ଧର୍ମ ଧନ ସଞ୍ଚିବାରେ - ହାସ୍ୟମୟୀ ରାଜ୍

ଧର୍ମ ଧନ ସଞ୍ଚିବାରେ - ହାସ୍ୟମୟୀ ରାଜ୍

ଶାନ୍ତି ଭାବିକି ମଣିଷଟା ଆଜି
         ଭ୍ରାନ୍ତି ପଛରେ ଧାଏଁ
ପ୍ରବଞ୍ଚନାକୁ ସାଥୀ କରି କେହି
      ସତ୍ୟ ପଥ କି ପାଏ ?
ସୁଖ ସମୃଦ୍ଧିର କାମନା ଭିତରେ
        ଜୀବନଟା ହଜିଯାଏ
ଐହିକ ସୁଖକୁ ମୁଖ୍ୟ ଭାବିକି
      ପରମାର୍ଥ ଭୂଲିଯାଏ ।
ସକାଳରୁ ସନ୍ଧ୍ଯା ଜୀବନ ଦଉଡେ
      ଲକ୍ଷ୍ୟ ବିଚ୍ୟୁତ ହୁଏ
ଛଳନା ଭିତରେ ଭଦ୍ର ମୁଖାଟା
    ଜଳ ଜଳ ଦିଶୁଥାଏ  ।
ଆଶା ଆକାଂକ୍ଷାର ବହ୍ନିଟା ସଦା
   ଦିନୁଦିନ ଜଳୁଥାଏ
ମୂଲ୍ୟବୋଧର ସୁଦୃଢ ରଜ୍ଜୁଟା
  ପୋଡିକି ପାଉଁଶ ହୁଏ ।
ଅର୍ଥ ଲାଳସା ଐଶ୍ଵର୍ଯ୍ୟ ଭୋଗ
  ଶ୍ରେଷ୍ଠର ସ୍ଥାନ ନିଏ
ଶାଶ୍ଵତ ଅମୃତ ଉପଲବ୍ଧିଟା
ବାଟ ହୁଡି ଚାଲିଯାଏ ।
ଜୀବନ ସନ୍ଧ୍ୟାରେ ଉପନୀତ ହୋଇ
  ଉତ୍ତର ସେ ଖୋଜୁଥାଏ
ମନ ବିବେକର ଯୁଦ୍ଧରେ ସିଏ
   ସବୁବେଳେ ହାରୁଥାଏ ।
କାଳ ରାତ୍ରିଟା ଝରକା ଫାଙ୍କରେ
   ଜଳ ଜଳ ଚାହୁଁଥାଏ
ରୋଗ, ଶୋକ, ଦୁଃଖ ଆବୃତ୍ତ ଚକ୍ଷୁରେ
     ଅନୁତାପ ଲୁହ ବହେ ।
ଛାଡି ଆସିଥିବା ଅମୂଲ୍ୟ ସମୟ
    ବିକଳରେ ଝୁରୁଥାଏ
ଧ୍ବଂସ ପଥଟା କଟାକ୍ଷରେ ଚାହିଁ
     ଅଟ୍ଟହାସ୍ୟ କରୁଥାଏ ।
ସଂସାର ଭିତରେ ଚାଲିବାକୁ ହେବ
   କର୍ତ୍ତବ୍ୟ ପଥ ଧାରେ
ସବୁଠାରୁ ସାର ମଣିଷ ଜୀବନ
   ଧର୍ମ ଧନ ସଞ୍ଚିବାରେ ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Jun 06, 2019

0 Comments