ମାନବ ସେବା - ସୂର୍ଯ୍ୟମଣି ମାଝୀ

ମାନବ ସେବା - ସୂର୍ଯ୍ୟମଣି ମାଝୀ



ଶୋଇଣ ଶେଜରେ ନିଘୋଡ଼ ନିଦରେ 
ଦେଖୁଥିଲା ଆର୍ଯ୍ୟ ସପନ ,
ଆସିଥିଲେ ଜଣେ ସରଗର ଦୂତ
ଆକର୍ଷକ ତାଙ୍କ ବସନ ୲୧ ୲
ଏକ ହାତେ ଥିଲା ସୁନ୍ଦର ଲେଖନୀ
ଅନ୍ୟ ହାତେ ଏକ ତାଲିକା ,
ଆର୍ଯ୍ୟ ପଚାରିଲା କିସ ଲେଖୁଅଛ
ବୁଝାଇ କୁହ ମୋତେ ଏକା ୲୨ ୲
ଉତ୍ତରଟି ଥିଲା ଆଗନ୍ତୁକଙ୍କର
ମାନବଙ୍କ ଚିଠା ଅଟଇ ,
ଈଶ୍ଵରଙ୍କୁ ଭଲ ପାଉଥିବା ନର
କ୍ରମରେ ଲିଖିତ କରଇ ୲୩ ୲
ସପନରେ ଆର୍ଯ୍ୟ ଖୋଜି ଚାଲିଥିଲା
ନିଜର ନାମକୁ ସେଠାରେ ,
ନାମଟି ନ ପାଇ ଅନୁରୋଧ କରେ
ମୋ'ନାମ ଲେଖନ୍ତୁ ଶେଷରେ ୲ ୪୲
ବନ୍ଧନୀରେ ଲେଖ ଈଶ୍ଵରଙ୍କଠାରୁ
ମଣିଷକୁ ଭଲ ପାଏ ମୁଁ ,
ମାନବ ସେବାରେ ଆଗ୍ରହ ଅଧିକ
ଦୁଃଖ କଷ୍ଟ ବେଳେ ଥାଏ ମୁଁ ୲ ୫୲
ତହିଁ ପରଦିନ ସେହି ଦେବଦୂତ
ପୁଣି ହୋଇଥିଲେ ପ୍ରକଟ,
ନଥିଲା ହାତରେ ଲେଖନୀ ତାଙ୍କର
କେବଳ ଥିଲା ଚିତ୍ରପଟ୍ଟ ୲ ୬୲
ଆର୍ଯ୍ୟକୁ କହିଲେ ଆସତୁ ଦେଖିବୁ
ପ୍ରିୟଜନ ଈଶ୍ଵରଙ୍କର ,
ଚକିତ ହୋଇଲା ଦେଖି ନିଜ ଚିତ୍ର
ପ୍ରଥମ ପ୍ରିୟ ସେ ପ୍ରଭୁର ୲ ୭୲
ଏଭଳି ସପନ ବାସ୍ତବେ ମହାନ
ମନେ ମନେ ଭାଳି ହୋଇଲା,
ମାନବ ସେବାହିଁ ମହତ କରମ
ଏକଥାଟି ସତ୍ୟ ଭାବିଲା ୲ ୮୲ 

Writer's Details: ସୂର୍ଯ୍ୟମଣି ମାଝୀ, ଲାଠିପଡ଼ା, ନୟାଗଡ଼
Content Category: କବିତା
Submission Date: May 30, 2019

0 Comments