ଶିଶୁ ଗଳ୍ପ - ଜହ୍ନ ରାଇଜରେ କୁନା - ସନ୍ତୋଷ କୁମାର ମହାନ୍ତି

ଶିଶୁ ଗଳ୍ପ - ଜହ୍ନ ରାଇଜରେ କୁନା - ସନ୍ତୋଷ କୁମାର ମହାନ୍ତି

ଘରେ ବିଦ୍ୟୁତ ଚାଲିଗଲା | କୁନା ଆଉ ଘରେ ବସି ପଢି ପାରିଲା ନାହିଁ | ବହୁତ ଗରମ ଲାଗିଲା |ତେଣୁ କୁନା ବହି,ଖାତା ବନ୍ଦ କଲା |ହାତରେ ସଅପ ଓ ତକିଆ ଧରି କୋଠା ଉପରକୁ ଗଲା |କୋଠା ଉପରେ ସୁଲୁ ସୁଲିଆ ପବନ ବହୁଥାଏ | ସଅପ ପାରି କୁନା ଶୋଇଲା | ଥଣ୍ଡା ପବନରେ ଆଖିକୁ ନିଦ ଆସି ଯାଉଥାଏ | ଆକାଶକୁ ଅନାଇ କୁନା ତାରା ଗଣୁଥାଏ | ତାରା ଭରା ଆକାଶରେ ଜହ୍ନ ମାମୁ କେତେବେଳେ ବାଦଲ ଉପରେ ଚାଲୁଥାଏ | ପୁଣି କେବେ ବାଦଲ ଭିତରେ ହଜି ଯାଉଥାଏ | କୁନା ଶୋଇ ଜହ୍ନକୁ ଦେଖୁଥାଏ | ଜହ୍ନ ଭିତରେ ବସିଥିବା ଠେକୁଆର ଛାଇକୁ ଦେଖି କୁନା ଅନେକ କଥା ଭାବୁଥାଏ | ଠେକୁଆଟା କିପରି ଜହ୍ନ କୋଳରେ ଯାଇ ବସିଲା | ଠେକୁଆକୁ କଣ କିଏ ଆସି ପୃଥିବୀରୁ ଜହ୍ନ ରାଇଜକୁ ନେଇ ଯାଇଛି |ନା , ଜହ୍ନ ରାଇଜରେ ଠେକୁଆଟି ଅଛି ,ଯିଏ ଜହ୍ନ ମାମୁ କୋଳରେ ବସିଛି |


କୁନାର ଜହ୍ନ ରାଇଜକୁ ଯିବାକୁ ଭାରି ଇଛା ହେଲା | କିନ୍ତୁ ସିଏ ଯିବ କେମିତି ? ଜହ୍ନ ରାଇଜ ଯିବାକୁ ହେଲେ ରକେଟରେ ଯିବାକୁ ପଡିବ | ବାପା କହୁଥିଲେ ଜହ୍ନ ରାଇଜରେ ଏବେ ଲୋକମାନେ କୁଆଡେ ରହିବା ପାଇଁ ଜାଗା କିଣିଲେନି | ସତରେ ଜହ୍ନ ରାଇଜ ବହୁତ ସୁନ୍ଦର ହୋଇଥିବ | ସେଠି ଗୋଟିଏ ଠେକୁଆ ଅଛି ନା କେତେ ଠେକୁଆ ଅଛନ୍ତି |ସେଠି ଗଛ ,ପାଣି,ଝରଣା ,ଫଳ ,କୋଳି,ପୋଖରୀ ଅଛି ନା ନାହିଁ ? କୁନା ମୁଣ୍ଡରେ ଏମିତି କେତେ କଥା ଖେଳୁଥାଏ |ତାକୁ ନିଦ ଲାଗି ଆସୁଥାଏ | କିଏ ଜଣେ ଆକାଶରୁ ଆସିଲା | କୁନାକୁ ପିଠିରେ ବସାଇ ଆକାଶକୁ ନେଇ ଗଲା |ଜହ୍ନ ରାଇଜରେ ନେଇ ପହଞ୍ଚାଇ ଦେଲା |କୁନା- ଏଇଟା ଆମ ଜହ୍ନ ରାଇଜ | ତୁମେ ଆମ ଜହ୍ନ ରାଇଜର ଏବେ ଅତିଥି | ଏଠି ତୁମେ ମନଇଚ୍ଛା ବୁଲିପାରିବ | ଯାହା ଇଛା ଖାଇପାରିବ | ଯେତେଦିନ ଚାହିଁବ ଏଠି ରହି ପାରିବ | କୁନାକୁ ଆଣିଥିବା ଲୋକଟି କୁଆଡେ ଚାଲିଗଲା |



ସତରେ ଜହ୍ନ ରାଇଜ କେତେ ସୁନ୍ଦର | ରାସ୍ତା,ଘାଟ ବହୁତ ପରିଷ୍କାର |ଚାରିଆଡେ ବଡ ,ବଡ ସୁନ୍ଦର ବଗିଚା | ବଗିଚା ଗୁଡିକରେ ସେଓ,ଅଙ୍ଗୁର,ଆତ ,କମଳା ସବୁ ଫଳିଥାଏ |ସୁନ୍ଦର ଝରଣା ସବୁ ବହୁଥାଏ | ସେହି ଝରଣା କୂଳେ ହଂସ ମାନେ ପହଁରୁଥାନ୍ତି | ପରୀମାନେ ସେହି ଝରଣାରେ ହସି ,ଖେଳି ଗାଧଉଥାନ୍ତି | ଜହ୍ନ ରାଇଜରେ ଅନେକ ଲୋକ ବୁଲୁଥାନ୍ତି | ସମସ୍ତେ ଦେଖିବାକୁ ବହୁତ ସୁନ୍ଦର | ସମସ୍ତଙ୍କ ହସହସ ମୁଁହ | ରାଜା ,ରାଣୀଙ୍କ ଭଳି ପୋଷାକ ପିନ୍ଧିଥାନ୍ତି | ଜହ୍ନ ରାଇଜରେ ଗୋଟେ ହାତୀ ବୁଲୁଥାଏ | ସୁନ୍ଦର ଧଳା ହାତୀଟି | ଚାରିଆଡେ ସିଏ ଖୁସିରେ ବୁଲୁଥାଏ | ବଗିଚାରେ ଯାଇ ଡାଳ,ପତ୍ର ଖାଉଥାଏ | 



କୁନା ଭାବୁଥିଲା ସତରେ ପୃଥିବୀଠାରୁ ଜହ୍ନ ରାଇଜ କେତେ ଭଲ | ଏଠି ଅଳିଆ ,ଆବର୍ଜନା ନାହିଁ | ନଦୀ ଓ ଝରଣାର ପାଣି ବହୁତ ସୁନ୍ଦର | ଗଛରୁ କୋଉଠି ମଲା ପତ୍ର ପଡୁନି | ଏଠିକା ଲୋକମାନେ ସବୁବେଳେ ହସ ଖୁସିରେ ରହୁଛନ୍ତି | ସମସ୍ତେ ସମସ୍ତକୁ ବହୁତ ସମ୍ମାନ ଦେଉଛନ୍ତି | ଶରଧା କରୁଛନ୍ତି | କିନ୍ତୁ ପୃଥିବୀରେ ଯୋଉଠି ଦେଖିବ କେତେ ଅଳିଆ | କୂଅ,ଝରଣା,ଗଡିଆ,ନଦୀ ଓ ପୋଖରୀ ପାଣି ସବୁ ଖରାପ ହେଇଗଲାଣି | ଗାଁରେ ସୁନ୍ଦର ବଗିଚା ନାହିଁ | ଆମ୍ବ,ତାଳ,ନଡ଼ିଆ ଓ ପିଜୁଳି ବଗିଚା ସବୁ ଯାହା ଥିଲା ତାହା ସବୁ ଲୋକ ମାନେ କାଟିଦେଲେଣି | ଗାଁ ଓ ସହର ପାଖ ଜଙ୍ଗଲ ସବୁ ଲୋକମାନେ କାଟି ପଦା କଲେଣି |ଯୁଆଡେ ଦେଖିବ ଖାଲି କୋଠା ଘର ଦେଖା ଯାଉଛି | ପବନ ଟିକେ ଠିକରେ ବହୁନି | ଗାଁ ଆଉ ସହରର ଲୋକମାନଙ୍କ ମୁହଁରେ ହସ ନାହିଁ | ସମସ୍ତେ ଯେମିତି କିଛି ହଜିଗଲା ଭଳିଆ ମନ ଦୁଃଖ କରି ବୁଲୁଛନ୍ତି | 



ତିନିଦିନ ବିତିଗଲା | କୁନାକୁ ଆଉ ଜହ୍ନ ରାଇଜ ଭଲ ଲାଗିଲା ନାହିଁ | ସେଠି ସିଏ ଗୋଟେ ବି ଛୋଟ ପିଲା ପାଇଲା ନାହିଁ | କାହାକୁ ସେ ନିଜର ସାଙ୍ଗ କରିବ,କାହା ସହ ଖେଳିବ | ତାର ବାବୁନା,ଗଣେଶ,ବୂଟା,ଟୁନା,ମାମାଲି ଓ ଧକିନ କଥା ଭାରି ମନେ ପଡିଲା |ଜହ୍ନ ରାଇଜରେ ସିନା ସବୁ ଭଲ ,କିନ୍ତୁ ଖେଳିବାକୁ ସାଙ୍ଗଟିଏ ମିଳୁନି |ନା ସେ ଆଉ ଏଠି ରହିବ ନାହିଁ |ଯାହାବି ହେଲେ ସାଙ୍ଗ ,ସାଥି ନ ଥିଲେ କିଛି ମଜା ନାହିଁ | ଘର ଛାତକୁ ଲାଗିଥିବା ନଡ଼ିଆ ଗଛରୁ ନଡ଼ିଆଟିଏ ଦୁଲକିନା ପଡିଲା | କୁନା ନିଦ ଭାଙ୍ଗିଗଲା | କେତେ ସୁନ୍ଦର ସପନ ସିଏ ଦେଖୁ ନଥିଲା | ଜହ୍ନ ଆଡେ ଅନେଇ କୁନା ହସିଲା | ଏଣେ ବୋଉ ଡାକ ପକାଇଲା -କିରେ କୁନା ,ତୁ କଣ ଆଜି ଖାଇବୁ ନାହିଁ,ରାତି ଆସି ୯ ହେଲାଣି |କୁନା ତଳକୁ ଆସିଲା | ଖାଇକି ପୁଣି ଶୋଇବା ଘରକୁ ଗଲା | ଯାହାବି ହେଲେ ଜହ୍ନ ରାଇଜ ଠାରୁ ଆମ ଗାଁ,ସହର ,ମାମୁ ଘର ଗାଁ ଭାରି ସୁନ୍ଦର ବୋଲି ଭାବି ଭାବି କୁନା ହସୁଥିଲା |

Writer's Details: ସନ୍ତୋଷ କୁମାର ମହାନ୍ତି, ନବଜୀବନ ସମାଜ,
ସଫା,କଟକ-୭୫୪୦୨୨, ଦୂରଭାଷ-୯୭୭୭୭୬୬୩୪୬Content Category:
Submission Date: Jun 10, 2019

0 Comments