲିବାର ଅଙ୍କା ବଙ୍କା  ଦିଗ..
ଖୋଲିଦିଏ
ମିଥ୍ୟା ଆଭିଜାତ୍ୟ ର ଆଭୂଷଣ
ପୁରୁଷ କୁ କରେ କାପୁରୁଷ..
ଆଉ କାଢିବସେ
ପ୍ରେମ ପରିଭାଷା ର ଭିନ୍ନ ଅର୍ଥ..
ସେ ପାଇଁ ତ
ଆଲୋକ ମାଳା ର ନଗରୀ ରେ
ରାସ୍ତା କଡ ବତୀ ଛାଇରେ ମୁଣ୍ଡ ଗୁଞ୍ଜେ
ପାପ ଭୁଇଁ ର ଉଜୁଡା ଶରୀର ..
ଆଉ ସେ ପାପି
ଆଉ କା ପଣତ ତଳେ ନିଜର ଇଛା ଲୁଚେଇ 
ଅନାୟାସ ରେ ମୁକ୍ତି ପାଏ..
ଖୁବ୍ ଶୀଘ୍ର ଆଉ ଖୁବ୍  ସହଜରେ..
ହେଲେ
ସେ ପବିତ୍ର ପାପ ର ଫଳ..??
କାମନା ନିଆଁ ର କୋମଳ ସୃଷ୍ଟି..??
ଜାତି-ଧର୍ମ-ପାପ-ପୂଣ୍ୟ ର ନୀତି ନୀୟମ ଜଞ୍ଜିର
ଖୋଲି ପାରେ ନାହିଁ ..
ପାପ ର ପଙ୍କ ପାଦେ ବୋଳିହେଇ
ମୁଣ୍ଡ ଟେକି ଚାହିଁ ପାରେନାହିଁ..
ବଡ ବିଚିତ୍ର ଏ ବିଦ୍ୟା..
ଆଉ ବିଚିତ୍ର
ପୁରୁଷ ର ଏ ଦୁଇଟି ରୂପ..
ଗୋଟିଏ ପଲା ରେ ପବିତ୍ର ପ୍ରେମ
ଆଉ ଅନ୍ୟ ଟିରେ ପବିତ୍ର ପାପ..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର