କ୍ଷୁଦ୍ରଗଳ୍ପ - ଖିଆଲି ମଣିଷ ର ପ୍ରେମ - ଶିବ ଚରଣ ମହାପାତ୍ର

କ୍ଷୁଦ୍ରଗଳ୍ପ - ଖିଆଲି ମଣିଷ ର ପ୍ରେମ - ଶିବ ଚରଣ ମହାପାତ୍ର

 
ଜ୍ୱୋତ୍ସା ର ଗୋଲାପ ପାଖୁଡା ନରମ ଓଠ ର ମଧୂଝରା ଦୃଷ୍ଟାମି ନ ଉଦିତ ହେବା ଯାଏଁ ଶେଖର ର ଦିନ ଯେମିତି ଆରମ୍ଭ ହୁଏନି । ଆଉ ସବୁଥର ପରି ଏଥରକ ବି ଜ୍ୱୋତ୍ସା ଅସଜଡା ଶେଜ , ଇତସ୍ତତଃ ମେଘମାଳା କେଶ , ଅସଂଜତ ଶରୀର  ସଜାଡୁ ସଜାଡୁ ରକ୍ତିମ ଅଧର ରେ ଫାଳେ ହସ ଫିଙ୍ଗି ଦେଇ କହିଲା ,-"ଯାଅ ମ..ମୁଁ ଦେଖୁଛି ଦିନ କୁ ଦିନ ତୁମ ପ୍ରେମ ,ତୁମ ହୃଦୟ ପିଲାଳିଆମି କରି ବସୁଛି .."
-"ହଁ..କରନ୍ତାନି କି..ୟେ ଦିଲ୍ ତୋ ବଚ୍ଚା ହେ ଜୀ .."
ଏତକ କହି ପୁନର୍ବାର ଶେଖର୍ ନିବିଡ ଭାବରେ ଜ୍ୱୋତ୍ସା କୁ ନିଜ ବାହୁ ବନ୍ଧନ ରେ ଜାବୁଡି ଧରି ଶ୍ୱେତ ନାରଙ୍ଗି  ଶତଦଳ ପାଖୁଡା ଗଣ୍ଡ ରେ ଗାଢ୍ ଚୁମ୍ବନ ଟିଏ ଆଙ୍କିଦେଲା । ସତେ କି ଆକାଶ ର ଅନିଚ୍ଛା ସତ୍ତ୍ବେ ଉଲଗ୍ନା ଉଲକା ଖଣ୍ଡେ ଖସିଗଲା ବନ୍ଦ କୋଠରୀ ର ଅର୍ଦ୍ଧ ନଗ୍ନ ଜ୍ୱୋତ୍ସା ର ସାରା ଶରୀର ରେ । ସେ ରୋମାଞ୍ଚିତ ହୋଇ ଉଠୁ ଉଠୁ କହିଲ-"ଶେଖର୍  ,ଆମ ଲିଭ୍ ଇନ୍ ରିଲେସନ୍ସ କୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ତୁମେ କେବେ ମୋତେ ବିବାହ କରିବାକୁ ଇଚ୍ଛା କରୁନ..ତେବେ କଣ ତୁମେ ଏ ସମ୍ପର୍କ କୁ ଭିନ୍ନ ଏକ ନାଁ ଦେବାକୁ ଚାହୁଁଛ..??
-"ଆରେ କିଏ କହିଲା ଆମ ସମ୍ପର୍କ ର ଭିନ୍ନ  ଏକ ନାମ ଦିଆଯାଇପାରେ ..??
ଆଛା କହିଲ  ,ତୁମକୁ ମୋର ସବୁଦିନିଆ ପ୍ରେମ ଦରକାର ନା ଏଇ ଦିନିକିଆ..??
-"ଇଏ କେମିତିକା ପ୍ରଶ୍ନ ..??"
-"ଆରେ କୁହନା, ପ୍ଲିଜ୍.."
-"କେବଳ ମୁଁ ନୁହେଁ ଦୁନିଆ ର ସମସ୍ତ ଝିଅ  ତାଙ୍କ ମନର ମଣିଷ ପାଖରୁ ସାରା ଜୀବନ   ର ଭଲପାଇବା ହିଁ ଚାହାଁନ୍ତି .. ଆଉ ମୁଁ ବି ଚାହୁଁଛି.."
-"ତେବେ ତ ମୁଁ ସେ ସୁଖ ରୁ ତୁମକୁ ବଞ୍ଚିତ କରିବା ହିଁ ଶ୍ରେୟସ୍କର ମଣିବି .. ଜ୍ୱୋତ୍ସା  , ତୁମେ ଭଲଭାବରେ ଜାଣିଛ ମୁଁ ଗୋଟିଏ ଖିଆଲି ମଣିଷ .. ମୋ ଭାବନା ,ମୋ କଳ୍ପନା ,ମୋ ପ୍ରେମ   ,ମୋ ସ୍ୱପ୍ନ ସ~ବୁ ମୋ ଜୀବନ ପୁସ୍ତକରେ ଲେଖା ଯାଇଥିବା  ଗୋଟିଏ ଗୋଟିଏ ଛନ୍ଦହୀନ କବିତା .. ତାକୁ ତୁମେ ପଢିପାର..ଦଳି ମକଚି ହଜମ୍ ବି କରିପାର  ହେଲେ ବୁଝିବା ଖୁବ୍ କଷ୍ଟକର .. ମୁଁ କେତେବେଳେ କେଉଁ ଆକାଶ ର ସୂର୍ଯ୍ୟ ହେଇ ଯାଉଛି ତାହା ମଧ୍ୟ  ମୋତେ ଅଜଣା ..ଏ ଯାଯାବର ସ୍ୱପ୍ନ ବିଳାସୀ ମଣିଷ ଟିକୁ ତୁମେ କଣ କେବେ ତୁମ ପ୍ରେମ ପଣତ ରେ ବାନ୍ଧି ରଖିପାରିବ..??
ସେସବୁ ଭୁଲିଯାଅ ଜ୍ୱୋତ୍ସା ..ଏମିତି ଆମେ ଖୁବ୍ ଖୁସିରେ ଅଛେ..ପାରିବ ତ ଆଉ କାହା ସହିତ ଖୁସି ରେ ସଂସାର କରିନିଅ "।
-"ଖୁସି..?? ଶେଖର୍ ତୁମେ କହି ପାରିବ ଖୁସି କ'ଣ..?? ସିଏ କେଉଁ ଗଛର ଫଳ..?? ତୁମେ ବୁଝି ପାରିବନି ଶେଖର୍ ..ଜଣେ ମନର ମଣିଷ ପାଖରେ କୁମାରୀ ଜୀବନ ର ସର୍ବସ୍ଵ ସମର୍ପଣ କରି ସାରିବା ପରେ ଆଉ କଣ ବାକି ଅଛି ଯେ ତାକୁ ନେଇ ବଞ୍ଚିବି ..?"
-"ସ୍ୱପ୍ନ ... ହଁ ଜ୍ୱୋତ୍ସା ..ଯେମିତି ତୁମେ ଡ୍ୟୁଟି ଚାଲିଗଲା ପରେ ମୁଁ ସ୍ୱପ୍ନ ମାନଙ୍କ ସହିତ କଥା ହୁଏ..ଖେଳେ..ବସେ ଉଠେ ହସେ କାନ୍ଦେ..ସବୁକିଛି ତ ସ୍ୱପ୍ନ ର ଅବଦାନ.. ଯାହା କ୍ଷଣିକ ଜୀବନ ରେ ଅଫୁରନ୍ତ ସୁଖ ର ସମ୍ଭାର ଠିଆ କରିଦିଏ .. ତୁମେ ସେଇ ସ୍ୱପ୍ନ ର ସାହାରା ରେ ବଞ୍ଚିଯିବ.."
                ସେଦିନ ସେଇ ଅସଜଡା କୋଠରୀ ଠିକ୍ ସେମିତି ଅସଜଡା ହେଇ ପଡି ରହିଲା ଆଉ ଏକ ଅସଜଡା ସମ୍ପର୍କ ନେଇ ଜ୍ୱୋତ୍ସା ଚାଲିଯାଇଥିଲା ଏକ ମୁହାଁ ହୋଇ..ତାପରଠୁ  ସେ କେବେ ପଛକୁ ଫେରି ଚାହିଁନି..। ୟା ଭିତରେ କେତେ ଯେ ଲୁହର ଶ୍ରାବଣ , କେତେ ରଙ୍ଗ ହୀନ ଫଗୁଣ , କେତେ ବିଦୀର୍ଣ୍ଣ ବସନ୍ତ ଚାଲି ଗଲାଣି ଜ୍ୱୋତ୍ସା ର ସ୍ମୃତି ମଲାଟ  ଠିକ୍ ରେ ହିସାବ୍ ରଖିନି ।ସେଦିନ ହଠାତ୍ ଏମରଜେନ୍ସି କେସ୍ ଟିଏ ପାଇଁ ସମସ୍ତ ଡାକ୍ତର ଙ୍କୁ  ଅପରେସନ ଥିଏଟର କୁ ଡାକରା ଆସିଲା । ତରତର ହୋଇ ଓ:ଟି ରେ ଯାଇ ଜ୍ୱୋତ୍ସା ଯାହା ଦେଖିଲା ତା ପାଦ ତଳୁ ମାଟି ଖସେଇଦେବା ପାଇଁ ବିଶେଷ ସମୟ ଲାଗିଲାନି..। ହଁ..ଆପଣ ଯାହା କଳ୍ପନା କରୁଛନ୍ତି ଠିକ୍ ସେଇଆ ହିଁ ଘଟିଥିଲା ..ଗୋଟିଏ ରୋଡ୍ ଆକ୍ସିଡେଣ୍ଟ ରେ ଶେଖର୍ ର ରକ୍ତ ଜୁଡୁବୁଡୁ ଶରୀର ଟା ଷ୍ଟ୍ରେଚର ଉପରେ ଶୋଇଥାଏ । ଦରଦି ସ୍ୱପ୍ନ  ବିଳାସୀ  ଆଖି ଦୁଇଟା ବନ୍ଦ କରିବା ଆଗରୁ ଜ୍ୱୋତ୍ସା ର ପୋଟଳ ଚିରା ଢଳ ଢଳ ଆଖି ଦୁଇଟି ରେ ଅସରାଏ ଶ୍ରାବଣ ବର୍ଷା ର ଦଳକାଏ ଲୁଣି ପାଣି ର ବନ୍ୟା କୁ ଆଣିଦେଇଗଲା। ଶେଖର୍ ବିରାମ ଦେଇଦେଲା ହରଦମ୍  ସ୍ୱପ୍ନ ଦେଖା ଆଖି ଦୁଇଟିକୁ..। କିନ୍ତୁ ସେ ମୁଦ୍ରିତ ନୟନ ରେ ମଧ୍ୟ ଦେଖି ପାରୁଥିଲା ମେଡିକାଲ ନର୍ସ ମାନଙ୍କର ତୋଫା ଧୁବ ଫରଫର ଡ୍ରେସ ଭିତରେ ନିଜ ମର ଶରୀର ପାଇଁ ତୟାର ହେଉଥିବା କଫିନ ବକ୍ସ । ଜ୍ୱୋତ୍ସା ର ଆତ୍ମା ଆଉ ସମଗ୍ର ଶରୀର ସେଦିନ ସାବିତ୍ରୀ ର ସାଧନା ରେ ବ୍ରତୀ ହୋଇ ଶେଖର୍ ର ଜୀବନ ଫେରାଇ ଆଣିବାକୁ ଯୋଗିନୀ ପାଲଟି ଯାଇଥିଲେ । କଇଁ କଇଁ କାନ୍ଦି  ଜ୍ୱୋତ୍ସା କହୁଥିଲା ,-" ତୁମକୁ କେତେଥର କହିଛି , ସ୍ୱପ୍ନ ସବୁ ବନ୍ଦ କୋଠରୀ ର ଚାରି କାନ୍ଥ ଭିତରେ ଡେଣା ଝାଡି ଉଡିଲେ ଭଲ ,ସେମାନେ ଯେତେବେଳେ ରଙ୍ଗୀନ ଦୁନିଆ ଦେଖନ୍ତି ତାଙ୍କ ପାଦ ଭୁଇଁ ରେ ଲାଗେନି ..ଆଉ ଭୁଇଁ ରୁ ପାଦ ଛାଡି ଉଡୁଥିବା ସ୍ୱପ୍ନ ମାନେ ଏମିତି ଅବେଳରେ ଝୁଣ୍ଟି ପଡନ୍ତି "ହେଲେ ତୁମେ କଣ ସେତକ ବୁଝିବ ..??"
ହୁଏତ ଜ୍ୱୋତ୍ସା ଆଗରୁ ହିଁ ସାବିତ୍ରୀ ଥିଲା । କିନ୍ତୁ ଶେଖର୍ ସତ୍ୟବାନ୍ ନଥିଲା । ଦୀର୍ଘ ଅଠର ଘଣ୍ଟା ର ବ୍ୟବଧାନ ପରେ ଶେଖର୍ ଆଖି ଖୋଲି ଦେଖେ ତ ଝର୍କା ସେପାଖ କଅଁଳ ସୂର୍ଯ୍ୟ କିରଣ  ରେ ରାତି ର ସ୍ୱପ୍ନ ସବୁ ଡେଣା ଝାଡି ଅଳସ ଭାଙ୍ଗୁଥିଲେ  ।ଆଉ ସେ ଫେରୁଥିଲା ସ୍ୱପ୍ନ ଦୁନିଆ ରୁ ଏଇ ବାସ୍ତବ ଦୁନିଆ କୁ..।

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

0 Comments