ଭରିଦିଅ ଦିବ୍ୟ ସତ୍ତା - ବି. ନିରୁପମା

ଭରିଦିଅ ଦିବ୍ୟ ସତ୍ତା - ବି. ନିରୁପମା



ତୁମ କରୁଣାର ଦିବ୍ୟଧାରା ଢାଳି
ମୋ ଅନ୍ତର କର ଶୁଦ୍ଧ ,
ଦିଅ ମୋତେ ଚିର ଶାନ୍ତିର ଠିକଣା
ହେ ଆନନ୍ଦମୟ ବୁଦ୍ଧ ।

ଅମୃତମୟ ଏ ସଂସାର ମଧ୍ୟରେ
ମୁଁ ଏକ ପବିତ୍ର ସୃଷ୍ଟି ,
ଭକ୍ତିଭରେ ପଦେ ଗୁହାରି କରୁଛି
ହେ ଗୌତମ ଦିଅ ଦୃଷ୍ଟି ।

ମୂଲ୍ୟହୀନ କିଛି କାମନା ମୋ ନାହିଁ
ଚାହେଁ ଏ ସଂସାର ହିତ ,
ସମାଜ କଲ୍ୟାଣେ ବିତୁ ଏ ଜୀବନ
ପ୍ରସନ୍ନ ରହୁ ମୋ ଚିତ୍ତ ।

ମାନବ ଭିତରେ ମହାମାନବର
ଭରିଦିଅ  ଦିବ୍ୟ ସତ୍ତା ,
କାମନାକୁ ଯେହ୍ନେ ଆୟତ୍ତରେ ରଖି
ପାଇବେ ସୁଖର ପତ୍ତା ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।

0 Comments