ଧରାକୁ ମଣିଲି ସରା - ବି. ନିରୁପମା

ଧରାକୁ ମଣିଲି ସରା - ବି. ନିରୁପମା



ଆଗେ ରହିଥିଲି ରମ୍ୟକ ଦ୍ଵୀପରେ
ହେଲା ଗରୁଡ଼ ମୋ ଅରି ,
ବଡ଼ିମା ଦେଖେଇ ବାଦ କରୁ କରୁ
ପଳେଇ ଆସିଲି ଡରି ।

କାଳିନ୍ଦୀ ହ୍ରଦରେ ରହିଲି ନିର୍ଭୟେ
ମୋର ସ୍ବ କୁଟୁମ୍ବ ଘେନି ,
ଗରୁଡ଼ ଏଠିକୁ ଆସି ନ ପାରିଲା
ରହିଗଲା ହୋଇ ତୁନି ।

ଶୌଭରି ଋଷି ଯେ ତପ ସାଧୁଥିଲେ
ଏ କାଳିନ୍ଦୀ କୂଳେ ବସି ,
ରୋହିତ ମତ୍ସ୍ୟର କ୍ରୀଡ଼ା ଦେଖି ସେ ତ
ହେଉଥିଲେ ଭାରି ଖୁସି ।

ଏକ ଦିନେ ଆସି ବିନତା ନନ୍ଦନ
ଗ୍ରାସ କଲା ରୋହିତକୁ ,
ମୁନିଙ୍କ ବାରଣ ନ ମାନିଲା ଯେଣୁ
ଶାପ ଦେଲେ ଋଷି ତାକୁ ।

' ଏ କାଳିନ୍ଦୀ ଜଳେ ନ ପଶିବୁ କେବେ
ଥିବାଯାଏ ତୋର ପ୍ରାଣ ,
ମୋର ବଚନକୁ ଅମାନ୍ୟ କରିଲେ
ଭସ୍ମ ହେବୁ ତତକ୍ଷଣ ।'

ସେଥିଯୋଗୁଁ ମୁହିଁ ନିରାପଦ ଜାଣି
ଏଠାରେ ଆଶ୍ରୟ ନେଲି ,
ବାସୁକୀ ମୋହର ସାନଭାଇ ଭାଳି
ମତ୍ତଗର୍ବେ ଅନ୍ଧ ହେଲି ।

ମୋ ଗରଳ ଢାଳି କାଳିନ୍ଦୀର ଜଳେ
ଧରାକୁ ମଣିଲି ସରା ,
ଏତେଦିନେ ମୋର ଗର୍ବ ନାଶି ପ୍ରଭୋ
ଦରଶନ ଦେଲ ପରା ।

ମୋ କୁଟୁମ୍ବ ଘେନି ତୁମରି ଅର୍ଚ୍ଚନା
କରୁଅଛି ଘେନକର ,
ତୁମରି ଆଦେଶେ ଏ କାଳିନ୍ଦୀ ତେଜି 
ସମୁଦ୍ରେ କରିବି ଘର ।।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।

0 Comments