ଜୟ ନାରାୟଣ ଜୟ ନାରାୟଣ - ରମେଶ ଚନ୍ଦ୍ର ମିଶ୍ର

ଜୟ ନାରାୟଣ ଜୟ ନାରାୟଣ - ରମେଶ ଚନ୍ଦ୍ର ମିଶ୍ର

ଜୟ ଜଗନ୍ନାଥ ଜଗତ କାରଣ
         ପରିବ୍ୟାପ୍ତ ଚରାଚର
ଜୟ ଜଗନ୍ନାଥ ବ୍ରହ୍ମସ୍ବରୂପ
        ପାବନ ପଥ ଦୁଆର
ଜୟ ନାରାୟଣ ଜୟ ନାରାୟଣ
ଜୀବର ଯାତନା ଦୂର କରିବାକୁ
        ଜଗିଅଛ ଅନୁକ୍ଷଣ । ୧

ଜଳଧାର ପରି ଆଶିଷ ଝରଣ
        ଅବିରତ ପଡେ ଝରି
ଜଳ, ବାୟୁ, ରବି, ଚନ୍ଦ୍ର ଆକାଶରେ
        ସାଗର, ସରିତ, ଗିରି
ଜୟ ନାରାୟଣ ଜୟ ନାରାୟଣ
ଜୀବନ ଜୀଇଁବା ଉପାଦାନମାନ
        ଖଞ୍ଜିଛ ଯତନ କରି । ୨

ଜନକ, ଜନନୀ, ତନୟ, ତନୟା,
        ଜାୟା, ପତି ଖଞ୍ଜିଅଛ
ଜୀଇଁବାର ଯେତେ ସାଧନମାନଙ୍କୁ
         ଜୀବପାଇଁ ରଚିଅଛ
ଜୟ ନାରାୟଣ ଜୟ ନାରାୟଣ
ଜୀବାତ୍ମା ସହିତ କେତେ ରଙ୍ଗେ ଖେଳ
        କରି କି ହେବ ବର୍ଣ୍ଣନ । ୩

ଜଗତପିତା ହେ ଜଗତ କାରଣେ
         ଜଗଜ୍ଜନ ହିତପାଇଁ
ଜୁଟାଇଛ ସବୁ ଏ ଖେଳ ତୁମର
        କି ଅବା କହିବି ମୁହିଁ
ଜୟ ନାରାୟଣ ଜୟ ନାରାୟଣ
ଜୁହାରେ ତୁମକୁ ଲୀଳାରେ ଲୀଳାରେ
         କରୁଥିବି ଦରଶନ । ୪
 
Writer's Details: ରମେଶ ଚନ୍ଦ୍ର ମିଶ୍ର
ତାପସ କୁଟୀର, ବଇଣ୍ଡା, ଅନୁଗୋଳ । ମୋ- ୮୨୪୯୯୦୭୮୭୭
Content Category:
Submission Date: Jun 09, 2019

0 Comments