ପୁରାଣ କଥା - ଯାଜ୍ଞବଳ୍କ୍ୟ - ପ୍ରମୋଦ କୁମାର ପଣ୍ଡା

ପୁରାଣ କଥା - ଯାଜ୍ଞବଳ୍କ୍ୟ - ପ୍ରମୋଦ କୁମାର ପଣ୍ଡା

     ମହର୍ଷି ଯାଜ୍ଞବଳ୍କ୍ୟ ଏକଦା ରାଜର୍ଷି ଜନକଙ୍କର କୂଳଗୁରୁ ଥିଲେ | ସେ ଆଗତ ଭବିଷ୍ୟତର ଜ୍ଞାତା ଥିବା ସହିତ ବହୁତ ବଡ ପ୍ରାଜ୍ଞ ଓ ମହାନ ତପସ୍ୱୀ ଥିଲେ | ସେ ଯେତେବେଳେ ଜନକ ନନ୍ଦିନୀ ମା ସୀତାଙ୍କର ଶିକ୍ଷାଗୁରୁ ଥିଲେ , ସେ ସେତେବେଳେ ସୀତାଙ୍କୁ ସମସ୍ତ ଶାସ୍ତ୍ର ଜ୍ଞାନ , ତତ୍ତ୍ୱଜ୍ଞାନ ବ୍ୟତିରେକ ବହୁତ କଷ୍ଟପୂର୍ଣ ଜୀବନ ଯାପନର ଅଭ୍ୟାସ ମଧ୍ୟ କରାଇଥିଲେ ଯାହାକି ମହାରାଜ ଜନକ ଓ ତାଙ୍କ ଧର୍ମପତ୍ନୀଙ୍କୁ ବହୁତ ଆଶ୍ଚର୍ଯ୍ୟରେ ପକାଇଥିଲା | ସେମାନେ ଭାବିଲେ ଯେ ରାଜନନ୍ଦିନୀ ସୀତା ନିଶ୍ଚୟ ଜଣେ ରାଜା ବା ରାଜପୁତ୍ରକୁ ବିବାହ କରିବେ | ତେବେ ତାଙ୍କର ଏ କଷ୍ଟପୂର୍ଣ ସାଧନାର ଆବଶ୍ୟକତା କଣ ?
        ସେଦିନ ତ ମହର୍ଷି ଯାଜ୍ଞବଳ୍କ୍ୟ କେବଳ ସ୍ମିତହସି ନୀରବ ରହିଗଲେ ମାତ୍ର ପରେ ସମସ୍ତେ ବୁଝିଲେ ଯେ ମା ସୀତା କିପରି ବନ୍ୟ ଜୀବନରେ କ୍ଷୁଧା ତୃଷାରେ ସ୍ୱାମି ଓ ଦେବରଙ୍କ ସହିତ କଣ୍ଟକିତ ପଥ ଅତିକ୍ରମୀ ଦୀର୍ଘ ଚଉଦ ବର୍ଷ ରାଜ ସୁଖ ପରିହାର କରି ରହିଥିଲେ |
        ମହର୍ଷି ଯାଜ୍ଞବଳ୍କ୍ୟଙ୍କର ତପସ୍ୱୀ ଜୀବନ ବଡ କଠୋର ଓ ନୀତିପୂର୍ଣ ଥିଲା | ସେ ତପସ୍ୱୀ ଜୀବନର ନୀୟମକୁ ବହୁତ ନିଷ୍ଠାର ସହିତ ପାଳନ କରୁଥିଲେ | ପବିତ୍ର ଭାଗିରଥୀ ନଦୀ କୂଳରେ ତାଙ୍କର ଆଶ୍ରମ ଥିଲା | ସେ ଆଶ୍ରମର ଅନତି ଦୂରରେ ଥିବା ଜନପଦର ନିକଟବର୍ତ୍ତୀ ଶଶ୍ୟକ୍ଷେତ୍ର ସମୀପରେ ଥିବା ଘଞ୍ଚ ସବୁଜ ବନାନୀ ମଣ୍ଡିତ ପର୍ବତର ପାଦଦେଶରେ ଏକ ବିଲ୍ୱ ତରୁ ତଳେ ପ୍ରସ୍ତରଖଣ୍ଡ ଉପରେ ମୃଗଚର୍ମରେ ଉପବେଶନ ପୂର୍ବକ ବାହ୍ୟ ଚେତନା ରହିତ ହୋଇ ଗଭୀର ଭାବରେ ଧ୍ୟାନମଗ୍ନ ହୋଇପଡୁଥିଲେ | ନିକଟରେ କେବଳ ଭାଗିରଥୀର କୁଳୁକୁଳୁ ଶବ୍ଦ ଓ ପକ୍ଷୀଙ୍କ କାକଳୀ ବ୍ୟତିତ ସେଠି କୌଣସି ମନୁଷ୍ୟର ଛାୟା ବି ପଡେନା | ଏହି ତପସ୍ୟା ତାଙ୍କର ଏକ ସପ୍ତାହବ୍ୟାପୀ ଚାଲେ | ମହର୍ଷି ସପ୍ତାହକ ପରେ ଧ୍ୟାନ ରହିତ ହୁଅନ୍ତି |
        ସପ୍ତାହକ ପରେ ଧ୍ୟାନରୁ କ୍ଷାନ୍ତହୋଇ ସେ ନିକଟସ୍ଥ କ୍ଷେତରୁ ଅମଳପରେ ଇତସ୍ତତ ପତିତ ଶଶ୍ୟରାଶିକୁ ସଂଗ୍ରହକରି ଭାଗିରଥୀରେ ସ୍ନାନପୂର୍ବକ ଆଶ୍ରମକୁ ପ୍ରତ୍ୟାବର୍ତନ କରନ୍ତି | ସେଠି ସେ ଶଶ୍ୟକୁ ପରିଷ୍କାରକରି ରନ୍ଧନ କରନ୍ତି | ତାପରେ ଜଣେ ବ୍ରାହ୍ମଣ ଓ ମହର୍ଷିର କର୍ତ୍ତବ୍ୟ ଅନୁସାରେ ଦେବନୀତି କାର୍ଯ୍ୟ ସମ୍ପାଦନ ପୂର୍ବକ ଅଗ୍ନୀ ଆବାହନକରି ହୋମ ଓ ପୂଜାବୈଶ୍ୱଦେବ କାର୍ଯ୍ୟ ସାରି କୌଣସି ଏକ ଅତିଥି ବା ଅଭ୍ୟାଗତକୁ ଅପେକ୍ଷାକରି ରହନ୍ତି ଦିନର ତୃତୀୟ ପ୍ରହର ପର୍ଯ୍ୟନ୍ତ | ଯଦି ଦୈବାତ୍ କୌଣସି ଅତିଥି ଅବା ଅଭ୍ୟାଗତ ମିଳିଯାଆନ୍ତି ତେବେ ତାଙ୍କୁ ପାକ ହୋଇଥିବା ଖାଦ୍ୟର ଅର୍ଦ୍ଧେକ ପ୍ରଦାନକରିଥାନ୍ତି | ତଦ୍ ପଶ୍ଚାତ ସେ ନିଜେ ଭୋଜନକରି ବିଶ୍ରାମ ନିଅନ୍ତି | ଯଦି କୌଣସି ଅତିଥି ଅଥବା ଅଭ୍ୟାଗତ ନମିଳନ୍ତି ତେବେ ତୃତୀୟ ପ୍ରହର ଗତାନ୍ତେ ଅତିଥି ପାଇଁ ଉଦ୍ଦିଷ୍ଟ ଖାଦ୍ୟକୁ କୌଣସି ଅନ୍ୟ ଜୀବର ଭୋଜ୍ୟ ପାଇଁ ଆଶ୍ରମ ବାହାରେ ରଖି ସୂର୍ଯ୍ୟାସ୍ତ ପୂର୍ବରୁ ନିଜର ଆହାର ଗ୍ରହଣ କରନ୍ତି | ରାତ୍ର ଅନ୍ତେ ପ୍ରତ୍ୟୁଷରୁ ସ୍ନାନାଦି ନିତ୍ୟକର୍ମରୁ ନିବୃତହୋଇ ପୁନଶ୍ଚ ସପ୍ତାହବ୍ୟାପୀ ତପସ୍ୟା ନିମନ୍ତେ ଗମନ କରନ୍ତି | ଏହିପରି ତାଙ୍କର ଜୀବନଧାରା ବହିଚାଲେ |
        ଏକଦା ମହର୍ଷି ଅଭ୍ୟାଗତଙ୍କୁ ପ୍ରତୀକ୍ଷା କରିଥିବା ସମୟରେ ଜଣେ ଅତ୍ୟନ୍ତ ଜରାଜୀର୍ଣ ଶରୀରଧାରୀ ଛିନ୍ନ ମଳିନ ବସନଧାରୀ ନିରନ୍ନ କାଙ୍ଗାଳ ତାଙ୍କ କୁଟୀର ଦ୍ୱାରଦେଶରେ ଉପନୀତହୋଇ ଅପେକ୍ଷାରତ ମହର୍ଷିଙ୍କୁ ଖାଦ୍ୟ ଯାଚନା କରନ୍ତେ ସହର୍ଷ ମହର୍ଷି ଅଭ୍ୟାଗତଙ୍କ ଲାଗି ଉଦ୍ଦିଷ୍ଟ ଖାଦ୍ୟ ତକ ତାଙ୍କୁ ପ୍ରଦାନକଲେ | ଅନେକ ଦିନରୁ ନିରାଧାର ଥିବା କାଙ୍ଗାଳ ଜଣକ କିଞ୍ଚିତ ସମୟ ମଧ୍ୟରେ ସେତକ ଉଦରସ୍ଥ କରି ପୁନଶ୍ଚ ଖାଦ୍ୟ ଯାଚନା କରନ୍ତେ ମହର୍ଷି ନିଜ ପାଇଁ ଉଦ୍ଦିଷ୍ଟ ଖାଦ୍ୟରୁ ଅର୍ଦ୍ଧେକ ପ୍ରଦାନକଲେ | ତାକୁ ମଧ୍ୟ କ୍ଷଣିକ ମଧ୍ୟରେ ଉଦରସ୍ଥକରି ଆଗନ୍ତୁକ କାଙ୍ଗାଳ ଜଣକ ପୁଣି ଭୋଜନ ପାଇଁ ଇଚ୍ଛା ପ୍ରକାଶ କରିବାରୁ ମହର୍ଷି ସମସ୍ତ  ଖାଦ୍ୟ ତାଙ୍କୁ ଆନନ୍ଦର ସହିତ ପ୍ରଦାନକଲେ | ତଦ୍ ପରାନ୍ତେ ଉକ୍ତ ଆଗନ୍ତୁକ ଅତ୍ୟନ୍ତ ପ୍ରସନ୍ନ ଚିତ୍ତରେ ମହର୍ଷିଙ୍କୁ କୃତଜ୍ଞତା ଜଣାଇ ସେଠାରୁ ପ୍ରସ୍ଥାନ କରନ୍ତେ ମହର୍ଷି କେବଳ ଜଳ ପାନ ପୂର୍ବକ ରାତ୍ରଯାପନକରି ପ୍ରତ୍ୟୁଷରୁ ତପସ୍ୟା ନିମନ୍ତେ  ପ୍ରସ୍ଥାନକଲେ | ନୀୟମ ଅନୁସାରେ ସେ ଆଉ ପୁନଶ୍ଚ ଖାଦ୍ୟ ଗ୍ରହଣ କଲେନାହିଁ |
        ପୁଣି ସପ୍ତାହବ୍ୟାପୀ କଠୋର ତପସ୍ୟା , ତାପରେ ଶଶ୍ୟ ସଂଗ୍ରହ ଓ କୁଟୀରକୁ ପ୍ରତ୍ୟାବର୍ତ୍ତନ, ଦେବକାର୍ଯ୍ୟ ଉପରାନ୍ତେ ଯଜ୍ଞାନ୍ନ ରନ୍ଧନ , ହୋମ, ଯଜ୍ଞ, ପୂଜା ବୈଶ୍ୱଦେବ ପରେ ଅତିଥି ଅଭ୍ୟାଗତଙ୍କୁ ଅପେକ୍ଷା | ଆଶ୍ଚର୍ଯ୍ୟର କଥା ପୁନଶ୍ଚ ପୂର୍ବ ପରିଚିତ ସେହି କାଙ୍ଗାଳ ଆଗନ୍ତୁକ କୂଟୀର ଦ୍ୱାରରେ ପ୍ରବେଶକରି ପୁନର୍ବାର ସବୁ ଖାଦ୍ୟ ଉଦରସ୍ଥକରି ପ୍ରସ୍ଥାନ କଲେ | ମହର୍ଷି ସହର୍ଷ ଜଳପାନ ପୂର୍ବକ ରାତ୍ରିଯାପନକରି ପ୍ରତ୍ୟୁଷରୁ ପୁଣି ସପ୍ତାହବ୍ୟାପୀ ତପସ୍ୟା ପାଇଁ ପ୍ରସ୍ଥାନକଲେ | ମନରେ କୌଣସି ଦ୍ୱିଧା, ଦୁଃଖର ଲେଶ ମାତ୍ର  ନଥିଲା |
        ଏହିପରି ପ୍ରାୟ ଚାରି ସପ୍ତାହ ଅନ୍ତେ ପଞ୍ଚମ ସପ୍ତାହରେ ମଧ୍ୟ ସେହି ଏକା ଘଟଣା | ମହର୍ଷିଙ୍କ ଶରୀର କଙ୍କାଳସାର ଓ ଚଳତ୍ ଶକ୍ତି ବିହୀନ ହେବାକୁ ଲାଗିଲାଣି |ମାତ୍ର ମହର୍ଷି ନିଜ କର୍ତ୍ତବ୍ୟ ପଥରୁ ତିଳେ ମାତ୍ର ପଶ୍ଚାତ୍ ପଦ ନହୋଇ ପୂର୍ବପରି ଅଦମ୍ୟ ଉତ୍ସାହରେ ସ୍ଥିତପ୍ରଜ୍ଞଙ୍କ ଭଳି କାର୍ଯ୍ୟରେ ଲାଗିପଡିଲେ | ଅନ୍ନମୟ ପିଣ୍ଡ ତାଙ୍କର କେବଳ ଅସୀମ ମାନସିକ ଓ ଆଧ୍ୟାତ୍ମିକ ଶକ୍ତି ବଳରେ ଚାଲିଥାଏ | ମନରେ କୌଣସି ବିକାର କି କ୍ଷୋଭ ନଥାଏ |
        ଏଥର ପୂର୍ବର ସେହି କାଙ୍ଗାଳ ଅଭ୍ୟାଗତ ସମସ୍ତ ଖାଦ୍ୟ ଭୋଜନ ପୂର୍ବକ ଆଗ ଭଳି କୁଟୀର ପରିତ୍ୟାଗ ନକରି ଦୁର୍ବଳ ମହର୍ଷିଙ୍କ ମୁହଁକୁ ଚାହିଁ ଗୁରୁ ଗମ୍ଭୀର ସ୍ୱରରେ ପଚାରିଲେ,"  ହେ ମୁନୀଶ୍ରେଷ୍ଠ  !  କାହିଁକି ଆପଣଙ୍କର ଏ କୁଚ୍ଛ୍ର ସାଧନା ? ଆପଣ ମୋତେ ସମସ୍ତ ଖାଦ୍ୟ ପ୍ରଦାନକରି ନିଜେ ସମ୍ପୂର୍ଣ ନିରାଧାର ରହି କଣ ପାଇଁ ଏ ତପସ୍ୟା କରୁଛନ୍ତି ? ଏମିତି ହେଲେ ତ ଖୁବ୍ କମ୍ ଦିନରେ ଆପଣଙ୍କର ଅନାହାର ଜନୀତ ମୃତ୍ୟୁରସମ୍ଭାବନାକୁ କେହି ଏଡେଇଦେଇ ପାରିବେନି | ତେଣୁ ଆପଣ ପୁନଶ୍ଚ ଖାଦ୍ୟଗ୍ରହଣକରି ଆତ୍ମଶାନ୍ତି ଲାଭକରନ୍ତୁ | ଆଉ ଆତ୍ମାକୁ କଷ୍ଟ ଦିଅନ୍ତୁନାହିଁ |"
        ଅତିଥିଙ୍କର ଏପରି କଥା ଶୁଣି ସ୍ମିତହାସ୍ୟ ପୂର୍ବକ ମହର୍ଷି ଯାଜ୍ଞବଳ୍କ୍ୟ କହିଲେ , " ହେ ମହାତ୍ମା ! ଆପଣ ଉଚିତ କହିଲେ, ମାତ୍ର ତାହା ଏକ ଗୃହୀ ପାଇଁ ପ୍ରଯୁଜ୍ୟ | ମୁଁ ତ ଜଣେ ସନ୍ୟାସୀ | ଜଗତର ମଙ୍ଗଳ କାମନାକରି ତପସ୍ୟା କରିବା ମୋର କର୍ତ୍ତବ୍ୟ | ଏ ପ୍ରାଣ ତ ଜଗତର ମଙ୍ଗଳ ପାଇଁ | ଜୀବନକୁ ଲୋଭକରି ସେଥିରୁ ବିଚ୍ୟୁତହେଲେ ମୁଁ ନର୍କଗାମୀ ହେବି | ଏ ଶରୀର ତ ମୋର ନୁହେଁ,ଈଶ୍ୱରଙ୍କର | ଯେ ଦେଇଛି ସେ ନେଇଯିବ ଏଥିରେ ଦୁଃଖ କରିବାର କଣ ଅଛି ? ଆପଣ ମୋର ଆତିଥ୍ୟରେ ସନ୍ତୁଷ୍ଟ | ଏହା ମୋ ପାଇଁ ବଡ ଆନନ୍ଦର ବିଷୟ |" 
        ମହର୍ଷିଙ୍କର ଏପରି ଉତ୍ତର ଶୁଣି ସେହି କାଙ୍ଗାଳ ଜଣକ ହଠାତ୍ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ସହସ୍ର ସୂର୍ଯ୍ୟର ତେଜ ପ୍ରକାଶୁଥିବା ବୈକୁଣ୍ଠ ବିହାରୀ ବିଷ୍ଣୁଙ୍କ ରୂପରେ ପରିବର୍ତ୍ତିତ ହୋଇ ମେଘ ଗମ୍ଭୀର କଣ୍ଠରେ କହିଲେ , " ହେ ମୁନିଶ୍ରେଷ୍ଠ ଯାଜ୍ଞବଳ୍କ୍ୟ ! ମୁଁ ତମକୁ ଏପର୍ଯ୍ୟନ୍ତ ପରୀକ୍ଷା କରୁଥିଲି | ତୁମେ ପରୀକ୍ଷାରେ ଉତ୍ତୀର୍ଣ ହୋଇଛ | ଏବେ ତୁମେ ଯେକୌଣସି ବର ମାଗିପାର | ମାଗ....କଣ ତୁମର ଅଭିଷ୍ଟ ଅଛି |
        ସମ୍ମୁଖରେ ସ୍ୱୟଂ ବିଷ୍ଣୁଙ୍କୁ ପାଇ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ଗଦ୍ ଗଦ୍ କଣ୍ଠରେ ଯାଜ୍ଞବଳକ୍ୟ କହିଲେ ,"ହେ ବୈକୁଣ୍ଠ ବିହାରୀ ! ହେ ତ୍ରୈଲୋକ୍ୟ ନାଥ ! ଆପଣଙ୍କର ଦର୍ଶନ ପାଇଛି, ଯାହା ଦେବତା ମାନଙ୍କୁ ମଧ୍ୟ ଦୁର୍ଲ୍ଲଭ , ମୋର ସମସ୍ତ ତପସ୍ୟାର ଫଳ ମୁଁ ପାଇଗଲି | ଆଉ କଣ ମୋର ଦରକାର ?"
        ବିଷ୍ଣୁ କହିଲେ , ନା ଯାଜ୍ଞବଳ୍କ୍ୟ ! ତୁମକୁ ବର ଗ୍ରହଣ କରିବାକୁ ହେବ |" ବିଷ୍ଣୁଙ୍କର ଏଭଳି କଥା ଶୁଣି ଭକ୍ତିର ସହିତ ଯାଜ୍ଞବଳ୍କ୍ୟ କହଲେ ," ହେ  ଯଜ୍ଞପୁରୁଷ !  ଯଦି ଆପଣ ମୋତେ ବର ଦେବାପାଇଁ ଚାହୁଁଛନ୍ତି ତେବେ ଏତିକି ପ୍ରାର୍ଥନା ପ୍ରଭୁ  ! ଯେପରି ଏ ପୃଥିବୀ କେବେ ବନ୍ଧ୍ୟା ନହେବ | ସଦା ସର୍ବଦା ଏହା ଶଶ୍ୟବତୀ ହୋଇ ରହିଥିବ ଯଦ୍ୱାରା କି କୌଣସି ପ୍ରାଣୀ  ଅନ୍ନ ବିନା କଷ୍ଟ ପାଇବେ ନାହିଁ | ବାସ୍ ମୋର ଆଉ କିଛି ଦରକାର ନାହିଁ |"
        " ତୁମେ ନିଜ ପାଇଁ ତ କିଛି ମାଗିଲ ନାହିଁ ଯାଜ୍ଞବଳ୍କ୍ୟ ? " "ମୋର କଣ ଦରକାର ପ୍ରଭୁ ?  ମୋର ସାଧନା ତ ଜଗତର ମଙ୍ଗଳ ନିମିତ୍ତ |  ନିଜେ କଣ ମୁଁ ଏ ପୃଥିବୀରୁ ବର୍ହିଭୁତ ? ତେଣୁ ଆଉ କିଛି ଆବଶ୍ୟକ ନାହିଁ ପ୍ରଭୁ |"
         ଯାଜ୍ଞବଳ୍କ୍ୟଙ୍କ ଉତ୍ତରରେ ଅଭିଭୁତ ହୋଇପଡିଲେ ବିଷ୍ଣୁ | କହିଲେ , "ତୁମେ ମହାନ ଯାଜ୍ଞବଳ୍କ୍ୟ | ତୁମର ତପସ୍ୟା ସଫଳ ହୋଇଛି | ବର୍ତ୍ତମାନ ତୁମେ ଏଠି ନରହି ମିଥିଳାର ମହାରାଜା ଜନକଙ୍କ ନିକଟକୁ ଯାଅ | ଶ୍ରୀଲକ୍ଷ୍ମୀ ସୀତାଙ୍କ ରୂପ ନେଇ ଜନକପୁରରେ ଜନ୍ମ ହୋଇଛନ୍ତି | ତୁମେ ତାଙ୍କର ସମସ୍ତ ଶିକ୍ଷାର ଦାୟୀତ୍ୱ ନିଅ |" ଏହା କହି ବିଷ୍ଣୁ ସେଠାରୁ ଅନ୍ତର୍ଦ୍ଧ୍ୟାନ ହୋଇଗଲେ | ମହର୍ଷି ଯାଜ୍ଞବଳ୍କ୍ୟ ଏହାପରେ ମିଥିଳା ଅଭିମୁଖେ ଯାତ୍ରାକଲେ |
ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା

0 Comments